ଖେଳ ଖବର

ଗୁଗୁଲ୍‌ ଡୁଡଲ୍‌ରେ ହମିଦା: ମହାନ କୁସ୍ତିଯୋଦ୍ଧାଙ୍କୁ ମନେ ପକାଇଲା ବିଶ୍ବ – Kalinga News

[ad_1]

୩୦୦ କୁସ୍ତି ଲଢ଼େଇ ଜିତି ଇତିହାସ ରଚିଥିଲେ

ନୂଆଦିଲ୍ଲୀ: ଭାରତର ମହାନ ମହିଳା କୁସ୍ତିଯୋଦ୍ଧା ହମିଦା ବାନୁଙ୍କୁ ମନେ ପକାଇଛି ଗୁଗୁଲ। ଅସାଧାରଣ ଶକ୍ତି ଓ ସାମର୍ଥ୍ୟର ଅଧିକାରିଣୀ ଥିବା ଏହି ନିର୍ଭୀକ ତଥା ଚର୍ଚ୍ଚିତ କ୍ରୀଡ଼ା ନାୟିକାଙ୍କୁ ‘ଡୁଡଲ୍‌’ରେ ମନେ ପକାଇଛି। ୪୦ରୁ ୫୦ ଦଶକ ମଧ୍ୟରେ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ହମିଦା ଥିଲେ ଅପୂର୍ବ ସାହସ ଓ ଅତୁଳନୀୟ କୁସ୍ତି କଳା କୌଶଳର ମୂର୍ତ୍ତିମନ୍ତ ପ୍ରତୀକ। ବିଭିନ୍ନ ଘାତ ପ୍ରତିଘାତ ଓ ସାମାଜିକ କଟକଣାକୁ ପ୍ରତିହତ କରି ହମିଦା କୁସ୍ତି ଦୁନିଆରେ ପାଦ ଥାପିଥିଲେ। ମହିଳା ହୋଇ ମଧ୍ୟ ପୁରୁଷଙ୍କ ସହ ଲଢ଼ୁଥିଲେ। ଏପରିକି ନିଜ ଚର୍ଚ୍ଚିତ ଖେଳ ଜୀବନରେ ୩୦୦ ପହିଲମାନ୍‌ଙ୍କ ବିରୋଧରେ ଲଢ଼ି ବିଜୟୀ ହୋଇଥିଲେ। ମେ’ ୪ ତାଙ୍କ ଖେଳ ଜୀବନର ଏକ ବିଶେଷ ଦିନ ଥିଲା। କାରଣ ୧୯୫୪ ମସିହା ମେ ୪ ତାରିଖରେ ହିଁ ହମିଦା ସେତେବେଳର ତାରକା ପୁରୁଷ କୁସ୍ତିଯୋଦ୍ଧା ବାବା ପହିଲମାନଙ୍କୁ ପରାସ୍ତ କରିଥିଲେ। ଅତ୍ୟନ୍ତ ବଳଶାଳୀ ବାବା ପହିଲମାନଙ୍କୁ ପରାସ୍ତ କରିବାକୁ ସେ ମାତ୍ର ଏକ ମିନିଟ୍ ଓ ୪୦ ସେ‌କେଣ୍ଡ ସମୟ ନେଇଥିଲେ। ଏହି ଲଜ୍ଜାଜନକ ପରାଜୟ ପରେ ବାବା ମଧ୍ୟ ଦୁଃଖ ଓ ଯନ୍ତ୍ରଣାରେ କୁସ୍ତି ଦୁନିଆରୁ ସନ୍ନ୍ୟାସ ନେଇ ଯାଇଥିଲେ। ହମିଦା ମଧ୍ୟ ରୁଷିଆର ପ୍ରତିଦ୍ବନ୍ଦ୍ବୀ ମହିଳା କୁସ୍ତିଯୋଦ୍ଧା ଭିରା ଚିଷ୍ଟିଲିନଙ୍କ ବିପକ୍ଷରେ ଲଢ଼ି ତାଙ୍କୁ ମାତ୍ର ଦୁଇ ମିନିଟ୍ ଭିତରେ ଧରାଶାୟୀ କରିଦେଇଥିଲେ। ସେଥିଲାଗି ଉଭୟ ଭାରତୀୟ ଓ ବିଦେଶୀ ଗଣମାଧ୍ୟମରେ ହମିଦା ବେଶ୍ ଲୋକପ୍ରିୟ ହୋଇପାରିଥିଲେ। କୁସ୍ତି ଆଖଡ଼ାରେ ତାଙ୍କ ଅବିଶ୍ବସନୀୟ ପ୍ରଦର୍ଶନ ପାଇଁ ହମିଦାଙ୍କୁ ‘ଆମାଜନ୍ ଅଫ୍ ଅଲ୍ଲୀଗଡ଼’ ଉପାଧି ମିଳିଥିଲା। ନିୟମିତ ଭାବେ ସେ ପୁରୁଷ ପହିଲମାନଙ୍କୁ ଲଢ଼େଇ ପାଇଁ ଆହ୍ବାନ କରୁଥିଲେ। ଏପରିକି ଯିଏ ତାଙ୍କୁ ହରାଇ ପାରିବ, ତାଙ୍କୁ ସେ ବିବାହ କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ କେହି ତାଙ୍କୁ ହରାଇ ପାରି ନଥିଲେ।

ହମିଦାଙ୍କ ଜନ୍ମ ୧୯୦୦ ମସିହାରେ ଏକ କୁସ୍ତି ପରିବାରରେ ହୋଇଥିଲା। ଯେତେବେଳେ ମହିଳାମାନେ ବାହାରକୁ ବାହାରିବା କଷ୍ଟକର ଥିଲା ସେତେବେଳେ ସେ ଉଭୟ ପୁରୁଷ ଓ ମହିଳାଙ୍କ ସହ ଦେଶ ଦୁନିଆରେ କୁସ୍ତି ଲଢ଼େଇ କରି ସୁନାମ ଅର୍ଜନ କରିଥିଲେ। ବିବାଦୀୟ ବି ହୋଇଥିଲେ। ମାତ୍ର ୫ଫୁଟ ୩ ଇଞ୍ଚ ଉଚ୍ଚତା ବିଶିଷ୍ଟ ‌ହୋଇଥିଲେ ମଧ୍ୟ ତାଙ୍କ ଓଜନ ଥିଲା ପାଖାପାଖି ୧୦୮ କିଲୋଗ୍ରାମ। ଦୈନିକ ସେ ୫.୬ ଲିଟର କ୍ଷୀର, ୨.୮ ଲିଟର ପନିପରିବା ସୁପ୍, ୧.୮ ଲିଟର ଫଳରସ, ଗୋଟିଏ ବଣୁଆ କୁକୁଡ଼ାର ମାଂସ, ଏକ କିଲୋ ଖାସି ମାଂସ ଓ ବାଦାମ, ଅଧକିଲୋ ଲହୁଣୀ, ଦୁଇଟି ବଡ଼ ପାଉଁରୁଟି ଓ ଦୁଇପ୍ଲେଟ୍ ବିରିୟାନି ଖାଉଥିଲେ। ଦିନକୁ ସେ ୯ ଘଣ୍ଟା ଶୋଇବା ସହ ଲଗାତାର ୬ ଘଣ୍ଟା ଅଭ୍ୟାସ କରୁଥିଲେ। ସୂଚନା ଅନୁସାରେ ଥରେ ତାଙ୍କ ପ୍ରଶିକ୍ଷକ ସଲ୍‌ମା ପହିଲମାନ ହମିଦାଙ୍କୁ ୟୁରୋପ ଯିବାରୁ ରୋକିବା ଲାଗି ଏକ ବାଡ଼ିରେ ତାଙ୍କ ଗୋଡ଼କୁ ଏମିତି ପିଟିଥିଲେ ଯେ ସେ ଏଥିରେ ଗୁରୁତର ଆହତ ହୋଇଥିଲେ। ଏହି ଆଘାତରୁ ପୂରା ସୁସ୍ଥ ହେବା ଲାଗି ତାଙ୍କୁ ବହୁ ବର୍ଷ ଲାଗି ଯାଇଥିଲା। ଏଣୁ ଖେଳ ଜୀବନର ଶ୍ରେଷ୍ଠ ସମୟରେ କୁସ୍ତି ଦୁନିଆରୁ ହଠାତ୍ ହମିଦା ଅର୍ନ୍ତର୍ଧାନ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ସେ ଜଣେ ବାଳକକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ମହାରାଷ୍ଟ୍ରର କଲ୍ୟାଣରେ ଶେଷ ଜୀବନ କଟାଇଥିଲେ। ସେଠାରେ ସେ କ୍ଷୀର ଓ ଅନ୍ୟାନ୍ୟ ତେଜରାତି ଜିନିଷ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ। ତାଙ୍କ ଜୀବନର ଶେଷ ସମୟ ଦୁଃଖକଷ୍ଟ ଓ ଅଭାବ ଅନଟନରେ କଟିଥିଲା।
ଗୁଗୁଲ୍‌ ହୋମ୍‌ପେଜ୍‌ରେ ଶନିବାର ପ୍ରକାଶିତ ଡୁଡଲ୍‌‌କୁ ବେଙ୍ଗାଲୁରୁ ବାସିନ୍ଦା ଦିବ୍ୟା ନେଗି ପ୍ରସ୍ତୁତ କରିଛନ୍ତି। ଏଥିରେ ହମିଦା ବିଭିନ୍ନ ଜୀବଜନ୍ତୁ ଓ ଫୁଲ ଫଳ ଗହଣରେ ଉପରକୁ ହାତ ଉଠାଇ ଲଢ଼ିବା ଭଙ୍ଗୀରେ ଥିବା ଦେଖିବାକୁ ମିଳୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button