ରାଜନୀତି

ସାଧାରଣ ନିର୍ବାଚନ ୨୦୨୪: ୯୬.୮ କୋଟି ଭୋଟର, ୪୭ କୋଟି ମହିଳା – Kalinga News

[ad_1]

୨.୬୩ କୋଟି ନୂଆ ଭୋଟର, ୧୯.୭ କୋଟି ଯୁବ ଭୋଟର

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଶନିବାର ନିର୍ବାଚନ ଆୟୋଗ (ଇସି) କାର୍ଯ୍ୟସୂଚୀ ଘୋଷଣା କରିବା ପରେ ୭ଟି ପର୍ଯ୍ୟାୟରେ ୯୬.୮ କୋଟି ଭୋଟର ମତଦାନ କରିବାକୁ ଯାଉଛନ୍ତି। ୧୯୫୧-୫୨ରେ ପ୍ରଥମ ଲୋକସଭା ନିର୍ବାଚନ ସମୟରେ ମାତ୍ର ୧୭.୩୨ କୋଟି ଭୋଟର ଥିବା ବେଳେ ତା’ ପରଠାରୁ ଭାରତର ଭୋଟର ସଂଖ୍ୟା ବହୁଗୁଣିତ ହୋଇଛି। ୨୦୧୯ ତୁଳନାରେ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ୯୧.୨ କୋଟିରୁ ୬% ବୃଦ୍ଧି ପାଇଛି। କେବଳ ୨୦୨୩ ଆରମ୍ଭରୁ ନିର୍ବାଚନ କମିସନ ୨.୬୩ କୋଟି ନୂଆ ଭୋଟର ଯୋଡ଼ିଛନ୍ତି।

୨୦୧୯ ପରଠାରୁ ଅତିରିକ୍ତ ୫.୬ କୋଟି ଭୋଟରଙ୍କ ମଧ୍ୟରୁ ୧.୮ କୋଟି ହେଉଛନ୍ତି ପ୍ରଥମ ଥର ମତଦାତା ବୋଲି ନିର୍ବାଚନ କମିସନ କହିଛନ୍ତି। ୨୦୧୯ରେ ପ୍ରଥମ ଥର ଭୋଟର ସଂଖ୍ୟା ୧.୫ କୋଟି ଥିବା ବେଳେ ଚଳିତ ବର୍ଷ ୧୮ରୁ ୧୯ ବର୍ଷ ବୟସ୍କଙ୍କ ପଞ୍ଜୀକରଣ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି। ଏଥର ୨୦ରୁ ୨୯ ବର୍ଷ ବୟସର ୧୯.୭ କୋଟି ଯୁବ ଭୋଟର ରହିଛନ୍ତି। ମହିଳା ଭୋଟରଙ୍କ ପଞ୍ଜୀକରଣରେ ମଧ୍ୟ ବୃଦ୍ଧି ଘଟିଥିବା ବେଳେ ଲିଙ୍ଗ ଅନୁପାତ ୨୦୧୯ରେ ୯୨୮ ଥିବା ବେଳେ ଏବେ ଏହା ୯୪୮କୁ ବୃଦ୍ଧି ପାଇଛି, ଯେଉଁଥିରେ ୪୭.୧ କୋଟି ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ୪୯.୭ କୋଟି ରହିଛି। ୨୦୧୯ରେ ୪୬.୫ କୋଟି ପୁରୁଷ ଓ ୪୩.୧ କୋଟି ମହିଳା ଭୋଟର ଥିଲେ। ଏଥର ପ୍ରଥମ ଥର ମତଦାନ କରିବାକୁ ଥିବା ୮୫.୩ ଲକ୍ଷ ମହିଳା ଭୋଟର ଅଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ଟ୍ରାନ୍ସଜେଣ୍ଡର ଭୋଟରଙ୍କ ସଂଖ୍ୟା ୩୯,୬୮୩ରୁ ୪୮,୦୦୦କୁ ବୃଦ୍ଧି ପାଇଛି।

୨୦୧୯ରେ ମଧ୍ୟ ସାତଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଓ ୧୦୨ଟି ନିର୍ବାଚନମଣ୍ଡଳୀକୁ ସାମିଲ କରାଯିବ। ଗତଥର ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ୨୦ଟି ରାଜ୍ୟରେ ମତଦାନ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ସର୍ବାଧିକ ୧୧୫ଟି ଆସନରେ ଏକାଠି ମତଦାନ ହୋଇଥିଲା। ୨୦୧୯ରେ ମତଦାନ କେନ୍ଦ୍ର ସଂଖ୍ୟା ୧୦.୩୫ ଲକ୍ଷ ଥିବା ବେଳେ ଏବେ ଏହା ୧୦.୫ ଲକ୍ଷକୁ ବୃଦ୍ଧି ପାଇଛି। ନିର୍ବାଚନ କମିସନ ୧.୫ କୋଟିରୁ ଅଧିକ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କୁ ମତଦାନ ତଦାରଖ ପାଇଁ ନିୟୋଜିତ କରୁଛନ୍ତି।

ନିର୍ବାଚନରେ ଅର୍ଥର ପ୍ରଭାବ ରୋକିବାକୁ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଆଜି ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସମୟରେ ନିର୍ବାଚନ ଉପରେ ଅର୍ଥର ପ୍ରଭାବ ଉପରେ ମଧ୍ୟ ନିର୍ବାଚନ ଆୟୋଗ ଉଲ୍ଲେଖ କରିଛନ୍ତି ଏବଂ ନିକଟରେ ହୋଇଥିବା ରାଜ୍ୟ ନିର୍ବାଚନ ସମୟରେ ଜବତ ହୋଇଥିବା ଟଙ୍କା ଓ ନିଶାଦ୍ରବ୍ୟ ଆଦି ଉପରେ ଆଲୋକପାତ କରିଛନ୍ତି। ୨୦୨୨-୨୩ରେ ୧୧ଟି ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରାୟ ୩୪୦୦ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ ହୋଇଥିଲା, ଯାହା କି ପୂର୍ବ ୫ ବର୍ଷ ତୁଳନାରେ ୮୩୫ ପ୍ରତିଶତ ଅଧିକ। ଲୋକସଭା ନିର୍ବାଚନରେ ମଧ୍ୟ ୨୦୧୪ ତୁଳନାରେ ୨୦୧୯ରେ ଜବତ ପରିମାଣ ପ୍ରାୟ ୧୨୦୦ କୋଟି ଟଙ୍କାରୁ ୩୪୭୬ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୪ ମସିହାରେ ମୋଟ ଜବତ ସାମଗ୍ରୀ ଭିତରେ ୮୦୪ କୋଟି ଟଙ୍କାର କେବଳ ନିଶାଦ୍ରବ୍ୟ ଥିଲା। ୨୦୧୯ ସୁଦ୍ଧା ମୋଟ ଜବତ ସାମଗ୍ରୀର ମୂଲ୍ୟ ୧,୨୮୦ କୋଟି ଟଙ୍କା ଥିଲା। ୨୦୧୯ରେ ତାମିଲନାଡୁରେ ସର୍ବାଧିକ ୯୫୨ କୋଟି ଟଙ୍କା ଜବତ ହୋଇଥିବା ବେଳେ ଗୁଜରାଟରେ ୫୫୪ କୋଟି ଓ ଦିଲ୍ଲୀରେ ୪୩୦ କୋଟି ଟଙ୍କା ଜବତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ତାମିଲନାଡୁର ଭେଲୋର ଆସନରେ ଡିଏମ୍‌କେ ନେତାଙ୍କ ସହଯୋଗୀଙ୍କଠାରୁ ନଗଦ ୧୨ କୋଟି ଟଙ୍କା ଜବତ ହେବା ପରେ ମତଦାନ ବାତିଲ ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button