ଖେଳ ଖବର

ବିଶ୍ବକପ୍ ଲାଗି ରୋହିତ ସେନା: ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ – Kalinga News

[ad_1]

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଜୁନ୍‌ ୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ହିଟ୍‌ମ୍ୟାନ୍ ରୋହିତ ଶର୍ମାଙ୍କୁ ଆଶାଜନକ ଭାବେ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଗଠିତ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ତେବେ ଚଳିତ ଆଇପିଏଲ୍‌ରେ ଦୁର୍ବଳ ବ୍ୟାଟିଂ ସହ ଦୟନୀୟ ବୋଲିଂ କରିବା ସତ୍ତ୍ବେ ହାର୍ଦିକ ପାଣ୍ଡ୍ୟାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଅଜିତ ଅଗରକରଙ୍କ ନେତୃତ୍ବାଧୀନ ଜାତୀୟ ଚୟନ କମିଟି। କମିଟି ତାଙ୍କୁ କେବଳ ଦଳରେ ରଖିନି ବରଂ ତାଙ୍କୁ ଉପଅଧିନାୟକ ଦାୟିତ୍ବ ମଧ୍ୟ ଦେଇଛି। ଫଳରେ ପାଣ୍ଡ୍ୟାଙ୍କ ଭବିଷ୍ୟତ ନେଇ ଲାଗି ରହିଥିବା ଆଶା, ଆଶଙ୍କାରେ ପୂର୍ଣ୍ଣଛେଦ ପଡ଼ିଛି। ଯୁବ ୱିକେଟ୍‌ରକ୍ଷକ ଋଷଭ ପନ୍ତଙ୍କ ପ୍ରଶଂସକଙ୍କୁ ମଧ୍ୟ ଖୁସି ଖବର ମିଳିଛି।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ଅସାଧାରଣ ଏକାଗ୍ରତା ଓ ଆତ୍ମବିଶ୍ବାସର ପରିଚୟ ଦେଇ ସଂପୂର୍ଣ୍ଣ ସୁସ୍ଥ ହେବା ସହ ଆଇପିଏଲ୍‌ରେ ଉଚ୍ଚକୋଟୀର ବ୍ୟାଟିଂ କରିଥିବା ପନ୍ତ, ଦୀର୍ଘ ଦେଢ଼ ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ତାଙ୍କ ସହିତ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍‌ସନ୍‌ଙ୍କୁ ମଧ୍ୟ ଲଗାତାର ସ୍ଥିର ପ୍ରଦର୍ଶନ କରିବାର ସୁଫଳ ମିଳିଛି। ଅନ୍ୟତମ ୱିକେଟ୍‌ରକ୍ଷକ ଭାବେ ବିଶ୍ବକପ୍ ଦଳରେ ସେ ଅଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ
ରାହୁଲ ବାଦ୍‌; ପନ୍ତ, ଚହଲ ଫେରିଲେ
ସାମସନ୍ ଦ୍ବିତୀୟ ୱିକେଟ୍‌ରକ୍ଷକ
ରିଙ୍କୁଙ୍କ ବଦଳରେ ଦୁବେଙ୍କୁ ସୁଯୋଗ

ସେହିଭଳି ସ୍ପିନର ୟୁଝବେନ୍ଦ୍ର ଚହଲ ଫେରିଥିଲା ବେଳେ କଚଟି ସ୍ପିନର କୁଲଦୀପ ଯାଦବ ମଧ୍ୟ ନିଜ ସ୍ଥାନ ବଜାୟ ରଖିଛନ୍ତି। ଫଳରେ ବହୁଦିନ ପରେ ଚହଲ-କୁଲଦୀପ ଏକାଠି ବୋଲିଂ କରିବାର ଆଶା ସଂଚାର ହୋଇଛି। ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଅଧିନାୟକ ଭାବେ ଚମତ୍କାର ପ୍ରଦର୍ଶନ କରିବା ପରେ ବି କେଏଲ୍ ରାହୁଲ ବାଦ୍‌ ପଡ଼ିବା ତାଙ୍କ ପ୍ରଶଂସକଙ୍କୁ ବିସ୍ମିତ କରିଛି। ଆଉ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତିକ୍ରମେ କୋଲକାତା ନାଇଟ୍ ରାଇଡର୍ସର ବିସ୍ଫୋରକ ବ୍ୟାଟର୍‌ ରିଙ୍କୁ ସିଂହଙ୍କ ସମେତ ଗୁଜରାଟ ଟାଇଟନ୍ସ ଅଧିନାୟକ ଶୁବମନ ଗିଲ୍, ଦ୍ରୁତ ବୋଲର ଆୱେସ ଖାନ୍, ଖଲିଲ ଅହମ୍ମଦ ସଂରକ୍ଷିତ ଖେଳାଳି ରହିଛନ୍ତି। ଗିଲ୍‌ଙ୍କ ପରିବର୍ତ୍ତେ ଯଶସ୍ବୀ ଜୟସ୍ବାଲଙ୍କୁ ଅଗ୍ରାଧିକାର ଦିଆଯାଇଛି। ଷ୍ଟ୍ରାଇକ୍ ରେଟ୍ ସମାଲୋଚନା, ତର୍କ ଓ ବିତର୍କ ଭିତରେ ରୋହିତଙ୍କ ସହ କିଂବଦନ୍ତି ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଶୀର୍ଷକ୍ରମ ସମ୍ଭାଳିବେ। ଧମାକାଦାର ବ୍ୟାଟିଂ ପାଇଁ ପରିଚିତ ଚେନ୍ନାଇ ସୁପରକିଙ୍ଗ୍ସର ଯୁବ ବ୍ୟାଟର୍ ଶିବମ ଦୁବେଙ୍କୁ ତାଙ୍କ ଦ୍ରୁତ ତଥା ଦାୟିତ୍ବବାନ ବ୍ୟାଟିଂର ପୁରସ୍କାର ମିଳିଛି। ଭାରତୀୟ ଦଳରେ ଚହଲ, କୁଲଦୀପ, ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲଙ୍କ ରୂପରେ ଚାରି ଜଣ ସ୍ପିନର ରହିଛନ୍ତି। ଯଶପ୍ରୀତ୍‌ ବୁମ୍‌ରା, ଅର୍ଶଦୀପ ସିଂହ ଓ ମହମ୍ମଦ ସିରାଜଙ୍କ ଭଳି ମାତ୍ର ୩ ଜଣ ପେସର୍ ରହିଛନ୍ତି। ଏଣୁ ବିଶ୍ବକପ୍‌ରେ ପାଣ୍ଡ୍ୟା ବୋଲିଂ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ଭାରତ ଜୁନ୍ ୫ ତାରିଖରେ ନ୍ୟୁୟର୍କର ନସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଆୟର୍ଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଜୁନ୍ ୯ ରେ ସେହିଠାରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ। ଜୁନ୍ ୧୨ ଓ ୧୫ରେ ଆମେରିକା ଓ କାନାଡାର ମୁକାବିଲା କରିବ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ସଞ୍ଜୁ ସାମ୍‌ସନ୍, ଶିବମ ଦୁବେ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ସିଂହ, ୟୁଝବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ଯଶପ୍ରୀତ୍‌ ବୁମ୍‌ରା। ସଂରକ୍ଷିତ: ଶୁବମନ ଗିଲ୍, ରିଙ୍କୁ ସିଂହ, ଖଲିଲ ଅହମ୍ମଦ, ଆୱେସ ଖାନ୍।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button