ସାବାଡ଼ ହେଉନାହାନ୍ତି ମଦୁଆ ଚାଳକ: ମାସକେ ବନ୍ଧାହେଲେଣି ୨୭୫ – Kalinga News

[ad_1]
୨୯୯ ଗାଡ଼ି ଜବତ
ଭୁବନେଶ୍ବର: ସେ ଯିଏ ବି ହୋଇଥାଅନ୍ତୁ ନା କାହିଁକି, କୌଣସି ପରିସ୍ଥିତିରେ ମଦ୍ୟପ ଚାଳକଙ୍କୁ ଛଡ଼ାଯିବ ନାହିଁ। ଜରିମାନା ଗଣିବେ ଏବଂ ଗାଡ଼ି ବି କୋର୍ଟକୁ ଯିବ। ଦରକାର ପଡ଼ିଲେ ଜେଲ୍ ମଧ୍ୟ ଯାଇପାରନ୍ତି। ଖାଲି ଏତିକି ନୁହେଁ, ଲାଇସେନ୍ସ ବି ରଦ୍ଦ କରାଯିବ। ଦ୍ବୈତନଗରୀରେ ଘଟୁଥିବା ବିଭିନ୍ନ ଅପରାଧ ଓ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଏଭଳି କଠୋର ନୀତି ଗ୍ରହଣ କରାଯାଉଛି। ଫେବ୍ରୁଆରି ପହିଲାରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏବେ ଶୂନ୍ୟସହନଶୀଳତା ନୀତି ଲାଗୁକରିଛି କମିସନରେ୍ଟ ପୁଲିସ। ଫେବ୍ରୁଆରି ପହିଲାରୁ ମାର୍ଚ୍ଚ ପହିଲା ମଧ୍ୟରେ କମିସନରେଟ୍ ପୁଲିସ ୨୭୫ ମଦୁଆ ଚାଳକଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଛି। ଏଥିସହିତ ୨୯୯ଟି ଗାଡ଼ିକୁ ଜବତ କରାଯାଇ ଜରିମାନା ଆଦାୟ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କମିସନରେଟ୍ ପୁଲିସର ମଦ୍ୟପ ଚାଳକଙ୍କ ପ୍ରତି କଠୋର ଆଭିମୁଖ୍ୟ ବାସ୍ତବ ରୂପ ଦେବା ପାଇଁ ସାରା ସହରରେ ଚଢ଼ଉକୁ ଜୋର୍ଦାର କରାଯାଉଛି। ଖୋଦ୍ ପୁଲିସ କମିସନର ସଞ୍ଜୀବ ପଣ୍ଡା, ଅତିରିକ୍ତ ପୁଲିସ କମିସନର ଅବିନାଶ କୁମାର ଓ ଡିସିପି ପ୍ରତୀକ ସିଂ ମଧ୍ୟ ରାତି ଅଧିଆ ବ୍ଲକିଂ ଚେକିଂ କରୁଛନ୍ତି। ଟ୍ରାଫିକ୍ ପୋଷ୍ଟରେ ରହି ସ୍ଥିତିର ତନାଘନା କରୁଛନ୍ତି। ଶନିବାର ବିଳମ୍ବିତ ରାତିରେ ରାଜଧାନୀର ପାହାଳରୁ ଆରମ୍ଭ କରି ତମାଣ୍ଡୋ, ଧଉଳିଠାରୁ ଆରମ୍ଭ କରି ନନ୍ଦକାନନ ପର୍ଯ୍ୟନ୍ତ ସମସ୍ତ ଥାନା ପକ୍ଷରୁ ଚଢ଼ଉକୁ ଜୋର୍ଦାର କରାଯାଇଥିଲା। ମୋଟ ୫୩ଜଣ ମଦ୍ୟପ ଚାଳକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଟ୍ରାଫିକ ଥାନା ତରଫରୁ ୧୫ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭୁବନେଶ୍ବର ସହରାଞ୍ଚଳର ସମସ୍ତ ଥାନା ତରଫରୁ ସମୁଦାୟ ୬୭ଟି ଚାରି ଚାକିଆ ଓ ଦୁଇ ଚକିଆ ଯାନ ଜବତ କରାଯାଇଛି।
ନୂଆ ନିୟମ ଅନୁସାରେ ଯେଉଁ ଅଞ୍ଚଳରେ ମଦ୍ୟପ ଚାଳକ ଧରାପଡ଼ୁଛନ୍ତି, ସମ୍ପୃକ୍ତ ଥାନା ଚାଳକଙ୍କ ବିରୋଧରେ ମାମଲା ରୁଜୁକରି ଗିରଫ କରିବା ସହ ଗାଡ଼ିକୁ ଜବତ କରି କୋର୍ଟକୁ ପଠାଉଛି। ଫଳରେ ନିୟମ ଉଲ୍ଲଂଘନକାରୀ ଆଉ ଥାନାରେ ନୁହେଁ, ସିଧା କୋର୍ଟରେ ଜରିମାନା ଅର୍ଥ ପଇଠ କରି ଗାଡ଼ି ମୁକୁଳାଉଛନ୍ତି। ସେହିପରି ଯିଏ ବାରମ୍ବାର ମଦ୍ୟପାନ କରି ଗାଡ଼ି ଚଳାଉଛି, ଯାହାର ଅନ୍ୟ କୌଣସି ଆପରାଧିକ ଇତିହାସ ଅଛି, ସେ ସବୁର ଯାଞ୍ଚ ମଧ୍ୟ କରାଯାଉଛି। ଯେଉଁମାନେ ଅଭ୍ୟାସଗତ ମଦ୍ୟପ ଚାଳକ, କମିସନରେଟ୍ ପୁଲିସ ସେମାନଙ୍କ ତାଲିକା କରି ଲାଇସେନ୍ସ ରଦ୍ଦ ପାଇଁ ପରିବହନ ବିଭାଗକୁ ଚିଠି କରିଛି।
[ad_2]




