ଅପରାଧ

ଟ୍ରେଡିଂ ନାଁରେ ୭୦ ଲକ୍ଷ ଚୂନ: ଏଥର ଫସିଲେ ଅବସରପ୍ରାପ୍ତ ଅଧିକାରୀ ଓ ଯୁବ ଇଂଜିନିୟର – Kalinga News

[ad_1]

ଭୁବନେଶ୍ବର: ଫେସ୍‌ବୁକ୍‌ ଲିଙ୍କ୍‌ ଜରିଆରେ ପୁଞ୍ଜି ନିବେଶର ଲୋଭ ଦେଖାଇ ହ୍ବାଟସ୍‌ଆପ୍‌ ଓ ଟେଲିଗ୍ରାମ୍‌ରେ ଯୋଡ଼ିହୋଇ ୭୦ଲକ୍ଷ ଟଙ୍କା ଚୂନ ଲଗାଇଲେ। ସାଇବର ଠକଙ୍କ ଜାଲ୍‌ରେ ଫସି ଟଙ୍କା ହରାଇଥିବା ଓଡ଼ିଶା ଖଣି ନିଗମର ଅବସରପ୍ରାପ୍ତ ଜଣେ କର୍ମଚାରୀ ମୁରଲୀ( ଛଦ୍ମନାମ) ଓ ଜଣେ ଯୁବ ଇଂଜିନିୟର କେଶବ (ଛଦ୍ମନାମ) ସା‌ଇବର ଥାନାରେ ଅଭିଯୋଗ କରିବାପରେ ଘଟଣା ପଦାକୁ ଆସିଛି। ଏନେଇ ସାଇବର ଥାନା ପୁଲିସ କେସ୍‌ ନଂ-୯୨ ଓ ୯୩ରେ ଦୁଇଟି ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ପାଖାପାଖି ୨ ମାସ ତଳେ ଅବସରପ୍ରାପ୍ତ କର୍ମଚାରୀ ମୁରଲୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ଲିଙ୍କ୍‌ ଆସିଥିଲା। ସେଥିରେ ପୁଞ୍ଜି ନିବେଶକଲେ ଦୁଇଗୁଣ ଅର୍ଥ ମିଳିବ ବୋଲି ଉଲ୍ଲେଖ ଥିଲା। ଲିଙ୍କ୍‌ରୁ ସାଇବର ଠକ ତାଙ୍କ ମୋବାଇଲ୍‌ ନମ୍ବର ନେଇ ଏକ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଜଏନ୍‌ କରାଇଥିଲେ। ଠକ ଗ୍ରୁପ୍‌ରେ କେବଳ ନିଜ ଲୋକଙ୍କୁ ଆଡ୍‌ମିନି ରଖୁଥିଲେ। ସେ ଲୋକମାନେ ସେଥିରେ ନିୟମିତ ଭାବେ ଅନେକ ମିଛ ଖବର ଦେଉଥିଲେ। ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ଓ ପ୍ରଭାବିତ କରିବା ପାଇଁ ଆଡ୍‌ମିନି ଥିବା ସଦସ୍ୟଙ୍କ ଭିତରୁ କିଏ‌ ଲେଖୁଥିଲା, ଆଜି ତା’ର ଏତେ ଡଲାର ଲାଭ ହୋଇଛି ତ କିଏ ଲାଭ ମିଳିଥିବା ଖୁସିରେ ଗ୍ରୁପ୍‌ ମୁଖ୍ୟଙ୍କୁ ରୋଲେକ୍ସ ଘଡ଼ି ଦେବାଲାଗି ଘୋଷଣା କରୁଥିଲା, କିଏ ବି କାର୍‌ ଦେବାକୁ କହୁଥିଲା। ଏମିତି ପ୍ରତିଦିନ ପୁଳାପୁଳା ମେସେଜ୍‌ ଆସୁଥିଲା। ଲୋକେ ସେଥିରେ ପୁଞ୍ଜି ନିବେଶକରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଦେଖି ଅନ୍ୟମାନଙ୍କ ଭଳି ମୁରଲୀ ବି ଫସିଥିଲେ। ପୂରା ବିଶ୍ବାସ ଆସିବାପରେ ପୁଞ୍ଜି ନିବେଶ ପାଇଁ ଗ୍ରୁପ୍‌ରେ ଦିଆଯାଇଥିବା ଆପ୍‌ ଡାଉନ୍‌ଲୋଡ୍‌ କରିଥିଲେ।

ଏହାପରେ ଠକ ତାଙ୍କ ସହ ଯୋଗାଯୋଗ କରିଥିଲେ। ମୁରଲୀ ପ୍ରଥମେ ୩,୦୦୦ଟଙ୍କା ନିବେଶ କରିଥିଲେ। ଆଉ କିଛି ସମୟ ପରେ ତାଙ୍କ ଆକାଉଣ୍ଟରେ ୮,୦୦୦ ଟଙ୍କା ଜମା ହୋଇ ଯାଇଥିଲା। ଏତେ କମ୍‌ ସମୟରେ ଏତେ ଲାଭ ମିଳୁଥିବା ଦେଖି ସେ ତୁରନ୍ତ ଟଙ୍କାକୁ ଉଠାଇ ନେଇଥିଲେ। ପରେ ସେମିତି ୫,୦୦୦ ଓ ପୁଣି ୧୦,୦୦୦ ଟଙ୍କା ଲଗାଇ ଲାଭତକ ଉଠାଇ ନେଇଥିଲେ। ସେଥିରେ କିଛି ସମସ୍ୟା ହୋଇ ନଥିବାରୁ ତାଙ୍କର ବିୀଶ୍ବାସ ଆହୁରି ବଢ଼ିଥିଲା। ତା’ପରେ ଠକ ତାଙ୍କୁ ଚଞ୍ଚକତା କରି ଟେଲିଗ୍ରାମ ଗ୍ରୁପ୍‌ରେ ଜଏନ କରାଇ ଆହୁରି ବଡ଼ ସ୍ବପ୍ନ ଦେଖାଇଥି‌ଲେ। ଲୋଭରେ ପଡ଼ି ସେ ସେଥିରେ ଲକ୍ଷ ଲକ୍ଷ ଟଙ୍କା ଲଗାଇଥିଲେ।

ଟଙ୍କା ନଉଠାଇ ଅଧିକ ପାଇବା ଆଶାରେ ବିଭିନ୍ନ ପର୍ଯ୍ୟାୟରେ ୪୫ଲକ୍ଷ ଟଙ୍କା ଲଗାଇଥିଲେ। କିନ୍ତୁ ତା’ପରେ ଆଉ ଟଙ୍କା ଉଠାଇପାରି ନଥିଲେ। କାହିଁକି ଟଙ୍କା ଟ୍ରାନ୍ସଫର ହେଉନି ବୋଲି ପଚାରିବାରୁ, ଗ୍ରୁପ୍‌ରେ ଠକ କହିଥିଲେ ଯେ, ୪୫ଲକ୍ଷ ଟଙ୍କା ସହ ଲାଭ ବି ଦିଆଯିବ। ହେଲେ ଏଥିପାଇଁ ଆହୁରି ଟଙ୍କା ଡିପୋଜିଟ୍‌ କରିବାକୁ ହେବ। ଏମିତି ବିଭିନ୍ନ ଆଳ ଦେଖାଇ ଠକମାନେ ଆହୁରି ୧୪ଲକ୍ଷ ଟଙ୍କା ନେଇଯାଇଥିଲେ। ତଥାପି ସେ ଟଙ୍କା ଉଠାଇ ନପାରିବାରୁ ୫୯ଲକ୍ଷ ଟଙ୍କା ହରାଇବା ପରେ ମୁରଲୀଙ୍କର ଚେତା ପଶିଥିଲା। ସେ ସାଇବର ଥାନାରେ ଅଭିଯୋଗ କରିଥିଲେ। ସମାନ ଢଙ୍ଗରେ ଯୁବ ଇଂଜିନିୟର କେଶବ ମଧ୍ୟ ସାଇବର ଲୁଟେରାଙ୍କ ପାଲରେ ପଡ଼ିଥିଲେ। ସେ ବି ଅଧିକ ଅର୍ଥ ପାଇବା ଆଶାରେ ୧୧ଲକ୍ଷ ଟଙ୍କା ଲଗାଇଥିଲେ। ହେଲେ ଆଉ ଟଙ୍କା ଫେରି ପାଇନଥିଲେ। ଉଚ୍ଚଶିକ୍ଷିତ ଲୋକମାନେ ମଧ୍ୟ ସାଇବର ଠକଙ୍କ କବଳରେ ପଡ଼ି ଲୁଟ୍‌ର ଶିକାର ହେଉଥିବା ପୁଲିସର ଚିନ୍ତାକୁ ବଢ଼ାଇ ଦେଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button