ରାଜନୀତି

‘ଓଡ଼ିଶାରେ ବିଜେପି ସରକାର ଗଢ଼ିବ’ – Kalinga News

[ad_1]

ପ୍ରଶ୍ନ- ଏଥର ସାଧାରଣ ନିର୍ବାଚନରେ କେଉଁସବୁ ପ୍ରସଙ୍ଗକୁ ନେଇ ବିଜେପି ଜନତାଙ୍କ ପାଖକୁ ଯିବ?
ଉତ୍ତର-‌ ନିର୍ବାଚନରେ ‌‌ଯେକୌଣସି ରାଜନୈତିକ ଦଳ ପାଇଁ କ୍ରେଡିବିଲିଟି ସବୁଠାରୁ ମୁଖ୍ୟ ହୋଇଥାଏ। ଆଜି ଦେଶ କହୁଛି ‘ମାଇ ଚଏସ୍ ଇଜ୍ ମୋଦୀ’। କାରଣ ଗତ ଦଶବର୍ଷରୁ ଦେଶରେ ବିକାଶର ଧାରା ଜାରି ରହିଛି। ରେଳ, ବେସାମରିକ ବିମାନସେବା, ସଡ଼କ, ଭିତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ର ଭଳି ପ୍ରାୟ ସମସ୍ତ କ୍ଷେତ୍ରରେ ଦ୍ରୁତ ବିକାଶ ହୋଇଛି। ୬୦ ବର୍ଷରେ ବିକାଶର ଧାରା ମନ୍ଥର ରହିଥିଲା ଏବଂ ଗତ ୧୦ ବର୍ଷ‌ର ବିକାଶ ଏକ ବଡ଼ ଉପଲବ୍ଧି। ଏହାକୁ ନେଇ ଆମେ ଜନତାଙ୍କ ନିକଟକୁ ଯିବୁ।

ପ୍ରଶ୍ନ- ଏଥର ନିର୍ବାଚନରେ ‘ଅବକି ବାର ୪୦୦ ପାର୍’ର ଲକ୍ଷ୍ୟ ରହିଛି। ଏହାକୁ କେମିତି ହାସଲ କରାଯାଇପାରିବ?
ଉତ୍ତର-‌ ଲୋକମାନେ କଂଗ୍ରେସର ମିଥ୍ୟା ପ୍ରତିଶ୍ରୁତିରେ ନିରାଶ ହୋଇସାରିଲେଣି। ଲୋକଙ୍କର ସମସ୍ୟାକୁ ବୁଝିବା ଓ ସମାଧାନ ପାଇଁ କଂଗ୍ରେସର ଇଚ୍ଛାଶକ୍ତି ନାହିଁ। ମୋଦୀ ସରକାରଙ୍କ କଲ୍ୟାଣକାରୀ ଯୋଜନା ତଥା ବିକଶିତ ଭାରତର ଲକ୍ଷ୍ୟ ଅଧିକ ସଂଖ୍ୟକ ଆସନ ଜିଣିବାରେ ସହାୟକ ହେବ। ଏଥର ଦକ୍ଷିଣରେ ବିଜେପିର ପ୍ରଦର୍ଶନ ବହୁତ ଭଲ ରହିବ। ମୋଟ ଉପରେ କହିବାକୁ ଗଲେ ଏନ୍‌ଡିଏକୁ ଏଥର ସର୍ବାଧିକ ଆସନରେ ବିଜୟ ମିଳିବ, ଏଥିରେ କୌଣସି ସନ୍ଦେହ ନାହିଁ।

ପ୍ରଶ୍ନ- ଓଡ଼ିଶ‌ାରେ ବିଜେପିର ପ୍ରର୍ଦଶନ କିଭଳି ରହିବ ବୋଲି ଆପଣ ଭାବୁଛନ୍ତି?
ଉତ୍ତର-‌ ଓଡ଼ିଶାରେ ବିଜେପିର ପ୍ରର୍ଦଶନ ବହୁତ ଭଲ ରହିବ। କେବଳ ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗ ତଥା ଦକ୍ଷିଣ ଭାରତରେ ମଧ୍ୟ ବିଜେପି ଭଲ କରିବ। ବିଜେପି କିଭଳି ବିକାଶ କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରୁଛି ତାହା ଲୋକମାନେ ହୃଦ୍‌ବୋଧ କରୁଛନ୍ତି। ବିଜେପିର ବିଭିନ୍ନ ଜନକଲ୍ୟାଣ ଯୋଜନା ଲୋକମାନଙ୍କୁ ବେଶ୍ ପ୍ରଭାବିତ କରିଛି। ଓଡ଼ିଶାରେ ବିକାଶର ଧାରାକୁ ଦେଖି ବିଜେଡିର ତିନିତିନି ଜଣ ସାଂସଦ- ଭର୍ତ୍ତୃହରି ମହତାବ, ଅନୁଭବ ମହାନ୍ତି ଓ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେପିରେ ଯୋଗଦାନ କରିଛନ୍ତି, ଯାହା ଏହାର ପ୍ରମାଣ।

ପ୍ରଶ୍ନ- ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟକୁ ନେଇ ‌ଯେଉଁ ଆଲୋଚନା ଚାଲିଥିଲା ତାହା ସଫଳ ହୋଇପାରିଲା ନାହିଁ, କ’ଣ କହିବେ?
ଉତ୍ତର-‌ ମେଣ୍ଟ ହେଉଛି ଲୋକତନ୍ତ୍ରର ସୁନ୍ଦରତା। ଆମେ ପଂଜାବର ଅକାଳୀ ଦଳ ସହିତ ମେଣ୍ଟ ପାଇଁ ପ୍ରୟାସ କରିଥିଲୁ। ଆମେ ବିଜେଡି ସହିତ ମଧ୍ୟ ଗଠବନ୍ଧନ ନେଇ ଆଲୋଚନା କରିଥିଲୁ। ସେମାନେ ମଧ୍ୟ ଚାହିଁଥିଲେ। ହେଲେ ମେଣ୍ଟ ହୋଇପାରିଲା ନାହିଁ।

୨୦୨୪ ସାଧାରଣ ନିର୍ବାଚନରେ ଏନ୍‌ଡିଏ ୪୦୦ରୁ ଊର୍ଦ୍ଧ୍ବ ଆସନ ହାସଲ କରିବାର ଲକ୍ଷ୍ୟ ରଖିଛି। ଏଥି ସହିତ ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହୋଇପାରି ନ ଥିବା ବେଳେ ଉଭୟ ଦଳ ଏକାକୀ ଲଢୁଛନ୍ତି। ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି କେନ୍ଦ୍ର ସୂଚନା ପ୍ରସାରଣ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଦୃଢୋକ୍ତି ପ୍ରକାଶ କରିଛନ୍ତି। ତାଙ୍କୁ ସାକ୍ଷାତ୍ କରିଥିଲେ ‘ସମ୍ବାଦ’ର ଦିଲ୍ଲୀ ପ୍ରତିନିଧି ନଇମ ଅଖତର।

ପ୍ରଶ୍ନ- ମେଣ୍ଟ ହୋଇ ନ ପାରିବାର କାରଣ କ’ଣ ବୋଲି ଆପଣ ଭାବୁଛନ୍ତି?
ଉତ୍ତର-‌ଦେଖନ୍ତୁ, ଯେଉଁମାନେ ଗଠବନ୍ଧନ ଆଲୋଚନାରେ ସାମିଲ ଥିଲେ ସେମାନେ ହିଁ ଏ ସଂପର୍କରେ କହିପାରିବେ। ହେଲେ ବିଜେଡି-ବିଜେପି ଗଠବନ୍ଧନ ହୋଇପାରିଲା ନାହିଁ ଏକଥା ସମସ୍ତେ ଜାଣନ୍ତି। ବିଜେଡି-ବିଜେପି ମେଣ୍ଟ ରାଜ୍ୟର ଭଲ ପାଇଁ ହୋଇପାରିଥାନ୍ତା। ଅକାଳୀ ଦଳ ମେଣ୍ଟରେ ସାମିଲ ହୋଇଥିଲେ ସେମାନଙ୍କର ଫାଇଦା ହୋଇଥାନ୍ତା। ସେମାନେ ମେଣ୍ଟରେ ସାମିଲ ହେଲେ ନାହିଁ।

ପ୍ରଶ୍ନ-ଓଡ଼ିଶାରେ ବିଜେପି ଏକାକୀ ଲଢିଲା କାହିଁକି?
ଉତ୍ତର-‌ବର୍ତ୍ତମାନ ବିଜେପି ଏକାକୀ ଲଢୁଛି। ଆମ ଦଳରେ ଅଧିକ ପ୍ରବୀଣ ନେତା ଯୋଗ ଦେଉଛନ୍ତି। ଏକାକୀ ଯିବାରେ ଆମକୁ ଏକ୍ସପାନସନ୍ (ବିସ୍ତାର) ଅନ୍ତର୍ଗତ ଅଧିକ ବଳ ମିଳୁଛି, ତାହା ଓଡ଼ିଶା, ପଶ୍ଚିମବଙ୍ଗ ବା ତାମିଲନାଡୁ ହେଉ ନା କାହିଁକି।

ପ୍ରଶ୍ନ- ଯଦି ଏକାକୀ ନିର୍ବାଚନ ଲଢିବାରେ ଫାଇଦା ରହୁଛି ମେଣ୍ଟ ପାଇଁ କାହିଁକି ପ୍ରୟାସ କରାଯାଇଥିଲା?
ଉତ୍ତର-‌କାରଣ ପ୍ରଥମ ପ୍ରୟାସରେ ଏହା ରହିଥାଏ। ‌ଯେତେବେଳ ପର୍ଯ୍ୟନ୍ତ ଆପଣଙ୍କ ଶକ୍ତି ବୃଦ୍ଧି ହୋଇପାରୁ ନାହିଁ ତା’ହେଲେ ମେଣ୍ଟ ଜରିଆରେ ଶକ୍ତି ବୃଦ୍ଧି କର। ଯେତେବେଳେ ମେଣ୍ଟ ଜରିଆରେ ଶକ୍ତି ବୃଦ୍ଧି ଦେଉନାହିଁ ଆମକୁ ଏକାକୀ ଶକ୍ତି ବୃଦ୍ଧି କରିବାକୁ ପଡ଼ିଥାଏ।

ପ୍ରଶ୍ନ- ଓଡ଼ିଶାରେ କେତେ ଆସନରେ ବିଜେପି ଜିତିବ?
ଉତ୍ତର-‌ ଓଡ଼ିଶାରେ ଏଥର ନିର୍ବାଚନ ବାତାବରଣ ଏକପାଖିଆ ରହିଛି। ବିଜେପି ବହୁସଂଖ୍ୟାରେ ସିଟ୍ ଜିତିବ। ବିଜେଡିର ଅନେକ ସାଂସଦ ଦଳ ପରିତ୍ୟାଗ କରି ବିଜେପି ଆଡ଼କୁ ମୁହାଁଉଛନ୍ତି। ଦଳର ଅଂଶବିଶେଷ ରହିଥିବା ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ପାଇଁ ବିଜେଡି ଭିତରେ ବିଦ୍ରୋହ ଆରମ୍ଭ ହୋଇଛି। ତାଙ୍କ ଉପରେ ବହୁତ ଅଭିଯୋଗ ଆସୁଛି। ଅନେକ ବିଜେଡି ନେତା ଦଳ ଭିତରେ ରହି ଅସହଜ ମନେ କରୁଛନ୍ତି। ଲୋକମାନେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କୁ ଭୋଟ ଦେଉଥିବାବେଳେ ଓଡ଼ିଶାରେ ଦୀର୍ଘ ସମୟ ଧରି ବିଜେଡି ଶାସନ କରୁଛି। ଆଣ୍ଟି-ଇନ୍‌କମ୍ବେନ୍ସି ‌ଯୋଗୁଁ ଏଥର ଓଡ଼ିଶାରେ ବିଜେପି ଭଲ କରିବ।

ପ୍ରଶ୍ନ- ଓଡ଼ିଶାରେ ବିଜେପି ସରକାର ଗଢିବ ବୋଲି ଆପଣ କେତେ ଆଶାବାଦୀ?
ଉତ୍ତର-‌ ନିଶ୍ଚିତରୂପେ ଓଡ଼ିଶାରେ ବିଜେପି ସରକାର ଗଢିବ। କାରଣ ଓଡ଼ିଶାରେ ଆଉ କିଛି ବିକଳ୍ପ ନାହିଁ।

ପ୍ରଶ୍ନ- ଆପଣ କହୁଛନ୍ତି ଓଡ଼ିଶାରେ ନିର୍ବାଚନ ଏକପାଖିଆ ହେବାକୁ ଯାଉଛି। ଏହାର କାରଣ?
ଉତ୍ତର-‌ ମୋ ମତରେ ବିଜେପି ଓଡ଼ିଶାରେ ସରକାର ଗଢିବା ପାଇଁ ଆରାମଦାୟକ ସ୍ଥିତିରେ ରହିଛି। ଲୋକସଭା ଓ ବିଧାନସଭାରେ ରେକର୍ଡ ସଂଖ୍ୟକ ଆସନରେ ବିଜେପିକୁ ବିଜୟ ମିଳିବ। ରାଜ୍ୟରେ ବିଜେଡି ବିରୋଧରେ ବଡ଼ ଧରଣର ଆଣ୍ଟି-ଇନ୍‌କମ୍ବେନ୍ସି (କ୍ଷମତାସୀନ ଦଳ ବିରୋଧୀ) ଧାରା ରହିଛି।

ପ୍ରଶ୍ନ- ଓଡ଼ିଶାରେ ନିର୍ବାଚନ ପ୍ରଚାର ଅଭିଯାନର ମୁଖ୍ୟ ରଣନୀତି କ’ଣ ରହିବ?
ଉତ୍ତର-‌ଏହା ଦଳ ନିର୍ଦ୍ଧାରଣ କରିବ।

ପ୍ରଶ୍ନ-ଗତ ଦଶବର୍ଷରୁ କେନ୍ଦ୍ର ସରକାରଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ସହଯୋଗ କରିଆସିଛନ୍ତି। ଏ ନେଇ ଆପଣଙ୍କ ମତ କ’ଣ?
ଉତ୍ତର-‌ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଦେଶର ବିକାଶରେ ନବୀନ ପଟ୍ଟନାୟକଙ୍କର ସର୍ବଦା ସହଯୋଗ ଓ ସମର୍ଥନ ରହିଛି। ଯେତେବେଳେ ବି ଯେକୌଣସି ନୂଆ ଆଇନ ଆସିଛି ନବୀନବାବୁଙ୍କର ସମର୍ଥନ ମିଳିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button