ରାଜଧାନୀରେ ନକଲି ପୁଲିସ ଗ୍ୟାଙ୍ଗ୍: କମିସନରେଟ୍ ପୁଲିସ ପଞ୍ଝାରେ ମଧ୍ୟପ୍ରଦେଶର ୭ – Kalinga News

[ad_1]
୮ ଥାନା ଅଞ୍ଚଳରେ ୧୦ ଲୁଟ୍
ଭୁବନେଶ୍ବର: ପୁଲିସ ପରିଚୟରେ ଲୋକଙ୍କୁ ବିଭିନ୍ନ ଧମକଚମକ ଦେଇ ଲୁଟୁଥିବା ଏକ ନକଲି ପୁଲିସ ଗ୍ୟାଙ୍ଗ୍କୁ ଧରିଛି ଅସଲି ପୁଲିସ। ମଧ୍ୟପ୍ରଦେଶରୁ ଆସି ୨/୩ ମାସ ହେଲା ଭୁବନେଶ୍ବରରେ ଡେରା ପକାଇଥିବା ଏହି ୭ ଜଣିଆ ଗ୍ୟାଙ୍ଗ୍ ଶେଷରେ କମିସନରେଟ୍ ପୁଲିସ ପଞ୍ଝାରେ ପଡ଼ିଯାଇଛି। ଦ୍ବୈତନଗରୀର ପ୍ରାୟ ୮ଟି ଥାନା ଅଞ୍ଚଳରୁ ୧୦ରୁ ଅଧିକ ଲୁଟ୍ କରି କମିସନରେଟ୍ ପୁଲିସର ନିଦ ହଜାଇଦେଇଥିବା ଏହି ଗ୍ୟାଙ୍ଗ୍କୁ ଠାବ କରିବା ପରେ ବରିଷ୍ଠ ଅଧିକାରୀମାନଙ୍କ ଦ୍ବାରା ଘନଘନ ଜେରା କରାଯାଉଛି। ସେହିଭଳି ମଧ୍ୟପ୍ରଦେଶ ପୁଲିସ ସହ ଯୋଗାଯୋଗ କରାଯାଇଛି ଏବଂ ସେମାନଙ୍କ ପୃଷ୍ଠଭୂମି, ଇତିହାସ ଓ ଜାତକକୁଣ୍ଡଳୀର ଖୋଳତାଡ଼ ଚାଲିଛି। ତଦନ୍ତ ସରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ପୁଲିସ ପରିଚୟ ଦେଇ କଟକ-ଭୁବନେଶ୍ବରରେ ଘୂରି ବୁଲୁଥିବା ଏହି ଲୁଟେରା ଗ୍ୟାଙ୍ଗ୍କୁ ଠାବ କରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ସାଧାରଣରେ ପୁଲିସର ଛବି ଖରାପ ହେଉଥିଲା। ତେଣୁ ତୁରନ୍ତ ସେମାନଙ୍କୁ କାବୁ କରିବାକୁ କମିସନରେଟ୍ ପୁଲିସର ସ୍ପେସାଲ୍ ସ୍କ୍ବାଡ୍ ସମେତ ବିଭିନ୍ନ ଟିମ୍ ଲାଗିପଡ଼ିଥିଲା। ମିଳିଥିବା ଖବର ଅନୁସାରେ, ପ୍ରଥମେ ଏହି ଗ୍ୟାଙ୍ଗ୍ର ୨ ଜଣଙ୍କୁ ଖଣ୍ଡଗିରି ଥାନା ଅଞ୍ଚଳରୁ କାବୁ କରାଯାଇଛି। ସେହିଭଳି ପାହାଳ ଥାନା ଅଞ୍ଚଳରୁ ୨ ଜଣଙ୍କୁ ଏବଂ ଅନ୍ୟ ୩ ଜଣଙ୍କୁ ରାଜଧାନୀ ଭିତରୁ ଠାବ କରାଯାଇଛି। ସେମାନଙ୍କଠାରୁ ଗୋଟିଏ କାର୍ ଓ ୨ ବାଇକ୍ ଜବତ କରାଯାଇଛି। ଏହାବାଦ ଲକ୍ଷାଧିକ ଟଙ୍କା ଓ ନକଲି ପୁଲିସ ପରିଚୟପତ୍ର ବା ଆଇ-କାର୍ଡ ମଧ୍ୟ ଜବତ ହୋଇଛି। ସେମାନେ କ୍ୟାପିଟାଲ ଥାନା, ଖାରବେଳନଗର, ନୂଆପଲ୍ଲୀ, ସହିଦନଗର ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଲୁଟ୍ପାଟ୍ କରିଥିବା ପ୍ରମାଣ ମିଳିଛି। ସେମାନେ ବଡ଼ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ନିକଟରେ ଛକି ରହି କାହାକୁ ଶିକାର କରିବେ, ସେହି ଅପେକ୍ଷାରେ ରହୁଥିଲେ। ବିଶେଷକରି ସାଧାରଣ ସ୍ବଭାବର ଲୋକଙ୍କୁ ଦେଖି ସେମାନେ ଟାର୍ଗେଟ୍ କରୁଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ୧୯ ତାରିଖ ଦିନ ଜନଗହଳିପୂର୍ଣ୍ଣ ରାଜମହଲ ଛକରେ ଏହି ଗ୍ୟାଙ୍ଗ୍ ଦିନ ଦିପହରରେ ଏକ ବଡ଼ଧରଣର ଲୁଟ୍ କରିଥିଲା। ବାଲିପାଟଣା ବନମାଳୀପୁର ଅଞ୍ଚଳର ଯୁବ ବ୍ୟବସାୟୀ ସମ୍ବିତ ସାହୁଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟିନେଇଥିଲା ଏହି ଗ୍ୟାଙ୍ଗ୍। ସମ୍ବିତ ଏକ ଗହଣା ଦୋକାନକୁ ଯାଉଥିବା ବେଳେ ଏହି ଗ୍ୟାଙ୍ଗ୍ ତାଙ୍କୁ ଘେରି ଯାଇଥିଲା। ନକଲି ଆଇ-କାର୍ଡ ଦେଖାଇ ସେମାନେ ପୁଲିସ ବୋଲି କହିଥିଲେ। ବ୍ୟାଗ୍ରେ ଗଞ୍ଜେଇ ରଖିଛ କହି ସମ୍ବିତଙ୍କୁ ଧମକାଇଥିଲେ। ହଠାତ୍ ସମ୍ବିତ ଭୟ କରିଯାଇଥିଲେ। ଆଇ-କାର୍ଡ ନକଲି କି ଅସଲି ବୋଲି ବୁଝିବାକୁ ତାଙ୍କର ଜୁ’ ନଥିଲା। ଏମିତିକି ସେମାନେ ହିନ୍ଦୀରେ କଥା ହେଉଥିଲେ ବି ସମ୍ବିତ ସନ୍ଦେହ କରିପାରିନଥିଲେ। ସେ ଭୟରେ ସେମାନଙ୍କ ହାତକୁ ଯାଞ୍ଚ କରିବାକୁ ବ୍ୟାଗ୍ ବଢ଼ାଇ ଦେଇଥିଲେ। ବ୍ୟାଗ୍ରୁ ୫୦୦ ଟଙ୍କିଆ ୪ ବିଡ଼ା ନୋଟ୍କୁ ଧରିପକାଇ ସେମାନେ ଥାନାକୁ ଚାଲ ବୋଲି ସମ୍ବିତଙ୍କୁ କହିଥିଲେ। ୪ ଜଣ ୨ ବାଇକ୍ରେ ଓ ଅନ୍ୟ ୩ ଜଣ ଏକ ସ୍ବିଫ୍ଟ କାର୍ରେ ମାଷ୍ଟରକ୍ୟାଣ୍ଟିନ୍ ଛକ ଦିଗରେ ପଳାଇଥିଲେ ଏବଂ ଆଖି ପିଛୁଳାକେ ଅନ୍ତର୍ଧାନ ହୋଇଯାଇଥିଲେ। ସମ୍ବିତ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି ସେମାନଙ୍କୁ ଚିହ୍ନଟ କରିବାକୁ ଲାଗିପଡ଼ିଥିଲା। ଏହା ପୂର୍ବରୁ କଟକ ମାଲଗୋଦାମ ଥାନା ଓ ବାଦାମବାଡ଼ି ଥାନା ଅଞ୍ଚଳରେ ଏଭଳି ୨ଟି ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ୧୮ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ବ୍ୟବସାୟୀ ଶିବୁ ବିଶ୍ବାସଙ୍କଠାରୁ ଏହି ଗ୍ୟାଙ୍ଗ୍ ୨.୭୩ ଲକ୍ଷ ଟଙ୍କା ଲୁଟିନେଇଥିଲା। ଶିବୁଙ୍କ ବ୍ୟାଗ୍ରେ ନିଶାସାମଗ୍ରୀ ଅଛି, ଯାଞ୍ଚ କରାଯିବ ବୋଲି କହି ଟଙ୍କା ଲୁଟିନେଇଥିଲେ। ସେହିଭଳି ବାଦାମବାଡ଼ି ଥାନା ଅଞ୍ଚଳରୁ ଜଣେ ଫେରିବାଲାଙ୍କୁ ପୁଲିସ ଧମକ ଦେଇ ଏହି ଗ୍ୟାଙ୍ଗ୍ ଲୁଟିଥିବା ଅଭିଯୋଗ ହୋଇଛି।
[ad_2]