ଅପରାଧ

ସାଇବର ଏଟିଏମ୍‌ ଲୁଟେରା କାବୁ: ୭ ଜଣିଆ ଗ୍ୟାଙ୍ଗ୍‌ର ୬ ଛୁ – Kalinga News

[ad_1]

୧୧ ଏଟିଏମ୍‌ କାର୍ଡ ଜବତ, ଏଟିଏମ୍‌ ଲକ୍‌ କରି ଲୁଟୁଥିଲେ

ଭୁବନେଶ୍ବର: ଅତ୍ୟାଧୁନିକ ଜ୍ଞାନକୌଶଳ ବଳରେ ଏଟିଏମ୍‌ ଲକ୍‌ କରିବା ସହ କାର୍ଡରୁ ଚିପ୍‌ ଚୋରି କରି ଗ୍ରାହକଙ୍କ ଆକାଉଣ୍ଟ ଖାଲି କରିଦେଉଥିବା ଏକ ବିସ୍ମୟକର ସାଇବର ଲୁଟେରା ଗ୍ୟାଙ୍ଗ୍‌କୁ ଚିହ୍ନଟ କରିଛି ଭୁବନେଶ୍ବର ସାଇବର ଥାନା ପୁଲିସ। ୭ ଜଣିଆ ଗ୍ୟାଙ୍ଗ୍‌ର ୬ ଲୁଟେରା ଛୁ’ ମାରିଥିବା ବେଳେ ପୁଲିସ ଆସାଦ୍‌ ଅଲ୍ଲୀ(୩୩)କୁ ଗିରଫ କରିବାରେ ସଫଳ ହୋଇଛି। ତା’ଠାରୁ ୪୦ ହଜାର ଟଙ୍କା, ୧୧ ଏଟିଏମ୍‌ କାର୍ଡ ଓ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି। ରିମୋଟ୍‌ କଣ୍ଟ୍ରୋଲ୍‌ ଦ୍ବାରା ଏଟିଏମ୍‌କୁ ଲକ୍‌ କରିପାରୁଥିବା ଏହି ରୢାକେଟ୍‌ ‌ଦେଶର ବିଭିନ୍ନ ସହରରେ ସକ୍ରିୟ ଥିବା ଜଣାପଡ଼ିଛି। ପୂର୍ବରୁ ଦିଲ୍ଲୀ, ବିହାର, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଲୁଟ୍‌ପାଟ୍‌ କରିଥିବା ଏହି ଗ୍ୟାଙ୍ଗ୍‌ ଗତ ପ୍ରାୟ ୨ ସପ୍ତାହ ହେଲା ଭୁବନେଶ୍ବରରେ ଡେରା ପକାଇଥିବା ଜଣାପଡ଼ିଛି।

କେମିତି ଧରାପଡ଼ିଲା
୧୧ ତାରିଖ ଦିନ ଏସ୍‌ଓଜିର ଆକାଉଣ୍ଟାଣ୍ଟ ଚିନ୍ମୟ କୁମାର ଷଡ଼ଙ୍ଗୀ ଚନ୍ଦକାସ୍ଥିତ ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ସେ ଏଟିଏମ୍‌ରେ କାର୍ଡ ଭର୍ତ୍ତି କରିବା ପରେ ମେସିନ୍‌ ଲକ୍‌ ହୋଇଯାଇଥିଲା। ଫଳରେ ଚିନ୍ମୟ ଚିନ୍ତାରେ ପଡ଼ିଯାଇଥିଲେ। ଏତିକିବେଳେ ଜଣେ ଯୁବକ ତାଙ୍କୁ ମେସିନ୍‌ ନିକଟରେ ଲେଖାଥିବା ଗ୍ରାହକ ସେବା ନମ୍ବରରେ ଯୋଗାଯୋଗ କରିବାକୁ କହିଥିଲେ। ଚିନ୍ମୟ ଉକ୍ତ ନମ୍ବର‌ରେ ଯୋଗାଯୋଗ କରିବା ଭିତରେ କଥା ହୋଇହୋଇ ଏଟିଏମ୍‌ ବାହାରକୁ ଚାଲିଯାଇଥିଲେ। ଏହାପରେ ସେ ପୁଣି ଭିତରକୁ ଆସିଥିଲେ ଏବଂ ଫୋନ୍‌ରୁ ମିଳୁଥିବା ନିର୍ଦ୍ଦେଶ ଅନୁସାରେ କି ବୋର୍ଡକୁ ଚିପାଚିପି କରିବାରୁ କାର୍ଡ ବାହାରଥିଲା। ଏହାପରେ ସେ ଚାଲିଯାଇଥିଲେ। କିନ୍ତୁ କିଛି ମିନିଟ୍‌ ପରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୬୬ ହଜାର ଟଙ୍କା କଟିଯାଇଥିବା ମେସେଜ୍ ଆସିଥିଲା। ସେ ଉକ୍ତ ଯୁବକକୁ ସନ୍ଦେହ କରି ତୁରନ୍ତ ଏଟିଏମ୍‌ ନିକଟକୁ ଫେରିଥିଲେ। ମାତ୍ର ସେତେବେଳକୁ ଯୁବକ ଅନ୍ତର୍ଧାନ ହୋଇଯାଇଥିଲା। ତେଣୁ ସେ ତୁରନ୍ତ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ସାଇବର ଥାନା ପୁଲିସ ସିସିଟିଭି ଫୁଟେଜ୍‌ରୁ ଉକ୍ତ ଯୁବକର ଫଟୋ ସଂଗ୍ରହ କରି ତଦନ୍ତ ଚଳାଇଥିଲା। ଚନ୍ମୟଙ୍କଠାରୁ ଲୁଟ୍‌ ତରିକା ବୁଝିବା ପରେ ସାଇବର ଥାନା ପୁଲିସ ରାଜଧାନୀର ବିଭିନ୍ନ ଏଟିଏମ୍‌ରେ ଛକି ରହିଥିଲା। ଗତକାଲି ଖଣ୍ଡଗିରିସ୍ଥିତ ଏକ ଏଟିଏମ୍‌ରେ ଉକ୍ତ ଯୁବକକୁ ଠାବ କରାଯାଇଥିଲା। ସେଠାରୁ ଲୁଟ୍‌ କରିବାକୁ ଯୋଜନା କରୁଥିବା ବେଳେ ପୁଲିସ ଆସାଦ୍‌କୁ କାବୁ କରିଥିଲା। ଆସାଦ୍‌ର ତଥ୍ୟ ଅନୁସାରେ ପୁଲିସ ରାଜଧାନୀର ଏକ ଦାମୀ ହୋଟେଲରେ ଚଢ଼ଉ କରିଥିଲେ ହେଁ ଗ୍ୟାଙ୍ଗ୍‌ର ଅନ୍ୟ ୬ ସଦସ୍ୟଙ୍କ ପତ୍ତା ମିଳିନଥିଲା। ଆସାଦ୍‌ ଧରାପଡ଼ିବା ପରେ ସେମାନେ ଆଉ ହୋଟେଲକୁ ଫେରିନଥିବା ଜଣାପଡ଼ିଛି।

ଲୁଟ୍‌ ତରିକା
ଏହି ରୢାକେଟ୍‌ ମୁଖ୍ୟତଃ ସହର ଉପକଣ୍ଠର ଜନଗହଳି ନଥିବା ଏଟିଏମ୍‌କୁ ଟାର୍ଗେଟ୍‌ କରନ୍ତି। ପ୍ରଥମେ ମେସିନ୍‌ ନିକଟରେ ଏକ କଷ୍ଟମର କେୟାର୍‌ ନମ୍ବର ଲଗାଇଦିଅନ୍ତି। ଏହାପ‌ରେ ରିମୋଟ୍‌ ପରିଚାଳିତ ଏକ ଚିପ୍‌କୁ ମେସିନ୍‌ରେ ଲଗାଇଦିଅନ୍ତି। କେହି କାର୍ଡ ଭର୍ତ୍ତି କରିବା ମାତ୍ରେ ତାହା ଲକ୍‌ ହୋଇଯାଏ। ଛକି ରହିଥିବା ଗ୍ୟାଙ୍ଗ୍‌ ରିମୋଟ୍‌ ଦ୍ବାରା ମେସିନ୍‌କୁ ଲକ୍‌ କରିଦିଅନ୍ତି। କାର୍ଡ ଲକ୍‌ ହେବା ପରେ ବିଚଳିତ ହୋଇପଡ଼ିଥିବା ଗ୍ରାହକଙ୍କ ପାଖକୁ ଜଣେ ଯୁବକ ଯାଏ ଏବଂ କଥା ଛଳରେ ଉକ୍ତ କଷ୍ଟମର କେୟାର୍‌ ନମ୍ବରରେ ଯୋଗାଯୋଗ କରିବାକୁ ବୁଝାଏ। ସେଇଟି ସାଇବର ଲୁଟେରା ନମ୍ବର ବୋଲି ବିଚଳିତ ଗ୍ରାହକ ବୁଝିପାରେନାହିଁ। ସେହି ନମ୍ବରରେ କଥା ହେବା ଭିତରେ ନେଟ୍‌ୱାର୍କ ଭଲ ନାହିଁ କହି କହି ଲୁଟେରା ତାଙ୍କୁ ଏଟିଏମ୍‌ ବାହାରକୁ ଆସିବାକୁ ନିର୍ଦ୍ଦେଶ ଦିଏ। ଗ୍ରାହକ ବାହାରକୁ ଆସିବା ବେଳେ ଯୁବକ ଜଣଙ୍କ ରିମୋଟ୍‌ ବଳରେ ମେସିନ୍‌ ଲକ୍‌ ଖୋଲି କାର୍ଡ ବାହାର କରିନିଏ ଏବଂ ସେଥିରୁ ଚିପ୍‌ କାଢ଼ି ନକଲି ଚିପ୍‌ ଖଞ୍ଜିଦିଏ। ପରେ ଗ୍ରାହକ ଭିତରକୁ ଆସି ତାଙ୍କ କାର୍ଡ ବାହାର କରି ଚାଲିଯାଆନ୍ତି। ଲୁଟେରାଙ୍କ ହାତରେ ରହିଯାଏ ଅସଲ ଚିପ୍‌। ତାହାକୁ ଅନ୍ୟ କାର୍ଡରେ ଖଞ୍ଜି ଲୁଟେରାମାନେ ଆକାଉଣ୍ଟ ସଫା କରିଦିଅନ୍ତି। ଏଟିଏମ୍‌ରୁ ଟଙ୍କା ବାହାର କରନ୍ତି ଏବଂ ସପିଂ ବା ଟ୍ରାନ୍‌ସଫର୍‌ କରି ଟଙ୍କା ଉଡ଼ାଇଦିଅନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button