ଅପରାଧ

ମାତ୍ର ୧୩ ଶହ ଟଙ୍କା ଲୁଟିବା ପାଇଁ… ବୃଦ୍ଧ ଦିନ ମଜୁରିଆଙ୍କୁ ହାଣିଲେ – Kalinga News

[ad_1]

ବୁଦାରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର

ଭୁବନେଶ୍ବର: ମାତ୍ର ୧୩୦୦ ଟଙ୍କା ଲୁଟିବାକୁ ଜଣେ ବୃଦ୍ଧ ଦିନ ମଜୁରିଆଙ୍କୁ ହାଣି ଦରମରା ଅବସ୍ଥାରେ ବୁଦା ଭିତରକୁ ଫିଙ୍ଗିଦେଲେ ଦୁର୍ବୃତ୍ତମାନେ। ଗତକାଲି ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ୟୁନିଟ୍‌-୮ ଅଞ୍ଚଳରେ। ଆଜି ସକାଳୁ ୟୁନିଟ୍‌-୮ ହାଇସ୍କୁଲ ପଛପଟୁ ଏକ ବୁଦାରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଏହି ବୃଦ୍ଧଜଣକ ହେଲେ ଓୟୁଏଟି ଫାର୍ମ ବସ୍ତିରେ ରହୁଥିବା ବାଇଆ ପାତ୍ର(୬୦)। ଲୁଟେରାମାନଙ୍କ ଭୁଜାଲି ଚୋଟରେ ତାଙ୍କ ଦେହରେ ବହୁ କ୍ଷତ ସୃଷ୍ଟି ହୋଇଛି ଏବଂ ପାଖାପାଖି ୪୦ ଷ୍ଟିଚ୍ ପଡ଼ିଛି। ସେ ଏବେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏନେଇ ବିଧିବଦ୍ଧ ଅଭିଯୋଗ ହୋଇନଥିଲେ ମଧ୍ୟ ଖଣ୍ଡଗିରି ଥାନା ପୁଲିସ ହସ୍ପିଟାଲ୍‌ରେ ଆହତ ବାଇଆଙ୍କୁ ଭେଟି ଘଟଣାର ଛାନ୍‌ଭିନ ଆରମ୍ଭ କରିଛି।

ଆଜି ସକାଳେ କିଛି ଲୋକ ହାଇସ୍କୁଲ୍‌ ପଛପଟେ ଥିବା ଏକ ବୁଦା ଭିତରେ ଜଣେ ଲୋକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଜଣାଇଥିଲେ। ଶ୍ରମିକ ଭଳି ଦେଖାଯାଉଥିବା ବୃଦ୍ଧଙ୍କ ହାତ, ଗୋଡ଼, ମୁଣ୍ଡ ଓ ଶରୀରର ଅନ୍ୟ ସବୁ ସ୍ଥାନରେ କ୍ଷତ ଥିଲା ଏବଂ ରକ୍ତ ଝରିଝରି ଶୁଖିଯାଇଥିଲା। କିନ୍ତୁ ସେ ବଞ୍ଚିଥିଲେ। ଏହି ଖବର ବ୍ୟାପିଯିବା ପରେ ଫାର୍ମବସ୍ତିର କିଛି ଲୋକ ସେଠାରେ ପହଞ୍ଚି ତାଙ୍କୁ ବାଇଆ ପାତ୍ର ବୋଲି ଚିହ୍ନଟ କରିଥିଲେ। ଖବର ପାଇ ଭଣଜା ମୋଚି ପାତ୍ର ପହଞ୍ଚି ମାମୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରୁ ତାଙ୍କୁ ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା। ବାଇଆଙ୍କ ଭଣଜା ମୋଚି ପାତ୍ରଙ୍କ କହିବା ଅନୁସାରେ ଗତକାଲି ତାଙ୍କ ମାମୁ ବାଇଆ ଘରୁ ୫ ଶହ ଟଙ୍କା ନେଇ କାମକୁ ଯାଇଥିଲେ। ପ୍ରତିଦିନ ଭଳି ସେ ଡେଲ୍‌ଟା ଛକସ୍ଥିତ ଶ୍ରମିକ ହାଟକୁ ଯାଇ ଜନୈକ ବ୍ୟକ୍ତିଙ୍କ ଘର କାମ କରିବାକୁ ଯାଇଥିଲେ। ସନ୍ଧ୍ୟାରେ ମଜୁରି ବାବଦ ୮୦୦ ଟଙ୍କା ଧରି ସେ ଘରକୁ ଫେରିଥିଲେ। ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରେ ପହଞ୍ଚିନଥିଲେ। ସେମାନେ ବହୁ ଖୋଜାଖୋଜି କରିଥିଲେ ଏବଂ ସମ୍ପର୍କୀୟମାନଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ। ଆଜି ସକାଳୁ ସେମାନେ ଥାନାରେ ଜଣାଇବାର ଥିଲା।

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଯେଉଁ ଜାଗାରୁ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଥିଲା, ସେଇ ନିକଟରେ ନିଶାଡ଼ିଙ୍କ ଆଡ଼ା ଜମେ। ବୃଦ୍ଧ ବାଇଆ କାମରୁ ଫେରିବା ପରେ ନିକଟସ୍ଥ ଚା’ ଦୋକାନକୁ ଯାଆନ୍ତି। ସେଠାରେ ଏକ ଦୋକାନରୁ ଗଞ୍ଜେଇ କିଣନ୍ତି। ତେଣୁ ଆଡ଼ା କରୁଥିବା ନିଶାଡ଼ିମାନଙ୍କ ହାବୁଡ଼ରେ ବାଇଆ ପଡ଼ିଥିବା ସନ୍ଦେହ କରାଯାଉଛି। ନିଶାଡ଼ିମାନେ ତାଙ୍କୁ ଟଙ୍କା ମାଗିଥିବେ ବା ଲୁଟିବାକୁ ଉଦ୍ୟମ କରିଥିବେ। ମାତ୍ର ସେ ଟଙ୍କା ଦେଇନଥିବାରୁ ସେମାନେ ତାଙ୍କୁ ଆକ୍ରମଣ କରିଛନ୍ତି। ପରିବାର ଲୋକଙ୍କ ଏହି ସୂଚନାନୁସାରେ ପୁଲିସ ଡେଲ୍‌ଟା ଛକରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଚଳାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button