ଜଗତସିଂହପୁର ମଇଦାନକୁ ଓହ୍ଲାଇଲେ ପ୍ରଶାନ୍ତ ମୁଦୁଲି – Kalinga News
[ad_1]
ଅମରେନ୍ଦ୍ରଙ୍କୁ ଜିତାଇବାକୁ ସତ୍ୟବ୍ରତଙ୍କ ସଙ୍କଳ୍ପ
ଜଗତସିଂହପୁର: ଜଗତସିଂହପୁର ବିଧାନସଭା ଆସନରୁ ପୁଣି ବିଜେଡି ପ୍ରାର୍ଥୀ ଭାବେ ଘୋଷଣା ହେବାର ପ୍ରାୟ ୧୫ ଦିନ ପରେ ମଇଦାନକୁ ଓହ୍ଲାଇଛନ୍ତି ବିଧାୟକ ପ୍ରଶାନ୍ତ ମୁଦୁଲି। ଆଜି ଅପରାହ୍ଣରେ ସମର୍ଥକଙ୍କ ସହ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କୁ ଦର୍ଶନ କରି ପ୍ରଚାରକୁ ଓହ୍ଲାଇଛନ୍ତି। ସାରଳା ମନ୍ଦିର ନିକଟରୁ ଶୋଭାଯାତ୍ରାରେ ଜଗତସିଂହପୁର ଆସି ପୌରପାଳିକା କାର୍ଯ୍ୟାଳୟ ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରେ ଦଳୀୟ କର୍ମୀ, ସମର୍ଥକ, ଶୁଭେଚ୍ଛୁମାନେ ବାଣ ଫୁଟାଇ ତାଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଶ୍ରୀ ମୁଦୁଲି କହିଥିଲେ ଯେ ଜଗତସିଂହପୁର ଓ ନାଉଗାଁରେ ଅନେକ ବିକାଶମୂଳକ କାର୍ଯ୍ୟ ଚାଲିଛି। ବିକାଶମୂଳକ କାର୍ଯ୍ୟକୁ ଆହୁରି ଆଗକୁ ନେବା ଓ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ହେବ ତାଙ୍କର ପ୍ରାଥମିକତା। ଜଗତସିଂହପୁର ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀରେ ବିଜେଡି ନିଶ୍ଚିତ ଭାବେ ଅଧିକ ଭୋଟରେ ଜିତିବ ବୋଲି ପ୍ରଶାନ୍ତ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପରେ ପ୍ରଶାନ୍ତ ସିପିସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ଯାଇ ଆଗାମୀ ନିର୍ବାଚନ ପାଇଁ କାର୍ଯ୍ୟାଳୟକୁ ଉଦଘାଟନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ସେଠାରେ କର୍ମୀମାନଙ୍କ ସହ ଆଲୋଚନା କରିଥିଲେ। ଗତକାଲି ଚିରଞ୍ଜୀବ ବିଶ୍ବାଳ ଜଗତସିଂହପୁର ଓ ନାଉଗାଁ ବ୍ଲକର କର୍ମୀ, ସମର୍ଥକଙ୍କ ସହ ଆଲୋଚନା କରି ପ୍ରଶାନ୍ତଙ୍କୁ ସମର୍ଥନ ଦେବାକୁ ଆହ୍ବାନ ଦେବା ପରେ ଆଜି ପ୍ରଶାନ୍ତ ଜଗତସିଂହପୁର ଆସିବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଚିରଞ୍ଜୀବଙ୍କ ଘୋଷଣାକୁ ହୁଏତ ପ୍ରଶାନ୍ତ ଅପେକ୍ଷା କରୁଥିଲେ ବୋଲି କୁହାଯାଉଛି।
ଅନ୍ୟପଟେ ବିଜେଡି ଟିକେଟ ନ ପାଇ ଦଳରୁ ଇସ୍ତଫା ଦେଇ ବିଜେପିରେ ମିଶିବା ପରେ ଜଗତସିଂହପୁର ବିଧାନସଭାରୁ ବିଜେପି ପ୍ରାର୍ଥୀ ହୋଇଥିବା ଅମରେନ୍ଦ୍ର ଦାସଙ୍କୁ ବିଜେପିର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଆଜି ଦୃଢ ଭାବେ ସମର୍ଥନ କରିଛନ୍ତି। ପୂର୍ବରୁ ଅମରେନ୍ଦ୍ରଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ସତ୍ୟବ୍ରତ ରାଜ୍ୟ ନେତୃମଣ୍ଡଳୀଙ୍କୁ ଭେଟିଥିଲେ। କିନ୍ତୁ ଆଜି ସତ୍ୟବ୍ରତ ଆନୁଷ୍ଠାନିକ ଭାବେ ଅମରେନ୍ଦ୍ରଙ୍କୁ ସ୍ବାଗତ କରିବା ସହ ତାଙ୍କୁ ଜିତାଇବାକୁ ସଂକଳ୍ପ ନେଇଛନ୍ତି। ସମସ୍ତ କର୍ମୀ, ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା, ମଣ୍ଡଳ ସଭାପତିଙ୍କୁ ମଧ୍ୟ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ଣରେ ଏକ ମଣ୍ଡପରେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ମହାପାତ୍ର କହିଥିଲେ ଯେ ଏଥର ପ୍ରଚଣ୍ଡ ମୋଦୀ ହାୱାରେ ଜଗତସିଂହପୁର ଜିଲ୍ଲାର ୪ରୁ ୪ ବିଧାନସଭାରେ ବିଜେପି ଜିତିବ। ଅମରେନ୍ଦ୍ର ବି ତାଙ୍କ ବକ୍ତବ୍ୟରେ ତାଙ୍କ ପଛରେ ସତ୍ୟବ୍ରତଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ।
[ad_2]