ଭୁବନେଶ୍ବର ଉତ୍ତରରେ ରାଜନୀତି ଉଷ୍ମ: ଚନ୍ଦ୍ରଶେଖରପୁରରେ ଧର୍ମେନ୍ଦ୍ରଙ୍କ ‘କାନ୍ଥ ଲିଖନ’ – Kalinga News

[ad_1]
ଚନ୍ଦ୍ରଶେଖରପୁର: ନିର୍ବାଚନ ପାଖେଇ ଆସୁଛି। ହାତରେ ଆଉ ମାସ କେଇଟା ଥିବା ବେଳେ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ରାଜନୀତି ପାଣିପାଗ ଉଷ୍ମ ହେବାରେ ଲାଗିଛି। କୌଣସି ରାଜନୈତିକ ଦଳ ଭୁବନେଶ୍ବର ସଂସଦୀୟ କ୍ଷେତ୍ର କିମ୍ବା ଉତ୍ତର ଭୁବନେଶ୍ବର ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ସ୍ପଷ୍ଟ କରି ନାହାନ୍ତି। ତେଣୁ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ମଧ୍ୟରେ ଲବି ଜୋର ଧରିଛି। ଏଭଳି ସମୟରେ ଆଜି ଗୋଟିଏ ଦିନରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ନେତାମାନଙ୍କ କାର୍ଯ୍ୟକଳାପ ଏବେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ବିଜେପି ପାଇଁ ଖୋଦ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚନ୍ଦ୍ରଶେଖରପୁରସ୍ଥିତ ୫୯ ନମ୍ବର ବୁଥ୍ରେ ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମ ମାଧ୍ୟମରେ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡିର ଦୁଇ ଗୋଷ୍ଠୀ ପୃଥକ ପୃଥକ ବନ୍ଧୁମିଳନ ଆୟୋଜନ କରି ରାଜଧାନୀ ରାଜନୀତିକୁ ଅଧିକ ସରଗରମ କରିଦେଇଛନ୍ତି। ବର୍ତ୍ତମାନର ବିଧାୟକ ସୁଶାନ୍ତ କୁମାର ରାଉତ ନହରକଣ୍ଟାରେ ଓ ବିଜେଡି ଟିକଟ ପାଇଁ ଦାବିଦାର ଥିବା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନୀଳାଦ୍ରିବିହାରରେ ବନ୍ଧୁମିଳନ ଆୟୋଜନ କରିଥିଲେ। ଅନ୍ୟ ପକ୍ଷରେ କଂଗ୍ରେସ ଟିକଟ ଆଶାୟୀ କୃଷ୍ଣଚନ୍ଦ୍ର ପତି ଲୋକଙ୍କ ନିକଟରେ ପହଞ୍ଚି ସୋମବାର ହେବାକୁ ଥିବା କଂଗ୍ରେସ ସମାବେଶକୁ ସଫଳ କରିବାକୁ ଲାଗିପଡ଼ିଛନ୍ତି। ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଏମ୍ସି ୮ ନମ୍ବର ୱାର୍ଡଠାରେ ଦଳୀୟ କର୍ମକର୍ତ୍ତା ନରେନ୍ ବିଶୋୟୀଙ୍କ ଘରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସକାଳ ଜଳଖିଆ କରିଥିଲେ। ଏହାପରେ ବୁଥ ନମ୍ବର-୫୯ ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନିରେ ବିଜେପିର ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମ ଓ ବୁଥ ଜନସମ୍ପର୍କ ଅଭିଯାନରେ ସାମିଲ ହୋଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସଙ୍ଗଠନ କାର୍ଯ୍ୟ ଉପରେ ଆଲୋଚନା କରିଛନ୍ତି। ଏଥିସହ ଘର ଘର ବୁଲି ସାଧାରଣ ଲୋକଙ୍କୁ ସାମ୍ପ୍ରତିକ ରାଜ୍ୟ ରାଜନୀତି ଓ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପି ଓ ମୋଦୀଙ୍କ ଚିହ୍ନ ପଦ୍ମ ଆଜି ସବୁ ବର୍ଗଙ୍କ ଆଶା, ପ୍ରଗତି ଓ ଜନକଲ୍ୟାଣର ପ୍ରତୀକ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ବିଶ୍ୱାସ ଅତୁଟ ରହିଛି। ଦେଶ ରାମରାଜ୍ୟ ହୋଇଛି। ଏବେ ସ୍ୱରାଜ୍ୟ ଦିଗରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ବଡ ରାଜନୈତିକ ପରିବର୍ତ୍ତନ ଆଡକୁ ଯାଉଥିବା ସେ କହିଥିଲେ। ବିଜେପି ଟିକଟ ଆଶାୟୀ ଦିଲ୍ଲୀପ ମହାନ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ନିର୍ବାଚନମଣ୍ଡଳୀ ବିଏମ୍ସିର ୪ ନମ୍ବର ୱାର୍ଡ ଅନ୍ତର୍ଗତ ନହରକଣ୍ଟାଠାରେ ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ବରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଏମ୍ସି ମେୟର ସୁଲୋଚନା ଦାସ, ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର, ରାଜ୍ୟ ମତ୍ସ୍ୟ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର, ଡେପୁଟି ମେୟର ମଞ୍ଜୁଲତା କଅଁର ପ୍ରମୁଖ ସାମିଲ ହୋଇଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ରାଉତ କହିଲେ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କ୍ରୀଡ଼ା ଓ ମହିଳାମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଓଡ଼ିଶା ଆଜି ଆଗରେ ରହିଛି। ଭୁବନେଶ୍ବରର ବିକାଶ ହେଉଛି। ମେଟ୍ରୋ ଟ୍ରେନ୍ ପାଇଁ ଭିତ୍ତିପ୍ରସ୍ତର ପଡ଼ି କାମ ଆରମ୍ଭ ହୋଇଛି। ସହରବାସୀ ସବୁବେଳେ ବିକାଶ ସହ ରହିଛନ୍ତି। ଆଗକୁ ରହିବେ ବୋଲି ମୋର ଆଶା ଓ ଭରସା ରହିଛି। କାର୍ଯ୍ୟକ୍ରମରେ ଯୁବ ନେତା ଅକ୍ଷୟ ଲେଙ୍କା, ରମାକାନ୍ତ ଜେନା, ଲଖମଣ ଖଟୁଆ, ରଶ୍ମି ରଞ୍ଜନ ସାହୁ, ସୁଶାନ୍ତ ଜେନା, ପ୍ରକାଶ ଜେନା, କମଳାକାନ୍ତ ଗୁରୁ, ନୀତେଶ ଦୀକ୍ଷିତ, ସାଗର ଜେନା, ମହିଳା ନେତ୍ରୀ ଝରଣା ମଲ୍ଲିକ, ସୁଲୋଚନା ସାହୁ, ରଶ୍ମିତା ବାରିକ ପ୍ରମୁଖ ସାମିଲ ହୋଇଥିଲେ।
ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ନୀଳାଦ୍ରିବିହାରରେ ଆଜି ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ନାରୀନେତ୍ରୀ ରଶ୍ମିରେଖା ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାବେଶରେ ଶ୍ରୀ ମିଶ୍ର ସାମିଲ ହୋଇ କହିଲେ ଜନହିତକାରୀ ଯୋଜନା, ଲୋକାଭିମୁଖୀ କାର୍ଯ୍ୟ, ଜନସେବା ମନୋବୃତ୍ତି ଓ ସ୍ବଚ୍ଛ ଶାସନ ପାଇଁ ମୁଖ୍ୟମନ୍ତ୍ରୀ ଆଜି ପ୍ରତି ଓଡ଼ିଆଙ୍କ ହୃଦୟର ନେତା ହୋଇପାରିଛନ୍ତି। ବିଜେଡି ଏକ ସଂଗଠିତ ଦଳ ହୋଇଥିବାରୁ ଆମେ ସମସ୍ତେ ମିଶି ହୋଇ ଦଳକୁ ଆହୁରି ମଜବୁତ କରିବା। ମୁଁ ଆପଣମାନଙ୍କ ସହ ଆଗରୁ ରହିଥିଲି, ରହିଛି, ଆଗାମୀ ଦିନରେ ରହିବି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ମାନସ ରଞ୍ଜନ ସାମଲ, ବିଜେଡି ନେତା କାଳି ଚରଣ ସିଂହ, ମିନିରାଣୀ ସିଂହ, ଯୁବନେତା ଦୟାନିଧି ସ୍ବାଇଁ, କର୍ମଚାରୀ ନେତା ସରୋଜକାନ୍ତ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ। ଲଗାତର ଭାବେ ପ୍ରିୟଦର୍ଶୀ ବିଭିନ୍ନ ସ୍ଥାନରେ ବନ୍ଧୁମିଳନ ଆୟୋଜନ କରି ନିଜର ଶକ୍ତି ପ୍ରଦର୍ଶନ କରୁଥିବା ଦେଖାଯାଉଛି।
କଂଗ୍ରେସ ମୁଖପାତ୍ର ତଥା ଆଶାୟୀ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପତି ବିଏମ୍ସି ୯ ନମ୍ବର ୱାର୍ଡ ଅନ୍ତର୍ଗତ ଗାଡ଼କଣ, ରଙ୍ଗମାଟିଆ, ରେଲୱେ କଲୋନିରେ ଘରକୁ ଘର ବୁଲି ଭୋଟରଙ୍କୁ ସଚେନତ କରାଇଛନ୍ତି। ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ ନାରା ଦେଇ ଲୋକଙ୍କ ସମେତ ବଜାର, ଛକର ବ୍ୟବସାୟୀଙ୍କୁ ସାକ୍ଷାତକରି ସୋମବାର ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା କଂଗ୍ରେସ ସମାବେଶରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି। ଶ୍ରୀ ପତି କହିଛନ୍ତି ଯେ ଓଡ଼ିଶାରେ ବିଜେପି ଓ ବିଜେଡି ଏବେ ଭାଇ ଭାଇ। ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ସାଧାରଣ ଲୋକେ ମଧ୍ୟ ଏହା ବୁଝିଗଲେଣି। ତେଣୁ ଏବେ କଂଗ୍ରେସ ହିଁ କେବଳ ଏକମାତ୍ର ବିକଳ୍ପ।
[ad_2]