ରାଜନୀତି

କାହା ହାତକୁ ଯିବ ଢେଙ୍କାନାଳ ଲୋକସଭା ଆସନ?

ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ସେହିପରି ଟିକେଟ ପାଇଥିବା ନେତାମାନେ ପ୍ରବଳ ଖରାକୁ ଖାତିର ନକରି ପ୍ରଚାରରେ ଲାଗିପଡ଼ିଛନ୍ତି। ମେ ୧୩, ମେ ୨୦, ମେ ୨୫ ଓ ଜୁନ ୧ରେ ଚାରିଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ।

ତେବେ ଏଥର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଢେଙ୍କାନାଳ ଲୋକସଭା ଆସନ। ଏହି ଆସନରେ ଏଥର ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଛି। ଏହି ଆସନ ପାଇଁ ଏଥର ବିଜେଡି ନୂଆ ଚେହେରା ଭାବେ ଡାକ୍ତର ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ତାଙ୍କର ଦାଦା ତଥା ବିଧାୟକ ପ୍ରାର୍ଥୀ ସୁଧୀର କୁମାର ସାମଲଙ୍କ ସହଯୋଗରେ ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି।

ଅନ୍ୟପକ୍ଷରେ, ବିଜେପି ତା’ର ପୁରୁଣା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କୁ ରଣାଙ୍ଗନରେ ଅବତୀର୍ଣ୍ଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନମତ ଓ ନିଜର ଅଭିଜ୍ଞତାକୁ ଆଧାର କରି ରୁଦ୍ର ଏଥର ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି କଂଗ୍ରେସ ସେଠାରେ ମହିଳା କାର୍ଡ ଖେଳିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଝିଅ ସସ୍ମିତା ବେହେରାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ବାପାଙ୍କର ରାଜନୈତିକ ଅଭିଜ୍ଞତାକୁ ଆଧାର କରି ସସ୍ମିତା ବିଜୟ ପାଇଁ ଆଶାବାଦୀ ରହିଛନ୍ତି।

ସୂଚନା ଅନୁସାରେ, ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ମହେଶ ସାହୁ ୫ ଲକ୍ଷରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ରୁଦ୍ର ୪.୮୭ ଲକ୍ଷରୁ ଅଧିକ ଭୋଟ ପାଇଥିଲେ ଓ କଂଗ୍ରେସ ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂହ ୮୦ ହଜାରରୁ ଅଧିକ ଭୋଟ ପାଇଥିଲେ। ସେହିପରି ୨୦୧୪ରେ ବିଜେଡି ପ୍ରାର୍ଥୀ ତଥାଗତ ଶତପଥୀ ୪.୫ ଲକ୍ଷରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ରୁଦ୍ର ୩.୧୫ ଲକ୍ଷରୁ ଅଧିକ ଭୋଟ ପାଇଥିଲେ ଓ କଂଗ୍ରେସ ପ୍ରାର୍ଥୀ ସୁଧିର କୁମାର ସାମଲ ୨.୧୩ ଲକ୍ଷରୁ ଅଧିକ ଭୋଟ ପାଇଥିଲେ। ସେହିପରି ୨୦୦୯ ଓ ୨୦୦୪ରେ ବିଜେଡି ପ୍ରାର୍ଥୀ ତଥାଗତ ବିଜୟୀ ହୋଇଥିଲେ। ୨୦୦୪ ମସିହା ପରଠାରୁ ବିଜେଡି ଏହି ଆସନରୁ କ୍ରମାଗତ ଭାବେ ଜିତି ଆସୁଛି। ତେବେ ଏଥର ଢେଙ୍କାନାଳ ବାସିନ୍ଦା କାହାକୁ ଭରସା କରିବେ ତାହା ଦେଖିବାକୁ ବାକି ରହିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button