‘ମୁଁ ତୁମକୁ ଭଲ ପାଏ’କୁ ୟୁ/ଏ – Kalinga News

[ad_1]
‘ଦିଵାନା ହେଲି ତୋ ପାଇଁ’ ଫିଲ୍ମର ନାୟକ ମୁନ୍ନାଙ୍କ ଦ୍ବିତୀୟ ଓଡ଼ିଆ ଛବି ‘ମୁଁ ତୁମକୁ ଭଲ ପାଏ’ର ସେନ୍ସର କାମ ସରିଛି। ଏହାକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫ୍ସି) ପକ୍ଷରୁ ୟୁ/ଏ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଏଥିରେ ମୁନ୍ନାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ସପ୍ନା ଓ ପ୍ରିୟଙ୍କା ସାହୁ। ଏହାଛଡ଼ା ଶ୍ରୀତମ୍ ଦାସ, ପିଣ୍ଟୁ ନନ୍ଦ, ବବି ମିଶ୍ର, କେକେ ଓ ଜୀବନ ପଣ୍ଡା ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ପ୍ରଦୀପ କୁମାର ଦାସଙ୍କ ପ୍ରଯୋଜିତ ତଥା ଏସ୍ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ମୁଁ ତୁମକୁ ଭଲ ପାଏ’ର ସଂଳାପ ଲେଖିଛନ୍ତି ଯମେଶ ଶୁକ୍ଳା। ଶ୍ରୀ ରଘୁନାଥ କ୍ରିଏସନ୍ସ ବ୍ୟାନରରେ ନିର୍ମିତ ଏହି ସିନେମାର ସଙ୍ଗୀତକାର ହେଲେ ପ୍ରୀତମ ଶୁକ୍ଳା ଓ ବୈଦ୍ୟନାଥ ଦାସ। ଏହା ଖୁବ୍ ଶୀଘ୍ର ରିଲିଜ୍ ହେବ ବୋଲି ଜଣାଯାଇଛି। ଏହାର ନାମକରଣରୁ ହିଁ ଜଣାଯାଇଛି ଯେ ଏହା ଏକ ପ୍ରେମ କାହାଣୀ। ତେବେ ଏଥିରେ ଜବରଦସ୍ତ ଆକ୍ସନ୍ ବି ରହିଛି। ଏହି ଫିଲ୍ମକୁ ନେଇ ମୁନ୍ନା ବେଶ ଉତ୍ସାହିତ ଅଛନ୍ତି। ଉଲ୍ଲେଖଯୋଗ୍ୟ, ଅଶୋକ କୁମାର ଦାସଙ୍କ ପ୍ରଯୋଜିତ ତଥା ଶ୍ରୀତମ୍ ଦାସଙ୍କ ନିର୍ଦ୍ଦେଶିତ ‘ଦିଵାନା ହେଲି ତୋ ପାଇଁ’ରେ ମୁନ୍ନାଙ୍କୁ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ମାତ୍ର ଏହାପରେ ତାଙ୍କୁ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିବାକୁ ପାଇନାହାନ୍ତି ସିନେପ୍ରେମୀ।
[ad_2]