ଅପରାଧ

ନିଦ ହଜାଇଥିଲେ ନକଲି ଇଡି ଅଧିକାରୀ, ୨ ଭାଇଙ୍କୁ ବାନ୍ଧିଲା ଏସ୍‌ଟିଏଫ୍‌ – Kalinga News

[ad_1]

ଟାର୍ଗେଟ୍‌ରେ ୩୦୦ରୁ ଊର୍ଦ୍ଧ୍ବ ସରକାରୀ ଅଧିକାରୀ, ୨୦ଲକ୍ଷ ଚଳୁ କରି ରାଞ୍ଚିରେ ଲୁଚିଥିଲେ

ଭୁବନେଶ୍ବର: କେତେବେଳେ ଅଚାନକ ଅଫିସ୍‌ରେ ପହଞ୍ଚି ନକଲି ପରିଚୟପତ୍ର ଦେଖାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ଆସିଥିବା କହୁଥିଲେ। ପୁଣି କାହାକୁ ହ୍ବାଟ୍‌ସଆପ୍‌ ମେସେଜ୍‌ରେ ଦୁର୍ନୀତିରେ ଲିପ୍ତ ଥିବା କହି ଡରାଉଥିଲେ। ଏମିତି ବିଭିନ୍ନ ଅଫିସ୍‌ ଯାଇ ଇଡି ଅଧିକାରୀ ପରିଚୟ ଦେଉଥିଲେ। ଭିଜିଲାନ୍ସରେ ମାମଲା ଥିବାର ଭୟ ଦେଖାଇ ଲୁଟୁଥିଲେ। ଓଡ଼ିଶାରୁ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଦୁଇ ନକଲି ଇଡି ଅଧିକାରୀ ଭାଇଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଢେଙ୍କାନାଳ ବସ୍‌‌ଷ୍ଟାଣ୍ଡ ନିକଟରୁ ଗିରଫ କରିଛି। ସେମାନେ ହେଲେ ଢେଙ୍କାନାଳ ଦୋଳମଣ୍ଡପସାହି ଅଞ୍ଚଳର ତାରିଣୀ ସେନ୍‌ ମହାପାତ୍ର(୩୦) ଓ ବ୍ରହ୍ମାଶଙ୍କର ମହାପାତ୍ର(୨୭)। ସେମାନଙ୍କ ଠାରୁ ଗୋଟିଏ ଲ୍ୟାପ୍‌ଟପ୍‌, ଗୋଟିଏ ଡେକ୍ସଟପ୍‌, ୫ଟି ମୋବାଇଲ୍‌ ଫୋନ, ଜାଲ୍‌ ପରିଚୟପତ୍ର, ୧୭ଟି ଏଟିଏମ୍‌ କାର୍ଡ, ପାସ୍‌ବୁକ୍‌, ଚେକ୍‌ ବୁକ୍‌ ଆଦି ଜବତ କରାଯାଇଛି। ତେବେ ସେମାନେ ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟରୁ ମଧ୍ୟ ସମାନ ଢଙ୍ଗରେ ଲୁଟୁଥିବା ଏସ୍‌ଟିଏଫ୍‌ ସନ୍ଦେହ କରିଛି। ସେମାନଙ୍କ ଅପରାଧିକ ଇତିହାସ ଜାଣିବା ପାଇଁ ଏସ୍‌ଟିଏଫ୍‌ ଅନ୍ୟ ରାଜ୍ୟ ପୁଲିସ ସହ ଯୋଗାଯୋଗ କରିଛି। ଦରକାର ପଡ଼ିଲେ ଉଭୟଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ଟିଏଫ୍‌ ଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି।

ଧରାଇଲେ ଏସ୍‌ଡିଏମ୍‌
କିଛିଦିନ ତଳେ ଛତ୍ରପୁର ଏସ୍‌ଡିଏମ୍‌ ଦେବଦତ୍ତ ମହନ୍ତଙ୍କ ହ୍ବାଟସ୍‌ଆପ୍‌କୁ ମେସେଜ୍‌ କରି ଦୁଇ ଅଭିଯୁକ୍ତ ଧମକାଇଥିଲେ। ସେଭଳି କେହି ଅଧିକାରୀ ଇଡିରେ ନଥିବା ଜାଣିବା ପରେ ସେ କ୍ରାଇମ୍‌ବ୍ରାଞ୍ଚକୁ ଜଣାଇଥିଲେ। ଶନିବାର ରାତିରେ ଉଭୟ ରାଞ୍ଚିରୁ ଘରକୁ ଫେରୁଥିବା ବେଳେ ବସ୍‌ଷ୍ଟାଣ୍ଡ ନିକଟରୁ ଏସ୍‌ଟିଏଫ୍‌ ସେମାନଙ୍କୁ କାବୁ କରିଥିଲା। ଉଭୟଙ୍କୁ ଜେରା ବେଳେ ସେମାନଙ୍କ ନକଲି ସାମ୍ରାଜ୍ୟର ଗୁମର ଖୋଲିଥିଲା।

୩ବର୍ଷରେ ୩୦୦ରୁ ଊର୍ଧ୍ବ କର୍ମଚାରୀଙ୍କୁ ୨୦ଲକ୍ଷ ଚୂନ
୨୦୨୨ ମସିହାରୁ ଦୁଇ ଭାଇ ଏମିତି ଭୟ ଦେଖାଇ କିଛି ଅଧିକାରୀଙ୍କ ଠାରୁ ଟଙ୍କା ନେଇଥିଲେ। ଖାଲି ସେତିକି ନୁହେଁ ସ୍ଥାନୀୟ ଠିକାଦାର, ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଇ ଫେରାଇ ନଥିଲେ। ସେମାନଙ୍କୁ ଗିରଫଦାରୀର ଭୟ ଦେଖାଇଥିଲେ। କାଳେ ଧରାପଡ଼ିବେ ସେ ଭୟରେ ଦୁଇଭାଇ ଓଡ଼ିଶା ଛାଡ଼ି ରାଞ୍ଚି ଚାଲିଯାଇଥିଲେ। ସେଠାରେ ପରିଚୟ ବଦଳାଇ ‘ଉପକାର’ ନାମକ ଏକ ଏନ୍‌ଜି‌ଓରେ ଚାକିରି କରିଥିଲେ। ମଝିରେ ମଝିରେ ଓଡ଼ିଶାର ସରକାରୀ କର୍ମଚାରୀଙ୍କୁ ଫୋନ୍‌ କରି ଧମକାଉଥିଲେ। ଯେଉଁମାନଙ୍କ ସହ ଡିଲ୍‌ ଫାଇନାଲ୍‌ ହେଉଥିଲା ସେମାନଙ୍କୁ ଭେଟି ଟଙ୍କା ନେଇ ଫେରାର୍‌ ହୋଇଯାଉଥିଲେ। ଗତ ୩ବର୍ଷରେ ଦୁଇଭାଇ ୩୦୦ରୁ ଊର୍ଦ୍ଧ୍ବ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଧମକାଇ ୨୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଚଳୁ କରିଥିଲେ।

ଲକ୍ଷପତି ହେବାର ସ୍ବପ୍ନ
ତାରିଣୀସେନ୍‌ ବାଣିଜ୍ୟରେ ସ୍ନାତକ ଡିଗ୍ରି ଓ ସାନ ଭାଇ ବ୍ରହ୍ମା +୨ ବିସିଏ ପାଠ ପଢ଼ିଥିଲେ। ବାପା ଏକ ସ୍କୁଲ୍‌ରେ ଗାଡ଼ି ଚାଳକ ଭାବେ କାମ କରନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ଥିଲା। ଆକାଉଣ୍ଟସ୍‌ ଜ୍ଞାନ ସାଙ୍ଗକୁ କମ୍ପ୍ୟୁଟର ଜ୍ଞାନ ମିଶାଇ ଇଡି, ଭିଜିଲାନ୍ସ ଚଢ଼ଉରୁ ଫାଇଦା ନେବାକୁ ଯୋଜନା କରିଥିଲେ। ସେମାନେ ତହସିଲ୍‌ଦାର, ଉପଜିଲ୍ଲାପାଳ, ଆର୍‌ଟିଓଙ୍କ ଭଳି ସରକାରୀ କାର୍ଯ୍ୟାଳୟକୁ ଟାର୍ଗେଟ୍‌ କରିଥିଲେ। ଏକାଧିକ ସିମ୍‌ ନେଇ ନମ୍ବରଗୁଡ଼ିକୁ ଟ୍ରୁ କଲ୍‌ରରେ ଇଡିର ଅତିରିକ୍ତ ନି‌ର୍ଦ୍ଦେଶକ ବୋଲି ଫିଡ୍‌ କରିଥିଲେ। ଅଧିକାରୀ, କର୍ମଚାରୀଙ୍କୁ ସେହି ନମ୍ବରକୁ କଲ୍‌ କରି ଇଡି ଅଧିକାରୀ ବୋଲି ପରିଚୟ ଦେଇ ଦୁର୍ନୀତି ମାମଲା ଥିବା କହୁଥିଲେ। ମାମଲାର ରଫାଦଫା କରିବା ଆଳରେ ଟଙ୍କା ନେଉଥିଲେ। ଲକ୍ଷ ଲକ୍ଷ ଟଙ୍କା ରୋଜଗାର ପରେ ବଦଳିଯାଇଥିଲା ସେମାନଙ୍କ ଚାଳିଚଳଣି। ରାଜକୀୟ ଢଙ୍ଗରେ ଜୀବନଯାପନ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button