ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୨୫୨ ଜଣଙ୍କ ନାମରେ ଫୌଜଦାରୀ ମାମଲା – Kalinga News

[ad_1]
ନୂଆଦିଲ୍ଲୀ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ଏବଂ ନ୍ୟାସନାଲ ଇଲେକ୍ସନ ୱାଚ୍ର ରିପୋର୍ଟ ଅନୁଯାୟୀ, ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୬୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୫୨ ଜଣ ନିଜ ବିରୋଧରେ ଫୌଜଦାରୀ ମାମଲା ଘୋଷଣା କରିଛନ୍ତି ଏବଂ ୧୫ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୧ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୬୨୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୧୮ ଜଣଙ୍କ ସତ୍ୟପାଠକୁ ବିଶ୍ଳେଷଣ କରି ଏଡିଆର୍ ଏହି ରିପୋର୍ଟ ଦେଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଅନୁଯାୟୀ, ୧୬୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୧ ଜଣ ନିଜ ବିରୋଧରେ ଗୁରୁତର ଆପରାଧିକ ମାମଲା ଥିବା ଘୋଷଣା କରିଥିବା ବେଳେ ୭ ଜଣ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା କହିଛନ୍ତି। ଏହାବ୍ୟତୀତ ୧୯ ଜଣ ପ୍ରାର୍ଥୀ ନିଜ ବିରୋଧରେ ହତ୍ୟା ଉଦ୍ୟମ ମାମଲା ଥିବା ଘୋଷଣା କରିଛନ୍ତି। ୧୬୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ ଜଣ ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ସଂପୃକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଅଛନ୍ତି। ଏହାବ୍ୟତୀତ ୩୫ ଜଣ ପ୍ରାର୍ଥୀ ନିଜ ବିରୋଧରେ ଘୃଣା ଭାଷଣ ଦେବା ମାମଲା ଥିବା ଘୋଷଣା କରିଛନ୍ତି। ଏଡିଆର୍ ପ୍ରାର୍ଥୀଙ୍କ ସମ୍ପତ୍ତି ତଥ୍ୟକୁ ବିଶ୍ଳେଷଣ କରି ଜାଣିବାକୁ ପାଇଛି ଯେ ୩୩୨ ଜଣ ସେମାନଙ୍କ ସମ୍ପତ୍ତି ୨ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବୋଲି ଘୋଷଣା କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୯୩ ଜଣ ପ୍ରାର୍ଥୀଙ୍କ ପାଖରେ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି। ୧୬୧୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୭୭ ଜଣଙ୍କ ସମ୍ପତ୍ତିର ମୂଲ୍ୟ ୫୦ ଲକ୍ଷରୁ ୨ କୋଟି ଟଙ୍କା ଏବଂ ଅନ୍ୟ ୪୩୬ ଜଣ ୧୦ ଲକ୍ଷରୁ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି। ୫୭୩ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ ଲକ୍ଷ ଟଙ୍କାରୁ କମ୍ ରହିଛି।
ରିପୋର୍ଟ ଅନୁଯାୟୀ, ବିଜେପିର ୭୭ ପ୍ରାର୍ଥୀଙ୍କ ମଧ୍ୟରୁ ୨୮, କଂଗ୍ରେସର ୫୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୯, ତୃଣମୂଳ କଂଗ୍ରେସର ୫ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣଙ୍କ ନାମରେ ଆପରାଧିକ ମାମଲା ରହିଛି। ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)ର ସମସ୍ତ ୪ ଜଣ ପ୍ରାର୍ଥୀ, ସମାଜବାଦୀ ପାର୍ଟିର ୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩ ଜଣ, ବିଏସ୍ପିର ୮୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ, ଡିଏମ୍କେର ୨୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣ ଏବଂ ଏଆଇଏଡିଏମ୍କେର ୩୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣଙ୍କ ନାମରେ ଆପରାଧିକ ମାମଲା ରହିଛି। ୧ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଘୋଷଣା କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଆର୍ଜେଡିର ସମସ୍ତ ୪ ଜଣ, ବିଜେପିର ୬୯ ଜଣ, କଂଗ୍ରେସର ୪୯ ଜଣ, ଟିଏମ୍ସିର ୪ ଜଣ, ବିଏସ୍ପିର ୧୮ ଜଣ, ଏଆଇଏଡିଏମ୍କେର ୩୫ ଜଣ ଏବଂ ଡିଏମ୍କେର ୨୨ ଜଣ ପ୍ରାର୍ଥୀ ଅଛନ୍ତି। ରିପୋର୍ଟ ଅନୁଯାୟୀ, ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୪.୫୧ କୋଟି ଟଙ୍କା। ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ ତାରିଖରେ ଅନୁଷ୍ଠିତ ହେବ।
[ad_2]