ଦେଖିଲା ପରେ… ଲାପତା ଲେଡିଜ୍ – Kalinga News

[ad_1]
କିରଣ ରାଓଙ୍କ ମନୋମୁଗ୍ଧକର ଚଳଚ୍ଚିତ୍ର
୨୦୦୧ ମସିହାରେ ମଧ୍ୟପ୍ରଦେଶର ଦୁଇ ଜଣ ମହିଳାଙ୍କ ବାହାଘରରୁ ଆରମ୍ଭ ହୁଏ ‘ଲାପତା ଲେଡିଜ୍’ର କାହାଣୀ। ଟ୍ରେନ୍ ଯାତ୍ରା ବେଳେ ଏକ ହାସ୍ୟାସ୍ପଦ ଭୁଲ୍ ଯୋଗୁଁ ଜଣେ କନ୍ୟାକୁ ଆଉ ଜଣେ ବର ନିଜ ଘରକୁ ଘେନି ଚାଲିଯାଆନ୍ତି। ଅନ୍ୟ ବର ଓ କନ୍ୟା ଏକଥା ଜାଣିବା ବେଳକୁ ସେମାନେ ପହଞ୍ଚିସାରିଥାନ୍ତି ଛତିଶଗଡ଼! ମୋବାଇଲ୍ ଫୋନ୍ର ବହୁଳ ପ୍ରଚଳନ ପୂର୍ବ ସମୟରେ ସେମାନେ ନିଜ ନିଜ ଜୀବନସାଥୀଙ୍କୁ ଫେରି ପାଇବେ ତ? ଏଭଳି ଏକ କଥାବସ୍ତୁକୁ ନେଇ କିରଣ ରାଓ ତାଙ୍କର ଦ୍ବିତୀୟ ସିନେମା ନିର୍ମାଣ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଦୃଶ୍ୟ ଓ ସଂଳାପ ମାଧ୍ୟମରେ ଐତିହାସିକ ପୃଷ୍ଠଭୂମିକୁ ପରଦାରେ ଚମତ୍କାର ଢଙ୍ଗରେ ଫୁଟାଯାଇଛି। ଦୁଇ ଦଶନ୍ଧି ତଳର ଗ୍ରାମୀଣ ପରିବେଶକୁ ଅତି ସତର୍କତାର ସହ ପ୍ରସ୍ତୁତ କରାଯାଇଥିବାରୁ ସେ କାଳକୁ ଫେରିଯିବାରେ ଦର୍ଶକକୁ ସମସ୍ୟା ହୁଏ ନାହିଁ। ସିନେମାର ଆଉ ଏକ ଚମତ୍କାର ଦିଗ ହେଲା ଏଥିରେ ସାମାଜିକ କୁପ୍ରଥାଗୁଡ଼ିକୁ ଚତୁରତାର ସହିତ ତାଚ୍ଛଲ୍ୟ କରାଯାଇଛି। ମହିଳାମାନେ ହିଁ ଏଠାରେ ମହିଳାଙ୍କ ସ୍ବାଧୀନତାକୁ ନେଇ ରହିଥିବା ସାମାଜିକ କଟକଣାକୁ ଅତିକ୍ରମ କରିବାର ସାହସ ଦେଉଛନ୍ତି, ରୋଜଗାର ଓ ଉଚ୍ଚଶିକ୍ଷା ପାଇଁ ପ୍ରବର୍ତ୍ତାଉଛନ୍ତି। ସିନେମାର ଏକ ମନଛୁଆଁ ଦୃଶ୍ୟରେ ଜଣେ ବୋହୂ ତାଙ୍କ ଶାଶୂଙ୍କୁ ପଚାରୁଛନ୍ତି, ‘ଆେମ ଦୁହେଁ ସାଙ୍ଗ ହୋଇପାରିବା ନାହିଁ କି?’ ଏହାର ସଂଳାପରୁ ଆରମ୍ଭ କରି ଚିତ୍ରନାଟ୍ୟ ଓ ନିର୍ଦେଶନାରେ ମହିଳାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାରୁ କାହାଣୀଟି ଯେତିକି ଅଭିନବ ତାହାର ଆବେଦନ ସେତିକି ସଚ୍ଚୋଟ ହୋଇପାରିଛି। ‘ଲାପତା ଲେଡିଜ୍’ ହେଉଛି ଏକ ନାରୀକୈନ୍ଦ୍ରିକ ଚଳଚ୍ଚିତ୍ର। କିନ୍ତୁ ଏଥିରେ ନାରୀ ଅଧିକାରର ବାର୍ତ୍ତା ଉଗ୍ର ନୁହେଁ। ଏହା ସତ୍ତ୍ବେ ଏହାର ନାରୀବାଦୀ ଆବେଦନ କମ୍ ହୋଇନାହିଁ କାରଣ ଏହା ଗ୍ରାମାଞ୍ଚଳର ନାରୀମାନଙ୍କ ଭିତରୁ ସ୍ବତଃସ୍ଫୂର୍ତ୍ତ ଭାବରେ ଆସିଛି।
‘ବାକ୍ଡେଲ୍ ଟେଷ୍ଟ୍’ ଏକ ସରଳ କିନ୍ତୁ ଶକ୍ତିଶାଳୀ ପରୀକ୍ଷା, ଯାହା ଦ୍ବାରା ଗୋଟିଏ ସିନେମାରେ ନାରୀ ଚରିତ୍ରମାନଙ୍କୁ ସର୍ବନିମ୍ନ ଗୁରୁତ୍ବ ମିଳିଛି କି ନାହିଁ ଜଣାପଡ଼େ। ଏ ପରୀକ୍ଷାରେ ପାସ୍ ହେବା ଲାଗି ସିନେମାଟିଏ ମାତ୍ର ତିନିଟି ମାନଦଣ୍ଡରେ ଉତ୍ତୀର୍ଣ୍ଣ ହେବା ଦରକାର: ଅନ୍ୟୂନ ଗୋଟିଏ ଦୃଶ୍ୟରେ ଦୁଇ ଜଣ ମହିଳା ଥିବେ; ସେଥିରେ ସେମାନେ ପରସ୍ପରଙ୍କ ସହିତ କଥା ହେଉଥିବେ; ଏବଂ ସେମାନଙ୍କ କଥାବାର୍ତ୍ତାର ବିଷୟ ଜଣେ ‘ପୁରୁଷ’ ହୋଇନଥିବ। ଆଶ୍ଚର୍ଯ୍ୟ ହେବାକୁ ପଡ଼େ ଯେ ଆଜିର ଅଧିକାଂଶ ଚଳଚ୍ଚିତ୍ର ‘ବାକ୍ଡେଲ୍ ଟେଷ୍ଟ୍’ରେ ବିଫଳ ହୋଇଥାନ୍ତି। ଖୁସିର କଥା, ଏହି ଦୁଇଘଣ୍ଟିଆ ସିନେମାରେ ‘ବାକ୍ଡେଲ୍ ଟେଷ୍ଟ୍’ରେ ଉତ୍ତୀର୍ଣ୍ଣ ହେବା ଭଳି ଏକାଧିକ ଦୃଶ୍ୟ ରହିଛି। ପ୍ରସିଦ୍ଧ ଆମେରିକୀୟ ଲେଖକ ମାର୍କ ଟ୍ବେନ୍ଙ୍କ ଏକ ଉକ୍ତି ହେଉଛି- ‘ପ୍ରତ୍ୟେକ ବ୍ୟକ୍ତିର ରୁଚିହୀନ ବାହ୍ୟ ଆବରଣ ଭିତରେ ଥାଏ ନାଟକୀୟତା, ବ୍ୟଙ୍ଗ ଓ କାରୁଣ୍ୟ!’ ଏହି ସିନେମାର ପ୍ରାୟ ସବୁ ଚରିତ୍ର ଏହି ଉକ୍ତିକୁ ସତ ପ୍ରମାଣ କରିଛନ୍ତି। ଏଥିରେ କୌଣସି ତାରକା ଅଭିନେତା ନାହାନ୍ତି, ଯାହା ସିନେମାର ଦୁର୍ବଳତା ନୁହେଁ, ବରଂ ସବୁଠାରୁ ବଡ଼ ଶକ୍ତି। ରାମ ସମ୍ପତଙ୍କ ସଂଗୀତ ଏହି ସିନେମାକୁ ହୃଦୟସ୍ପର୍ଶୀ କରିବାରେ ବିଶେଷ ଭୂମିକା ନିର୍ବାହ କରିଛି। ‘ଲାପତା ଲେଡିଜ୍’ ଦୁଇ ଦଶନ୍ଧି ତଳର ଏକ କାହାଣୀ ହୋଇଥିଲେ ବି ଏହା ମନେ ପକାଇଦିଏ ଯେ ଆମ ଦେଶ ଇତିମଧ୍ୟରେ ବିଶେଷ ବଦଳିନାହିଁ। ତଥାପି ହତାଶା ପାଇଁ ଅବକାଶ ନାହିଁ, କାରଣ କାହାଣୀର ଦୁଇ ନିରୁଦ୍ଦିଷ୍ଟ ମହିଳା ଶେଷରେ ଆତ୍ମବିଶ୍ବାସର ସହ ନିଜନିଜ ଗନ୍ତବ୍ୟରେ ପହଞ୍ଚିଯାଇଛନ୍ତି।
[ad_2]