ରାଜନୀତି

ମୟୂରଭଞ୍ଜରେ ମହିଳା କାର୍ଡ ଖେଳିଲା ବିଜେଡି, ସ୍ବାମୀ ବଦଳରେ ସ୍ତ୍ରୀଙ୍କୁ ଟିକେଟ – Kalinga News

[ad_1]

ବଡ଼ସାହିରୁ ଅନସୂୟା, ମୋରଡ଼ାରୁ, ପ୍ରୀତିନନ୍ଦା ପ୍ରାର୍ଥୀ, ସାନନ୍ଦ, ଶ୍ରୀନାଥ ଓ ଚକ୍ରଧର ବି ପାଇଲେ

ବାରିପଦା: ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ଅଧୀନ ୯ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ଆଜି ୫ଟିରେ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ପ୍ରଥମ ପର୍ଯ୍ୟାୟରେ ଯେଉଁ ୫ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା, ବିଜେଡି ସେହି ସମାନ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବାକି ୪ଟି ଆସନ ଝୁଲାଇ ରଖିଛି। ବିଜେପି ସଂପୃକ୍ତ ଆସନଗୁଡ଼ିକରେ ଜଣେ ବି ମହିଳାଙ୍କୁ ପ୍ରାର୍ଥୀ କରି ନଥିଲା ବେଳେ ବିଜେଡି କିନ୍ତୁ ୨ଟି ଆସନରେ ଖେଳିଛି ମହିଳା କାର୍ଡ।

ବଡ଼ସାହି ବିଧାନସଭା ଆସନ ପାଇଁ ପୂର୍ବତନ ବିଧାୟକ ଗଣେଶ୍ବର ପାତ୍ର ପ୍ରମୁଖ ଦାବିଦାର ଥିଲେ। ହେଲେ ତାଙ୍କୁ ବିଜେଡିର ଗୋଟିଏ ଗୋଷ୍ଠୀ ଲଗାତାର ବି‌ରୋଧ କରି ଆସୁଥିଲା। ତେବେ ସାପ ମରିବ, କିନ୍ତୁ ବାଡ଼ି ଭାଙ୍ଗିବନି ନୀତିରେ ଦଳ ଗଣେଶ୍ବରଙ୍କୁ ପ୍ରାର୍ଥୀ ନକରି ପତ୍ନୀ ଅନସୂୟା ପାତ୍ରଙ୍କୁ ପ୍ରାର୍ଥୀ କରିଛି। ତାଙ୍କ ଲଢ଼େଇ ବିଜେପିର ସନାତନ ବିଜୁଳିଙ୍କ ସହ ହେବ। ସେହିପରି ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ଜିଲ୍ଲାର ଏକମାତ୍ର ଆସନ ମୋରଡ଼ାରୁ ବିଧାୟକ ଥିବା ରାଜକିଶୋର ଦାସଙ୍କ ବଦଳରେ ପତ୍ନୀ ପ୍ରୀତିନନ୍ଦା କାନୁନ୍‌ଗୋଙ୍କୁ ଦଳ ଟିକେଟ‌ ଦେଇଛି। ସେ ବିଜେପିର ବରିଷ୍ଠ ନେତା ଡ. କୃଷ୍ଣଚନ୍ଦ୍ର ମହପାତ୍ରଙ୍କ ସହ ଲଢ଼ିବେ।

ଅନ୍ୟପଟେ ବାରିପଦା ଆସନରୁ ଲଢ଼େଇ କରି ପରାଜିତ ହୋଇଥିବା ଟାଣୁଆ ନେତ୍ରୀ ସରୋଜିନୀ ହେମ୍ବ୍ରମଙ୍କୁ ଏଥର ଟିକେଟ‌ ମିଳିନାହିଁ। ତାଙ୍କ ବଦଳରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ଉପରେ ଦଳ ଭରସା କରିଛି। ସାନନ୍ଦ ୨୦୦୯ ଓ ୨୦୧୪ରେ ଉକ୍ତ ଆସନରୁ ଲଢ଼ି ବିଜୟୀ ହୋଇଥିଲେ। ସେହିପରି ଉଦଳାରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କୁ ଦଳ ପୁଣି ଟିକେଟ‌ ଦେଇଛି। ସେ ଗତଥର ବିଜେପିର ଭାସ୍କର ମଢ଼େଇଙ୍କଠାରୁ ଅଳ୍ପ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିବା ବେଳେ ଏଥର ପୁଣି ତାଙ୍କ ସହ ଲଢ଼େଇ ହେବ। ଯଶିପୁର ବିଧାନସଭା ଆସନ ପାଇଁ ଦଳ ନୂଆମୁହଁ ଚକ୍ରଧର ହେମ୍ବ୍ରମଙ୍କୁ ସାମ୍ନାକୁ ଆଣିଛି। ତେବେ ବାଙ୍ଗିରି‌ପୋଷି, ରାଇରଙ୍ଗପୁର, କରଞ୍ଜିଆ ଓ ସାରସକଣା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିନ‌ାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button