ରାଜନୀତି

ମଇଦାନକୁ ଓହ୍ଲାଇଲା ବିଜେଡି: ପୁରୀ, କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ସମୀକ୍ଷା ଆରମ୍ଭ – Kalinga News

[ad_1]

ସାଂଗଠନିକ କାର୍ଯ୍ୟ ଜାରି ରଖିବାକୁ ନବୀନଙ୍କ ନିର୍ଦ୍ଦେଶ, ମେଣ୍ଟ କଥା ଉଠିଲାନି, କଠିନ ପରିଶ୍ରମ କରିବାକୁ ପରାମର୍ଶ

ଭୁବନେଶ୍ବର: ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟ ନିଷ୍ପତ୍ତି ଝୁଲୁଛି। ତୃଣମୂଳସ୍ତର ଯାଏଁ ଏହି କଥାଟି ଏତେ ଭେଦିଛି ଯେ ଉଭୟ ଦଳର ସାଂଗଠନିକ କାର୍ଯ୍ୟକ୍ରମ ଏକପ୍ରକାର ଅଟକିଯାଇଛି। ଠିକ୍ ଏମିତି ସମୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଠାତ୍ ଆଜି କୌଶଳ ପରିବର୍ତ୍ତନ କରି ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଦଳର ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ନିର୍ବାଚନ ପାଇଁ ବିଜେଡି ବିଧିବଦ୍ଧ ବିଗୁଲ୍ ଫୁଙ୍କିଛି। ନିର୍ବା‌ଚନ ତାରିଖ ଘୋଷଣା ହେବାର ୪୮ ଘଣ୍ଟାପରେ ଆଜି ନବୀନ ନିବାସରେ ପୂର୍ବାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀ ସଂସଦୀୟ କ୍ଷେତ୍ରର ସମୀକ୍ଷା ହୋଇଥିଲା। ଅପରାହ୍ନରେ ଶ୍ରୀବଳଦେବଜୀଉଙ୍କ କ୍ଷେତ୍ର କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ଲାଗି ବିଜେଡି ରଣନୀତି କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏହି ଦୁଇ ନିର୍ବାଚନମଣ୍ଡଳୀର ବିଧାୟକ ଓ ଛାମୁଆ ନେତା, ପର୍ଯ୍ୟବେକ୍ଷକଙ୍କୁ ଡକାଯାଇ ନିର୍ବାଚନ ପ୍ରସ୍ତୁତି ଆଲୋଚନା କରିଛନ୍ତି। ନିର୍ବାଚନ ଯାଏ କେମିତି ସାଂଗଠନିକ କାର୍ଯ୍ୟ ଜାରି ରହିବ, ତାହାର ବ୍ଲୁ ପ୍ରିଣ୍ଟ୍‌ ବି ନବୀନ ଧରାଇଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆଜିର ଉଭୟ ବୈଠକରେ ପାଖାପାଖି ସାଢ଼େ ପାଞ୍ଚଘଣ୍ଟାର ଆଲୋଚନା ହେଲା। ହେଲେ ନା ଦଳର ମୁଖିଆ ମେଣ୍ଟ କଥା ଉଠାଇଲେ କିମ୍ବା ଅନ୍ୟ ନେତାମାନେ ଏ ନେଇ ପ୍ରଶ୍ନ କଲେ। ସୁତରାଂ ମେଣ୍ଟ କଥା ଆଦୌ ଉଠିଲାନି। ଓଲଟା ମୁଖ୍ୟମନ୍ତ୍ରୀ ସର୍ଭେ ରିପୋର୍ଟ ଦେଖାଇ ଶୁଣାଇଦେଲେ ଯେ ବିଜେଡି ୧୨୬ ଆସନରେ ଜିତିବା ସ୍ଥିତିରେ ରହିଛି। ସମସ୍ତେ ପରିଶ୍ରମ କଲେ ଏହାଠାରୁ ଅଧିକ ଆସନରେ ଜିତିବା। ଏଥିସହିତ ଆଜିସନ୍ଧ୍ୟାରୁ ରାଜ୍ୟର ସମସ୍ତ ନେତାଙ୍କୁ ନିର୍ବାଚନମଣ୍ଡଳୀ ନ ଛାଡ଼ିବା ଲାଗି ନବୀନ ନିର୍ଦ୍ଦେଶ ଦେଇଥିଲେ।ସେପଟେ ତୁରନ୍ତ ଶଙ୍ଖ ଭବନ ଓ ନବୀନ ନିବାସରେ ଦଳର ପୃଥକ୍ ମନିଟରିଂ ସେଲ୍ ଖୋଲାଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ।

ଆଜି ପୂର୍ବାହ୍ନରେ ପୁରୀ ସଂସଦୀୟ କ୍ଷେତ୍ର ସଂପର୍କରେ ୩ ଘଣ୍ଟାରୁ ଅଧିକ ସମୟ ଧରି ମାନସ ମନ୍ଥନ ହୋଇଥିଲା। ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଓ ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ସହ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ଓ ସୁନିଲ ମହାନ୍ତିଙ୍କ ସମେତ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସଭାପତି ଉପସ୍ଥିତ ଥିଲେ। ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଓ ଅରୂପ ପଟ୍ଟନାୟକ ମଧ୍ୟ ବୈଠକରେ ସାମିଲ ହୋଇଥିଲେ। ସବୁତକ ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଦର୍ଶନ ଯେପରି ପ୍ରଭାବୀ ରହିବ, ସେଥିପାଇଁ ନେତାମାନେ କଠିନ ପରିଶ୍ରମ କରିବାକୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଦ୍ବାରା ସାଧାରଣ ଜନତା କିପରି ଉପକୃତ ହୋଇଛନ୍ତି, ସେ ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ କୁହାଯାଇଥିଲା। ତେବେ ପୁରୀ ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ‌ରେ ଟିକେଟ୍‌ ବଣ୍ଟନ ନେଇ ମଧ୍ୟ ଆଭାସ ମିଳିଛି। ଯଦି ମେଣ୍ଟ ନହୁଏ, ଅରୂପ ପଟ୍ଟନାୟକ ପୁରୀରୁ ଲୋକସଭା ପ୍ରାର୍ଥୀ ‌ହେବାର ସମ୍ଭାବନା ରହିଛି। ଆଜିର ବୈଠକରେ ତାଙ୍କର ଉପସ୍ଥିତି ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଶ୍ରୀ ପଟ୍ଟନାୟକଙ୍କ ଘର ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳରେ। ସେହିପରି ବହୁ ଦିନ ପରେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ଲୋଡ଼ିଛି। ୨୦୧୯ରେ ତାଙ୍କର ଟିକେଟ୍‌ କଟିଲା ପରେ ସେ ରାଜ୍ୟସଭାକୁ ଯିବେ ବୋଲି କୁହାଯାଇଥିଲା। କିନ୍ତୁ ସେମିତି ହୋଇନଥିଲା। ତେଣୁ ତାଙ୍କୁ ଚିଲିକାରୁ ପ୍ରାର୍ଥୀ କରାଯିବା ନେଇ ଶୀର୍ଷ ସ୍ତରରେ ପ୍ରସ୍ତୁତି ଚାଲିଥିବା ସଙ୍କେତ ମିଳିଛି।

ଅପରାହ୍ନରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର ‌ବୈଠକ ହୋଇଥିଲା। ଏଥିରେ କେନ୍ଦ୍ରାପଡ଼ା ଲୋକସଭା ଅଧୀନସ୍ଥ ୭ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକମାନେ ସାମିଲ ହୋଇଥିଲେ। ଆଳିର ପ୍ରତାପ ଦେବ, ମହାକାଳପଡ଼ାର ଅତନୁ ସବ୍ୟସାଚ୍ଚୀ ନାୟକ, ରାଜନଗରର ଧ୍ରୁବ ସାହୁ, କେନ୍ଦ୍ରାପଡ଼ାର ଶଶୀଭୂଷଣ ବେହେରା, ପାଟକୁରାର ସାବିତ୍ରୀ ଅଗ୍ରୱାଲ, ମାହାଙ୍ଗାର ପ୍ରତାପ ଜେନା ଓ ସାଲେପୁରର ପ୍ରଶାନ୍ତ ବେହେରା ଉପସ୍ଥିତ ଥିଲେ। ବିଧାୟକଙ୍କ ବାଦ୍ ଯୁବ ନେତା ଅଂଶୁମାନ ମହାନ୍ତି ଓ ଅରବିନ୍ଦ ମହାପାତ୍ରଙ୍କୁ ମଧ୍ୟ ବୈଠକକୁ ଡକାଯାଇଥିଲା। କେନ୍ଦ୍ରାପଡ଼ାରେ ଶେଷ ପର୍ଯ୍ୟାୟରେ ଅର୍ଥାତ ଜୁନ୍ ୧ରେ ମତଦାନ ହେବ। ଏଥିପାଇଁ ଆହୁରି ଦୁଇ ମାସରୁ ଅଧିକ ସମୟ ବାକି ଅଛି। ତେଣୁ ଏତେ ଲମ୍ବା ସମୟ ଧରି ସାଂଗଠନିକ କାର୍ଯ୍ୟକ୍ରମକୁ ଜୋର୍‌ଦାର କରି ଜାରି ରଖିବା ବଡ଼ ଆହ୍ବାନ। ଏଥିପାଇଁ ପ୍ରତି ଗାଁରେ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିବାକୁ କୁହାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button