ରାଜନୀତି

ଦଳଡିଆଁଙ୍କ ପାଇଁ ସମ୍ମାନର ପ୍ରଶ୍ନ: ନିର୍ବାଚନ ମଇଦାନରେ ଭିନ୍ନ ରୂପରେ ଲଢ଼ୁଛନ୍ତି – Kalinga News

[ad_1]

ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ କରିବାକୁ ଲାଗି ପଡ଼ିଛନ୍ତି

ଭୁବନେଶ୍ବର: ଦଳ ଗୁରୁତ୍ବ ଦେଲାନି। ଟିକେଟ ଦେବାକୁ କୁନ୍ଥକୁନ୍ଥ ହେଲା। କିଛି ଜାଗାରେ ଦଳ ଉପରେ ନେତାଙ୍କ ଭରସା ପାଇଲାନି। ଦଳ ଡେଇଁ ଅନ୍ୟ ଦଳକୁ ଆଦରି ନେଲେ। ନୂଆ ଦଳ ବି କୋଳେଇ ନେଲା, ସଙ୍ଗେ ସଙ୍ଗେ ଟିକେଟ ବଢ଼ାଇଦେଲା। ଏବେ ଉଭୟ ବର୍ଗଙ୍କ ପାଇଁ ସମ୍ମାନର ପ୍ରଶ୍ନ। ପ୍ରମାଣିତ କରିବାକୁ ହେବ ଯେ ନୂଆ ଦଳକୁ ଯିବାର ନିଷ୍ପତ୍ତି ଠିକ୍ ଥିଲା। ଏଥିପାଇଁ ଲାଗି ପଡ଼ିଛନ୍ତି ପ୍ରାର୍ଥୀ। ପାଖାପାଖି ୩୦ ଜଣ ଆଗ ଧାଡ଼ିର ନେତା ଏବେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ନିର୍ବାଚନ ମଇଦାନରେ। ଏହା ନିଶ୍ଚିତ ଯେ ସେହି ଆସନଗୁଡ଼ିକରେ ଲଢ଼େଇ ଜୋର୍‌ଦାର ହେଉଛି।

ବିଜେଡିରୁ ୫ ଥର ଜିତିଥିବା ସାଂସଦ ଭର୍ତ୍ତୃହରି ମହତାବ ଦଳ ଡେଇଁ ବିଜେପିରେ ମିଶିଲେ। ବିଜେପି ତାଙ୍କୁ ତାଙ୍କ ପୁରୁଣା ଗଡ଼ କଟକରେ ହିଁ ପ୍ରାର୍ଥୀ କଲା। ଯେଉଁ ବିଜେପି ବିରୋଧରେ ଭର୍ତ୍ତୃହରି ଲଢ଼ି ଜିତୁଥିଲେ ଏବେ ସେହି ବିଜେପି ପତାକା ଧରି ଭୋଟ୍ ମାଗୁଛନ୍ତି। ବିଜେଡି ଏଠି ତାଙ୍କୁ କଡ଼ା ମୁକାବିଲା କରୁଛି। ଭର୍ତ୍ତୃହରିଙ୍କ ପାଇଁ ଏହି ଲଢ଼େଇ ଏବେ ସମ୍ମାନର ପ୍ରଶ୍ନ। ଜୁନ୍ ୪ରେ ଜଣାପଡ଼ିବ ଭର୍ତ୍ତୃହରିଙ୍କ ନିଷ୍ପତ୍ତି ଭୁଲ୍ ଥିଲା ନା ଠିକ୍। ବିଜେଡି ବିଧାୟକ ଅରବିନ୍ଦ ଢାଲି ଟିକେଟ କଟିବା ଆଶଙ୍କାରେ ଆଗୁଆ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଜେପି ତାଙ୍କୁ ନିରାଶ କଲାନି। ଜୟଦେବରେ ପ୍ରାର୍ଥୀ ହେଲେ। ପୁରୁଣା ବିଜେପି ନେତା ଓ କର୍ମୀ ଦଳର ନିଷ୍ପତ୍ତିରେ କ୍ଷୁବ୍ଧ ହେଲେ। ଏବେ ଢାଲି ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରି ନିର୍ବାଚନରେ ଜିତିବା ପାଇଁ ପୂରା ଦମ୍ ଲଗାଇଦେଇଛନ୍ତି।
ହିନ୍ଦୋଳରେ ବିଜେଡି ବିଧାୟକ ସୀମାରାଣୀ ନାୟକଙ୍କୁ ଦଳ ଆଉ ଭରସା କଲାନି। ସାଂସଦ ମହେଶ ସାହୁଙ୍କୁ ସେଠି ପ୍ରାର୍ଥୀ କଲା। ସୀମାରାଣୀ ବିଜେଡି ଛାଡ଼ି ବିଜେପିରେ ମିଶିଲେ ଓ ଟିକେଟ ବି ନେଲେ। ଏବେ ନିଜର ପୁରୁଣା ଦଳ ବିରୋଧରେ ସେ ଲଢ଼ିବେ।।

ଖରିଆର କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଉ ନିଜ ଦଳ ଉପରେ ଭରସା କରିପାରିଲେନାହିଁ। ଦଳ ଡେଇଁ ବିଜେଡିକୁ ପଳାଇଲେ। ସେହି ଖରିଆରରେ ବିଜେଡି ପ୍ରାର୍ଥୀ ହୋଇ ନିଜ ପୁରୁଣା ଦଳ କଂଗ୍ରେସ ବିରୋଧରେ ଲଢ଼ୁଛନ୍ତି। ସମାନ ସ୍ଥିତି ହୋଇଛି ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କର। ୨୦୧୯ରେ ବିଜେପିରୁ ଲଢ଼ି ଜିତିଥିଲେ। କିନ୍ତୁ ଏଥର ବିଜେପିକୁ ଭରସା ନକରି ବିଜେଡିରେ ଯୋଗ ଦେଇ ଟିକେଟ ନେଇଛନ୍ତି। ଗତ ଥରର ବିଜେଡି ପ୍ରାର୍ଥୀ ଏଠାରେ ବିଜେପିରୁ ଲଢ଼ୁଛନ୍ତି। ସୁକାନ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ଏହି ନିର୍ବାଚନ। ବହୁ ପୂର୍ବତନ ବିଧାୟକ ଓ ଟାଣୁଆ ସଂଗଠକ ବି ପୁରୁଣା ଦଳର ନିଷ୍ପତ୍ତି ଓ କାର୍ଯ୍ୟଧାରାକୁ ନେଇ କ୍ଷୁବ୍ଧ ହୋଇ ଦଳ ଛାଡ଼ିଛନ୍ତି। ଭୁବନେଶ୍ବର ଉତ୍ତର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ ବିଜେଡିକୁ ବାଏ ବାଏ କରିଦେଇଛନ୍ତି। ବିଜେପିରେ ମିଶିଛନ୍ତି ଓ ଟିକେଟ ପାଇଛନ୍ତି। ଦମ୍ ଲଗାଇ ସଂଗଠନକୁ ସଜାଡ଼ି ଲଢ଼ୁଛନ୍ତି। ବିଜେଡିର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡି ଛାଡ଼ି ବିଜେପିରେ ମିଶି ଦିଗପହଣ୍ଡିର ବିଧାନସଭା ଟିକେଟ ନେଇଛନ୍ତି। କଂଗ୍ରେସର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ପରେ ଦଳ ତାଙ୍କୁ ବଲାଙ୍ଗୀର ଲୋକସଭା ଆସନ ଧରାଇଛି।

ଜଗତସିଂହପୁରର ଅମରେନ୍ଦ୍ର ଦାସ ଓ ଭଦ୍ରକର ଅସିତ ପଟ୍ଟନାୟକଙ୍କ ପରି ନେତା ଏକଦା ବିଜେଡିର ଜଣେ ଜଣେ ଟାଣୁଆ ସଂଗଠକ ଥିଲେ। କିନ୍ତୁ ଏଥର ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ି ଦେଇଛନ୍ତି। ଅମରେନ୍ଦ୍ରଙ୍କୁ ବିଜେପି ଭରସା କରି ଜଗତସିଂହପୁରରେ ପ୍ରାର୍ଥୀ କରିଛି। ଅସିତଙ୍କୁ କଂଗ୍ରେସ କୋଳେଇ ନେଇ ଭଦ୍ରକରେ ଲଢ଼ାଉଛି। ଦୁଇ ନେତାଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। ବିଜେଡି ବିରୋଧରେ ଅନର୍ଗଳ ବର୍ଷୁଥିବା ବିଜେପିର ଦୁଇ ନେତା ଭୃଗୁ ବକ୍ସିପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି। ଜଣେ ବ୍ରହ୍ମପୁର ଓ ଜଣେ ବାଲେଶ୍ବରରେ ଲୋକସଭା ପ୍ରାର୍ଥୀ ହୋଇ ମଇଦାନକୁ ଓହ୍ଲାଇଛନ୍ତି। ଉଭୟଙ୍କ ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ ପାଲଟିଛି। ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇ ଦିଲ୍ଲୀପ ନାୟକ ନିମାପଡ଼ା ଟିକେଟ ହାତେଇବାରେ ସକ୍ଷମ ହୋଇଛନ୍ତି। ସେଠି ଏବେକାର ବିଜେଡି ବିଧାୟକ ସମୀର ଦାଶ ରଣହୁଙ୍କାର ଦେଇଛନ୍ତି। ଦଳର ମୁଖିଆଙ୍କ ଉପରେ ଚାପ କୌଶଳ ପ୍ରୟୋଗ କରିବା ଲାଗି ବିଜେଡି ସମର୍ଥକମାନେ ଦଳ ଛାଡ଼ିଥିବା କୁହାଯାଉଛି।

କେନ୍ଦ୍ରାପଡ଼ା କଂଗ୍ରେସର ଦୁଇ ବଡ଼ ଚେହେରା ପୂର୍ବତନ ବିଧାୟକ ଗଣେଶ୍ବର ବେହେରା ଓ ଅଂଶୁମାନ ମହାନ୍ତି ପୁଣି ଥରେ କଂଗ୍ରେସ ଟିକେଟ ହାସଲ କରିବାରେ କିଛି ସମସ୍ୟା ନଥିଲା। କିନ୍ତୁ ଉଭୟ ନେତା ନିଜ ଦଳ ଉପରେ ଭରସା କରିପାରିଲେନି। କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ। ଦଳ ବି ତାଙ୍କୁ ନିରାଶ କଲାନି। ଅଂଶୁମାନଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଓ ଗଣେଶ୍ବରଙ୍କୁ କେନ୍ଦ୍ରାପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ କଲା। ଏବେ ଗଣେଶ୍ବରଙ୍କ ପ୍ରତିଦ୍ବନ୍ଦ୍ବୀ ସାଜିଛନ୍ତି ବିଜେଡିର ଦୁଇ ପୁରୁଣା ନେତ୍ରୀ। ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହୋଇଛନ୍ତି। ପୁଣି ବିଜେଡିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ବେହେରା ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଛନ୍ତି। ଏଠି ତିନି ଜଣ ଯାକ ପ୍ରାର୍ଥୀ ଦଳ ଡେଇଁଛନ୍ତି। କାହା ନିଷ୍ପତ୍ତି ଭୁଲ୍, କାହା ଠିକ୍ ଜୁନ୍ ୪ରେ ସ୍ପଷ୍ଟ ହେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button