ମଦ ହେବ କାଳ…
ମଦ ବିକ୍ରି ଓ ଏଥିରୁ ରାଜସ୍ବ ଆଦାୟ ହେବା କେବଳ ଏକ ଅନୈତିକ ବ୍ୟବସ୍ଥା ନୁହେଁ, ଏହା ମାନବ ସମାଜକୁ ତଳିତଳାନ୍ତ କରି ମାନବୀୟ ମୂଲ୍ୟ ବୋଧ କୁ ନଷ୍ଟ କରିବାର ଏକ ବିରାଟ ଷଡଯନ୍ତ୍ର । ବିଗତ ୧୦ ଦିନ ମଧ୍ୟରେ ସରକାରୀ ପ୍ରାୟୋଜିତ ମଦ କାରଣରୁ ଘଟିଥିବା କିଛି ଘଟଣା ହିଁ ଏହା ଦର୍ଶାଇବା ପାଇଁ ଯଥେଷ୍ଟ।
୧-ଆମ ରାଜ୍ୟର ଝାରସୁଗୁଡା ଅଞ୍ଚଳରେ ମଦ ପାଇଁ ନିଜ ଜନ୍ମ କଲା ମାଆକୁ ଦୁଇ ପୁଅ କାଠ ଫଳିଆରେ ପିଟିପିଟି ମାରିଦେବା
(୨) କଟକ ଜିଲ୍ଲାର ଗୁରୁଡ଼ିଝାଟିଆ ଅଞ୍ଚଳରେ ମଦ୍ୟପ ସାନ ପୁଅର ଦୌରାତ୍ମ୍ୟକୁ ସହି ନପାରି ନିଜର ବାପା ଓ ବଡ଼ ଭାଇ ମଦ୍ୟପ ପୁଅକୁ ପିଟିପିଟି ମାରିଦେଇ ଘର ପଛପଟେ ପୋତିଦେବା,
(୩) କେନ୍ଦୁଝର ଜିଲ୍ଲାର ଟାଉନଥାନା ଅଞ୍ଚଳରେ ମଦ ପିଇବାକୁ ବାରଣ କରିବାରୁ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀକୁ ପିଟିପିଟି ମାରିଦେବା ଭଳି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ଓ ଅକଥନୀୟ। ସେଥିପାଇଁ ଗାନ୍ଧିଜୀ ସ୍ୱାଧୀନତା ଆନ୍ଦୋଳନ ସମୟରେ ବିଭିନ୍ନ ସଭାରେ ବୁଲିବୁଲି ନିଶାମୁକ୍ତ ଭାରତ ର ଆହ୍ୱାନ ଦେଇଥିଲେ ଓ ସ୍ୱାଧୀନ ଭାରତର ୨୪ଘଣ୍ଟା ମଧ୍ୟରେ ଦେଶ ମଦମୁକ୍ତ ହେବା ଆବଶ୍ୟକ ବୋଲି ମଧ୍ୟ କହିଥିଲେ। ସେହି ଆଧାରରେ ସମ୍ବିଧାନର ଅନୁଛେଦ ୩୭ ଓ ୪୭ ରେ ସମସ୍ତ ରାଜ୍ୟ ମାନଙ୍କୁ ନିଶା ନିବାରଣ କରିବାକୁ ଅଧିକାର ଦିଆଯାଇଛି।
ଏହି କ୍ରମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କ ସରକାର ୧୯୫୬ ମସିହାରେ ଓଡିଶାକୁ ମଦମୁକ୍ତ କରିବା ଉଦ୍ଦେଶ୍ୟରେ ଏକ ବିଧେୟକ ପାରିତ କରିଥିଲେ। କିନ୍ତୁ ତାହା ଆଜି ବି ସେମିତି ସରକାରୀ ଉଦାସୀନତା ଭିତରେ ଚାପି ହୋଇ ପଡିରହିଛି। ଏହା ଦୁର୍ଭାଗ୍ୟଜନକ ଯେ ସମସ୍ତ ରାଜ୍ୟ ସରକାର ଏହାର ବିପରୀତ ଦିଗରେ କାର୍ଯ୍ୟରତ। ବେଳେବେଳେ ଏହା ଅତ୍ୟନ୍ତ ପୀଡାଦାୟକ ହୋଇପଡେ ଯେତେବେଳେ କିଛି ଶିକ୍ଷିତ ଓ ବୁଦ୍ଧିଜୀବୀମାନେ ରାଜ୍ୟ ବଜେଟରେ ମଦ ବିକ୍ରିରୁ ଆଦାୟ ହେଉଥିବା ମାତ୍ର ୨ ବା ୩ % ରାଜସ୍ବକୁ ଏକ ପ୍ରମୁଖ ସରକାରୀ ଆୟ ରୂପେ ବିବେଚନା କରନ୍ତି।
ମଦ ବନ୍ଦ ପାଇଁ ପୂର୍ବରୁ ବହୁ ଆନ୍ଦୋଳନ ହୋଇଆସୁଛି ଓ ଅନେକ ଏହି ମହତ କାର୍ଯ୍ୟ ପାଇଁ ସହିଦ ମଧ୍ୟ ହୋଇଛନ୍ତି। ମଦ ବିରୋଧୀ ଆନ୍ଦୋଳନ ରେ ସୁନ୍ଦରଗଡ଼ ର ଉର୍ମିଳା କଅଁର, ଦିଲେଶ୍ୱର ଦଣ୍ଡସେନା ଓ ସମ୍ବଲପୁର ର ମେତା ଲାକ୍ରାଙ୍କ ଭଳି ଅନେକ ସାଧାରଣ ମଣିଷ ସହିଦ ହୋଇଛନ୍ତି। ୨୦୧୫ ମସିହା ମାର୍ଚ୍ଚ ୮ ତାରିଖ ମହିଳା ଦିବସରେ କେନ୍ଦ୍ରାପଡା ଜିଲ୍ଲାର ନମତରା ଠାରେ ପୋଲିସ ର ବର୍ବରତା ଓ ମଦ ଆନ୍ଦୋଳନକାରୀ ଙ୍କ ଉପରକୁ ଗୁଳିମାଡ ଏବର ସରକାରଙ୍କ ବହୁ ବିଜ୍ଞାପିତ ଓଡିଶାପ୍ରେମ ଓ ମହିଳାସଶକ୍ତିକରଣ ଉପରେ ଏକ ପରମ ପ୍ରଶ୍ନଚିହ୍ନ। ଏବେ ବି ରାଜ୍ୟରେ ମଦ କୁ ସମ୍ପୂର୍ଣ୍ଣ ନିଷେଧ କରିବାପାଇଁ ମଦମୁକ୍ତି ଯୁବବାହିନୀ ସମେତ ବିଭିନ୍ନ ସଙ୍ଗଠନ ଦୃଢ଼ ଦାବି କରିଆସୁଛନ୍ତି।
ଏହି ସମୟରେ କରୋନା ପାଇଁ ଲକଡାଉନ ହିଁ ସାରା ମାନବ ସମାଜ ପାଇଁ ଏକ ନୂଆ ସୁଯୋଗ ଆଣିଦେଇଛି। ମଦ ବନ୍ଦ ଥିବା କାରଣରୁ ଜନସାଧାରଣଙ୍କ କୌଣସି ଅସୁବିଧା ହୋଇନାହିଁ। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖପାତ୍ର ମଦ ପିଉଥିବା ବ୍ୟକ୍ତିଙ୍କୁ କରୋନା ସହଜରେ ବ୍ୟାପିବ ବୋଲି ବିବୃତି ଦେଇସାରିଛନ୍ତି। ରାଜ୍ୟକୁ ମଦମୁକ୍ତ କରିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ବୋଲି ମନେ ହେଉଥିବା ସ୍ଥଳେ ସର୍ବତ୍ର ଏହି ଆଲୋଚନା ଜୋର ଧରିଛି ।