ଖେଳ ଖବର

ଆଇପିଏଲ୍‌ର ‘ବାରବାଟୀ’ ଇତିହାସ: ୩ଦଳ କରିଥିଲେ ଘରୋଇ ପଡ଼ିଆ – Kalinga News

[ad_1]

୭ ମ୍ୟାଚ୍, ୨୨୭୮ ରନ୍ , ୭୯ ୱିକେଟ୍, ୨୦୧୪ପରଠୁ ମିଳିନି କୌଣସି ମ୍ୟାଚ୍, ଓଡ଼ିଶାରୁ ଏକା ବିପ୍ଳବ

ଭୁବନେଶ୍ବର: ବାରବାଟୀକୁ ଭାଙ୍ଗି ‌ଏକ ବିଶ୍ବସ୍ତରୀୟ କ୍ରୀଡ଼ା କଂପ୍ଲେକ୍ସ ନିର୍ମାଣର ପରିକଳ୍ପନା ପରେ ଏହି ଐତିହାସିକ ଷ୍ଟାଡିୟମ୍ ସହ ଜଡ଼ିତ ଅନେକ ରୋଚକ ଘଟଣା ଇତିହାସ ବହିରେ ସୀମିତ ହୋଇଯିବ। ମୌଳିକତାକୁ ବଜାୟ ରଖିବାର ପ୍ରତିଶ୍ରୁତି ଭିତରେ ଏଠାରେ ଖେଳାଯାଇଥିବା ଅନେକ ପ୍ରତିଯୋଗିତା ଓ କ୍ରୀଡ଼ା ପର୍ବ ସ୍ମୃତି ହୋଇଯିବ। ଏହି ସାଇତା ସ୍ମୃତି ଭିତରେ ବାରବାଟୀରେ ଖେଳାଯାଇଥିବା ୭ଟି ଆଇପିଏଲ୍ ମ୍ୟାଚ୍‌ ନିଶ୍ଚିତ ଭବେ ସ୍ବତନ୍ତ୍ର ସ୍ଥାନ ନେବ। ୨୦୧୪ ମସିହା ପରଠାରୁ ବାରବାଟୀରେ ଗୋଟିଏ ହେଲେ ବି ଆଇପିଏଲ୍ ମ୍ୟାଚ୍ ଖେଳାଯାଇନାହିଁ। ହେଲେ ଦେଢ଼ ଦଶନ୍ଧିର ଆଇପିଏଲ୍‌ ଇତିହାସର ପ୍ରଥମ ପର୍ବରେ ବାରବାଟୀ ବେଶ୍ ମହତ୍ବ ରଖିଥିଲା। ପ୍ରଥମ ଦୁଇ ବର୍ଷ ସ୍ଥାନୀୟ କ୍ରୀଡ଼ା‌ପ୍ରେମୀ ବିଶ୍ବର ସବୁଠାରୁ ଧନୀ ଓ ଚର୍ଚ୍ଚିତ ଲିଗ୍‌କୁ ଘରୋଇ ପରିବେଶରେ ଦେଖିବାର ସୁଯୋଗ ପାଇ ନଥିଲେ। ସେଥିପାଇଁ ୨୦୧୦ରେ ଯେତେବେଳେ ଆଇପିଏଲ୍‌ ବାରବାଟୀରେ ପଦାର୍ପଣ କରିଥିଲା ସାରା ଓଡ଼ିଶାରେ ଉତ୍ସାହ ଓ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା। ଏହି ବର୍ଷ ଭାଙ୍ଗି ଯାଇଥିବା ଦଳ ଡେକାନ୍ ଚାର୍ଜର୍ସ, ୨୦୧୪ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ କୋଲକତା ନାଇଟ୍ ରାଇଡର୍ସ ବାରବାଟୀକୁ ତା’ର ଘରୋଇ ପଡ଼ିଆ କରିବା ରାଜ୍ୟ କ୍ରିକେଟ୍ ପାଇଁ ଅନ୍ୟତମ ସମ୍ମାନଜନକ କଥା ହୋଇଥିଲା।

ମାର୍ଚ୍ଚ ୧୯, ୨୦୧୦ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଡେକାନ ଚାର୍ଜର୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ମୁହାଁମୁହିଁ ହୋଇଥିଲେ। ଦିବଂଗତ ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍‌ ଆଣ୍ଡ୍ର୍ୟୁ ସାଇମଣ୍ଡ୍ସଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ବଳରେ ଏହି ମ୍ୟାଚ୍‌କୁ ଡେକାନ୍ ଚାର୍ଜର୍ସ ରୋମାଞ୍ଚକର ଭାବେ ୬ ରନ୍‌ରେ ଜିତି ନେଇଥିଲା। ସେହି ଋତୁ‌ର ପରବର୍ତ୍ତୀ ମ୍ୟାଚ୍ ଡେକାନ୍ ଏଠାରେ ୩ ଦିନ ପରେ ଅର୍ଥାତ୍ ୨୧ ମାର୍ଚ୍ଚ, ୨୦୧୦ରେ ଖେଳି ଦିଲ୍ଲୀ ଡେୟାର ଡେଭିଲ୍ସକୁ ୧୦ ରନ୍‌ରେ ହରାଇଥିଲା। ଏହି ମ୍ୟାଚ୍‌ରେ ମଧ୍ୟ ସାଇମଣ୍ଡ୍ସ ପୁଣି ଥରେ ନିଜ ଯାଦୁ ଦେଖାଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ‌ହୋଇଥିଲେ। ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା (୨୧) ଋତୁର ସର୍ବାଧିକ ୱିକେଟ୍ ସଂଗ୍ରହକାରୀ ହୋଇଥିଲେ ମଧ୍ୟ ଡେକାନ୍ ଚାର୍ଜର୍ସ ଟ୍ରଫି ଜିତି ନପାରି ଚତୁର୍ଥ ସ୍ଥାନରେ ରହିଥିଲା। ୨୦୧୧ରେ ବାରବାଟୀକୁ କୌଣସି ଆଇପିଏଲ୍ ମ୍ୟାଚ୍ ମିଳି ନଥିଲା। ହେଲେ ୨୦୧୨ରେ ପୁଣି ଥରେ ଦୁଇଟି ଏବଂ ୨୦୧୪ରେ ସର୍ବାଧିକ ତିନିଟି ଆଇପିଏଲ୍‌ ମ୍ୟାଚ୍ ଆୟୋଜନ କରିବାର ଅଧିକାର ପାଇଥିଲା ବାରବାଟୀ। ସେହି ମ୍ୟାଚ୍‌ଗୁଡ଼ିକରେ ଯଥାକ୍ରମେ ଘରୋଇ ଦଳ ଡେକାନ ଚାର୍ଜର୍ସକୁ କୋଲକାତା ନାଇଟ୍ ରାଇଡର୍ସ ୫ ୱିକେଟ୍‌ରେ, ପୁନେ ୱାରିୟର୍ସକୁ ଡେକାନ ଚାର୍ଜର୍ସ ୧୩ ରନ୍‌ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ଓଡ଼ିଆ ତାରକା ବିପ୍ଳବ ସାମନ୍ତରାୟ ଖେଳି ୨ ରନ୍‌ରେ ଅପରାଜିତ ରହିଥିଲେ। ପରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୪୪ ରନ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ, କୋଲକାତା ନାଇଟ୍ ରାଇଡର୍ସକୁ ୯ ୱିକେଟ୍‌ରେ କିଙ୍ଗ୍ସ ଏକାଦଶ ପଞ୍ଜାବ, ମୁମ୍ବାଇ ଇଣ୍ଡିଆନ୍ସକୁ କୋଲକାତା ନାଇଟ୍ ରାଇଡର୍ସ ୬ ୱିକେଟ୍‌ରେ ହରାଇଥିଲା। ଆଜି ପର୍ଯ୍ୟନ୍ତ ବାରବାଟୀରେ ଖେଳା ଯାଇଥିବା ୭ଟି ଆଇପିଏଲ୍ ମ୍ୟାଚ୍ ମଧ୍ୟରୁ ୪ଟି ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଥିଲା ବେଳେ ଦ୍ବିତୀୟ ବ୍ୟାଟିଂ କରିଥିବା ଦଳ ୩ଟି ମ୍ୟାଚ୍ ଜିତିଛନ୍ତି। ଏଠାରେ ବ୍ୟାଟର୍ ୧୬୫୪ ବଲ୍‌ର ସମ୍ମୁଖୀନ ହୋଇ ୨୨୭୮ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ୨୧୫ ଚୌକା ଓ ୬୮ ଛକା। ଏଠାକାର ସର୍ବୋଚ୍ଚ ଦଳଗତ ସ୍କୋର ହେଉଛି ୨୩୧। ସେହିଭଳି ସର୍ବନିମ୍ନ ଦଳଗତ ସ୍କୋର ହେଉଛି ୧୨୬। ବୋଲରମାନେ ମିଳିତ ଭାବେ ୭୯ ୱିକେଟ୍ କରାୟତ୍ତ କରିଛନ୍ତି। ଭାରତୀୟ ଅଲରାଉଣ୍ଡର୍‌ ଇର୍ଫାନ୍ ପଠାନ କିଙ୍ଗ୍ସ ଏକାଦଶ ପଞ୍ଜାବର ପ୍ରତିନିଧିତ୍ବ କରି ୫ ନମ୍ବର ଗାଲେରି ଉପରେ ଷ୍ଟାଡିୟମ୍ ବାହାରକୁ ଛକା ମାରିବା ବେଶ୍ ଚର୍ଚ୍ଚିତ ହୋଇଥିଲା।

ଦର୍ଶକଙ୍କୁ ଝୁମାଇବେ ଅକ୍ଷୟ, ଏଆର୍‌

ଚେନ୍ନାଇ: ବିଶ୍ବର ସବୁଠୁ ଧନି କ୍ରିକେଟ୍‌ ‌ଲିଗ୍‌ ଆଇପିଏଲ୍‌ର ୧୭ତମ ସଂସ୍କରଣ ଶୁକ୍ରବାରଠୁ ଆରମ୍ଭ ହେବ। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମୁକାବିଲାରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଓ ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ରାତି ୮ଟାରେ ଆରମ୍ଭ ହେବ। ଏହା ପୂର୍ବରୁ ସଂଧ୍ୟା ୬.୩୦ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେବ। ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବଲିଉଡ୍‌ ତାରକା ଅକ୍ଷୟ କୁମାର, ଟାଇଗର ଶ୍ରଫ, ଗାୟକ ସୋନୁ ନିଗମଙ୍କ ସହ ବିଶିଷ୍ଟ ବାଦ୍ୟକାର ଏଆର୍‌ ରେହମାନ ‌ଯୋଗ ଦେଇ ଦର୍ଶକଙ୍କୁ ଝୁମାଇବେ।

କୋହଲିଙ୍କୁ ଭବ୍ୟ ସ୍ବାଗତ
ଶୁକ୍ରବାରଠୁ ଆରମ୍ଭ ହେଉଥିବା ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବାକୁ ବୁଧବାର ଚେନ୍ନାଇରେ ପହଞ୍ଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)। ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିବା ପରେ କୋହଲିଙ୍କ ସହ ଆର୍‌ସିବିର ଅନ୍ୟ ଖେଳାଳିମାନଙ୍କୁ ପ୍ରଶଂସକମାନେ ଭବ୍ୟ ସ୍ବାଗତ କରିଥିଲେ। ଆର୍‌ସିବି ତାହାର ନାମରେ ‘ବାଙ୍ଗାଲୋର’ରୁ ‘ବେଙ୍ଗାଲୁରୁ’କୁ ପରିବର୍ତ୍ତନ କରିଛି। ମହିଳା ପ୍ରିମିୟର ଲିଗ୍‌ରେ ଆର୍‌ସିବି ବିଜେତା ହୋଇଛି। ତେଣୁ ଆଇପିଏଲ୍‌ରେ ଏଥର ଆର୍‌ସିବି ବିଜେତା ହେଲେ ଯୁଗଳ ଖୁସି ଆସିବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି। ମଙ୍ଗଳବାର ଆର୍‌ସିବିର ଅନ୍‌ବକ୍ସ ଇଭେଣ୍ଟରେ କୋହଲି ଭାବବିହ୍ବଳ ହେବା ସହ ଦଳ ପାଇଁ ତାଙ୍କର ଭଲପାଇବାକୁ ଦର୍ଶାଇଥିଲେ। ଦଳକୁ ସେ କେବେ ବି ଛାଡ଼ି ଯିବେ ନାହିଁ ବୋଲି କହିଛନ୍ତି। ଆଇପିଏଲ୍‌ ପ୍ରଥମ ସଂସ୍କରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋହଲି ଏହି ଗୋଟିଏ ଦଳରୁ ଖେଳି ଆସୁଛନ୍ତି।

‘କିଙ୍ଗ୍’ ସମ୍ବୋଧନ ନକରିବାକୁ ଅନୁରୋଧ
ନିଜ ନାମ ସହିତ ‘କିଙ୍ଗ୍‌’ ସମ୍ବୋଧନ ନ କରିବାକୁ ଆର୍‌ସିବି ଅଧିନାୟକ ବିରାଟ କୋହଲି ତାଙ୍କ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି। ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ହୋଇଥିବା ନୂଆ ଜର୍ସି ଉନ୍ମୋଚନ ଉତ୍ସବରେ କୋହଲିଙ୍କୁ ‘କିଙ୍ଗ୍ କୋହଲି’ ଭାବେ ସମ୍ବୋଧାନ କରାଯାଇଥିଲା। ଯାହାକୁ ନେଇ କୋହଲି ଲଜ୍ଜା ଅନୁଭବ କରିଥିଲେ। ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବା ଅବସରରେ କହିଥିଲେ, ସମସ୍ତେ ମୋତେ କିଙ୍ଗ୍‌ କହିବା ବନ୍ଦ କରନ୍ତୁ। ମୋତେ କେବଳ ବିରାଟ ଡାକନ୍ତୁ। ପ୍ରତ୍ୟେକ ବର୍ଷ ଯେତେବେଳେ ସେହି ଶବ୍ଦ ସହ ମୋ ନାଁ କୁହାଯାଉଛି ମୋତେ ଲଜ୍ଜା ଅନୁଭବ ହେଉଛି। ତେଣୁ ଦୟାକରି ଏବେଠାରୁ ସେହି ଶବ୍ଦ ବ୍ୟବହାର କରିବା ବନ୍ଦ କରନ୍ତୁ ବୋଲି କୋହଲି ଅନୁରୋଧ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button