ରାଜନୀତି

ଗପି ଗପି ଥକିଗଲେଣି: କେହି ଜାଣିପାରୁ ନାହାନ୍ତି, ମେଣ୍ଟ ହେବ ନା ନାହିଁ – Kalinga News

[ad_1]

ବିଜେଡିକୁ ବିଦ୍ରୂପ କଲେ ଜୟନାରାୟଣ, ମେଣ୍ଟ ସମ୍ପର୍କରେ ବିଜେଡି ନେତା ମୁହଁ ଖୋଲୁନାହାନ୍ତି

ଭୁବନେଶ୍ବର: ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟ ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ମେଣ୍ଟ ହେବ କି ନାହିଁ, ତାହାର ଉତ୍ତର କାହା ପାଖରେ ନାହିଁ। ସମ‌ସ୍ତେ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି। ମନଇଚ୍ଛା ଆକଳନ କରୁଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ନିର୍ବାଚନ ତାରିଖ ଘୋଷଣା ପରେ ବି ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇପାରୁନି। ବିଜେଡି ଓ ବିଜେପି ପରସ୍ପର ବିରୋଧରେ ଆକ୍ରମଣାତ୍ମକ ଭୂମିକା ନେଉନାହାନ୍ତି। ଉଭୟ ଦଳର ରାଜ୍ୟ କାର୍ଯ୍ୟାଳୟରେ ନିର୍ବାଚନୀ ପରିବେଶ ଅନୁଭବ କରିହେଉନି। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମେଣ୍ଟ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବ ବୋଲି ସମସ୍ତେ ଅନୁମାନ କରୁଥିଲେ। କିନ୍ତୁ ସେପରି କିଛି ହେଲାନାହିଁ। ତାରିଖ ଘୋଷଣାର ୨୪ ଘଣ୍ଟା ପରେ ସ୍ଥିତି ଅସ୍ପଷ୍ଟ। ଓଡ଼ିଶାରେ ଶେଷ ଚାରି ପର୍ଯ୍ୟାୟରେ ମତଦାନ ହେଉଥିବାରୁ ହାତରେ ବହୁତ ସମୟ ରହିଛି। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥିପତ୍ର ଦାଖଲ ଏପ୍ରିଲ୍‌ ୧୮ ତାରିଖଠାରୁ ଆରମ୍ଭ ହେବ। ଅର୍ଥାତ ଆହୁରି ଏକ ମାସ ରହିଛି। ସେପଟେ ବିଜେଡି ଓ ବି‌ଜେପିର ଶୀର୍ଷ ସ୍ତରରେ ମେଣ୍ଟ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି। ଆଲୋଚନାର ନିଷ୍କର୍ଷ ସମ୍ପର୍କରେ କିନ୍ତୁ କେହି କିଛି ଜାଣିପାରୁ ନାହାନ୍ତି। ସାଧାରଣ ଜନତା ଓ କର୍ମୀମାନେ ନ ଜାଣିବାରେ ଅସ୍ବାଭାବିକତା କିଛି ନାହିଁ। ଉଭୟ ଦଳର ବରିଷ୍ଠ ନେତାମାନେ ବି ଟେର୍‌ ପା‌ଉନାହାନ୍ତି। ସେମାନଙ୍କୁ ଜଣାଇବାକୁ ବି ଶୀର୍ଷ ନେତାମାନେ ଉଚିତ ମଣୁନାହାନ୍ତି। ମେଣ୍ଟ ସମ୍ପର୍କରେ ବିଧିବଦ୍ଧ ଘୋଷଣା ହେଲା ପରେ ହିଁ ସମସ୍ତେ ଜାଣିବେ।

ବିଜେଡିକୁ ବିଦ୍ରୂପ କଲେ ଜୟନାରାୟଣ
ମେଣ୍ଟ ସମ୍ପର୍କରେ ବିଜେଡି ନେତା ମୁହଁ ଖୋଲୁନାହାନ୍ତି
ତାରିଖ ଘୋଷଣା ପରେ ବି ଲଢ଼େଇର ଚିତ୍ର ସ୍ପଷ୍ଟ ହେଉନି
ଆଶଙ୍କା ଭିତରେ ମଧ୍ୟ ଲବି ଜାରି ରଖିଛନ୍ତି ଆଶାୟୀ

ମେଣ୍ଟ ଭାଗ୍ୟ ଝୁଲିଥିଲା ବେଳେ ବିଜେପି ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଇଛି। ଏସମ୍ପର୍କରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଆଜି ସୂଚନା ଦେଇଛନ୍ତି। ଗତକାଲି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ କୋର୍‌ କମିଟି ଓ ନିର୍ବାଚନ କମିଟି ବୈଠକ ବସିଥିଲା। ଏହି ବୈଠକରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏ ସମ୍ପର୍କରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ‘ପୂରା ଦମ୍‌ରେ ଲଢ଼ିବା ପାଇଁ ବିଜେପି ପ୍ରସ୍ତୁତ ଅଛି। ଗତକାଲି ବୈଠକରେ ସବୁ ବିଷୟ ଆଲୋଚନା ହୋଇଛି। ପ୍ରାର୍ଥୀ ତାଲିକା ଦିଲ୍ଲୀ ପଠାଯାଇଛି ଓ ସେଠାରୁ ପ୍ରାର୍ଥୀ ଘୋଷଣା ହେବ।’ ‌ତେବେ ମେଣ୍ଟ ନେଇ ସେ କିଛି କହିବେନି, କି ଏ ସମ୍ପର୍କରେ କିଛି ନ ପଚାରିବା ପାଇଁ ସେ କହିଥିଲେ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମେଣ୍ଟ ସମ୍ପର୍କରେ ଖୋଲାଖୋଲି କିଛି କହି ନଥିଲେ ବି ବିଜେଡିକୁ ବିଦ୍ରୂପ କରିଥିଲେ। ସେ କହିଥିଲେ, ଓଡ଼ିଶାରେ ବିଜେପି ସରକାର ଗଢ଼ିବ। ଯେ କୌଣସି ଦଳକୁ ଜବାବ ଦେବାକୁ ଆମେ ପ୍ରସ୍ତୁତ। କେହି ବିଜେଡିକୁ ପସନ୍ଦ କରୁନାହାନ୍ତି। ଆଜି ପର୍ଯ୍ୟନ୍ତ ରାଜ୍ୟ ସଭାପତି, ରାଜ୍ୟ ପଦାଧିକାରୀ ଓ କେନ୍ଦ୍ରୀୟ ନେତା କେହି ମେଣ୍ଟ ସପକ୍ଷରେ କହିଛନ୍ତି କି ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ। ଜୟନାରାୟଣଙ୍କ କଥାକୁ ବିଚାରକୁ ନେଲେ ଏହା ନିଶ୍ଚିତ ଯେ ଉଭୟ ଦଳର କୌଣସି ନେତା ମେଣ୍ଟ ସପକ୍ଷରେ କହିନାହାନ୍ତି। କିନ୍ତୁ ମେଣ୍ଟ ହେବନି ବୋଲି ଖୋଲାଖୋଲି ବି କେହି ଘୋଷଣା କରିନାହାନ୍ତି।

ଉଭୟ ଦଳର ନେତା ଓ କର୍ମୀ ପୂରା ଦ୍ବନ୍ଦ୍ବରେ ଅଛନ୍ତି, ଏହା ଶୀର୍ଷ ନେତାମାନେ ଜାଣନ୍ତି। ତୃଣମୂଳ ସ୍ତରରେ ଏହାକୁ ନେଇ କର୍ମୀଙ୍କ ଭିତରେ ଅସନ୍ତୋଷ ତୀବ୍ର ହେଉଛି। ତାହାସତ୍ତ୍ବେ ବରିଷ୍ଠ ନେତାମାନେ ନିଜ ମୁହଁ ବଞ୍ଚାଇବାକୁ ମାପିଚୁପି ମନ୍ତବ୍ୟ ଦେଉଛନ୍ତି।
ବିଜେଡି ବିଧାୟକ ନୃସିଂହ ସାହୁ ଗଣମାଧ୍ୟମରେ ମୁହଁ ଖୋଲିଥିଲେ ବି ମେଣ୍ଟ ଉପରେ ମନ୍ତବ୍ୟ ଦେଇନାହାନ୍ତି। ସେ କହିଛନ୍ତି, ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ଅଛି। ପ୍ରାର୍ଥୀ ସମ୍ପର୍କରେ ଠିକଣା ସମୟରେ ନିଷ୍ପତ୍ତି ନିଆଯିବ। ବିଜେଡି ବଡ଼ ଦଳ ହୋଇଥିବାରୁ ଅଧିକ ଆଶାୟୀ ଅଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ଜିତି ଇତିହାସ ରଚିବେ। ମେଣ୍ଟ ଭାଗ୍ୟ ଝୁଲିଥିଲା ବେଳେ ଆଶାୟୀମାନେ କିନ୍ତୁ ସେମାନଙ୍କ ଲବି ଜାରି ରଖିଛନ୍ତି। ବିଜେଡି ଓ ବିଜେପିର ବରିଷ୍ଠ ନେତାଙ୍କ ଘରେ ସେମାନେ ପୁଣି ଚକ୍କର କାଟୁଛନ୍ତି। ମେଣ୍ଟ ବିପକ୍ଷରେ ହିଁ ସେମାନେ ନିଜ ନିଜ ନେତାମାନଙ୍କୁ ପ୍ରଭାବିତ କରିବା ସହ ନିଜ ଟିକେଟ୍‌ ପାଇଁ ଲବି କରୁଛନ୍ତି। କିନ୍ତୁ ସ୍ଥିତି ଏମିତି ଯେ ଆଶାୟୀମାନଙ୍କୁ ବରିଷ୍ଠ ନେତାମ‌ାନେ ଆଦୌ ଆଶ୍ବାସନା ଦେଇପାରୁ ନାହାନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button