ଖେଳ ଖବର

ବିଶ୍ବକପ୍ ଦଳ ଚୟନକୁ ନେଇ ଉତ୍କଣ୍ଠା: ସଂରକ୍ଷିତ ଓପନର, ତୃତୀୟ ସ୍ପିନର୍‌ ନେଇ ମାନସ ମନ୍ଥନ – Kalinga News

[ad_1]

ମୁମ୍ବାଇ: ଜୁନ୍ ମାସରେ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ୧୫ ଜଣିଆ ଦଳ ଘୋଷଣାର ଶେଷ ତାରିଖ ଯେତିକି ପାଖେଇ ଆସୁଛି ଭାରତୀୟ ପ୍ରଶଂସକଙ୍କ ଉତ୍ସୁକତା ସେତିକି ବଢ଼ି ଚାଲିଛି। ଟିମ୍ ଇଣ୍ଡିଆରେ କେଉଁ ଖେଳାଳି ରହିବେ; କିଏ ବାଦ୍ ପଡ଼ିବେ, କାହାକୁ ସୁଯୋଗ ମିଳିବ ତଥା‌ କିଏ ନିରାଶ ହେବ, ସେ ଚର୍ଚ୍ଚା ଏବେ ଚାରିଆଡ଼େ ଚାଲିଛି। କ୍ରିକେଟ୍ ବିଶେଷଜ୍ଞମାନେ ଦଳ ଗଠନ ନେଇ ଅଙ୍କ କଷୁଥିଲା ବେଳେ ବିସିସିଆଇର ଜଣେ ବରି‌ଷ୍ଠ କମକର୍ତ୍ତାଙ୍କ କଥା କିଛି ଖେଳାଳି ଓ ସେମାନଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। ସଂପୃକ୍ତ ଅଧିକାରୀଙ୍କ ଅନୁସାରେ ଚଳିତ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଥିବା ଦୁଇ ଚର୍ଚ୍ଚିତ ତାରକା ରୋହିତ ଶର୍ମା ଓ ବିରାଟ କୋହଲି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଓପନିଂ କରିବେ। ତେବେ ସଂରକ୍ଷିତ ଓପନର୍ ଲାଗି ଶୁବମନ ଗିଲ୍ ଓ ଯଶସ୍ବୀ ଜୟସ୍ବାଲଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ସେହିଭଳି ଋଷଭ ପନ୍ତ ପ୍ରଥମ ୱିକେଟରକ୍ଷକ ଭାବେ ଦଳରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ ଥିଲା ବେଳେ ଦ୍ବିତୀୟ ୱିକେଟରକ୍ଷକ ଦୌଡ଼ରେ କେଏଲ୍ ରାହୁଲ ଓ ସଞ୍ଜୁ ସାମସନ୍ ସାମିଲ ହେବେ।

ମଧ୍ୟକ୍ରମ ସହ ଫିନିସର୍ ଦାୟିତ୍ବ ଲାଗି ସୂର୍ଯ୍ୟକୁମାର ଚୂଡ଼ାନ୍ତ ଦଳରେ ରହିବେ। ଷଷ୍ଠ ଓ ସପ୍ତମ ସ୍ଥାନ ଲାଗି ରିଙ୍କୁ ସିଂହ ଓ ଶିବମ ଦୁବେଙ୍କ ମଧ୍ୟରେ ଲଢ଼େଇ ହେବ। ସେହିଭଳି ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ୟ‌ାଦବଙ୍କ ସ୍ଥାନ ପକ୍କା ଥିବାରୁ ତୃତୀୟ ସ୍ପିନର୍‌ ଲାଗି ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ ଓ ରବି ବିଷ୍ଣୋଇଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଯୋଗିତା ହେବ। ଦ୍ରୁତ ବୋଲିଂରେ ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜ ୧୫ଜଣିଆ ଦଳରେ ରହିବେ। ତୃତୀୟ ଦ୍ରୁତ ବୋଲର୍‌ ଲାଗି ଅର୍ଶଦୀପ ସିଂହ ଓ ଆୱେସ ଖାନଙ୍କୁ ଚୟନକର୍ତ୍ତା ବିଚାରକୁ ନେବେ। କିଛି ଯୁବ ଦ୍ରୁତ ବୋଲର ଚଳିତ ଆଇପିଏଲ୍‌ରେ ଭଲ କରୁଥିଲେ ମଧ୍ୟ ଚୟନକର୍ତ୍ତା ଅଭିଜ୍ଞ ଓ ପୁରୁଖା ବୋଲରଙ୍କ ଉପରେ ଆସ୍ଥା‌ ପ୍ରକଟ କରିବାର ସମ୍ଭାବନା ଅଧିକ। ଶେଷ ମୁହୂର୍ତ୍ତରେ କିଛି ବଡ଼ ଧରଣରର ଅଦଳବଦଳ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ଅନ୍ୟ ଏକ ରିପୋର୍ଟ ଅନୁସାରେ ଦଳ ଗଠନ ନେଇ ଶନିବାର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସମ୍ଭାବ୍ୟ ଅଧିନାୟକ ରୋହିତ ଶର୍ମାଙ୍କୁ ନୂଆଦିଲ୍ଲୀରେ ଭେଟିବେ। ସେଠାରେ ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାଚ୍ ପରେ ଉଭୟ ବିଶ୍ବକପ୍ ଦଳ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ। ରୋହିତଙ୍କ ମତ ପାଇବା ପରେ ଅଗରକର ଅନ୍ୟ ଚୟନକର୍ତ୍ତାଙ୍କ ସହ ଆଲୋଚନା କରି ମାସ ଶେଷ ଆଡ଼କୁ ଦଳ ଘୋଷଣା କରିବେ। ସୂଚନାଯୋଗ୍ୟ, ଆଇସିସି ପକ୍ଷରୁ ବିଶ୍ବକପ୍‌ ଦଳ ଘୋଷଣାର ଶେଷ ତାରିଖ ମେ’ ପହିଲା ଧାର୍ଯ୍ୟ କରାଯାଇଛି।

ନଜରରେ ଥିବା ଖେଳାଳି: ରୋହିତ ଶର୍ମା (ଅଧିନାୟକ), ଶୁବମନ୍ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ୟାଦବ, ରିଙ୍କୁ ସିଂହ, ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଋଷଭ ପନ୍ତ (ୱିକେଟ୍ରକ୍ଷକ), ସଞ୍ଜୁ ସାମସନ୍, କେଏଲ୍ ରାହୁଲ (ଦ୍ବିତୀୟ ୱିକେଟ୍ ରକ୍ଷକ), ରବୀନ୍ଦ୍ର ଜା‌ଡ଼େଜା, ୟୁଝବେନ୍ଦ୍ର ଚହଲ, କୁଲଦୀପ ୟାଦବ, ଯଶପ୍ରୀତ୍ ବୁମ୍‌ରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ଆୱେସ ଖାନ୍।

ସଞ୍ଜୁଙ୍କୁ ୱିକେଟ୍‌ରକ୍ଷକ ବାଛିଲେ ଭଜି
ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଋଷଭ ପନ୍ତ ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ପସନ୍ଦ ୱିକେଟ୍‌ରକ୍ଷକ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ହେଲେ କେଏଲ୍ ରାହୁଲ, ଈଶାନ କିଶନ ଓ ଦୀନେଶ କାର୍ତ୍ତିକ ମଧ୍ୟ ଦୌଡ଼ରେ ସାମିଲ ଅଛନ୍ତି। ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂହ କିନ୍ତୁ ଏହି ଦାୟିତ୍ବ ଲାଗି ରାଜସ୍ଥାନ ରୟାଲ୍ସ ଅଧିନାୟକ ସାମ୍‌ସନ୍‌ଙ୍କୁ ବାଛିଛନ୍ତି। ଏପରିକି ରୋହିତ ଶର୍ମାଙ୍କ ପରେ ସାମସନ୍ ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ହେବାକୁ ପୂରା ଯୋଗ୍ୟ ବୋଲି କହିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସର ରୋମାଞ୍ଚକର ବିଜୟରେ ଭଜି ନିର୍ଣ୍ଣାୟକ ଭୂମିକା ତୁଲାଇବା ପରେ ରାୟୁଡ଼ୁଙ୍କୁ ନେଇ କହିଛନ୍ତି ଯେ, ଯଶସ୍ବୀ ଜୟସ୍ବାଲଙ୍କ ପ୍ରତିଭା ଚିରସ୍ଥାୟୀ ବୋଲି ପ୍ରମାଣିତ ହୋଇଛି। ସେହିଭଳି ୱିକେଟ୍‌ରକ୍ଷକ ବ୍ୟାଟର୍‌ଙ୍କୁ ନେଇ କୌଣସି ଦ୍ବନ୍ଦ୍ବ ରହିବା କଥା ନୁହେଁ। ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ ଦଳରେ ସଞ୍ଜୁ ସାମସନ୍ ଏହି ସ୍ଥାନ ନେବା କଥା। ଏପରିକି ସେ ମଧ୍ୟ ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ରୋହିତଙ୍କ ଉତ୍ତରାଧିକାରୀ ହେବାକୁ ପୂରା ସକ୍ଷମ। ସୂଚନାଯୋଗ୍ୟ ଯେ ଚଳିତ ଆଇପିଏଲ୍‌‌ରେ ସାମ୍‌ସନ୍ ଚମତ୍କାର ପ୍ରଦର୍ଶନ କରି ୮ ପାଳିରୁ ୬୨.୮୦ ହାରରେ ୩୧୪ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ତିନିଟି ଅର୍ଦ୍ଧଶତକ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button