ରାଜନୀତି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ମାରାଥନ୍‌ କାର୍ଯ୍ୟକ୍ରମ: ‘ଡବଲ୍ ଇଞ୍ଜିନ୍ ସରକାର ଦରକାର’ – Kalinga News

[ad_1]

ନବରଙ୍ଗପୁର, ବ୍ରହ୍ମପୁର, ବାରିପଦାରେ ସଭା, କେନ୍ଦ୍ର ସରକାରଙ୍କ ବିକାଶର ଚିତ୍ର ଆଙ୍କିଲେ

ନବରଙ୍ଗପୁର/ବ୍ରହ୍ମପୁର/ବାରିପଦା: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଗୁଲ୍‌ ବାଜିନଥିଲେ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂହଙ୍କ ମାରାଥନ୍‌ କାର୍ଯ୍ୟକମ ରାଜ୍ୟରେ ନିର୍ବାଚନୀ ମାହୋଲ୍‌ ସୃଷ୍ଟି କରିଛି। ଶ୍ରୀ ସିଂହ ଆଜି ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାଠାରେ ୩ଟି ମାରାଥନ୍‌ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ବର ଉଚ୍ଛ୍ବସିତ ପ୍ରଶଂସା କରିଛନ୍ତି। ମୋଦୀଙ୍କ ନେତୃତ୍ବ କିଭଳି ବିକାଶ ସହିତ ବିଶ୍ବରେ ଦେଶର ଗୁରୁତ୍ବକୁ ବଢ଼ାଇଛି, ସେ ସମ୍ପର୍କରେ ଏକ ଚିତ୍ର ରଖିଛନ୍ତି। ଅପରପକ୍ଷେ, ବିରୋଧୀ କଂଗ୍ରେସ ଦଳକୁ ତୀବ୍ର ସମାଲୋଚନା କରିଛନ୍ତି। ବିଜେଡି ସରକାର ବିରୋଧରେ କୌଣସି କଡ଼ା ମନ୍ତବ୍ୟ ରଖିନଥିଲେ ମଧ୍ୟ ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ସରକାର ପ୍ରତିଷ୍ଠା ଉପରେ ଗୁରୁତ୍ବାରୋପ କରିଛନ୍ତି।

ନବରଙ୍ଗପୁର, ବ୍ରହ୍ମପୁର, ବାରିପଦାରେ ସଭା
କେନ୍ଦ୍ର ସରକାରଙ୍କ ବିକାଶର ଚିତ୍ର ଆଙ୍କିଲେ
ରାଜ୍ୟ ସରକାରଙ୍କ ପାଇଁ ନରମ, କଂଗ୍ରେସ ପାଇଁ ଗରମ

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ପ୍ରଥମେ ନବରଙ୍ଗପୁର ସର୍କିଟ୍ ହାଉସ୍ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠା‌ରେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ ଦୈନିକ ୧୨ ଘଣ୍ଟାଧରି ଦଳ ପାଇଁ କାର୍ଯ୍ୟ କରିବାକୁ ଏବଂ ବୁଥ୍‌ରେ ୯୮ ପ୍ରତିଶତ ମତଦାନକୁ ନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ, ବ୍ରହ୍ମପୁର ଉପକଣ୍ଠ ବିବେକବିହାର ଏବଂ ବାରିପଦାର ସ୍ଥାନୀୟ ଛଉ ପଡ଼ିଆଠାରେ ଆୟୋଜିତ ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ବ କିଭଳି ଦେଶକୁ ବିକାଶର ନୂଅା ସୋପାନକୁ ନେଇ ଯାଇଛି, ସେ ସସମ୍ପର୍କରେ ଏକ ବିସ୍ତୃତ ଚିତ୍ର ରଖିଥିଲେ। ସେ କହିଥିଲେ ଯେ ଜନଔଷଧି, ଆୟୁଷ୍ମାନ ଭାରତ, ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ପାସ୍‌, ଦେଶର ସୀମା ସୁରକ୍ଷା କ୍ଷେତ୍ରରେ ଦୃଢ଼ ପଦକ୍ଷେପ, ରାମମନ୍ଦିର ନିର୍ମାଣ ଆଦି କାର୍ଯ୍ୟ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ପାଇଁ ସମ୍ଭବ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାସନର ୯ବର୍ଷ ମଧ୍ୟରେ ୨୫କୋଟି ଲୋକଙ୍କୁ ଗରିବ ସୀମାରେଖାରୁ ଊର୍ଦ୍ଧ୍ବକୁ ଉଠାଇଛନ୍ତି। ଦେଶର ୧୧କୋଟି ଘରେ ଶୌଚାଳୟ ନିର୍ମାଣ ହୋଇଛି। ମୋଦୀ ସରକାରଙ୍କ ଅମଳରେ ୩୦ହଜାର କିମି ରାସ୍ତା ନିର୍ମାଣ ହୋଇଛି। ସାରାଦେଶରେ ବିମାନବନ୍ଦର ସଂଖ୍ୟା ୨ଗୁଣ ହୋଇଛି। ଦିନଥିଲା କୌଣସି ଦଳର ନିର୍ବାଚନ ଇସ୍ତାହାର ପ୍ରତି ଲୋକଙ୍କ ଭରସା ପାଉନଥିଲା। ବିଜେପି କିନ୍ତୁ ନିର୍ବାଚନ ଇସ୍ତାହାର ପୂରଣ କରିଛି। ଖାଲି ଇସ୍ତାହାର ପୂରଣ କରିନି, ଦେଶର ବିକାଶ ଓ ଅର୍ଥନୀତିକୁ ସୁଦୃଢ଼ କରାଯାଇଛି। ଯେଉଁଥିପାଇଁ ଦେଶର ଅର୍ଥନୀତି ୧୧ରୁ ୫ମ ସ୍ଥାନକୁ ଆସିଛି। ୨୦୨୭ ସୁଦ୍ଧା ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ହେବ। ୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି ସେ କହିଥିଲେ।

ଅପରପକ୍ଷେ,ଏହି ତିନୋଟି ଦଳୀୟ ସଭାରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିବାକୁ ପଛାଇ ନଥିଲେ ଶ୍ରୀ ସିଂହ। ସେ କହିଥିଲେ, କଂଗ୍ରେସ ସରକାର ଦୀର୍ଘ ବର୍ଷ ଧରି ଗରିବୀ ହଟାଇବା ନାମରେ ଶାସନ କରୁଥିଲା। କଂଗ୍ରେସ ସରକାର ସମୟରେ ବଡ଼ବଡ଼ ପ୍ରକଳ୍ପର ଶିଳାନ୍ୟାସ ହୋଇଛି, କିନ୍ତୁ ସେସବୁ କେବେ ଉଦ୍‌ଘାଟନ ହୋଇ ପାରିନାହିଁ। ବିଜେପି ସରକାର ସମୟରେ ଏହି ଚିତ୍ର ବଦଳିଛି। ମାତ୍ର, ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ରାଜ୍ୟସରକାରଙ୍କ ବିରୋଧରେ ସେହିଭଳି କଡ଼ା ଟିପ୍ପଣୀ ଦେଇନଥିଲେ। କେବଳ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀ କେତେ ଦୃଷ୍ଟି ଦେଉଛନ୍ତି, ତାହାର ଏକ ସଂକ୍ଷିପ୍ତ ଚିତ୍ର ଦେଇଥିଲେ। ସେ କହିଥିଲେ, କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ସମୟରେ ଓଡ଼ିଶା ପ୍ରତି ଚରମ ଅବହେଳା ହୋଇଥିଲା। ଅଥଚ ବିଗତ ୯ ବର୍ଷରେ ବିଜେପି ସରକାର ଓଡ଼ିଶାର ବିକାଶ ପାଇଁ ସ୍ବତନ୍ତ୍ର ଦୃଷ୍ଟିଦେଇ ୧୮ ଲକ୍ଷ କୋଟି ଅନୁଦାନ ଦେଇଛି। ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦୀ ବହୁତ ଭଲ ପାଆନ୍ତି। ଆଦିବାସୀଙ୍କ ପ୍ରତି ତାଙ୍କର ବିଶେଷ ଆନ୍ତରିକତା ରହିଛି। ମୟୂରଭଞ୍ଜ ମାଟିର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବା କେବଳ ମୋଦୀ ସରକାରଙ୍କ ସମୟରେ ସମ୍ଭବ ହୋଇଛି। ଓଡ଼ିଶାର ବିକାଶକୁ ଆହୁରି ତ୍ବରାନ୍ବିତ କରିବା ଲାଗି ଏଠାରେ ଡବଲ ଇଞ୍ଜିନ ସରକାର ଦରକାର ବୋଲି କହିଥିଲେ।
ଏହି ୩ଟି କାର୍ଯ୍ୟକ୍ରମ‌ରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନ୍ୟ ରାଜ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button