ରାଜନୀତି

ଆଠମଲ୍ଲିକରେ ଦଳଡିଆଁ ରାଜନୀତି: ବଦଳିଛି ନେତାଙ୍କ ଦଳ ଓ ଭୂମିକା – Kalinga News

[ad_1]

ପଦ୍ମ ଶିବିରରେ ବିଜେଡି ବିଧାୟକ, ଦଳ ଛାଡ଼ିଲେ ବିଜେପି ପ୍ରାର୍ଥୀ

ଅନୁଗୁଳ: ଆଠମଲ୍ଲିକ ଆସନରୁ ୨୦୧୯ରେ ବିଜେଡି ଟିକେଟରେ ଲଢ଼ିଥିଲେ ରମେଶ ସାଏ। ରେକର୍ଡ ଭୋଟରେ ବି ଜିତିଥିଲେ। ହେଲେ ଏଥର ସେ ବିଜେଡି ବିରୋଧରେ ପ୍ରଚାର କରିବେ। ଗତକାଲି ବିଧିବଦ୍ଧ ଭାବେ ବିଜେପିରେ ମିଶିଥିଲାବେଳେ ଏବେ ପଦ୍ମ ପାଇଁ ପାଟି ଖୋଲିବେ। ଠିକ୍‌ ସେହିପରି ୨୦୧୯ରେ ବ‌ିଜେପି ପ୍ରାର୍ଥୀ ଭାବେ ଲଢ଼ିଥିବା ଭାଗୀରଥି ପ୍ରଧାନ ଏବେ ଦଳରୁ ଇସ୍ତଫା ଦେଇ ସାରିଛନ୍ତି। ଯେଉଁ ପଦ୍ମ ଚିହ୍ନରେ ସେ ପାଖାପାଖି ୪୦ ହଜାର ଭୋଟ୍‌ ପାଇଥିଲେ ଏବେ ସେହି ଦଳକୁ ବିଦାୟ ଜଣାଇଛନ୍ତି। କୌଣସି ସମୟରେ ବି ସେ ବିଜେଡିରେ ସାମିଲ ହୋଇପାରନ୍ତି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ଏମିତି ରୋଚକ ସ୍ଥିତି ନିର୍ବାଚନ ଗଣିତକୁ ଗୋଳିଆ କରି ଦେଇଛି। ନେତାମାନଙ୍କ ଏମିତି ଦଳଡିଆଁ ଛାମୁଆ ନେତା, କର୍ମୀ, ଭୋଟର୍‌ଙ୍କୁ ଦ୍ବନ୍ଦ୍ବରେ ପକାଇଥିଲାବେଳେ ଏହା ଭୋଟ ଉପେରେ କେତେ ପ୍ରଭାବ ପକାଉଛି, ତା’ ଉପରେ ରାଜନୈତିକ ପଣ୍ଡିତଙ୍କ ନଜର ରହିଛି।

୨୦୧୯ ସାଧାରଣ ନିର୍ବାଚନରେ ତତ୍କାଳୀନ ବିଧାୟକ ସଂଜୀବ ସାହୁଙ୍କ ଟିକେଟ କାଟି ବିଜେଡି ର‌ମେଶ ସାଏଙ୍କୁ ଟିକେଟ ଦେଇଥିଲା। ହେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ଦଳ ଛାଡ଼ି ନ ଥିଲେ। ବିଜେଡିରେ ରହି ସାଂଗଠନିକ କାମ ଜାରି ରଖିଥିଲେ। ହେଲେ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ଛାଡ଼ି ବିଜେପିରେ ମିଶିଥିଲେ। ଆଉ ଏବେ ରମେଶ ସାଏଙ୍କୁ ଦଳ ଟିକେଟ ‌ନ ଦେବାରୁ ସେ ବି ବିଜେଡି ଛାଡ଼ିଛନ୍ତି। ରମେଶଙ୍କ ପାଇଁ ସଂଜୀବ ସାହୁଙ୍କ ଟିକେଟ କଟିଥି‌ଲେ ମଧ୍ୟ ଏବେ ଦୁହେଁ ଏକାଠି। ଅବଶ୍ୟ ଅନ୍ୟ ଦଳରେ। ଗତ ନିର୍ବାଚନରେ ଦୁହେଁ ବିଜେଡି ପାଇଁ ଲାଗିଥିଲାବେଳେ ଏବେ ବିଜେପି ପାଇଁ ଭୋଟ୍‌ ମାଗୁଛନ୍ତି। ବିଜେପି ସଂଜୀବ ସାହୁଙ୍କୁ ଟିକେଟ ଦେଇଥିଲାବେଳେ ରମେଶ ତାଙ୍କ ପାଇଁ ପ୍ରଚାର କରିବେ। ଗତ ନିର୍ବାଚନରେ ରମେଶ ବିଜେଡି ଟିକେଟ ପାଇଥିଲାବେଳେ ସଂଜୀବ ତାଙ୍କ ପାଇଁ ପ୍ରଚାର କରୁଥିଲେ। ଏଥର ଉଭୟଙ୍କ ଦଳ ଓ ଭୂମିକା ବଦଳିଛି।

ପଦ୍ମ ଶିବିରରେ ବିଜେଡି ବିଧାୟକ
ଦଳ ଛାଡ଼ିଲେ ବିଜେପି ପ୍ରାର୍ଥୀ
ବିଜେଡି ସରକାରରେ ଦିନେ ମନ୍ତ୍ରୀ ଥିବା ନେତାଙ୍କୁ ବିଜେପି ଟିକେଟ

ଏପଟେ ଗତ ୩ଟି ଯାକ ବିଧାନସଭା ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଭାଗୀରଥି ପ୍ରଧାନ ଦଳ ଛାଡ଼ିଛନ୍ତି। କଠିନ ସମୟରେ ଦଳ ସହ ଠିଆ ହୋଇଥିବା ଏହି ବରିଷ୍ଠ ନେତା ଆଗରୁ ଜିଲ୍ଲା ସଭାପତି ସହ ବିଭିନ୍ନ ପଦପଦବିରେ ସଫଳତାର ସହ କାମ କରିଛନ୍ତି। କିନ୍ତୁ ସଂଜୀବ ସାହୁ ବିଜେପିରେ ମିଶିବା ପରେ ଦଳ ତାଙ୍କୁ କୋଣଠେସା କରିଥିଲା। ସଂଗଠନ ଦାୟିତ୍ବ ଦେଉ ନଥିଲା। କେବଳ ଆଳଙ୍କାରିକ ଭାବେ ବସାଇ ରଖିଥିଲା। ଆଉ ଏବେ ଟିକେଟ ନ ମିଳିବାରୁ ଦଳ ସହ ୩୦ ବର୍ଷରୁ ସଂପର୍କ ତୁଟାଇ ଦେଇଛନ୍ତି। କେଉଁ ଦଳକୁ ଯିବେ କିଛି କହି ନଥିଲାବେଳେ ବିଜେଡିକୁ ଯିବା ନେଇ ଚର୍ଚ୍ଚା ହେଉଛି। ଏହା ସତ ହେଲେ, ନିଜ ସମର୍ଥକଙ୍କୁ ନେଇ ତାଙ୍କର ପୁରୁଣା ଦଳ ବିରୋଧରେ ଲାଗି ପଡ଼ିବେ।

ନେତାମାନେ ଦଳ ବଦଳାଇବା ସହ ପତାକା ପରିବର୍ତ୍ତନ କରିଥିବାରୁ ଏହା ଭୋଟରଙ୍କୁ ଚକିତ କରିଛି। ନେତାଙ୍କ ଦଳବଦଳ ପରେ ଲୋକମାନେ ଏହାକୁ କେମିତି ଗ୍ରହଣ କରୁଛନ୍ତି, ତାହା ଏହି ନିର୍ବାଚନରୁ ପ୍ରମାଣ ମିଳିବ। ଏପଟେ ନେତାଙ୍କ ସହ କେତେ କର୍ମକର୍ତ୍ତା ଓ କର୍ମୀ ଯାଇଛନ୍ତି ତାହା ବି ଜଣାପଡ଼ିବ। ଯେଉଁ ଦଳ ବିରୋ‌ଧରେ ନେତା ଜୀବନସାରା ବର୍ଷୁଥିଲେ, ସେହି ଦଳ ପାଇଁ ଭୋଟ ମାଗିବାକୁ ଭୋଟର ଗ୍ରହଣ କରିବା ନ କରିବା ଉପରେ ଆଠମଲ୍ଲିକର ଫଳାଫଳ ନିର୍ଭର କରୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button