ସରିଲା ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର, ୨୬ରେ ଭୋଟ୍ – Kalinga News
[ad_1]
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆଜି (ବୁଧବାର) ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ତାରିଖରେ ୧୩ଟି ରାଜ୍ୟର ୮୯ଟି ଆସନରେ ମତଦାନ ହେବ। ଏପ୍ରିଲ ୧୯ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ ୬୪ ପ୍ରତିଶତ ମତଦାନ ହୋଇଥିଲା। ଚଳିତ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଜୁନ୍ ପହିଲାରେ ଶେଷ ପର୍ଯ୍ୟାୟ ମତଦାନ ହେବ ଏବଂ ଜୁନ୍ ୪ତାରିଖରେ ଭୋଟ ଗଣତି ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୯ଟି ଲୋକସଭା ଆସନ ପାଇଁ ଆସାମ, ବିହାର, ଛତିଶଗଡ଼, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜମ୍ମୁ-କଶ୍ମୀରରେ ମତଦାନ ହେବ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦ୍ୱିତୀୟ ପର୍ଯ୍ୟାୟରେ କେରଳର ୱାୟନାଡ଼ ଆସନରୁ ନିର୍ବାଚନ ଲଢୁଛନ୍ତି । ରାହୁଲ ଗାନ୍ଧିଙ୍କ ବିରୋଧରେ ସିପିଆଇର ଆନି ରାଜା ଏବଂ ବିଜେପିର କେ ସୁରେନ୍ଦ୍ରନ ପ୍ରାର୍ଥୀ ହୋଇଛନ୍ତି। ଏଥର ମୁକାବିଲା ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରହିଥିବା ବେଳେ ଏହି ଆସନ ଉପରେ ପୂରା ଦେଶର ନଜର ରହିଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବର୍ତ୍ତମାନର ସାଂସଦ ତଥା କଂଗ୍ରେସ ନେତା ଶଶି ଥରୁର କେରଳର ତିରୁବନନ୍ତପୁରମ ଆସନରୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖରଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି। ଅଭିନେତ୍ରୀରୁ ରାଜନେତା ପାଲଟିଥିବା ହେମା ମାଳିନୀ ମଥୁରାରୁ ତୃତୀୟ ଥର ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ମିରଟ ଆସନରେ ବିଜେପି ‘ରାମାୟଣ’ ଧାରାବାହିକର ଅଭିନେତା ଅରୁଣ ଗୋଭିଲଙ୍କୁ ପ୍ରାର୍ଥୀ କରିଛି। ମଥୁରା ଓ ମିରଟ ଲୋକସଭା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ର ସରଗୁଜା, ମଧ୍ୟପ୍ରଦେଶର ସାଗର ଏବଂ ବେତୁଲରେ ବିଶାଳ ଜନସଭାରେ ଉଦ୍ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭୋପାଳରେ ଏକ ରୋଡ୍ ସୋ’ରେ ମଧ୍ୟ ସାମିଲ ହୋଇଥିଲେ। ତୃତୀୟ ପର୍ଯ୍ୟାୟରେ ସରଗୁଜା, ଭୋପାଳ ଓ ସାଗରରେ ମତଦାନ ହେବାକୁ ଥିବା ବେଳେ ବେତୁଲରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବ। ଅନ୍ୟପଟେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ତାଙ୍କ ଭାଇଙ୍କ ପାଇଁ ୱାୟନାଡ଼ରେ ଜୋରଦାର ପ୍ରଚାର କରିଛନ୍ତି। ରାହୁଲ ଗାନ୍ଧି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବୁଧବାର ମାରାଥନ ପ୍ରଚାର କରିଛନ୍ତି। ରାହୁଲ ଗାନ୍ଧି ଅମରାବତୀ ଓ ସୋଲାପୁରରେ ଜନସଭାକୁ ସମ୍ବୋଧିତ କରିଥିବା ବେଳେ ଏବଂ ଅମିତ ଶାହ କେରଳର ଆଲାପୁଝାରେ ଏକ ସଭାରେ ଯୋଗଦେବା ପରେ ଅମରାବତୀରେ ଏକ ରାଲି କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ବିହାରର ଭାଗଲପୁର, ଖଗରିଆ ଏବଂ ମଧୁବନୀରେ ପ୍ରଚାର କରିଛନ୍ତି। ଭାଗଲପୁର ଏବଂ ମଧୁବନୀରେ ମଧ୍ୟ ଏପ୍ରିଲ ୨୬ରେ ଏବଂ ଖଗରିଆରେ ମେ ୭ରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବ।
[ad_2]