ଖେଳ ଖବର

ଅଷ୍ଟ୍ରେଲିଆଠୁ ହାରିଲା ଭାରତ: ଅଷ୍ଟ୍ରେଲିଆ, ନେଦରଲାଣ୍ଡ୍‌ସ ମହିଳାଙ୍କ ଏକତରଫା ବିଜୟ – Kalinga News

[ad_1]

ଭୁବନେଶ୍ବର: ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକିରେ ଅଷ୍ଟ୍ରେଲିଆ ୬-୪ ଗୋଲ୍‌ରେ ଭାରତକୁ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ପାଇଛି। ପ୍ରଥମ ଦୁଇ କ୍ବାର୍ଟରରେ ଭାରତ ଆଧିପତ୍ୟ (୪-୨)ବିସ୍ତାର କରିଥିଲା ବେଳେ ଶେଷ ଦୁଇ କ୍ବାର୍ଟର ଅଷ୍ଟ୍ରେଲିଆ (୪-୦) ମ୍ୟାଚ୍‌ ଛଡ଼ାଇ ଆଣିଥିଲା। ଭୁବନେଶ୍ବର ଚରଣରେ ଭାରତ ଶୁକ୍ରବାର ଶେଷ ଗ୍ରୁପ୍‌ ମ୍ୟାଚ୍‌ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ। ଏହି କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରୁ ଅଷ୍ଟ୍ରେଲିଆ ୨-୦ରେ ଆଗୁଆ ହୋଇଥିଲା। ବ୍ଲେକ୍‌ ଗୋଭର୍ସ ଦ୍ବିତୀୟ ମିନିଟ୍‌ରେ ଗୋଟିଏ ଲେଖାଏଁ ଫିଲ୍ଡ ଗୋଲ୍‌ ଓ ପେନାଲ୍‌ଟି କର୍ଣ୍ଣରରୁ ଗୋଲ୍‌ ଦେଇଥିଲେ। ଦ୍ବାଦଶ ମିନିଟ୍‌ରେ ଭାରତକୁ ମିଳିଥିବା ପ୍ରଥମ ପେନାଲ୍‌ଟି କର୍ଣ୍ଣରକୁ ଅଧିନାୟକ ହର୍ମନପ୍ରୀତ୍‌ ସିଂହ ଗୋଲ୍‌ରେ ପରିଣତ କରିଥିଲେ। ଦ୍ବିତୀୟ କ୍ବାର୍ଟରରେ ସୁଖଜିତ ସିଂହ (୧୮ ମିନିଟ୍) ସ୍ଥିତି ବରାବର କରିବା ପରେ ହର୍ମନପ୍ରୀତ୍‌ ୨୦ତମ ମିନିଟ୍‌ରେ ଦ୍ବିତୀୟ ଗୋଲ୍‌ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଦ୍ବିତୀୟ କ୍ବାର୍ଟର ଶେଷ ହେବାର ‌ଗୋଟିଏ ମିନିଟ୍‌ ପୂର୍ବରୁ ମନଦୀପ ସିଂହ ଆଉ ଗୋଟିଏ ଗୋଲ୍‌ ଦେଇ ବ୍ୟବଧାନ ବଢାଇଥିଲେ। କିନ୍ତୁ ଏହାପରଠୁ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିବା ସହ ୪୦ ମିନିଟ୍‌ରେ ବ୍ଲେକ୍‌ଙ୍କ ହ୍ୟାଟ୍ରିକ୍‌ ଗୋଲ୍‌ ଓ ୫୨ ମିନିଟ୍‌ରେ ଲାଲଚନ ସାର୍ପଙ୍କ ଚମତ୍କାର ଫିଲ୍ଡ ଗୋଲ୍‌ ବଳରେ ସ୍ଥିତି ୪-୪ କରି ନେଇଥିଲା। ଖେଳ ଶେଷ ହେବାର ୫ ମିନିଟ୍‌ ପୂର୍ବରୁ ଜାକବ୍‌ ଆଣ୍ଡରସନ୍‌ ଓ ଦୁଇ ମିନିଟ୍‌ ପୂର୍ବରୁ ଜାକ୍‌ ୱେଲ୍‌କ୍‌ ଦୁଇଟି ଗୋଲ୍‌ ଲଦି ଦେଇ ଅଷ୍ଟ୍ରେଲିଆକୁ ଜିତାଇଥିଲେ।

ଆୟର୍ଲାଣ୍ଡର ହ୍ୟାଟ୍ରିକ୍ ପରାଜୟ
ଏଫଆଇଏଚ୍‌ ଲିଗ୍‌ରେ ପଦାର୍ପଣ କରିଥିବା ଆୟର୍ଲାଣ୍ଡ ପରାଜୟରେ ହ୍ୟାଟ୍ରିକ କରିଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ଓ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିବା ଏହି ଦଳ ଗୁରୁବାର ସ୍ପେନ୍‌ଠୁ ୨-୪ ଗୋଲ୍‌ରେ ହାରିଯାଇଛି। ସ୍ପେନ୍‌ ପାଇଁ ଏନରିକ୍‌ ଗଞ୍ଜାଲେଜ୍‌ ୧୩ ଓ ୫୭ ମିନିଟ୍‌ରେ ଦୁଇଟି ଫିଲ୍ଡ ଗୋଲ୍‌ ଦେଇଥିଲା ବେଳେ ମାର୍କ ମିରାଲ୍ସ (୧୮ ମିନିଟ୍‌) ଓ ମାର୍କ ରେନ୍‌ (୪୧ ମିନିଟ୍‌) ଆଉ ଦୁଇଟି ଗୋଲ୍‌ ସ୍କୋର କରିଥିଲେ। ଆୟର୍ଲାଣ୍ଡ ପକ୍ଷରୁ ମାଥ୍ୟୁ ନେଲସନ୍‌ (୨୪ ମିନିଟ୍‌) ଓ ଲି କୋଲେ (୫୨ ମିନିଟ୍‌) ପେନାଲ୍‌ଟି ଷ୍ଟ୍ରୋକ୍‌ରୁ ଦୁଇଟି ଗୋଲ୍‌ ଶୁଝିପାରିଥିଲେ।

ଅଷ୍ଟ୍ରେଲିଆ, ନେଦରଲାଣ୍ଡ୍‌ସ ମହିଳାଙ୍କ ଏକତରଫା ବିଜୟ

ରାଉରକେଲା: ଗୁରୁବାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏଫଆଇଏଚ୍‌ ମହିଳା ପ୍ରୋ-ଲିଗ୍‌ ହକିର ଉଭୟ ମ୍ୟାଚ୍‌ ଏକତରଫା ହୋଇଛି। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪-୦ ଗୋଲ୍‌ରେ ଆମେରିକାକୁ ପରାସ୍ତ କରିଛି। ମ୍ୟାଚ୍‌ର ସପ୍ତମ ମିନିଟ୍‌ରେ ଅଷ୍ଟ୍ରେଲିଆର ଏଲିସ୍‌ ଆର୍ଣ୍ଣୋଟ୍‌ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ୍‌ ଦେଇ ନିଜ ଦଳକୁ ୧-୦ ଗୋଲ୍‌ରେ ଆଗୁଆ କରିଥିଲେ। ଏହାପରେ ଦଳୀୟ ଖେଳାଳି ଗୋଟିଏ ପରେ ଗୋଟିଏ ଗୋଲ୍‌ ଦେଇଥିଲେ। ବ୍ରୁକ୍ସ ମ୍ୟାଡିସନ୍‌(୨୧), ଗ୍ରେନର ରେବେକା (୩୦) ଓ କଲୱିଲ କ୍ଲାଏର୍‌ (୪୪) ଅବଶିଷ୍ଟ ତିନିଟି ଗୋଲ୍‌ ସ୍କୋର୍‌ କରିଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ୪-୨ ଗୋଲ୍‌ରେ ଚୀନକୁ ପରାସ୍ତ କରିଛି। ଏହି ବିଜୟ ସହ ନେଦରଲାଣ୍ଡ୍‌ସ ପ୍ରୋ-ଲିଗ୍‌ ମିନି ପ୍ରତିଯୋଗିତାରେ ଅପରାଜେୟ ରହିଛି। ଉଲ୍ଳେଖଯୋଗ୍ୟ, ଶନିବାର ମଧ୍ୟ ଏଠାରେ ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ଆମେରିକା-ଚୀନ ଏବଂ ଦ୍ବିତୀୟ ମ୍ୟାଚ୍‌ରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button