ରାଜନୀତି

ଅମିତ ଶାହଙ୍କ ବିକୃତ ଭିଡିଓ ମାମଲା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସମନ – Kalinga News

[ad_1]

ନୂଆଦିଲ୍ଲୀ: ଦେଶରୁ ସଂରକ୍ଷଣ ଉଚ୍ଛେଦ କରାଯିବ ବୋଲି ଦର୍ଶାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ନକଲି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରସାରିତ ହେବାପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ଦିଲ୍ଲୀ ପୁଲିସ ସୋମବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ରେବନ୍ତ ରେଡ୍ଡୀଙ୍କୁ ସମନ କରିଛି। ସୂଚନାଯୋଗ୍ୟ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସମେତ କଂଗ୍ରେସର ଅନେକ ନେତା ଏହି ନକଲି ଭିଡିଓକୁ ପୁନଃ ପୋଷ୍ଟ୍‌ କରିବା ପରେ ବିଜେପି ଏହାର ଜୋରଦାର ପ୍ରତିବାଦ କରିଛି। ଦିଲ୍ଲୀ ପୁଲିସ ମେ ୧ ତାରିଖରେ ରେବନ୍ତଙ୍କୁ ପଚରାଉଚରା ପାଇଁ ଡକାଇଥିବା ବେଳେ ତାଙ୍କ ଦ୍ୱାରା ବ୍ୟବହୃତ ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣ ମଧ୍ୟ ଯାଞ୍ଚ କରିବ ବୋଲି କହିଛି। ନକଲି ଭିଡିଓ ସେୟାର କରିଥିବା କିଛି କଂଗ୍ରେସ ନେତାଙ୍କ ସମେତ ଆଉ ୫ ଜଣଙ୍କୁ ମଧ୍ୟ ଦିଲ୍ଲୀ ପୁଲିସ ସମନ କରିବ। ଏହି ମାମଲାରେ ଆସାମ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ସମନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ରେବନ୍ତ ରେଡ୍ଡୀ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ପୁଲିସକୁ ନିଜର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଛନ୍ତି।

ଇଡି, ସିବିଆଇ ଓ ଆୟକର ବିଭାଗ ପରେ ମୋଦୀ ନିର୍ବାଚନ ଜିତିବା ପାଇଁ ଏବେ ଦିଲ୍ଲୀ ପୁଲିସକୁ ଅସ୍ତ୍ର କରିଛନ୍ତି ବୋଲି ରେବନ୍ତ କହିଛନ୍ତି। ଲୋକସଭା ନିର୍ବାଚନରେ ବିଶେଷ କରି ତେଲେଙ୍ଗାନା ଓ କର୍ଣ୍ଣାଟକରେ ଆମେ ମୋଦୀ ଓ ଅମିତ ଶାହଙ୍କୁ ପରାସ୍ତ କରିବୁ ବୋଲି ସେକହିଛନ୍ତି। ଏହାର ଜବାବରେ ବିଜେପି କହିଛି ଯେ ନିର୍ବାଚନ ସମୟରେ କେବଳ ମିଥ୍ୟା ଓ ବିଭ୍ରାନ୍ତି ମାଧ୍ୟମରେ ଫାଇଦା ହାସଲ ପାଇଁ କଂଗ୍ରେସର କୌଣସି ଉଦ୍ୟମ ସଫଳ ହେବନାହିଁ। ଗୃହ ମନ୍ତ୍ରଣାଳୟ ଏବଂ ବିଜେପିର ଅଭିଯୋଗ ପରେ ଦିଲ୍ଲୀ ପୁଲିସ ଏକ ମାମଲା ରୁଜୁ କରିବାର ଗୋଟିଏ ଦିନ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ସମନ ଜାରି କରିଛି। ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ ଏହି ମାମଲାରେ ତଦନ୍ତ ତ୍ବରାନ୍ବିତ କରିଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button