ରାଜନୀତି

ନବୀନଙ୍କ ପ୍ରଶ୍ନର ଜବାବ ଦେଲେ ଧର୍ମେନ୍ଦ୍ର: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି କିଏ ହଜାଇଲେ? – Kalinga News

[ad_1]

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ପଞ୍ଜୁରୀରେ ଥିବା ଶୁଆ ହୋଇଛନ୍ତି। ଯାହା ଶିଖାଯାଉଛି ତାହା କହୁଛନ୍ତି। ଭାରତର ଅସ୍ମିତା ବିପରୀତ କଥା କହୁଛନ୍ତି। ଓଡ଼ିଆ ଅସ୍ମିତା କଥା ସେ କେମିତି ବୁଝିବେ? ଏସବୁ ଉପରେ ପ୍ରଶ୍ନ କଲେ ତାଙ୍କୁ କଷ୍ଟ ହେବା ସ୍ୱାଭାବିକ ବୋଲି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରବିବାର ସମ୍ବଲପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିବା ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅନେକ ବିଷୟରେ ଅବଗତ ନାହାନ୍ତି। ତାଙ୍କୁ ଯାହା ଲେଖିକି ଦିଆଯାଉଛି, ତାହା ସେ ଉପସ୍ଥାପିତ କରୁଛନ୍ତି। ପଞ୍ଜୁରୀ ଭିତରେ ଆବଦ୍ଧ ହୋଇଛନ୍ତି। ତାଙ୍କ ପାଖରେ ୪ ଜଣ ଅଣ ଓଡ଼ିଆ ଗ୍ୟାଙ୍ଗ୍ ଅଛନ୍ତି। ସେମାନେ ଓଡ଼ିଆ ଲୋକମାନଙ୍କ ପାଇଁ ନ୍ୟାୟ କରୁନାହାନ୍ତି। ହେଲେ ସମସ୍ତେ ଜାଣିରଖିବା ଦରକାର ଯେ ମୁଖ୍ୟମନ୍ତ୍ରୀ ଆଣିଥିବା ଆଉଟସୋର୍ସ ନେତାଙ୍କୁ ଓଡ଼ିଆ ଲୋକମାନେ ଗ୍ରହଣ କରିବେ ନାହିଁ। ସେହିଭଳି ୨୦୧୪ରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଶିକ୍ଷା ବିଭାଗର ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ ଲାଙ୍ଗୁଏଜ୍ (ସିଆଇଆଇଏଲ୍‌) ରାଜ୍ୟ ସରକାରଙ୍କୁ ଖଣ୍ଡେ ଜାଗା ମାଗିଥିଲେ। ଏହାର ୫ ବର୍ଷ ପରେ ନବୀନ ସରକାର ପକ୍ଷରୁ ଜାଗା ବଦଳରେ ଏକ ଘର ଦିଆଗଲା। ସେହିଘରରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର୍ କ୍ଲାସିକାଲ୍ ଓଡ଼ିଆ ସେଣ୍ଟର ସ୍ଥାପନା କରାଯାଇଛି। ମୋଦୀ ସରକାର ପକ୍ଷରୁ କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ ଅଧୀନ ପୂର୍ବାଞ୍ଚଳ ଆଞ୍ଚଳିକ ଭାଷା କେନ୍ଦ୍ରର ବିକାଶ ପାଇଁ ୩୦ କୋଟି ଟଙ୍କା ଦିଆଯାଇଛି। ୟୁଜିସି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକ ବି ପ୍ରକାଶିତ ହୋଇଛି। ଓଡ଼ିଆ ଅସ୍ମିତା ଏବଂ ଓଡ଼ିଶାର କଳା, ସଂସ୍କୃତି, ଇତିହାସ ଓ ରାଜନୀତିରେ ଉଚ୍ଚସ୍ତରୀୟ ଗବେଷଣା ପାଇଁ ଓଡ଼ିଶା ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା ହୋଇଛି। ସ୍ଥାନୀୟ ଭାଷା ଦେଶିଆ, କୁଇ, ଗଡ଼ବା, ଜୁଆଙ୍ଗ ଏବଂ ସୌରା ଭାଷାରେ ବର୍ଣ୍ଣବୋଧ ଉପଲବ୍ଧ ହୋଇଛି। କେନ୍ଦ୍ର ସରକାର ଭାଷା ଆଧାରିତ ଶିକ୍ଷା ତିଆରି କରୁଛନ୍ତି। ଓଡ଼ିଆ ଭାଷା ପ୍ରତି ପ୍ରତିବଦ୍ଧତା ଉପରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସହଯୋଗୀମାନେ ଅବଗତ କରାଇନାହାନ୍ତି। ସେ ଆହୁରି କହିଛନ୍ତି ଯେ ଓଡ଼ିଆ ଭାଷା, ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଛି। କିନ୍ତୁ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଭାରତ ସରକାରଙ୍କ ପାଖରେ ସେମିତି କିଛି ବ୍ୟବସ୍ଥା ନାହିଁ ବୋଲି କେନ୍ଦ୍ର ସଂସ୍କୃତି ବିଭାଗ ଅଧୀନରେ ଥିବା ସଙ୍ଗୀତ ନାଟକ ଏକାଡେମୀ ସ୍ପଷ୍ଟ କରିଛି। ଯେଉଁ ବିଷୟ ଭାରତର ବ୍ୟବସ୍ଥାରେ ନାହିଁ, ସେଥିପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖିବେ ଆଉ କହିବେ ଅଗ୍ରାହ୍ୟ ହେଲା ଏହା ଠିକ୍ କି?

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ବଦଳରେ ମୁଖ୍ୟମନ୍ତ୍ରୀ ଗାଳି କରିବା କ୍ଷୋଭର ବିଷୟ
ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି କିଏ ହଜାଇଲେ?
ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟରେ କିଏ ମହାଷଡ୍‌ଯନ୍ତ୍ର କରିଥିଲା?

ଶ୍ରୀ ପ୍ରଧାନ କହିଛନ୍ତି, ୨୦୧୫ ଏପ୍ରିଲ ୧ରେ ପ୍ରଧାନମନ୍ତ୍ରୀ ରାଉରକେଲା ଆସି ଓଡ଼ିଶା ଦିବସ ପାଳନ କଲେ। ସେହି ବର୍ଷ ସେ ଶ୍ରୀମନ୍ଦିରର ନବକଳେବର ପାଇଁ ୫୦ କୋଟି ଟଙ୍କା କେନ୍ଦ୍ରରୁ ଆର୍ଥିକ ସହାୟତା ଦେଇଥିଲେ। ମୋଦୀ ସରକାର ଓଡ଼ିଶାର ସାମାଜିକ ଜୀବନର ୪୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ବଦଳରେ ଗାଳି କରିବା କ୍ଷୋଭର ବିଷୟ। ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ପାଦଦେଶରେ ପାଇକ ବିଦ୍ରୋହର ସ୍ମାରକୀ ପାଇଁ ତତ୍କାଳୀନ ଅର୍ଥ ମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟ୍‌ଲି ବଜେଟ୍‌ରେ ଘୋଷଣା କରିଥିଲେ। ଡାକ ଟିକେଟ ମୁଦ୍ରା ପ୍ରଚଳନ କରାଗଲା। ପାଇକ ସ୍ମାରକୀ ପାଇଁ ଜମି ପ୍ରଦାନ କେବଳ କାଗଜପତ୍ରରେ ସୀମିତ। ଓଡ଼ିଆ ସଂଗ୍ରାମୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଅଛି କି? ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ କୋଣାର୍କ ଚକ୍ର ତଳେ ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରର ନେତାଙ୍କୁ ସ୍ୱାଗତ କଲେ। ଏହାଠାରୁ ବଡ଼ ଗୌରବର କଥା କିଛି ଓଡ଼ିଶା ପାଇଁ ହୋଇ ନପାରେ। ପ୍ରଧାନମନ୍ତ୍ରୀଙ୍କ ଅପମାନ କରିବା ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଶୋଭାପାଉ ନାହିଁ। ଶ୍ରୀମନ୍ଦିର ପ୍ରସଙ୍ଗ ଉଠାଇ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଆ ଲୋକଙ୍କ ଭାବାବେଗ ସହ ଯୋଡ଼ି ହୋଇଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି କିଏ ହଜାଇଲେ? କୋଭିଡ୍ ସମୟରେ ଚକ୍ରାନ୍ତ କରି ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟରେ କିଏ ମହାଷଡ୍‌ଯନ୍ତ୍ର କରିଥିଲା? ମହାପ୍ରଭୁଙ୍କ ଅନୁଯାୟୀ ଭାବେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ବଳରେ ରଥଯାତ୍ରା କରିବା ପାଇଁ ଅନୁମତି ଦିଆଗଲା? ପ୍ରଧାନମନ୍ତ୍ରୀଙ୍କ ଓଡ଼ିଆଙ୍କ ପ୍ରତି ପ୍ରତିବଦ୍ଧତା ନବୁଝି ତାଙ୍କ ଉପରେ ଦୋଷ ଲଦିବା ଦୁର୍ଭାଗ୍ୟଜନକ। ବିଜେଡି ଏବଂ ଏହାର ସ୍ଥାନୀୟ ନେତୃତ୍ୱଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଯୋଗୁଁ କୋଷ୍ଟାଲ ହାଇୱେ କାମ ବନ୍ଦ ପଡ଼ିଛି। ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯିବା ପରେ ମୁଖ୍ୟମନ୍ତ୍ରୀ ‘ଚିଲିକାର ସୌନ୍ଦର୍ଯ୍ୟ’ ଆଳରେ ଏହି କାମକୁ ବନ୍ଦ କଲେ। କିଛି ପ୍ରଭାବଶାଳୀ ବିଧାୟକ ନିଜ ଘର ଦେଇ ଜାତୀୟ ରାଜପଥ ନେବା ପାଇଁ ବିବାଦ କଲେ। ମୋଦୀ ଯେଉଁ ଯୋଜନା କଲେ ମୁଖ୍ୟମନ୍ତ୍ରୀ ପରଶ୍ରୀକାତର ହୋଇ ତାହାକୁ ବନ୍ଦ କରନ୍ତି।

୨୦୧୪-୧୫ରେ କଂଗ୍ରେସ ସରକାର ଅମଳରେ ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ ପିଛା ୧୩୬୦ ଟଙ୍କା ଥିବା ବେଳେ ୨୦୨୩-୨୪ରେ ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ୨୦୧୩ରେ ବରଗଡ଼ ସୋହେଲାରେ ଚାଷୀଙ୍କ ପାଇଁ ଧାନରେ ୧୦୦ ଟଙ୍କା ବୋନ୍‌ସ ଦେବାର ଘୋଷଣା କୁଆଡ଼େ ଗଲା ‌ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। କୋଇଲା ରୟାଲଟି ସଂପର୍କରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କଂଗ୍ରେସ ସରକାର ସମୟରେ ଓଡ଼ିଶା ଖଣିଜ ରାଜସ୍ୱ ବାବଦକୁ ୪୯୨୫ କୋଟିରୁ କମ୍ ଟଙ୍କା ପାଉଥିଲା। କିନ୍ତୁ ମୋଦୀ ସରକାରଙ୍କ ଖଣି ସଂସ୍କାର ଓ ନିଲାମରେ ସ୍ୱଚ୍ଛତା କାରଣରୁ ଓଡ଼ିଶା ଏବେ ବାର୍ଷିକ ୫୦ ହଜାର କୋଟି ଟଙ୍କା ପାଉଛି। ଓଡ଼ିଶାକୁ ଡିଏମ୍‌ଏଫ୍‌ ପାଣ୍ଠିରେ ୨୫,୪୨୬ କୋଟିରୁ ଅଧିକ ଟଙ୍କା ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଗୁଜରାଟ ସମେତ ଅନେକ ରାଜ୍ୟ ସର୍ବଭାରତୀୟ ସ୍ତରରେ ଅନେକ କ୍ଷେତ୍ରରେ ୧ ନମ୍ବର ହୋଇଛି। କିନ୍ତୁ ଓଡ଼ିଶାରେ ରୋଜଗାର, ମହିଳା ଅତ୍ୟାଚାରରେ ତଳଆଡୁ ୧ ନମ୍ବର। ରାଜ୍ୟରୁ ଏକ ତୃତୀୟାଂଶ ଲୋକ ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ରୋଜଗାର ଉପରେ ପ୍ରଶ୍ନ କରିବା ପୂର୍ବରୁ ନିଜେ ଶ୍ୱେତପତ୍ର ପ୍ରକାଶ କରନ୍ତୁ, ହିଞ୍ଜିଳି ଓ କଣ୍ଟାବାଞ୍ଜିରେ କେତେ ଜଣ ଦାଦନ ଖଟିବା ପାଇଁ ଯାଉଛନ୍ତି ଓ ସେଠାକାର ଯୁବକଯୁବତୀଙ୍କ ରୋଜଗାର ପାଇଁ ସେ କଣ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ବରିଷ୍ଠ ନେତା ଡ. ପ୍ରମୋଦ ରଥ, ଗୋବିନ୍ଦ ଅଗ୍ରୱାଲ, ମାନସ ରଞ୍ଜନ ବକ୍ସି, ସଞ୍ଜୟ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button