ରାଜନୀତି

ବଢ଼ୁଛି ବିଜେଡି-ବିଜେପି କଳି: ନବୀନ, ପାଣ୍ଡିଆନଙ୍କ ଉପରେ ବର୍ଷିଲେ ବିଜେପିର ୫ ନେତା – Kalinga News

[ad_1]

ଭୁବନେଶ୍ବର: ବିଜେପିର ୫ଜଣ ବରିଷ୍ଠ ନେତା ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ ଆଜି ମିଳିତ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡରୁ ଆରମ୍ଭ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ନଜରବନ୍ଦୀ କରି ରଖିବା, ଦାଦନ, ବେକାରୀ ସମସ୍ୟା, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଦୁରବସ୍ଥା, ଓଡ଼ିଆ ଅସ୍ମିତା, ତାମିଲନାଡୁକୁ ଶସ୍ତାରେ ବିଜୁଳି ବିକି ଓଡ଼ିଶାରେ ବିଜୁଳି ମହଙ୍ଗା କରିବା ଭଳି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଜବାବ୍ ମାଗିଛନ୍ତି।

ହୋଟେଲ ନ୍ୟୁ ମାରିଅନ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ବିଜେଡି ବିଭିନ୍ନ କଥା କହି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛି। ଓଡ଼ିଶାର ସାଧାରଣ ଲୋକଙ୍କୁ ସାମ୍ନା କରିବାକୁ ବିଜେଡିର ନୈତିକ ସାହସ ନାହିଁ। ତେଣୁ ଲୋକ ବିଜେପିକୁ ଭୋଟ୍ ଦେବାକୁ ମନସ୍ଥ କରିଛନ୍ତି। ବିଜୁ ବାବୁ ଏକସଙ୍ଗେ ୫ଟି ସ୍ଥାନରେ ନିର୍ବାଚନ ଲଢ଼ି ହାରିଥିଲେ। ଏହାକୁ ମଧ୍ୟ ସ୍ୱୀକାର କରି ରାଜନୀତିରେ ଥିଲେ। କିନ୍ତୁ ଗୁମାସ୍ତା ଦଳର ଆସନ୍ନ ପରାଜୟକୁ ସ୍ୱୀକାର କରିପାରୁନାହାନ୍ତି, ନିର୍ବାଚନରେ ହାରିଲେ ସନ୍ନ୍ୟାସ ନେବି କହୁଛନ୍ତି। ହାରିବା ଜିତିବା ରାଜନୀତିରେ ସ୍ୱାଭାବିକ ପ୍ରକ୍ରିୟା। ଯେଉଁମାନେ ମୁହଁରେ ସୁନା ଚାମଚ ଧରି ଜନ୍ମ ହୋଇ ରାଜନୀତି କରୁଛନ୍ତି, ସେମାନେ ଟଙ୍କା ବିଦେଶରେ ରଖିଛନ୍ତି ଏବଂ କେଉଁ ଜାଗାରେ
ରହିବ ତାହାର ଯୋଜନା କରୁଛନ୍ତି। ତେଣୁ ଏବେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିବୃତି ଦେବା ଆରମ୍ଭ କରିଛନ୍ତି। ହେଲେ ଓଡ଼ିଶାରେ ସରକାର ପରିବର୍ତ୍ତନ ହେବ ବୋଲି ଲୋକ ସଂକଳ୍ପ ନେଇଛନ୍ତି। ଓଡ଼ିଆ ସଂସ୍କୃତି, ଅସ୍ମିତାକୁ ଆଧାର କରି ବିଜେପି ନିର୍ବାଚନ ଲଢ଼ୁଛି। ଏଥର ଓଡ଼ିଶାରେ ବିଜେପି ସରକାର ହେବ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ଏବେ ସବୁଠୁ ବଡ଼ ସମସ୍ୟା ହେଉଛି ଲୋକଙ୍କୁ ପିଇବା ପାଣି ମିଳୁନି। ପାଣି ନଥିବାରୁ ହଇଜା ବ୍ୟାପୁଛି। ଜଳସେଚନ ନାହିଁ, ଶିକ୍ଷା, ସ୍ବାସ୍ଥ୍ୟ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ହେଲେ ଗୁମାସ୍ତା ଏଠାରେ ଓଡ଼ିଶା ଗୁଜରାଟ ଠାରୁ ଆଗରେ ଥିବା କହୁଛନ୍ତି। ଓଡ଼ିଶାରେ ଶିଶୁ ମୃତ୍ୟୁହାର(ଆଇଏମ୍‌ଆର୍‌) ୩୬ଥିବା ବେଳେ ଗୁଜରାଟରେ ୨୩ ଏବଂ ଜାତୀୟ ହାର ୨୮ଅଛି। ଶିଶୁ ମୃତ୍ୟୁରେ ଓଡ଼ିଶା ତୃତୀୟ ସର୍ବାଧିକ ରାଜ୍ୟ ଭାବେ ସ୍ଥାନିତ ହୋଇଛି। ଜାତୀୟସ୍ତରରେ ସ୍ୱାସ୍ଥ୍ୟ ସେବା ବାବଦକୁ ସରକାର ମୁଣ୍ଡପିଛା ୨୦୧୪ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗୁଜରାଟରେ ସରକାର ୧୮୬୧ଟଙ୍କା ଓ ଓଡ଼ିଶା ସରକାର ମାତ୍ର ୧୪୪୯ ଟଙ୍କା ଖର୍ଚ୍ଚ କରୁଛନ୍ତି। ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପ୍ରାୟ ୫୦% ପିଲା ପରୀକ୍ଷା ନଦେଇ ପାଠ ଛାଡ଼ୁଛନ୍ତି। ଗୁଜରାଟରେ ଏହା ୨୮% ଥିବାବେଳେ ଜାତୀୟ ହାର ୨୦%।

ଏହାସହ ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ଯେ ଦୀର୍ଘ ୨୫ବର୍ଷ ଶାସନରେ ହିଞ୍ଜିଳିରୁ କାହିଁକି ଅଧିକ ଲୋକ ଗୁଜରାଟକୁ ଦାଦନ ଖଟିବାକୁ ଯାଉଛନ୍ତି? ଏଥିରୁ ଓଡ଼ିଶାର ବାସ୍ତବ ସ୍ଥିତି ଓ ସତ୍ୟ କ’ଣ ଅନୁମେୟ। ବିଜେପି ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ବିକାଶରେ ବିଶ୍ୱାସ ରଖୁଥିବା ଦଳ। ମାତ୍ର ଏହି ସବୁ ସମ୍ବେଦନଶୀଳ ବିଷୟଗୁଡ଼ିକ ଆଜି ଓଡ଼ିଶାରେ ବଡ଼ ପ୍ରଶ୍ନବାଚୀ। ଓଡ଼ିଶାକୁ ଏପରି ସ୍ଥିତିରୁ ବାହାରକୁ ଆଣିବାକୁ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ବିଜେଡି ମୋତେ ନୀଚା ଦେଖାଇବା ସହ ଦାଦନ ଭଳି ଅପମାନ ସୂଚକ ମନ୍ତବ୍ୟ ଦେଉଛି। ରାଜମିସ୍ତ୍ରୀ ଓ ଡାକପିଅନର ଆଖ୍ୟା ଦେଉଛନ୍ତି। ଓଡ଼ିଶାବାସୀଙ୍କ କଥାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଁ ଦାଦନ ଓ ଡାକ ପିଅନ ହେବା ପାଇଁ ଶ୍ରେୟସ୍କର ମନେ କରିବି। ଏକବିଂଶ ଶତାବ୍ଦୀରେ ସ୍ୱାଭିମାନୀ ଓଡ଼ିଶା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ସମସ୍ତେ ରାଜମିସ୍ତ୍ରୀର ଦାୟିତ୍ୱ ନିର୍ବାହ କରିବାକୁ ପ୍ରସ୍ତୁତ। ଏଥର ଓଡ଼ିଶାରେ ନିଶ୍ଚିତ ପରିବର୍ତ୍ତନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ସରକାର ଆଉଟସୋର୍ସ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି କି ମିଶୁନାହାନ୍ତି। କେବଳ ଜଣଙ୍କୁ ତାଙ୍କ ସହ ଦେଖିବାକୁ ମିଳୁଛି। ୨୦୧୮ ମସିହା ପରଠାରୁ ତାଙ୍କୁ ଏକପ୍ରକାର ନଜରବନ୍ଦୀ କରାଯାଇଛି। ନବୀନ ବାବୁଙ୍କୁ ନଜରବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବାକୁ ହେବ। ଏହାସହ ଶ୍ରୀ ପଣ୍ଡା ଅଭିଯୋଗ ଆଣିଛନ୍ତି ଯେ ନବୀନ ବାବୁଙ୍କର ଯେଉଁ ଭିଡିଓ ଆସୁଛି ତାହା ‘ଡିପ୍ ଫେକ୍‌’ ଭିଡିଓ। କେହି ଜଣେ ତାଙ୍କୁ ମାଇକ୍ରୋଫୋନ ଧରି କୁହାଉଛି। ଓଡ଼ିଶାବାସୀ ନବୀନ ବାବୁଙ୍କୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀ କରିଥିଲେ, ତେଣୁ ତାଙ୍କ ବିଷୟରେ ସମସ୍ତେ ଜାଣିବା ଦରକାର। ଏବେ ଓଡ଼ିଆ ଅସ୍ମିତା ବିପଦରେ।

ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସୁରକ୍ଷା ବ୍ୟବସ୍ଥା ଜାଣିଶୁଣି ଢିଲା କରାଯାଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ବରେ ଥିଲେ। ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉତ୍ତର ଦିଅନ୍ତୁ। ଧର୍ମାନ୍ତରୀକରଣ ତତ୍ତ୍ବମାନଙ୍କ ସହିତ ନବୀନ ବାବୁଙ୍କ ସମ୍ପର୍କ କ’ଣ? ବର୍ତ୍ତମାନର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବାପା ସେତେବେଳେ କନ୍ଧମାଳ ସାଂସଦ ଥିବାବେଳେ ତାଙ୍କ ଭୂମିକା ବି ସନ୍ଦେହ ଘେରରେ ଥିଲା। ନବୀନ ବାବୁ ସେମାନଙ୍କୁ କାହିଁକି ସୁରକ୍ଷା ଦେଉଛନ୍ତି? କ’ଣ ପାଇଁ ସରକାର ୨ଟି ନ୍ୟାୟିକ ତଦନ୍ତ କମିସନର ରିପୋର୍ଟ ସାର୍ବଜୀନନ କରୁନାହାନ୍ତି। ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ଓଡ଼ିଶାରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଛି। ନିର୍ବାଚନରେ ଆମେ ନେତା ବାଛିବାକୁ ଯାଉଛୁ, କ୍ରୀତଦାସ ବାଛିବୁନି ବୋଲି ଓଡ଼ିଶାବାସୀ ନିଷ୍ପତ୍ତି ନେଇଛନ୍ତି। ବିଜେଡି ପକ୍ଷରୁ ବାରମ୍ବାର ଗୋଟିଏ କଥା କୁହାଯାଉଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ନେତା ବିରୋଧ କରୁଛନ୍ତି।

ବାସ୍ତବରେ ବିଜେପି ସବୁବେଳେ ବିକାଶର ରାଜନୀତି କରିଛି। ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ଦକ୍ଷିଣ ଭାରତର ‘ଭୂମିପୁତ୍ର ଆର୍କିଟେକଚରାଲ୍ ଫାର୍ମକୁ’ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିପିଆର୍‌ ପ୍ରସ୍ତୁତ କରିବାକୁ ଦିଆଯାଇଥିଲା। କେଉଁ ସ୍ବାର୍ଥରେ ସାନବାବୁ ଏହି ସଂସ୍ଥାକୁ ଦାୟିତ୍ବ ଦେଇଥିଲେ। ଏହାକୁ ବିରୋଧ ହେବାରୁ ଏଥିରେ ତ୍ରୁଟି ଥିବା ଦର୍ଶାଇ ୱେବସାଇଟ୍‌ରୁ ହଟାଇ ଦିଆଗଲା। ଏହାକୁ କାହିଁକି ପରେ ବଦଳାଗଲା? ଯେଉଁ ୭୦୦/୮୦୦ ବର୍ଷର ପ୍ରାଚୀନ ମଠ ସବୁ ଭଙ୍ଗା ଗଲା ସେଗୁଡ଼ିକ କେବେ ତିଆରି ହେବ? ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଥିବା ୪୨୦୦ କୋଟିର ବ୍ୟୟ ସାର୍ବଜନୀନ କରାଯାଉ। ଏବେ ବିଜେଡି ମାଗଣା ବିଜୁଳି ଦେବାକୁ କହୁଛି। ହେଲେ ଓଡ଼ିଶାରେ ବିଜୁଳି କାହିଁକି ମହଙ୍ଗା? ଓଡ଼ିଶାବାସୀ ବିଦ୍ୟୁତ ୟୁନିଟ ପିଛା ୨ଟଙ୍କା ୮୨ପଇସା ଦେଉଥିବା ବେଳେ ଚେନ୍ନାଇକୁ କାହିଁକି ୟୁନିଟ ପିଛା ୨ଟଙ୍କା ୫୨ପଇସାରେ ବିକ୍ରି କରାଯାଉଛି। ଓଡ଼ିଶାରେ ସବୁଠୁ ଅଧିକ ୪୨% ଶିକ୍ଷିତ ଯୁବ ବର୍ଗ କାହିଁକି ବେକାର ଅଛନ୍ତି ତା’ର ଉତ୍ତର ନବୀନ ବାବୁ ଓ ସାନବାବୁ କେବେ ଦେବେ?



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button