ରାଜନୀତି

ବିନା ବୁଥ୍ ଦଖଲରେ ଶେଷ ହୋଇଛି ଘସିପୁରାର ନିର୍ବାଚନ: ସୌମ୍ୟ – Kalinga News

[ad_1]

ଭୁବନେଶ୍ବର: ଘସିପୁରା ନିର୍ବାଚନମଣ୍ଡଳୀରେ ହିଂସା ରାଜୁତି କରୁଥିଲା। ସର୍ବାଧିକ ରାଜ‌ନୈତିକ ହିଂସାକାଣ୍ଡ ହେବା ସହ ବୁଥ୍ ଦଖଲ କରାଯାଉଥିଲା। ତେଣୁ ଘସିପୁରା ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ଲକ୍ଷ୍ୟ ରଖିଥିଲି। ଏଥର ଘସିପୁରାରେ ବିନା ବୁଥ୍ ଦଖଲରେ ନିର୍ବାଚନ ହୋଇପାରିଛି ବୋଲି କହିଛନ୍ତି ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆହ୍ବାନ କରିଥିଲେ। ସେ କହିଥିଲେ ଯେ ବିନା ଦଳ, ସଂଗଠନ ଓ ଅନୁଭବରେ ଘସିପୁରାରେ ନିର୍ବାଚନ ଲଢ଼ିବାକୁ ଏକ ବିଶେଷ ପରିସ୍ଥିତିରେ ଚିନ୍ତା କରିଥିଲି। ପ୍ରତି ନିର୍ବାଚନରୁ କିଛି ଶିଖିବାକୁ ମିଳିଥାଏ ଓ ଏହା ପରବର୍ତ୍ତୀ ନିର୍ବାଚନ ପାଇଁ ଉପଯୋଗୀ ହୋଇଥାଏ। ଏଥର ନିର୍ବାଚନ ଶିକ୍ଷଣୀୟ ରହିଥିଲା। ତେବେ ସ୍ବାଧୀନ ବିଧାୟକ ଓ ସ୍ବାଧୀନ ସାଂସଦ ଭାବେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କୁ ଗୋଟିଏ ଚିହ୍ନ ନ ଦିଆଯାଉ। ଘସିପୁରାରେ ଦୁଇ ସ୍ବାଧୀନ ପ୍ରାର୍ଥୀଙ୍କ ଚିହ୍ନ ସମାନ ହୋଇଥିବାରୁ ମତଦାନରେ ବହୁ ସମସ୍ୟା ହୋଇଥିଲା। ବିଶେଷକରି ଗାଁର ଭୋଟରମାନେ ଏଥିରେ ଦ୍ବନ୍ଦ୍ବରେ ପଡ଼ିଥିଲେ। ମତଦାନ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ଏହା ଘସିପୁରାରେ ବହୁ ଫରକ ଆଣିଥିଲା। ଆଗକୁ ନିର୍ବାଚନ କମିସନ ଉପରେ ଧ୍ୟାନ ଦେବେ ବୋଲି ଆଶା।

ସେହିପରି ବିଜୁ ଜନତା ଦଳର ପରାଜୟ ସଂପର୍କରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦଳରେ ଥିବା ବେଳେ ପ୍ରଥମେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ହୋଇଥିଲା। କିଛି ପରାମର୍ଶ ମଧ୍ୟ ଦିଆନିଆ ହେଉଥିଲା। ହେଲେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଏକୁଟିଆ ହୋଇଗଲେ। ତାଙ୍କୁ ଆଉ ପରାମର୍ଶ ଦେବାର ସୁଯୋଗ ରହିଲାନି। ତା’ର କୁପରିଣାମ ଏବେ ମୁଖ୍ୟମନ୍ତ୍ରୀ ଭୋଗୁଛନ୍ତି। ଦିନେ ମୁଖ୍ୟମନ୍ତ୍ରୀ ମତେ ତାଙ୍କ ଦଳର ସଂପତ୍ତି ବୋଲି କହିଥିଲେ। ହେଲେ ସେହି ସଂପତ୍ତି କିପରି ବିପତ୍ତି ହୋଇଗଲା? ଯେଉଁ ରାଜନେତା ସତକୁ ବୋଝ ବୋଲି ମଣିଥାନ୍ତି ସେମାନେ ରାଜନୀତିରେ ଅଧିକ ଦିନ ତିଷ୍ଠି ପାରିବେ ନାହିଁ। ଏବେ ନବୀନ ବାବୁ ବିରୋଧୀ ଦଳ ଭୂମିକା ନିର୍ବାହ କରନ୍ତୁ। ଦଳକୁ ଗାଣତାନ୍ତ୍ରିକ ବ୍ୟବସ୍ଥାରେ ପରିଚାଳନା କରନ୍ତୁ। କ୍ରୀତଦାସମାନଙ୍କୁ ନେଇ ଦଳ ଚାଲେନାହିଁ। ୨୫ବର୍ଷ ଧରି ଓଡ଼ିଶାବାସୀ ନବୀନ ବାବୁଙ୍କୁ ଯେଉଁଭଳି ଭଲ ପାଇବା ଦେଇଥିଲେ ତାହାର ପ୍ରତି ବଦଳରେ ହୁଏତ ନବୀନ ବାବୁ କିଛି ତ୍ରୁଟି କରିଦେଇଛନ୍ତି। ଯେଉଁମାନେ ତାଙ୍କୁ ଏତେ ଭଲ ପାଇବା ଦେଲେ ତାଙ୍କର ଭାଷାଟିକୁ ମଧ୍ୟ ସେ ଠିକ୍‌ ଭାବେ କହିବା ଲାଗି ଉଚିତ୍ ମଣିଲେ ନାହିଁ। ଏହାସହ ମିଡିଆକୁ ନିଜର ବନ୍ଧୁ ହିସାବରେ ନିଅନ୍ତୁ। ମିଡିଆକୁ କରାଗ୍ରତ କରିବାକୁ ଚେଷ୍ଟା କରନ୍ତୁ ନାହିଁ।

ସ୍ବାଧୀନ ବିଧାୟକ, ସାଂସଦ ପ୍ରାର୍ଥୀଙ୍କୁ ସମାନ ଚିହ୍ନ ନ ଦେବାକୁ ନିର୍ବାଚନ କମିସନଙ୍କୁ ପରାମର୍ଶ
କ୍ରୀତଦାସଙ୍କୁ ନେଇ କୌଣସି ଦଳ ଚାଲିପାରେନି
ପାଣ୍ଡିଆନଙ୍କୁ ସବୁ ଦୋଷ ଦେଇ ଖସିପାରିବେନି ନବୀନ
ନିଆଁ ହୋଇ ଭଲ କାମରେ ଲାଗନ୍ତୁ ବଦ୍ରି

ଘସିପୁରାରୁ ବିଜୟୀ ହୋଇଥିବା ବଦ୍ରି ପାତ୍ର ଏକ ପ୍ରେସ୍ ବାର୍ତ୍ତାରେ ନିଜକୁ ନିଆଁ ବୋଲି କହିବା ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବଦ୍ରି ବାବୁ ନିଜକୁ ନିଆଁ ଭାବି ଭଲ କାମରେ ଲଗାନ୍ତୁ। ମତେ ଯେତେ ଉସକାଇବାକୁ ଚେଷ୍ଟା କଲେ ମଧ୍ୟ ଏଥିରେ ଉତ୍ସାହିତ ହେବିନାହିଁ। ମୋ ସହ ପରିବାରକୁ ଯୋଡ଼ି ଆଲୋଚନା କରିବାର ପ୍ରସଙ୍ଗରୁ ଦୂରେଇ ରହୁନ୍ତୁ। କ୍ରୀତଦାସର ମନୋବୃତ୍ତି ନ ଛାଡ଼ିଲେ ଜଣେ ପ୍ରକୃତରେ ରାଜନେତା ହୋଇପାରିବ ନାହିଁ। ସ୍ବର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ଏକଦା ନବୀନଙ୍କ ଚାକର ବୋଲି କହିଥିଲେ। ବିଜେଡିର ସାଙ୍ଗଠନିକ ସଂପାଦକ ନିଜକୁ କ୍ରୀତଦାସ କହିବାକୁ ପଛାଇ ନ ଥିଲେ। ଏକାନ୍ତ ଅନୁଗତ ହେବା ପାଇଁ ଅନ୍ୟ ବାଟ ରହିଛି। ‘ଆମ ଘରର ହାଲଚାଲ’ ସଂପାଦକୀୟ ଲେଖିବା ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ କହିଥିଲେ, ‘ସମ୍ବାଦ’ର ଆଉ ସଂପାଦକ ନାହିଁ। ଆଗକୁ ଯଦି ମୁକ୍ତ ବୃତ୍ତିର ସାମ୍ବାଦିକତାର ସୁଯୋଗ ମ‌ିଳେ ତାହାଲେ ଅନ୍ୟ ନାମରେ ମଧ୍ୟ ସ୍ତମ୍ଭ ଲେଖିବି।

‘ଆମ ଘରର ହାଲଚାଲ’ର ଗୋଟିଏ ସ୍ତମ୍ଭରୁ ହିଁ ଏତେ ନାଟ ଆରମ୍ଭ ହୋଇଥିଲା। ମନ୍ତ୍ରୀ ବଡ଼ ନା ସଚିବ ବଡ଼ ? ପାର୍ଟି ବଡ଼ ନା ମାଟି ବଡ଼ ପ୍ରସଙ୍ଗରେ ବିଜେଡି କୌଣସି ଉତ୍ତର ଦେଇପାରିଲା ନାହିଁ। ପ୍ରଶାସକଙ୍କ ଅହଂକାର ଚରମସୀମାରେ ପହଞ୍ଚିଥିଲା। ତାହାର ଦଣ୍ଡ ବିଜେଡିକୁ ରାଜ୍ୟବାସୀ ନିଜ ଢଙ୍ଗରେ ଦେଇଛନ୍ତି। ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସଂପର୍କରେ ସେ କହିଥିଲେ ଯେ ତାଙ୍କୁ ଏତେ କ୍ଷମତା ଦେଲା କିଏ? ହେଲିକପ୍ଟରରେ ବୁଲିବାଠାରୁ ଆରମ୍ଭ କରି ଭରା ସଭାରେ ତାଙ୍କ ହାତକୁ ଛାଟି ଦେବା କ୍ଷମତା ତାଙ୍କର ଆସିଲା କେଉଁଠୁ? ତେଣୁ ପାଣ୍ଡିଆନଙ୍କ ମୁଣ୍ଡରେ ସବୁ ଦୋଷ ଲଦି ଦେଇ ଖସିଯିବାକୁ ଚେଷ୍ଟା କଲେ ନବୀନ ବାବୁଙ୍କୁ ରାଜ୍ୟବାସୀ କ୍ଷମା ଦେବେନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button