ଯାଦୁ କରୁଛି ‘ଯୋଗାସନ’: ୨୦୨୦ରୁ କ୍ରୀଡ଼ାର ମାନ୍ୟତା ପାଇଛି – Kalinga News

[ad_1]
ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଚନ୍ଦ୍ରକାନ୍ତ
ଦେବାଶିଷ ସୁନ୍ଦରାୟ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର: ବିଶ୍ବବାସୀଙ୍କୁ ଭାରତବର୍ଷର ଅତୁଳନୀୟ ଅବଦାନ ହେଉଛି ଯୋଗ। ଭାରତର ଏହି ପୂରାତନ ପ୍ରାଚୁର୍ଯ୍ୟ ଏବେ କେବଳ ଭାରତ ଭିତରେ ସୀମିତ ରହିନି। ବରଂ ବିଶ୍ବରେ ପ୍ରତିଟି କୋଣ ଅନୁକୋଣରେ ପହଞ୍ଚିସାରିଛି। ଯୋଗ ସହ ‘ଯୋଗାସନ’ ମଧ୍ୟ ଜାତୀୟ ସୀମା ସରହଦ ପାର୍ କରି ଅନ୍ତର୍ଜାତୀୟ ସ୍ତରରେ ଧୁମ୍ ମଚାଉଛି। କୁହାଯାଏ ଯୋଗର ଉତ୍ପତ୍ତି ଖ୍ରୀଷ୍ଟପୂର୍ବ ୩,୦୦୦ ବର୍ଷ ତଳେ ହୋଇଥିଲା। ତେବେ ଏହାର ଏକ ଛୋଟିଆ ଅଂଶ ‘ଯୋଗାସନ’ କିନ୍ତୁ ଏକବିଂଶ ଶତାବ୍ଦୀରେ ଲୋକପ୍ରିୟ ହୋଇଛି। ଯଦିଓ ‘ଯୋଗାସନ’ ପ୍ରତିଯୋଗିତା ଶତାବ୍ଦୀ ଶତାବ୍ଦୀ ଧରି ଆୟୋଜିତ ହୋଇଆସୁଛି। ତେବେ ଏହି ପାରମ୍ପରିକ କ୍ରୀଡ଼ାର ଆଧୁନିକ ରୂପ ୩୪ବର୍ଷ ତଳେ ଅର୍ଥାତ୍ ୧୯୮୯ ମସିହାରେ ସାମ୍ନାକୁ ଆସିଥିଲା। ସେହିବର୍ଷ ଭାରତର ପୁଡୁଚେରୀରେ ପ୍ରଥମ ଯୋଗାସନ ବିଶ୍ବ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେତେବେଳେ ଅବଶ୍ୟ ଏହାକୁ ଭାରତରେ କ୍ରୀଡ଼ାର ମାନ୍ୟତା ମିଳି ନଥିଲା। ମାତ୍ର ୪ ବର୍ଷ ତଳେ ହିଁ ‘ଯୋଗାସନ’କୁ କ୍ରୀଡ଼ାର ମାନ୍ୟତା ମିଳିଛି। ଫଳରେ ଏହାକୁ ପେସା କରିବାକୁ ଯୁବପିଢ଼ି ଆଗେଇ ଆସୁଛନ୍ତି। ଜାତୀୟ ଯୋଗ କ୍ରୀଡ଼ା ମହାସଂଘକୁ ଦେଶରେ ଏହି ନିଆରା ଖେଳର ପରିଚାଳନା ଦାୟିତ୍ବ ମିଳିଛି। ୨୦୨୧ ମସିହାରେ ‘ଯୋଗାସନ’କୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ମଧ୍ୟ ସାମିଲ କରାଯାଇଛି।
ଗର୍ବର କଥା ହେଲା ୨୦୨୧ ମସିହାରେ ହୋଇଥିବା ପ୍ରଥମ ଜାତୀୟ ଯୋଗାସନ ପ୍ରତିଯୋଗିତା ଓଡ଼ିଶାରେ ଆୟୋଜିତ ହୋଇଥିଲା। ସେତେବେଳେ ଘରୋଇ ପରିବେଶରେ ଓଡ଼ିଆ ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଗତ ୩ବର୍ଷ ହେବ ଜାତୀୟ ସ୍ତରରେ ହେଉଥିବା ବିଭିନ୍ନ ମଧ୍ୟ ଓଡ଼ିଶା ପ୍ରତିଯୋଗୀଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ସେହିଭଳି ଯୋଗାସନ ସ୍ପୋର୍ଟସ ଆସୋସିଏସନ୍ ଅଫ୍ ଓଡ଼ିଶା ରାଜ୍ୟରେ ‘ଯୋଗାସନ’ ଲୋକପ୍ରିୟତା ବଢ଼ାଇବା ଏବଂ ଏଥିରୁ ପେସାଦାର ଖେଳାଳି ସୃଷ୍ଟି କରିବା ଲାଗି କାମ କରିଆସୁଛି। ଜଳନ୍ଧରରେ ଅନୁଷ୍ଠିତ ଜାତୀୟ ଉପକନିଷ୍ଠ ଓ କନିଷ୍ଠ ଯୋଗାସନ ପ୍ରତିଯୋଗିତାରେ ଓଡ଼ିଶା ଦଳଗତ ଭାବେ ବହୁତ ଭଲ କରିଥିଲା। ଉତ୍ତର ପ୍ରଦେଶର ଆମ୍ରୋହାଠାରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ମହିଳା ପ୍ରତିଯୋଗିତାରେ ମନ୍ଦାକିନୀ ବେହେରା ପ୍ରଥମ ତିନିଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ତେବେ ସାଇଫୁନ୍ ନିଶା ଅଲ୍ଲୀ ଫିରଦୋଶୀ ହେଉଛନ୍ତି ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ‘ଯୋଗାସନ’ ପଦକ ବିଜୟିନୀ। ଅନ୍ୟପକ୍ଷରେ ମନୀଷା ପାଣିଗ୍ରାହୀ ହେଉଛନ୍ତି ରାଜ୍ୟର ପ୍ରଥମ ଏସ୍ଜିଏଫ୍ଆଇ ‘ଯୋଗାସନ’ ପଦକ ବିଜୟିନୀ। ରୋଜାଲିନ ବେହେରା ସର୍ବାଧିକ ଥର ଏବଂ ସର୍ବାଧିକ ବର୍ଗରେ ଏସ୍ଜିଏଫ୍ଆଇ କ୍ରୀଡ଼ାରେ ଓଡ଼ିଶାର ପ୍ରତିନିଧିତ୍ବ କରିଛନ୍ତି। ଲକ୍ଷ୍ମୀଧର ଜାଲି, କୃଷ୍ଣଚନ୍ଦ୍ର ଜାଲି ଓ ସମ୍ୟକ ପଣ୍ଡାଙ୍କ ଭଳି ଖେଳାଳି ଜାତୀୟସ୍ତରରେ ନିଜନିଜ ଯାଦୁ ଦେଖାଇ ସାରିଛନ୍ତି। କିନ୍ତୁ ଓଡ଼ିଶାରେ ‘ଯୋଗାସନ’ରେ ସର୍ବାଧିକ ସଫଳତା ଲାଭ କରିଥିବା ତଥା ସର୍ବାଧିକ ପିଲା ସୃଷ୍ଟି କରିବାର ଶ୍ରେୟ ଜଟଣୀ ଉପରବସ୍ତ ଗାଁର ଚନ୍ଦ୍ରକାନ୍ତ ବାରିକଙ୍କୁ ଯାଏ।
ଏନ୍ଆଇଏଚ୍ କୋଚ୍ ତଥା କଳିଙ୍ଗ ଷ୍ଟାଡିୟମ୍ର ଭାରପ୍ରାପ୍ତ ଅଧିକାରୀ ଥିବା ଚନ୍ଦ୍ରକାନ୍ତ ହେଉଛନ୍ତି ପ୍ରଥମ ଓଡ଼ିଆ ଯୋଗ ଖେଳାଳି, ପ୍ରଥମ ଓ ଏକମାତ୍ର ଯୋଗ ରେଫରି, ପ୍ରଥମ ଓ ଏକମାତ୍ର ଜାତୀୟ ‘ଯୋଗାସନ’ ବୈଷୟିକ ଅଧିକାରୀ, ଭାରତର ଶ୍ରେଷ୍ଠ ୧୦ଜଣ ଯୋଗାସନ ରିସୋର୍ସ ପର୍ସନ ମଧ୍ୟରୁ ଅନ୍ୟତମ। ଜାତୀୟ କ୍ରୀଡ଼ା ସଂସ୍ଥାନରୁ ଯୋଗରେ ଡିପ୍ଲୋମା ସହ କ୍ରୀଡ଼ା ପରିଚାଳନାରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବା ଚନ୍ଦ୍ରକାନ୍ତ ଜାତୀୟ ଯୋଗାସନ କ୍ରୀଡ଼ାଠାରୁ ଆରମ୍ଭ କରି ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପର୍ଯ୍ୟନ୍ତ, ବହୁ ପ୍ରତିଯୋଗିତାରେ ଅଧିକାରୀ ଦାୟିତ୍ବ ତୁଲାଇ ସାରିଛନ୍ତି। ତାଙ୍କ ପ୍ରଶିକ୍ଷଣରେ ୫୩ ଜଣ ପିଲା ଜାତୀୟ ‘ଯୋଗାସନ’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ୧୯ଜଣ ରାଜ୍ୟ ସରକାରଙ୍କ କ୍ରୀଡ଼ା କୋଟାରେ ନିଯୁକ୍ତି ଲାଭ କରିସାରିଛନ୍ତି। ‘‘ଓଡ଼ିଶାରେ ଯୋଗାସନର ଅପାର ସମ୍ଭାବନା ରହିଛି। ଗତ କିଛିବର୍ଷ ହେବ ଯୁବପିଢ଼ିଙ୍କ ମଧ୍ୟରେ ଯୋଗାସନ ପ୍ରତି ଆଗ୍ରହ ବି ବଢ଼ିଛି। କଳିଙ୍ଗ ଷ୍ଟାଡିୟମ୍ ସହ ବହୁ ସ୍ଥାନରେ ଏହାର ଶିକ୍ଷା ପ୍ରଦାନ କରାଯାଉଛି। ହେଲେ ରାଜ୍ୟରେ ‘ଯୋଗାସନ’ ପରିଚାଳନା ଦାୟିତ୍ବରେ ଯେଉଁମାନେ ଅଛନ୍ତି, ସେମାନେ ଠିକ୍ ଭାବେ ନିଜ କର୍ତ୍ତବ୍ୟ କରୁନାହାନ୍ତି ବୋଲି ମୋର ହୃଦୟଙ୍ଗମ ହେଉଛି। ଏହି ଅସୁବିଧା ଦୂର ହୋଇପାରିଲେ ଆମ ପିଲା ଆହୁରି ଅଧିକ ପଦକ ଜିତି ପାରନ୍ତେ’’ ବୋଲି ଜଟଣୀରେ ଡିଭାଇନ୍ ସ୍ପୋର୍ଟସ ଏକାଡେମି ନାମକ ସଂସ୍ଥା ଖୋଲି ମାଗଣାରେ ଯୋଗାସନ ଶିଖାଉଥିବା ଚନ୍ଦ୍ରକାନ୍ତ ‘ସମ୍ବାଦ’କୁ କହିଛନ୍ତି।
[ad_2]




