ମତଦାନ କରୁନାହାନ୍ତି ସହରୀ ଭୋଟର: ପସନ୍ଦ ଆସୁନି ‘ନୋଟା’ – Kalinga News

[ad_1]
ବିଏମ୍ସି କରିବ ସଚେତନ, ଇନ୍ଷ୍ଟା ରିଲ୍ସ୍, ୟୁଟ୍ୟୁବ୍ ସର୍ଟସ୍ରେ ହେବ ପ୍ରଚାର
ଭୁବନେଶ୍ବର: ସହରୀ ମତଦାତା ଭୋଟ୍ ଦେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ବିଗତ ନିର୍ବାଚନଗୁଡ଼ିକରେ ଭୁବନେଶ୍ବର ଓ ଉପକଣ୍ଠ ଅଞ୍ଚଳର ମତଦାନ ହାରକୁ ବିଚାରକୁ ନେଲେ ଏଭଳି ତଥ୍ୟ ସାମ୍ନାକୁ ଆସୁଛି। ପ୍ରାର୍ଥୀ ପସନ୍ଦ ନ ହେଲେ ‘ନୋଟା’ରେ ଭୋଟ୍ ଦେବା ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ ତାହା ବି ଫଳପ୍ରଦ ହେଉନି। ଏହା ବଢ଼ିବା ପରିବର୍ତ୍ତେ କମି କମି ଯାଉଛି। ସେଥିରେ ବି ମତଦାନ ଆଜି ସୁଦ୍ଧା ୨ ପ୍ରତିଶତ ଛୁଇଁନି। ସହରୀ ଭୋଟରଙ୍କର ଏଭଳି ମାନସିକତାକୁ ନେଇ ନେତା ଚିନ୍ତାରେ ପଡ଼ିଥିବା ବେଳେ ବିଏମ୍ସି ମଧ୍ୟ ଭୋଟରଙ୍କୁ ସଚେତନ କରିବାକୁ ଯୋଜନା କରିଛି। ମତଦାନ ହାର ସହରରେ ହିଁ କମ୍ ହେଉଥିବାରୁ ଏଥିପାଇଁ ଉଦ୍ବେଗ ପ୍ରକାଶ ପାଇଛି। ଏହି ହାର କିଭଳି ବଢ଼ିବ ସେ ନେଇ ମାନସମନ୍ଥନ ହୋଇଛି। ମତଦାନ ଏକ ଅଧିକାର ହୋଇଥିବାରୁ ଏହାକୁ ସାବ୍ୟସ୍ତ କରିବା ପାଇଁ ଭୋଟରମାନଙ୍କୁ କିଭଳି ସଚେତନ କରାଯିବ ଓ ମତଦାନ କେନ୍ଦ୍ରକୁ ଆକୃଷ୍ଟ କରାଯିବ ସେ ନେଇ ବ୍ୟବସ୍ଥା ହେଉଛି। ସ୍ବତନ୍ତ୍ର ଲିଫ୍ଲେଟ୍ ବଣ୍ଟାଯିବା ସହ ଡାକବାଜି ଯନ୍ତ୍ର ଜରିଆରେ ପ୍ରତ୍ୟେକ ଗଳିକନ୍ଦିରେ ବୁଲି ସଚେତନ କରାଯିବ। ସୋସିଆଲ୍ ମିଡିଆର ଆଜିକାଲି କ୍ରେଜ୍ ରହିଥିବାରୁ ଏହାକୁ ବ୍ୟବହାର କରିବାକୁ ଯୋଜନା ହୋଇଛି। ବିଶେଷକରି ଇନ୍ଷ୍ଟା ରିଲ୍ସ୍ ଓ ୟୁଟ୍ୟୁବ୍ ସର୍ଟସ୍ ଜରିଆରେ ମତଦାନ ପାଇଁ ଉତ୍ସାହିତ କରାଯିବ। ଯେଉଁମାନଙ୍କର ଫଲୋଅର ଅଧିକ ଅଛନ୍ତି ସେହି ସବୁ ବ୍ଲଗର୍ଙ୍କ ଜରିଆରେ ଏହି ସଚେତନତା ସୃଷ୍ଟି କରାଯିବ ବୋଲି ଜଣାପଡ଼ିଛି। ଖୁବ୍ଶୀଘ୍ର ଏ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଭୁବନେଶ୍ବର ଓ ଏହାର ଉପକଣ୍ଠର ମତଦାନ ହାରକୁ ବିଚାରକୁ ନେଲେ ସବୁଠାରୁ କମ୍ ମତଦାନ ହାର ମଧ୍ୟ ନିର୍ବାଚନମଣ୍ଡଳୀରେ ରହିଛି। ୨୦୦୯ରେ ୩୩.୭୬ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୧୪ରେ ୪୧.୩୩ ଓ ୨୦୧୯ରେ ୪୩.୫୬ ପ୍ରତିଶତ ହୋଇଛି। ଅର୍ଥାତ୍ ଅଧାରୁ ଅଧିକ ମତଦାତା ଭୋଟ୍ ଦେବାକୁ ଯାଉନାହାନ୍ତି। ସେହିଭଳି ୨୦୦୯ରେ ଉତ୍ତର ନିର୍ବାଚନମଣ୍ଡଳୀରେ ୩୫.୦୮, ୨୦୧୪ରେ ୪୧.୩୩ ଓ ୨୦୧୯ରେ ୪୩.୫୬ ପ୍ରତିଶତ ମତଦାନ ହୋଇଛି। ଏଠାରେ ମଧ୍ୟ ସମାନ ଅବସ୍ଥା। ପ୍ରତ୍ୟେକ ନିର୍ବାଚନରେ ମତଦାନ ହାର ବଢ଼ୁଥିଲେ ମଧ୍ୟ ହାର ୫୦ ପ୍ରତିଶତ ଛୁଉଁନି। ଏକାମ୍ର ନିର୍ବାଚନମଣ୍ଡଳୀ ଅବସ୍ଥା ମଧ୍ୟ ତଦ୍ରୂପ। ୨୦୦୯ରେ ଏହି ହାର ୩୭.୧୯ ରହିଥିବା ବେଳେ, ୨୦୧୪ରେ ୪୫.୯୭ ଓ ୨୦୧୯ରେ ୪୬.୭୭ ପ୍ରତିଶତ ରହିଛି। ଅର୍ଥାତ୍ ସମୁଦାୟ ସହରର ଅଧା ଭୋଟର ଭୋଟ୍ ଦେଉ ନାହାନ୍ତି। ସେହି ତୁଳନାରେ ଯଦି ଜଟଣୀ କିମ୍ବା ଜୟଦେବ ନିର୍ବାଚନମଣ୍ଡଳୀକୁ ଦେଖାଯିବ, ତେବେ ଏଠାରେ ମତଦାନ ହାର ସହର ତୁଳନାରେ ବେଶ ଉତ୍ସାହଜନକ ରହିଛି। ୨୦୦୯ରେ ଜଟଣୀରେ ୬୦.୫, ୨୦୧୪ରେ ୭୦.୩୫ ଓ ୨୦୧୯ରେ ୬୭.୪୬ ପ୍ରତିଶତ ମତଦାନ ହୋଇଛି। ସେହିଭଳି ଜୟଦେବରେ ୨୦୦୯ରେ ୬୫.୧୮, ୨୦୧୪ରେ ୭୩.୯୦ ଓ ୨୦୧୯ରେ ୭୫.୫୫ ପ୍ରତିଶତ ରହିଛି। ସେହିଭଳି ପ୍ରାର୍ଥୀ ପସନ୍ଦ ନ ହେଲେ ‘ନୋଟା’ରେ ଭୋଟ୍ ଦେବା ପାଇଁ ଯେଉଁ ବ୍ୟବସ୍ଥା ହୋଇଛି ସେଥିରେ ମଧ୍ୟ ଭୋଟର ଆଗ୍ରହ ପ୍ରକାଶ କରୁନାହାନ୍ତି। ବରଂ ଏହା ବଢ଼ିବା ପରିବର୍ତ୍ତେ କମିବାରେ ଲାଗିଛି। ୨୦୧୪ରେ ମଧ୍ୟରେ ୧.୦୮ ଥିଲା ବେଳେ ଓ ୨୦୧୯ରେ ଏହା ୦.୭୩ ପ୍ରତିଶତ ହୋଇଥିଲା। ଏକାମ୍ରରେ ଏହି ଦୁଇ ନିର୍ବାଚନରେ ଯଥାକ୍ରମେ ୧.୫ ଓ ୦.୭୭ ପ୍ରତିଶତ ଓ ଉତ୍ତରରେ ଯଥାକ୍ରମେ ୧.୦୩ ଓ ୧.୧୩ ରହିଛି। ସହର ଭଳି ଉପକଣ୍ଠରେ ମଧ୍ୟ ଅନୁରୂପ ସ୍ଥିତି ରହିଛି। ଜଟଣୀରେ ୨୦୧୪ରେ ୧.୮୧ ଓ ୨୦୧୯ରେ ୦.୮ ପ୍ରତିଶତ ଥିବା ବେଳେ ଜୟଦେବରେ ଏହି ଦୁଇ ନିର୍ବାଚନରେ ଯଥାକ୍ରମେ ୦.୯୩ ଓ ୦.୬୮ ପ୍ରତିଶତ ନୋଟାକୁ ଯାଇଛି।
[ad_2]