ମଧ୍ୟ ନିର୍ବାଚନମଣ୍ଡଳୀ: ତାଲିକାରୁ କଟିଲେ ୨୧ହଜାର ନକଲି – Kalinga News

[ad_1]
ବିବୁଧ ମହାନ୍ତି

Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ଏକ ବିଚିତ୍ର ତଥ୍ୟ ସାମ୍ନାକୁ ଆସିଛି। ଏହି ନିର୍ବାଚନମଣ୍ଡଳୀରେ ଗତ ନିର୍ବାଚନ ତୁଳନାରେ ଭୋଟର ସଂଖ୍ୟା ୨୧ ହଜାରରୁ ଅଧିକ କମିଛି। ଏତେ ସଂଖ୍ୟକ ଭୋଟର କେମିତି କମିଗଲେ? ଏହି ତଥ୍ୟ କେବଳ ଆଶାୟୀ ପ୍ରାର୍ଥୀଙ୍କୁ ନୁହେଁ, ସମସ୍ତଙ୍କୁ ଚକିତ କରିଛି। ଭୋଟର ତାଲିକା ଅପ୍ଡେଟ୍ ହେଉଥିବା ବେଳେ ନକଲି ଭୋଟର କଟି ଯାଇଥିବା ଜଣାପଡ଼ିଛି। ତେବେ ଏତେ ସଂଖ୍ୟକ ନକଲି ଭୋଟର କିଭଳି ଓ କେଉଁଠୁ ଆସିଲେ? ଗତ ସାଧାରଣ ନିର୍ବାଚନରେ ଏହା କିଭଳି ଧରାପଡ଼ିନଥିଲା? ଏତେ ସଂଖ୍ୟକ ନକଲି ଭୋଟର ଯଦି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଟି ଯାଇଥା’ନ୍ତେ, ତେବେ ଏହା ଫଳାଫଳ ଉପରେ ପ୍ରଭାବ ପକାଇଥା’ନ୍ତା ବୋଲି ଅନେକ ମତ ଦେଇଛନ୍ତି। ଗତ ନିର୍ବାଚନରେ ମଧ୍ୟ ନିର୍ବାଚନମଣ୍ଡଳୀରେ ୨ଲକ୍ଷ ୩୮ ହଜାର ୫୩୫ ଭୋଟର ରହିଥିଲେ। ସେଥିରୁ ୧, ୦୦, ୪୨୩ ଅର୍ଥାତ ୪୨.୧ ପ୍ରତିଶତ ଭୋଟର ମତଦାନ କରିଥିଲେ। ଏଥିରୁ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ୫୩.୪ ପ୍ରତିଶତ ଅର୍ଥାତ୍ ୫୪,୦୨୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ୪୨.୦୯ ପ୍ରତିଶତ ଅର୍ଥାତ୍ ୪୨,୫୮୦ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ୧୧ହଜାର ୪୪୨ ଖଣ୍ଡ ଭୋଟ୍ ବ୍ୟବଧାନ ରହିଥିଲା।
ଏହା ପରେ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ହୋଇଥିଲା। ସେତେବେଳେ ମଧ୍ୟ କିଛି ଭୋଟର କଟି ଯାଇଥିଲେ। ଏହା ପରେ ପରେ ୨୦୨୪ ପାଇଁ ଭୋଟର ତାଲିକାରେ ଯୋଗ ହେବା ଓ ବିଭିନ୍ନ ସ୍ଥାନରେ ଭୋଟର ତାଲିକାରେ ନାମ ଥିବା ଭୋଟରଙ୍କୁ କଟା ଯାଇଥିଲା। ଦେଖା ଯାଇଥିଲା ଯେ ହଜାର ହଜାର ଭୋଟର ମଧ୍ୟ ନିର୍ବାଚନମଣ୍ଡଳୀ ସହ ଅନ୍ୟତ୍ର ଭୋଟ୍ ଦେଉଥିଲେ। ଏଭଳି ନକଲି ଭୋଟରଙ୍କୁ କାଟିବା ପରେ ମାର୍ଚ୍ଚ ୩୧ ସୁଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସଂଶୋଧିତ ତାଲିକା ପ୍ରସ୍ତୁତ ହୋଇଛି। ୨୦୧୯ରେ ୨ଲକ୍ଷ ୩୮ ହଜାର ୫୩୫ ଭୋଟର ରହିଥିବା ବେଳେ ନୂଆ ତାଲିକାରେ ମଧ୍ୟ ନିର୍ବାଚନମଣ୍ଡଳୀରେ ୨ଲକ୍ଷ ୧୭ ହଜାର ୩୪୭ ଭୋଟର ରହିଛନ୍ତି। ଅର୍ଥାତ୍ ୨୧ ହଜାର ୧୮୮ ନକଲି ଭୋଟର କଟିଛନ୍ତି।
ନୂଆ ତାଲିକାରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୭ହଜାର ୨୧ ରହିଥିବା ବେଳେ ୧ଲକ୍ଷ ୧୬୧ ମହିଳା ଭୋଟର ରହିଛନ୍ତି। ୧୬୫ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ଏମାନଙ୍କ ନାମ ତାଲିକାରୁ କଟି ନାହିଁ। ଗତ ନିର୍ବାଚନରେ ୧୪୧ ଜଣ ଥିବା ବେଳେ ଏହି ଭୋଟରଙ୍କ ସଂଖ୍ୟା ୨୪ ବଢ଼ିଛି। ତେବେ ପ୍ରଶ୍ନ ଉଠୁଛି, ଏତେ ନକଲି ଭୋଟର୍ ଦାୟିତ୍ବରେ ଥିବା ଅଧିକାରୀଙ୍କ ଜାଣତରେ ହୋଇଥିଲା ନା ଅଜାଣତରେ? ଅଧିକାରୀମାନଙ୍କ ଅଜ୍ଞାତରେ ଏତେ ଲୋକଙ୍କୁ ତାଲିକାରେ ଯୋଡ଼ାଯିବା ବିଶ୍ବାସଯୋଗ୍ୟ ହେଉ ନାହିଁ। କାହା ଚାପରେ କେଉଁ କେଉଁ ଅଞ୍ଚଳରେ ଏମିତି ତାଲିକା ବିଭ୍ରାଟ ହୋଇଥିଲା, ତାହାର ମଧ୍ୟ ଅନୁସନ୍ଧାନର ଆବଶ୍ୟକତା ରହିଛି। ଉପଯୁକ୍ତ ତଦନ୍ତ ହେଲେ ଏହା ପଛରେ ଥିବା ବଡ଼ କେଳେଙ୍କାରି ଧରାପଡ଼ିବ ବୋଲି ବହୁ ସଚେତନ ନାଗରିକ ମତ ଦେଇଛନ୍ତି। ଖୋଦ୍ ରାଜଧାନୀରେ ଯଦି ଭୋଟର ତାଲିକା ନିର୍ଭୁଲ୍ ହୋଇପାରୁନି, ତେବେ ଅନ୍ୟଆଡ଼େ ମଧ୍ୟ ସମାନ ସମସ୍ୟା ହୋଇଥିବା ଆଶଙ୍କା କରାଯାଉଛି।
[ad_2]