ହରିୟାଣା ମେଣ୍ଟରେ ଫାଟ: ମନୋହରଲାଲ ବିଦା, ନାୟବ ନୂଆ ମୁଖ୍ୟମନ୍ତ୍ରୀ – Kalinga News

[ad_1]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ହରିୟାଣା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ସେଠାରେ ବିଜେପି ଓ ଜେଜେପି (ଜନନାୟକ ଜନତା ପାର୍ଟି) ମେଣ୍ଟ ସରକାରର ପତନ ଘଟିଛି। ସକାଳେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଅନ୍ୟ ମନ୍ତ୍ରୀମାନଙ୍କ ଇସ୍ତଫାପତ୍ର ସହିତ ନିଜର ଇସ୍ତଫା ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ଦେଇଛନ୍ତି। ଦୁଇ ଦଳ ମଧ୍ୟରେ ଲୋକସଭା ପାଇଁ ଆସନ ଭାଗବଣ୍ଟା ହୋଇ ନପାରିବା କାରଣରୁ ମେଣ୍ଟ ସରକାରର ପତନ ହୋଇଥିବା କୁହାଯାଉଛି।

Sambad is now on WhatsApp
Join and get latest news updates delivered to you via WhatsApp
ଖଟ୍ଟର ମନ୍ତ୍ରିମଣ୍ଡଳରେ ୧୪ ଜଣ ମନ୍ତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ମନ୍ତ୍ରୀ ଜେଜେପିର। ଜେଜେପିର ଦୁଷ୍ୟନ୍ତ ଚୌତାଲା ଉପମୁଖ୍ୟମନ୍ତ୍ରୀ ରହିଥିଲେ। ହରିୟାଣାର ୧୦ଟି ଲୋକସଭା ଆସନ ମଧ୍ୟରୁ ଜେଜେପି ୨ଟି ଆସନରେ ଲଢ଼ିବାକୁ ଚାହୁଥିବାବେଳେ ବିଜେପି ଏହି ଦଳକୁ ଗୋଟିଏ ଆସନ ଛାଡ଼ିବା ପାଇଁ ରାଜି ହୋଇଥିଲା। ସେବେଠାରୁ ଦୁଇ ଦଳ ପୃଥକଭାବେ ସବୁ ଆସନରେ ଲଢ଼ିବେ ବୋଲି କହି ଆସୁଥିଲେ। ତେବେ ମେଣ୍ଟର ଭବିଷ୍ୟତ ନେଇ ଜେଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି। ସୋମବାର ଚୌତାଲା ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟି ଆସନ ଭାଗବଣ୍ଟା ସଂପର୍କରେ ଆଲୋଚନା କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ନଥିଲା।
ମୁଖ୍ୟମନ୍ତ୍ରୀ ପଦରୁ ଖଟ୍ଟର ହଟିବା ପରେ କୁରୁକ୍ଷେତ୍ରର ବିଜେପି ସାଂସଦ ନାୟବ ସିଂହ ସୈନୀ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ହରିୟାଣାର ବିଜେପି ପ୍ରଭାରୀ ବିପ୍ଳବ ଦେବ ଏବଂ ଖଟ୍ଟରଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଦଳ ବୈଠକରେ ନାୟବ ସିଂହ ସୈନୀଙ୍କୁ ସର୍ବସମ୍ମତିକ୍ରମେ ନେତାଭାବେ ନିର୍ବାଚିତ କରାଯାଇଛି। ପର୍ଯ୍ୟବେକ୍ଷକଭାବେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ଦଳର ନେତା ତରୁଣ ଚୁଘ୍ ମଧ୍ୟ ଏଥିରେ ଯୋଗଦେଇଥିଲେ। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଭାବେ ନାୟବ ଶପଥ ନେଇଛନ୍ତି। ଏଥିସହିତ ୫ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ବିଜେପି ବିଧାୟକ ଥିବାବେଳେ ଜଣେ ସ୍ବାଧୀନ ବିଧାୟକ ଅଛନ୍ତି। ମନ୍ତ୍ରୀ ହୋଇଥିବା ବିଜେପି ବିଧାୟକମାନେ ହେଲେ କନୱର ପାଲ୍, ମୁଲଚାନ୍ଦ ଶର୍ମା, ଜୟ ପ୍ରକାଶ ଦଲାଲ ଏବଂ ବନୱରି ଲାଲ । ସେହିଭଳି ସ୍ବାଧୀନ ବିଧାୟକ ରଞ୍ଜିତ ସିଂହ ଚୌତାଲା ମନ୍ତ୍ରୀ ହୋଇଛନ୍ତି। ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ୫୪ ବର୍ଷୀୟ ନାୟବ ଓବିସି ବର୍ଗର ନେତା। ଗତବର୍ଷ ଅକ୍ଟୋବରରେ ତାଙ୍କୁ ହରିୟାଣା ବିଜେପିର ସଭାପତି ନିଯୁକ୍ତ କରାଯାଇଥିଲା। ୧୯୯୬ ମସିହାରେ ବିଜେପିରୁ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଛି। ଅମ୍ବାଲାର ମିର୍ଜାପୁରରେ ୧୯୭୦ ମସିହା ଜାନୁଆରି ୨୫ରେ ସେ ଜନ୍ମ ହୋଇଥିଲେ। ୨୦୦୨ରେ ସେ ଅମ୍ବାଲା ଜିଲ୍ଲା ବିଜେପି ଯୁବ ଶାଖାର ସାଧାରଣ ସଂପାଦକ ଏବଂ ପରେ ୨୦୦୫ରେ ଜିଲ୍ଲା ସଭାପତି ଦାୟିତ୍ବ ସମ୍ଭାଳିଥିଲେ। ୨୦୧୦ରେ ସେ ନାରାୟଣଗଡ଼ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ହାରି ଯାଇଥିଲେ। କିନ୍ତୁ ୨୦୧୪ରେ ସେଠାରୁ ନାୟବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୬ରେ ମନ୍ତ୍ରୀ ହୋଇଥିଲେ। ତେବେ ୨୦୧୯ ଲୋକସଭା ନିର୍ବାଚନରେ ସେ କୁରୁକ୍ଷେତ୍ରରୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ନିର୍ମଳ ସିଂହଙ୍କୁ ୩.୮୩ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ। ସେ ଖଟ୍ଟରଙ୍କ ଅତ୍ୟନ୍ତ ବିଶ୍ବସ୍ତ ଭାବେ ପରିଚିତ।
ହରିୟାଣାର ଓବିସି ଚେହେରା ଭାବେ ପରିଚିତ ନୟାବ ସିଂହ ପ୍ରଭାବଶାଳୀ ସୈନୀ ଜାତିର ବ୍ୟକ୍ତି। ହରିୟାଣା ଲୋକସଂଖ୍ୟାରେ ସୈନୀଙ୍କ ସଂଖ୍ୟା ପ୍ରାୟ ୮ ପ୍ରତିଶତ। କୁରୁକ୍ଷେତ୍ର, ଯମୁନାନଗର, ଅମ୍ବାଲା, ହିସାର ଏବଂ ରେୱାଡ଼ି ଜିଲ୍ଲାରେ ଏହି ଜାତିର ଲୋକଙ୍କ ସଂଖ୍ୟା ଅଧିକ। ଚଳିତବର୍ଷ ଦ୍ବିତୀୟାର୍ଦ୍ଧରେ ହରିୟାଣାର ବିଧାନସଭା ନିର୍ବାଚନ ଅଛି। ନିର୍ବାଚନ ପୂର୍ବରୁ ବିଜେପି ପୂର୍ବରୁ ଅନେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳାଇ ଦଳ ଏବଂ ସରକାର ବିରୋଧରେ ଥିବା ହାୱାକୁ କମ୍ କରିବା ପାଇଁ ଏଭଳି ରଣନୀତି ଆପଣାଇଛି। ଗୁଜରାଟରେ ବିଜୟ ରୂପାଣିଙ୍କ ସ୍ଥାନରେ ଭୂପେନ୍ଦ୍ର ପଟେଲ ଏବଂ ଉତ୍ତରାଖଣ୍ଡରେ ତିରଥ ସିଂହ ରାୱତଙ୍କ ସ୍ଥାନରେ ପୁଷ୍କର ଧାମିଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲା। ୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ ନକରିବା ପରେ ବିଜେପି ଓ ଜେଜେପି ମଧ୍ୟରେ ମେଣ୍ଟ ହୋଇଥିଲା। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ବର୍ତ୍ତମାନ ବିଜେପିର ୪୧ ବିଧାୟକ ଏବଂ ଜେଜେପିର ୧୦ଜଣ ବିଧାୟକ ଅଛନ୍ତି। ସେହିଭଳି କଂଗ୍ରେସର ୩୦ ଜଣ, ଆଇଏନ୍ଏଲ୍ଡି ଓ ଏଚ୍ଏଲ୍ପିର ଜଣେ ଲେଖାଏଁ ବିଧାୟକ ଥିବାବେଳେ ୭ ଜଣ ସ୍ବାଧୀନ ବିଧାୟକ ଅଛନ୍ତି।
[ad_2]