ଅନୁଗୁଳ ଅଙ୍କ ଅଡ଼ୁଆ: ରଜନୀକାନ୍ତ ନା ନୂଆ ଚେହେରା? – Kalinga News

[ad_1]
ଅନୁଗୁଳ: ବିଧାୟକ ପାଇଁ ସବୁଠାରୁ ଅଧିକ ଆଶାୟୀ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀରେ। ଏପଟେ ନିତି ରାଜନୈତିକ ସମୀକରଣ ବି ବଦଳୁଛି। ତେଣୁ ବିଜେଡିର ଅନୁଗୁଳ ଅଙ୍କ ଛିଣ୍ଡୁନି। ଲଗାତାର ୪ ଥର ଜିତି ଆସିଥିବା ରଜନୀକାନ୍ତ ସିଂହଙ୍କୁ ପୁଣିଥରେ ଟିକେଟ ମିଳିବ, ନା’ ନୂଆ ଚେହେରା ସହ ବିଜେଡି ନିର୍ବାଚନକୁ ଓହ୍ଲାଇବ ତା’କୁ ନେଇ ଦିନକୁଦିନ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ଦିନ ଯେତିକି ଗଡ଼ୁଛି, ସେତିକି ନୂଆ ନୂଆ ସମୀକରଣ ସାମ୍ନାକୁ ଆସୁଛି। ବିଜେଡି ୨୦୦୦ ମସିହା ପରଠାରୁ ଅନୁଗୁଳ ଆସନକୁ ନିଜ ପାଖରେ ରଖିଛି। ୨୦୦୦ରେ ଅଦ୍ବୈତ ପ୍ରସାଦ ସିଂହ ଏଠାରୁ ଜିତିଥିଲାବେଳେ ୨୦୦୪ରୁ ତାଙ୍କ ପୁଅ ରଜନୀକାନ୍ତ ସିଂହ ଲଗାତାର ଭାବେ ବିଜୟୀ ହୋଇ ଆସୁଛନ୍ତି। କିନ୍ତୁ ପ୍ରତିଥର ତାଙ୍କ ଭୋଟ୍ ହାର କମୁଛି। ଏଥିପାଇଁ ଏହି ଆସନ ପ୍ରତି ଅଧିକ ଗୁରୁତ୍ବ ଦେଇଛି ଦଳ। ଦଳର ସଂଗଠନ ନେଇ ମୁଖ୍ୟମନ୍ତ୍ରୀ କିଛିଦିନ ତଳେ ସମୀକ୍ଷା କରିଥିଲେ ମଧ୍ୟ ପ୍ରାଥମିକ ପର୍ଯ୍ୟାୟରେ ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି। କାହାକୁ ପ୍ରାର୍ଥୀ କରିବ, ସେଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରୁ ନଥିବା ଦଳ ଭିତରୁ ସୂଚନା ମିଳିଛି। ଗୋଟିଏ ଗୋଷ୍ଠୀଙ୍କ କହିବାନୁଯାୟୀ, ପାଳଲହଡ଼ା ଓ ଛେଣ୍ଡିପଦାରେ ବିଧାୟକ ପ୍ରାର୍ଥୀ ବଦଳି ନ ଥିବାରୁ ଅନୁଗୁଳରେ ମଧ୍ୟ ସମାନ ସ୍ଥିତି ହୋଇପାରେ। ବିଧାୟକ ରଜନୀକାନ୍ତ ସିଂହଙ୍କ ପାଖରେ ଏବେ ଦଳୀୟ ସଂଗଠନ ରହିଛି। ଦୀର୍ଘଦିନ ଧରି କ୍ଷମତାରେ ରହିଥିବାରୁ ପ୍ରତି ଅଞ୍ଚଳରେ ତାଙ୍କର କିଛି ସମର୍ଥକ ଅଛନ୍ତି। ଏଣୁ ତାଙ୍କୁ ଟିକେଟ ନ ଦେଇ ଦଳ ରିସ୍କ ନେବାକୁ ଚାହିଁବ ନାହିଁ। ଏପରିକି ଆବଶ୍ୟକ ହେଲେ ରଜନୀକାନ୍ତଙ୍କ ବଦଳରେ ତାଙ୍କ ପତ୍ନୀଙ୍କୁ ଟିକେଟ ମିଳିପାରେ। ଏପଟେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଅନୁଗୁଳର ପ୍ରାର୍ଥୀ ହେଉଥିବା ନେଇ ମଧ୍ୟ ଆଲୋଚନା ହେଉଛି। ଆଜି ଅନୁଗୁଳ ସାରା ଏହି ଚର୍ଚ୍ଚା ଲାଗି ରହିଥିଲାବେଳେ ବ୍ରଜଙ୍କୁ ଅନୁଗୁଳରେ ନିର୍ବାଚନ ମୈଦାନକୁ ଓହ୍ଲାଇ ବିଜେଡି ନୂଆ ଚାଲ୍ ଖେଳିବ ବୋଲି କୁହାଯାଉଛି। କିଛି ଦିନ ହେଲାଣି ଅନୁଗୁଳର ବିଭିନ୍ନ କାର୍ଯ୍ୟକ୍ରମରେ ବ୍ରଜକିଶୋର ଯୋଗ ଦେଉଥିବାରୁ ଏହା ଚର୍ଚ୍ଚାକୁ ଅଧିକ ବଳ ଯୋଗାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ବିପ୍ଳବ ଜେନା, ଶକ୍ତି ପଟ୍ଟନାୟକ, ଦିନେଶ ପ୍ରଧାନ ମଧ୍ୟ ଦୌଡ଼ରେ ଅଛନ୍ତି। ପୁଣି ଦଳ ମହିଳା କାର୍ଡ ଖେଳିଲେ ମୀରା ଗଡ଼ନାୟକଙ୍କ ସମେତ ଆଉ କିଛି ନାରୀନେତ୍ରୀ ସୁଯୋଗ ପାଇପାରନ୍ତି। ସାଂସଦ ମହେଶ ସାହୁଙ୍କ ଟିକେଟ କଟିବା ପରେ ତାଙ୍କୁ କେଉଁଠି ଥଇଥାନ କରାଯିବ ତାହା ମଧ୍ୟ ଆଲୋଚନାର ବିଷୟ ହୋଇଛି। ଏମିତି ନୂଆ ନୂଆ ସମୀକରଣ ବିଜେଡିର ଛାମୁଆ ନେତା ଓ କର୍ମୀଙ୍କ ହୃଦ୍ସ୍ପନ୍ଦନ ବଢ଼ାଇ ଦେଇଛି। କିନ୍ତୁ, କେହି କିଛି କହୁନାହାନ୍ତି। ଭୁବନେଶ୍ବରରେ ଏଥିନେଇ ଘଣ୍ଟାଚକଟା ଚାଲିଥିଲାବେଳେ ଦିନେ ଦୁଇଦିନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି।
[ad_2]