ରାଜନୀତି

‘ସନ୍ଦେଶଖାଲି’ ଷ୍ଟିଙ୍ଗ୍‌ ଭିଡିଓ ନେଇ ବିଜେପି-ଟିଏମ୍‌ସି ମୁହାଁମୁହିଁ – Kalinga News

[ad_1]

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଅନୁସୂଚିତ ଜାତି ମହିଳାଙ୍କ ଜମି ହଡ଼ପ, ଗଣଦୁଷ୍କର୍ମ, ହତ୍ୟା ଉଦ୍ୟମ ଭଳି ସାଂଘାତିକ ଅପରାଧରେ ତୃଣମୂଳ କଂଗ୍ରେସର ସ୍ଥାନୀୟ ନେତାଙ୍କ ସମ୍ପୃକ୍ତି ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହି ମାମଲାରେ ସିବିଆଇ ଏବଂ ଏନ୍‌ଆଇଏ ତଦନ୍ତକୁ ନେଇ ପଶ୍ଚିମବଙ୍ଗର ରାଜନୀତି ସରଗରମ ରହିଛି। ଏବେ ଏହି ଘଟଣାରେ ଆଉ ଏକ ନୂଆ ମୋଡ଼ ସୃଷ୍ଟି ହୋଇଛି। ତୃଣମୂଳ କଂଗ୍ରେସ ପକ୍ଷରୁ ଏକ ଷ୍ଟିଙ୍ଗ୍ ଭିଡ଼ିଓ ଜାରି କରି ସନ୍ଦେଶଖାଲିର ସମସ୍ତ ଅଭିଯୋଗ ମିଥ୍ୟା ଓ ଯୋଜନାବଦ୍ଧ ଥିଲା ବୋଲି କୁହାଯାଇଛି । ଏହାକୁ ନେଇ ପୁଣିଥରେ ବିଜେପି ଓ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି।

ଗତକାଲି, ସନ୍ଦେଶଖାଲି ବ୍ଲକ-୨ର ମଣ୍ଡଳ ସଭାପତି ଗଙ୍ଗାଧର କୋୟାଲଙ୍କ ଏକ ୩୩ ମିନିଟ୍ ଷ୍ଟିଙ୍ଗ୍ ଭିଡ଼ିଓକୁ ତୃଣମୂଳ କଂଗ୍ରେସ ଜାରି କରିଛି। ଏଥିରେ ସେ କହିଛନ୍ତି, ସେମାନେ ବିଜେପି ବିଧାୟକ ତଥା ବିଧାସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନିର୍ଦ୍ଦେଶକୁ ପାଳନ କରିଛନ୍ତି। ବିଧାୟକ ଅଧିକାରୀ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେଇଛନ୍ତି । ସେମାନେ ତୃଣମୂଳ କଂଗ୍ରେସର ଲୋକଙ୍କୁ ଏଭଳି ଅଭିଯୋଗ କରିବାକୁ ମନାଇଥିଲେ। ବିଧାୟକ ଅଧିକାରୀ ସେମାନଙ୍କୁ ଏହାଦ୍ବାରା ବଡ଼ବଡ଼ିଆ ନେତାଙ୍କୁ ଗିରଫ କରିବା ସହଜ ହେବ ବୋଲି କହିଥିଲେ। ସମସ୍ତ ଦୁଷ୍କର୍ମ ୬-୭ ମାସ ପୂର୍ବରୁ ହୋଇଥିଲା। ଶୁଭେନ୍ଦୁ ଅଧିକାରୀ ଏହି ସମସ୍ତ ଯୋଜନାର ନେତୃତ୍ବ ନେଇ କାର୍ଯ୍ୟକାରୀ କରାଇଥିଲେ, ଏଣୁ ଏହି ଆନ୍ଦୋଳନ ଦୀର୍ଘ ଦିନ ଧରି ବଳବତ୍ତର ରହିପାରିଲା ବୋଲି ସେହି ଭିଡ଼ିଓରେ ମଣ୍ଡଳ ସଭାପତି କୋୟାଲ କହିଥିବା ଦେଖିବାକୁ ମିଳିଛି। ତେବେ ଏହା ନକଲି ଏବଂ ଏଆଇ ଦ୍ବାରା ପ୍ରସ୍ତୁତ ଭିଡିଓ ବୋଲି ବିଜେପି କହିବା ସହ ଏହାର ତତ୍କାଳ ତଦନ୍ତ କରାଯିବାକୁ ଦାବି କରିଛି।

ଏହି ଭିଡ଼ିଓକୁ ପ୍ରଥମେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମାଜିକ ଗଣମାଧ୍ୟମ ଏକ୍ସରେ ସେୟାର କରିଥିଲେ। ପରେ ଏହାକୁ ଦଳର ଅନ୍ୟନେତାମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରାରେ ପ୍ରଚାର ପ୍ରସାର କରିଥିଲେ। ନଦିଆର ଚକଦା ଓ ତାହେରପୁରରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମମତା ବାନାର୍ଜୀ ଏହି ପ୍ରସଙ୍ଗକୁ ନେଇ ବିଜେପିକୁ କଡ଼ା ସମାଲୋଚନା କରିଥିଲେ। ଅପରପକ୍ଷରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଭିଡିଓକୁ ଶାସକ ଦଳର ଷଡ଼୍‌ଯନ୍ତ୍ର କହି କଡ଼ା ସମାଲୋଚନା କରିଛନ୍ତି। ସନ୍ଦେଶଖାଲିର ପୀଡ଼ିତା ତଥା ବସିରହାଟର ବିଜେପି ପ୍ରାର୍ଥୀ ରେଖା ପାତ୍ର କହିଛନ୍ତି ଯେ ଏହା ତୃଣମୂଳ କଂଗ୍ରେସର ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ଷ୍ଟିଙ୍ଗ୍ ଭିଡ଼ିଓ ସଂପୂର୍ଣ୍ଣ ନକଲି ଏବଂ ସ୍ଥାନୀୟ ଲୋକେ ଟିଏମ୍‌ସିର ଏହି ଚାଲ୍‌ ସଂପର୍କରେ ଭଲଭାବେ ଅବଗତ ଅଛନ୍ତି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button