ଅପରାଧ

ହତ୍ୟା ନା ଆତ୍ମହତ୍ୟା? ବନ୍ଦ ଘରୁ ମିଳିଲା ସ୍ୱାମୀ, ସ୍ତ୍ରୀ ଓ ପୁଅର ମୃତଦେହ – Kalinga News

[ad_1]

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ତାଳଚୁଆ ସାମୁଦ୍ରିକ ଥାନା ଅଧୀନ ରାଜେନ୍ଦ୍ରନଗର ଗାଁରେ ଏକ ବନ୍ଦ ଘରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ମିଳିଛି। ପରିବାରର ମୁଖ୍ୟଙ୍କ ମୃତଦେହ ଘର ବାହାର ଛାତରୁ ଝୁଲି ରହିଥିବା ବେଳେ ବନ୍ଦ ଘର ଭିତରୁ ମା’ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ଆସିବା ପରେ ପୁଲିସ ଘର ଭିତରୁ ଶବ ଜବତ କରିଛି। ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନି। ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ରହସ୍ୟ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ଦାରିଦ୍ର୍ୟ ଓ ସାହୁକାରର ଜୁଲମ ପାଇଁ ପରିବାର ଏପରି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ରାଜେନ୍ଦ୍ରନଗର ଗାଁର ଶ୍ରୀଦାମ ମଣ୍ଡଳ(୫୩)ଙ୍କ ମୃତଦେହ ତାଙ୍କ ନିଜ ଘରର ଛାତ ବିମ୍‌ରୁ ତଳକୁ ଓହଳିଥିବା ସକାଳୁ ଦେଖିବାକୁ ମିଳିଥିଲା। ଗାଁର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଟ୍ୟୁସନ୍‌ ଯିବାକୁ ତା’ର ସାଙ୍ଗକୁ ଡାକିବାକୁ ଆସିଥିବା ବେଳେ ଶ୍ରୀଦାମଙ୍କ ମୃତଦେହ ଝୁଲୁଥିବା ଦେଖି ଚିତ୍କାର କରିଥିଲେ। ଶ୍ରୀଦାମଙ୍କ ଭାଇ ଓ ପରିବାର ଲୋକେ ସେଠାରେ ପହଞ୍ଚି ଏହା ଦେଖିବା ପରେ ଘରର କବାଟ ବାଡେଇଥିଲେ। ଘର କବାଟ ଭିତରପଟୁ ଦିଆଯାଇଥିଲା। କେହି କବାଟ ଖୋଲି ନ ଥିଲେ। ଶ୍ରୀଦାମଙ୍କ ସ୍ତ୍ରୀ ଜୟନ୍ତୀ (୪୫) ଓ ବଡ଼ପୁଅ ପରୀକ୍ଷିତ ମଣ୍ଡଳ (୨୭)ଙ୍କୁ ନ ପାଇ ତାଙ୍କ ଭାଇମାନେ ଗାଁ ମୁରବି, ପଞ୍ଚାୟତର ସଭ୍ୟ, ସରପଞ୍ଚ ଓ ପୁଲିସକୁ ଖବର ଦେଇଥିଲେ। ତାଳଚୁଆ ପୁଲିସ ସେଠାରେ ପହଞ୍ଚି ଘରର କବାଟ ବାଡେଇବା ପରେ କେହି ଖୋଲି ନ ଥିଲେ। ମୃତ ଶ୍ରୀଦାମଙ୍କ ଭାଇ, ପରିବାର ଲୋକେ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ପୁଲିସ ଓ ମାଜିଷ୍ଟ୍ରେଟ୍‌ ଘରର କବାଟ ତାଡ଼ିଥିଲେ। ଗୋଟିଏ କୋଠରିରେ ଥିବା ଖଟ ଉପରେ ପରୀକ୍ଷିତଙ୍କ ମୃତଦେହ କମଳ ଘୋଡାଇ ହୋଇଥିବା ଅବସ୍ଥାରେ ପଡ଼ିଥିଲା। ଅନ୍ୟ ଏକ କୋଠରିରେ ଜୟନ୍ତୀଙ୍କ ମୃତଦେହ ଚଟାଣରେ ପଡ଼ିଥିଲା। ସାଇଣ୍ଟିଫିକ୍‌ ଟିମ୍ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଶ୍ରୀଦାମ ନିରୀହ ଲୋକ ଓ ମୂଲ ଲାଗି ପରିବାର ଚଳାଉଥିଲା ବୋଲି ସ୍ଥାନୀୟ ଲୋକେ କହୁଥିବା ବେଳେ ସେମାନେ କାହିଁକି ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଲେ ନା’ ତାଙ୍କୁ କେହି ହତ୍ୟା କରିଛି ସେ ନେଇ ନାନା କଥା ଆଲୋଚନା ହେଉଛି।

ଶ୍ରୀଦାମ ଘରେ ଛେଳି, କୁକୁଡା, ଗାଈ ରଖିବା ସହ ମୂଲ ଲାଗି ପରିବାର ଚଳାଉଥିଲେ। ବଡ଼ପୁଅ ପରୀକ୍ଷିତ ଜନ୍ମରୁ କଥା କହି ପାରୁ ନ ଥିବା ବେଳେ ମାନସିକ ଭିନ୍ନକ୍ଷମ ଥିଲେ। ସାନପୁଅ ଗୌରହରି (୨୩) ତାଳଚୁଆ ବଜାରରେ ତେଜରାତି ଦୋକାନ କରିଥିଲେ। ବ୍ୟବସାୟରେ କ୍ଷତି ହେବା ପରେ ଦୋକାନ ଭାଙ୍ଗିଦେଇ ତାଙ୍କ ମାମୁଁ ପାଖରେ ପାରାଦୀପରେ ରହି କାମ କରୁଛନ୍ତି। ଶ୍ରୀଦାମ ଗତ ୪ ମାସ ତଳେ ଘରର ଛାତ ପକାଇ ସେହି ଘରେ ରହି ଆସୁଥିଲେ। ଘର ପ୍ଲାଷ୍ଟର୍‌ ହୋଇ ନ ଥିବା ବେଳେ ସବୁ ଘରର ମେଜିଆ ବି ହୋଇନି। ମାତ୍ର ତାଙ୍କ ସାନଭାଇ ବାସୁଦେବ କହିଛନ୍ତି, ୮ଦିନ ତଳେ ଭାଇ, ଭାଉଜ ଓ ତାଙ୍କର ଦିବ୍ୟାଙ୍ଗ ପୁଅ ବାହାରକୁ ଚାଲିଯିବେ କହିଥିଲେ। ଶ୍ରୀଦାମ କାହିଁକି ଘରଦ୍ୱାର ବିକି ବାହାରକୁ ଚାଲିଯିବାକୁ ଚାହୁଁଥିଲେ। ଘର ନିର୍ମାଣ ପାଇଁ ସାହୁକାର ଠାରୁ ଆଣିଥିବା କରଜ ପାଇଁ ଜୁଲମ ଯୋଗୁଁ ସେ ଘରଦ୍ୱାର ବିକିଦେବାକୁ ଚାହୁଁଥିଲେ ଏବଂ ଶେଷରେ ପରିବାରର ସମସ୍ତେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ଗ୍ରହଣ କରିନେଲେ ବୋଲି ଆଲୋଚନା ହେଉଛି। ଶ୍ରୀଦାମଙ୍କ ସାନପୁଅ ଗୌରହରିଙ୍କ କହିବା ମୁତାବକ ସେ ତାଙ୍କ ମା’ଙ୍କ ସହିତ ୩ଦିନ ତଳେ କଥା ହୋଇଥିଲେ। କାହିଁକି ବାପା, ମା’ ଓ ଭାଇ ତାଙ୍କୁ ଅନାଥ କରି ଚାଲିଗଲେ ସେ ବିଷୟରେ ସେ କିଛି ଜାଣିନାହାନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button