ଅପରାଧ

ମହିଳା ହତ୍ୟାକାରୀକୁ ଆଜୀବନ: ଗାଧୁଆଘରେ ପେଟ୍ରୋଲ ପକାଇ ଜାଳି ଦେଇଥିଲା – Kalinga News

[ad_1]

ଭୁବନେଶ୍ବର: ୨୦୧୭ ମସିହାରେ ନୂଆପଲ୍ଲୀ ଥାନା ୟୁନିଟ୍-୮ ନୀଳମଣି ବସ୍ତିରେ ଘଟିଥିବା ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡର ରାୟ ଆଜି ପ୍ରକାଶ ପାଇଛି। ପଡ଼ୋଶୀ ମହିଳା ସୁବାସିନୀ ନାୟକଙ୍କୁ ଗାଧୁଆଘରେ ପେଟ୍ରୋଲ୍‌ ଢାଳି ପୋଡ଼ି ଦେଇଥିବା ଆସାମୀ ଡମ୍ବରୁଧର ଦାସକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅତିରିକ୍ତ ଦୌରାଜଜ୍‌(୩) ସସ୍ମିତା ପାଢ଼ୀ ମାମଲାର ବିଚାର କରି ହତ୍ୟାକାରୀ ଡମ୍ବରୁଧରକୁ ଆଜୀବନ କାରାବାସ ଶୁଣାଇବା ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ଏକ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ ରହିଛି।

୨୦୧୭ ଜୁନ୍‌ ୭ ତାରିଖ ଅପରାହ୍ଣ ପ୍ରାୟ ୩ଟା। ହଠାତ୍ ସୁବାସିନୀଙ୍କ ଘରୁ ବିକଳ ଚିତ୍କାର ଓ ପିଲାମାନଙ୍କ କାନ୍ଦ ବୋବାଳି ଶୁଣିବାକୁ ମିଳିଥିଲା। ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସିବା‌ ବେଳେ ଘର ଭିତରୁ ଡମ୍ବରୁଧର ଦୌଡ଼ି ପଳାଉଥିବା ଲୋକେ ଦେଖିଥିଲେ। ସେହି ବସ୍ତିରେ ରହୁଥିବା ସୁବାସିନୀଙ୍କ ବଡ଼ଭଉଣୀ ସୀତାରାଣୀ ମଧ୍ୟ ଧାଇଁ ଆସିଥିଲେ। କିନ୍ତୁ ସେମାନେ ଡମ୍ବରୁଧରକୁ ପିଛା ନ କରି ଘଟଣା କ’ଣ ଜାଣିବାକୁ ସୁବାସିନୀଙ୍କ ଘର ଭିତରକୁ ପଶିଯାଇଥିଲେ। ସେତେବେଳକୁ ସୁବାସିନୀ ଚଟାଣରେ ପଡ଼ି ଛଟପଟ ହେଉଥିଲେ। ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ପିଲା ଦୁଇଟି ବିକଳରେ କେବଳ କାନ୍ଦୁଥିଲେ। ପଡ଼ୋଶୀମାନେ ସୁବାସିନୀଙ୍କ ଦେହରେ ଲୁଗାପଟା ଘୋଡ଼ାଇ ନିଆଁ ଲିଭାଇବା ପରେ ତୁରନ୍ତ ଆମ୍ବୁଲାନ୍‌ସ ଯୋଗେ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଥିଲେ।

ପରେ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏପଟେ ନୂଆପଲ୍ଲୀ ଥାନା ପୁଲିସ ସୁବାସିନୀଙ୍କ ଘରକୁ ଆସି ଯାଞ୍ଚ କରିବା ସହ ପଡ଼ୋଶୀମାନଙ୍କୁ ପଚରାଉଚରା କରିଥିଲା। ପଡ଼ୋଶୀ ପୁଷ୍ପାଞ୍ଜଳି ମହାପାତ୍ର ଓ ବଡ଼ ଭଉଣୀ ସୀତାରାଣୀ ମହାପାତ୍ର ଡମ୍ବରୁଧର ବାବଦରେ ପୁଲିସକୁ ସୂଚନା ଦେଇଥିଲେ। ଡମ୍ବରୁଧର ସେମାନଙ୍କୁ ସୁବାସିନୀ ଘରେ ଅଛନ୍ତି କି ନାହିଁ ପଚାରିଥିଲା ଏବଂ ତାଙ୍କ ଘର ଭିତରୁ ଦୌଡ଼ି ପଳାଇଥିଲା ବୋଲି ସେମାନେ ଦେଖିଥିବା କହିଥିଲେ। ଡମ୍ବରୁ ସେଠାକୁ ଆସିବା ବେଳେ ହାତରେ ଏକ କଳା ପଲିଥିନ୍‌ରେ କିଛି ଧରିଥିଲା ବୋଲି ସେମାନେ ବୟାନ ଦେଇଥିଲେ। ସେହିଭଳି ସୁବାସିନୀଙ୍କ ପିଲାମାନେ ପୁଲିସକୁ କହିଥିଲେ, ‘‘ମା’ ଗାଧୁଆଘରେ ବାସନ ମାଜୁଥିବା ବେଳେ ଡମ୍ବରୁ ତାଙ୍କ ଉପରେ କଳା ପଲିଥିନ୍‌ରେ ଆଣିଥିବା ପେଟ୍ରୋଲ ଢାଳି ଦିଆସିଲି ମାରିଦେଇଥିଲା।’’ ପୁଲିସ ମାମଲା ରୁଜୁ କରି ଡମ୍ବରୁକୁ ଧରିବାକୁ ଖୋଜୁଥିବା ବେଳେ ସୁବାସିନୀ କଟକ ବଡ଼ ଡାକ୍ତରଖାନାରେ ଆଖି ବୁଜିଦେଇଥିଲେ। ୫ ଦିନ କାଳ ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣାର ପ୍ରାୟ ୨ ସପ୍ତାହ ପରେ ପୁଲିସ ଡମ୍ବରୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ପୁଲିସ ୧୩ ଜଣ ସାକ୍ଷୀଙ୍କୁ କୋର୍ଟରେ ହାଜର କରାଇବା ସହ ବଳିଷ୍ଠ ଦସ୍ତାବିଜ ଦାଖଲ କରିଥିଲା। ସରକାରଙ୍କ ପକ୍ଷରୁ ପ୍ରଦୀପ୍ତ କୁମାର ମିଶ୍ର ଏହି ମାମଲା ପରିଚାଳନା କରିଥିଲେ।

ଆସାମୀ ଡମ୍ବରୁଧର ଓ ହତ୍ୟାର ଶିକାର ହୋଇଥିବା ସୁବାସିନୀ ଥିଲେ ପଡ଼ୋଶୀ। କୌଣସି କାରଣକୁ ନେଇ ଡମ୍ବରୁଧର ଓ ସୁବାସିନୀଙ୍କ ମଧ୍ୟରେ ବିବା‌ଦ ଉପୁଜିଥିଲା। ବିବାଦ ଏମିତି ସ୍ତରକୁ ଚାଲିଯାଇଥିଲା ଯେ ସେ ସୁବାସିନୀଙ୍କୁ ହତ୍ୟା କରିବାକୁ ଡମ୍ବରୁଧର ଚରମ ନିଷ୍ପତ୍ତି ନେଇ ସୁଯୋଗକୁ ଉଣ୍ଡି ବସିଥିଲା। କିନ୍ତୁ ସୁବା‌ସିନୀ ଏନେଇ ସାମାନ୍ୟତମ ସୁରାକ ପାଇନଥିଲେ। ବସ୍‌ ଚାଳକ ଡମ୍ବରୁ ଏକତରଫା ଭାବେ ୨ ପିଲାଙ୍କ ମା’ ସୁବାସିନୀଙ୍କୁ ଭଲ ପାଉଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। କିନ୍ତୁ ସୁବାସିନୀ ନଷ୍ଟଚରିତ୍ର ଡମ୍ବରୁ କଥାରେ ରାଜି ହୋଇନଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button