ରାଜନୀତି

ନୂଆ ଇଂନିସ ଆରମ୍ଭ କରିବେ ସିନେ ତାରକା: ରାଜନୀତିକୁ ଆଣିଥିଲା, ହାତ ଝାଡ଼ିଦେଲା ବିଜେଡି – Kalinga News

[ad_1]

ଭୁବନେଶ୍ବର: ଜଣଙ୍କ ପରେ ଜଣେ ସିନେ ତାରକା ବିଜେଡି ଛାଡ଼ୁଛନ୍ତି। ବିଜେଡିରେ ଅବହେଳା, ଗୁରୁତ୍ବ ନପାଇବା ଭଳି ଅଭିଯୋଗ ଆଣି ବିଜେପି ମୁହାଁ ହେଉଛନ୍ତି ବୋଲି କହିଛନ୍ତି ଓଡ଼ିଶାର ଆଗଧାଡ଼ିର ଅଭିନେତାମାନେ। ପ୍ରଥମେ ସୁପରଷ୍ଟାର ଅରିନ୍ଦମ ରାୟ ଓ ସିଦ୍ଧାନ୍ତ ମହାପାତ୍ର ଦଳ ଛାଡ଼ି ବିଜେପିରେ ମିଶିଥିଲେ। ଆଜି ଗୋଟିଏ ଦିନରେ ଅନୁଭବ ମହାନ୍ତି ଓ ଆକାଶ ଦାସନାୟକ ଏକା ସଙ୍ଗେ ବିଜେଡି ଛାଡ଼ିଛନ୍ତି। ସେମାନେ ମଧ୍ୟ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହାକୁ ନେଇ ଗାଁରୁ ସହର ସବୁଠି ଚର୍ଚ୍ଚା। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଜେଡି ଛାଡ଼ିଥିବା ପ୍ରମୁଖ ନେତାମାନଙ୍କୁ ବିଭିନ୍ନ ସମୟରେ ବିଜେଡ଼ି ହିଁ ପଦପଦବି ଦେଇଥିଲା। କିଏ ବିଧାୟକ ହୋଇଥିଲେ, ଆଉ କିଏ ସାଂସଦ। ଏବେ ନୂଆ ଦଳରେ ସେମାନଙ୍କୁ କେତେ ଗୁରୁତ୍ବ ମିଳିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। କେବଳ ସେତିକି ନୁହେଁ, ହଠାତ୍ ବିଜେଡି କାହିଁକି ଚଳଚ୍ଚିତ୍ର ତାରକାଙ୍କ ଠାରୁ ମୁହଁ ଫେରାଇ ନେଲା, ତାହାକୁ ନେଇ ମଧ୍ୟ ତର୍ଜମା ଆରମ୍ଭ ହୋଇଛି।

ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଶରତ ପୂଜାରୀଙ୍କ ଠାରୁ ଆରମ୍ଭ କରି ପ୍ରଶାନ୍ତ ନନ୍ଦ, ସ୍ବର୍ଗତ ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ମୁନ୍ନା ଖାଁ, ଶ୍ରୀତମ ଦାସ, ହରି ମହାପାତ୍ର, ପପୁ ପମ୍‌ପମ୍‌, ଅନୁ ଚୌଧୁରୀ, ପିଙ୍କି ପ୍ରଧାନଙ୍କ ପର୍ଯ୍ୟନ୍ତ ଅନେକ ତାରକା ଅଭିନୟରୁ ରାଜନୀତିକୁ ଆସିଛନ୍ତି। ଓଲିଉଡ୍‌ର ଆଗଧାଡ଼ିର କଳାକାରଙ୍କୁ ରାଜନୀତିରେ ସାମିଲ୍‌ କରାଇବାରେ ବିଜେଡି ଆଗରେ ଥିଲା। ଏହି ଅଭିନେତାମାନେ ମଧ୍ୟ ବିଜେଡିର ତାରକା ପ୍ରଚାରକ ସାଜିଥିଲେ। ପ୍ରଶାନ୍ତ ନନ୍ଦ ଯଦିଓ ବିଜେପିରୁ ନିର୍ବାଚନ ଜିତି ମନ୍ତ୍ରୀ ହୋଇଥିଲେ, ପରେ କିନ୍ତୁ ବିଜେଡିରେ ଯୋଗଦେବା ପରେ ତାଙ୍କୁ ଦଳ ରାଜ୍ୟସଭା‌ ପଠାଇଥିଲା। ସେହିଭଳି ସିଦ୍ଧାନ୍ତ, ଅନୁଭବ ଓ ଆକାଶଙ୍କ ପରି ଆଗଧାଡ଼ିର କଳକାରଙ୍କୁ ବିଭିନ୍ନ ସମୟରେ ଟିକେଟ୍‌ ଦେଇ ନିର୍ବାଚନ ଲଢ଼ାଇଲା। ଏହି ତାରକାମାନେ ନିର୍ବାଚନ ମଇଦାନରେ ସଫଳ ବି ହେଲେ। ସିଦ୍ଧାନ୍ତ ୨୦୦୯ ଓ ୨୦୧୪ରେ ଲଗାତର ଭାବେ ବ୍ରହ୍ମପୁର ଲୋକସଭା ଆସନରୁ ଲଢ଼ି ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ରେ ଦଳ ତାଙ୍କୁ ଟିକେଟ୍‌ ଦେଲାନି ଓ ସେ ବି ରାଜନୀତିରୁ ଦୂରେଇ ରହିଥିଲେ। ୨୦୧୪ରେ ଆକାଶଙ୍କୁ କୋରେଇରୁ ଟିକେଟ୍‌ ମିଳିଥିଲା ଓ ସେ ବିଜୟଲାଭ କରିଥିଲେ। କିନ୍ତୁ ୨୦୧୯ରେ ତାଙ୍କୁ ଟିକେଟ୍‌ ମିଳିଲାନି। ଅନୁଭବ ମହାନ୍ତିଙ୍କୁ ପ୍ରଥମେ ରାଜ୍ୟସଭାକୁ ପଠାଯାଇଥିଲା। ୨୦୧୯ରେ ଅନୁଭବଙ୍କୁ ବିଜେଡି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କଲା। ସେ ‌ବିଜେପିର ହେଭିୱେଟ୍‌ ନେତା ବୈଜୟନ୍ତ ପଣ୍ଡାଙ୍କୁ ଲକ୍ଷାଧିକ ଭୋଟ୍‌ରେ ପରାଜିତ କରିଥିଲେ। କିନ୍ତୁ ସେ ପାରିବାରିକ ବିବାଦରେ ଛନ୍ଦି ହେଲା ପରେ ବିଜେଡି ତାଙ୍କ ହାତ ଛାଡ଼ି ଦେଇଥିଲା। କେନ୍ଦ୍ରାପଡ଼ାରେ ତାଙ୍କ ଉପସ୍ଥିତି ଆଦୌ ଅନୁଭବ ହୋଇ ନଥିଲା। ଏମାନଙ୍କ ବାଦ୍ ମୁନ୍ନା ଖାନ୍‌ଙ୍କୁ ମଧ୍ୟ ବିଜେଡି ରାଜ୍ୟସଭାକୁ ପଠାଇଥିଲା। ହାସ୍ୟଅଭିନେତା ପପୁ ପମ୍‌ପମ୍‌ ବିଜେଡି ଟିକେଟ୍‌ରେ ଥରେ ଲଢ଼ିଥିଲେ ବି ପରାଜୟ ବରଣ କରିଥିଲେ। କୁନା ତ୍ରିପାଠୀ ବିଜେଡିରେ ଯୋଗ ଦେଲା ପରେ ତାଙ୍କୁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି।

ଅରିନ୍ଦମ, ସିଦ୍ଧାନ୍ତ ପୂର୍ବରୁ ବିଜେଡି ଛାଡ଼ିଥିଲେ
ଆକାଶ ଓ ଅନୁଭବ ବି ଶଙ୍ଖ ଛାଡ଼ିଦେଲେ
ନୂଆ ଠିକଣା ପାଲଟୁଛି ବିଜେପି

ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ପରି ଓଡ଼ିଶାରେ ଅଭିନେତାମାନଙ୍କର ରାଜନୀତିରେ ସେତେଟା କ୍ରେଜ୍ ନାହିଁ। ଅତୀତରେ କିଛି ଅଭିନେତା ଓ ସଙ୍ଗୀତଜ୍ଞ ନିର୍ବାଚନକୁ ଓହ୍ଲାଇ ବିଫଳ ହୋଇଛନ୍ତି। ତେବେ ବିଜେଡିରେ ଯୋଗ ଦେଇଥିବା ଅଭିନେତାମାନେ ଯେତିକି ସଫଳତା ପାଇଛନ୍ତି, ପୂର୍ବରୁ ସେମିତି କେବେ ହୋଇ ନଥିଲା। ଏହା ସତ୍ୟ ଯେ ଅଭିନେତାମାନେ ନିଜ ଲୋକପ୍ରିୟତା ସହ ବିଜେଡି ହାୱାରେ ନିର୍ବାଚନୀ ବୈତରଣୀ ପାର ହୋଇଥିଲେ। ବିଜେଡିରେ ଅଭିନେତାମାନେ ଟିକେଟ୍‌ ପାଇ ନିର୍ବାଚନରେ ସଫଳ ହେଲା ପରେ ବହୁ ତାରକା ବିଜେଡି ମୁହାଁ ହୋଇଥିଲେ। ଓଲିଉଡ୍‌ର ଅନ୍ୟତମ ସଫଳ ଅଭିନେତା ଅରିନ୍ଦମ ରାୟ ବହୁ ଦିନ ଧରି ବିଜେଡିରେ ଥିଲେ। ସେ ବିଭିନ୍ନ ନିର୍ବାଚନରେ ତାରକା ପ୍ରଚାରକ ବି ସାଜିଥିଲେ। ଏଥର ବିଧାନସଭା ନିର୍ବାଚନ ଲଢ଼ିବାକୁ ସେ ଆଶା ରଖିଥିଲେ ବି ଦଳରୁ ସବୁଜ ସଙ୍କେତ ମିଳି ନଥିଲା। ଫଳରେ ସେ କ୍ଷୋଭ ପ୍ରକାଶ କରି ଇସ୍ତଫା ଦେଇଥିଲେ। ବିଜେପିରେ କୌଣସି ଅଭିନେତା ନିର୍ବାଚନୀ ରାଜନୀତିରେ ସଫଳ ହୋଇନାହାନ୍ତି। ଅପରାଜିତା ମହାନ୍ତି, ମହେଶ୍ବତା ରାୟ, ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ଅନୁ ଚୌଧୁରୀ, ହରିହର ମହାପାତ୍ର ପ୍ରମୁଖ ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ଭୋଟ୍‌ ରାଜନୀତିରେ ସେମାନଙ୍କ ଗୁରୁତ୍ବ ଏ ଯାଏ ଆସିନି। ପିଙ୍କି ପ୍ରଧାନ ବିଧାନସଭା ନିର୍ବାଚନରେ ଓ ଶ୍ରୀତମ ଦାସ ପୌର ନିର୍ବାଚନରେ ମଇଦାନକୁ ଓହ୍ଲାଇଥିଲେ ବି ପରାଜିତ ହୋଇଥିଲେ। ୨୦୧୯ରେ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ବିଜେପି ଭୁବନେଶ୍ବର ଉତ୍ତରରେ ପ୍ରାର୍ଥୀ କରିଥିଲେ ବି ସେ ସଫଳ ହୋଇ ନଥିଲେ। ଏଥର ସିଦ୍ଧାନ୍ତ, ଅରିନ୍ଦମଙ୍କ ପରି ଲୋକପ୍ରିୟ ଅଭିନେତା ବିଜେପିରେ ସାମିଲ ହୋଇଥିବାରୁ ତାଙ୍କୁ ଦଳ କିପରି ବ୍ୟବହାର କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button