ଫସିଗଲା ଗଞ୍ଜେଇ ସୌଦାଗର ରାହୁଲ୍: ଜେଲ୍ ଫାଟକରେ ଜାଲ ବିଛାଇଥିଲା ପୁଲିସ – Kalinga News
[ad_1]
ମାଓ ଇଲାକାରୁ ମାୟାନଗରୀ ଯାଏଁ ହାତ
ଭୁବନେଶ୍ବର: ଓଡ଼ିଶାରୁ ଦିଲ୍ଲୀ, ମୁମ୍ବାଇ ସମେତ ତିନି ଚାରି ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିବା ସୌଦାଗର ରାହୁଲ୍ ସେଠୀ ଶେଷରେ ପୁଲିସ ଜାଲରେ ଫସିଯାଇଛି। ବହୁ ଦିନ ଧରି ବିଭିନ୍ନ ରାଜ୍ୟର ପୁଲିସ ଆଖିରେ ଧୂଳି ଦେଇ ଗଞ୍ଜେଇ କାରବାର କରୁଥିବା ରାହୁଲ୍କୁ କମିସନରେଟ୍ ପୁଲିସର ସ୍ପେସାଲ କ୍ରାଇମ୍ ୟୁନିଟ୍(ଏସ୍ସିୟୁ) ଧରିବାରେ ସଫଳ ହୋଇଛି। ଝାରପଡ଼ା ଜେଲ୍ ନିକଟରେ ପୁଲିସ ବିଛାଇଥିବା ଜାଲରେ ପଡ଼ିଯାଇଛି ରାହୁଲ୍। ଜେଲ୍ରେ ଥିବା ସାଥୀମାନଙ୍କୁ ଭେଟିବାକୁ ଆସି ସେ ଧରାପଡ଼ିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ତା’ର ଗଞ୍ଜେଇ କାରବାର ସାମ୍ରାଜ୍ୟର ଖୋଳତାଡ଼ କରିବାକୁ ଏସ୍ସିୟୁ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି। ମାଓ ଇଲାକାରୁ ମୁମ୍ବାଇ ମାୟାନଗରୀ ପର୍ଯ୍ୟନ୍ତ ତା’ କାରବାରର ଚେର ଲମ୍ବିଥିବାରୁ ତାକୁ ରିମାଣ୍ଡ୍ରେ ଆଣି ଅଧିକ ଖୋଳତାଡ଼ କରାଯିବ ବୋଲି ସୂଚନା ମିଳିଛି। ବିଶେଷକରି ଛପିରହିଥିବା ତା’ ସିଣ୍ଡିକେଟ୍ର ବଡ଼ବଡ଼ ମାଛଙ୍କୁ ଧରିବାକୁ ପୁଲିସ ଅଧିକ ତଦନ୍ତ କରିବ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଫେବ୍ରୁଆରି ୧୧ ତାରିଖ ଦିନ ଏସ୍ସିୟୁ ଭୁବନେଶ୍ବରରୁ ୩୦୦ କେଜି ଜବତ କରିଥିଲା। ୨ଟି ଦାମୀ କାର୍ରେ ଝାଡ଼ଖଣ୍ଡର ୩ ଚାଲାଣକାରୀ ଏହି ଗଞ୍ଜେଇ ନେଉଥିବା ବେଳେ ଧରାପଡ଼ିଥିଲେ। କିନ୍ତୁ ସେତେବେଳେ ଏହି ଚାଲାଣକାରୀଙ୍କୁ ବାଟ କଢ଼ାଉଥିବା ମାଷ୍ଟରମାଇଣ୍ଡ ରାହୁଲ୍ ଚମ୍ପଟ ମାରିବାରେ ସଫଳ ହୋଇଥିଲା। ଗିରଫ ହୋଇଥିବା ୩ ଝାଡ଼ଖଣ୍ଡୀ ଚାଲାଣକାରୀଙ୍କ ସୂଚନାନୁସାରେ ମାଲକାନଗିରି ଚିତ୍ରକୋଣ୍ଡାରୁ ସେମାନେ ଏହି ଗଞ୍ଜେଇ ନେଇ ଝାଡ଼ଖଣ୍ଡ ଯାଉଥିଲେ। ସବୁଥର ଭଳି ରାହୁଲ୍ ସେମାନଙ୍କୁ ବାଟ କଢ଼ାଉଥିଲା ଏବଂ ଓଡ଼ିଶା ସୀମା ପାର୍ କରାଇବା ପର୍ଯ୍ୟନ୍ତ ପଛେପଛେ ରହୁଥିଲା। ଏସ୍ସିୟୁ ନିକଟରେ ଏହି ସୂଚନା ଥିଲେ ମଧ୍ୟ ଚଢ଼ଉ ବେଳେ ଧୂର୍ତ୍ତ ରାହୁଲ୍ ଖସିଯାଇଥିଲା। ସେବେଠୁ ରାହୁଲ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ପ୍ରୟାସ କରିଆସୁଥିଲା। ଶେଷରେ ପୁଲିସ ଝାରପଡ଼ା ଜେଲ୍ ଫାଟକରେ ବିଛାଇଥିଲା ଜାଲ। ଜାମିନରେ ମୁକୁଳାଇବାକୁ ରାହୁଲ୍ ନିଶ୍ଚୟ ସେମାନଙ୍କୁ ଭେଟିବ ବୋଲି ପୁଲିସ ଜାଣିଥିଲା।
ସାଥୀମାନଙ୍କୁ ଭେଟିବାକୁ ସେ ନିଜେ ଆସୁ କି ତା’ ସିଣ୍ଡିକେଟ୍ର କାହାକୁ ସେ ଝାରପଡ଼ା ଜେଲ୍ ହାଜତକୁ ପଠାଇବ ବୋଲି ପୁଲିସ ନିଶ୍ଚିତ ହୋଇ ଛକି ରହିଥିଲା। ସତକୁ ସତ ଆଜି ରାହୁଲ୍ ନିଜେ ଜେଲ୍କୁ ଆସିଥିଲା ଏବଂ ଫସିଯାଇଥିଲା। ବାଲେଶ୍ବରର ବାସିନ୍ଦା ରାହୁଲ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଛି। କିନ୍ତୁ ବିଚକ୍ଷଣ ବୁଦ୍ଧିଆ ରାହୁଲ୍ ଗଞ୍ଜେଇ କାରବାରରେ ବହୁତ ଗଭୀରକୁ ପ୍ରବେଶ କରିପାରିଥିଲା ଏବଂ ପାଲଟିଯାଇଥିଲା ସୌଦାଗର। ବାଲେଶ୍ବରରୁ ମାଲକାନଗିରି ଏବଂ ଶେଷରେ ଦିଲ୍ଲୀ ଓ ମୁମ୍ବାଇ ଭଳି ସହରକୁ ତା’ କାରବାରର ଚୋର ମାଡ଼ିଯାଇଥିଲା। ବଡ଼ କଥା ହେଉଛି ମାଓପ୍ରବଣ ଜିଲ୍ଲାରେ ସେ ଗଞ୍ଜେଇ କାରବାର କରୁଥିଲା। ମାଓ ଇଲାକାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ କରୁଥିବାରୁ ତା’ର ମାଓବାଦୀଙ୍କ ସହ ସମ୍ପର୍କ ଥିବା ସନ୍ଦେହ କରାଯାଉଛି। କେବଳ ସେତିକି ନୁହେଁ, ମାୟାନଗରୀରେ ଓଡ଼ିଶା ଗଞ୍ଜେଇର ଚାହିଦା ଥିବାରୁ ରାହୁଲ୍ ସେଠାରେ ମଧ୍ୟ ପଶିସାରିଥିବା କୁହାଯାଉଛି। ସନ୍ଦେହ କରାଯାଉଛି କି ରାହୁଲ୍ ମାଓ ଇଲାକାରେ ଗଞ୍ଜେଇ ଚାଷରେ ହାତ ରଖିଛି। ତେଣୁ ତା’ ସହ ଏହି କାରବାରରେ ଆହୁରି କିଛି ବଡ଼ ବେପାରୀଙ୍କ ପ୍ରଚ୍ଛନ୍ନ ହାତ ରହିଛି। ଓଡ଼ିଶାରେ ଚାଲିଥିବା ଗଞ୍ଜେଇ କାରବାର ସିଣ୍ଡିକେଟ୍ର ଅନ୍ୟତମ ମୁଖିଆ ହେଉଛି ରାହୁଲ୍। ସେ ଧରାପଡ଼ିବା ପରେ ସିଣ୍ଡିକେଟ୍ର ଅନ୍ୟମାନଙ୍କୁ ଠାବ କରିବା ପୁଲିସ ପାଇଁ ସହଜ ହେବ ବୋଲି ଆଶା କରାଯାଉଛି। ଏବେ ରାହୁଲ୍ର ମୋବାଇଲ୍ ଫୋନ୍ ପୁଲିସକୁ ବହୁତ କିଛି ତଥ୍ୟ ଯୋଗାଇବ। ସେହିଭଳି ତା’ଠାରୁ ଜବତ ହୋଇଥିବା କାର୍ରୁ ମଧ୍ୟ ପୁଲିସକୁ ଅନେକ ତଥ୍ୟ ମିଳିବ।
[ad_2]