ସମୁଦ୍ର ଭିତରେ ରେଡ, ଗୁଜରାଟ କଚ୍ଛ ବନ୍ଦରରୁ ବ୍ୟାପକ ପରିମାଣରେ ଡ୍ରଗ୍ସ ଜବତ – Kalinga News

[ad_1]
ନୂଆଦିଲ୍ଲୀ : ଗୁଜରାଟରେ ନୌସେନା,ଏନସିବି ଓ ଗୁଜରାଟ ଏଟିଏସ କୁ ମିଳିଛି ବଡ଼ ସଫଳତା । କଚ୍ଛ ବନ୍ଦର ନିକଟରୁ ସବୁଠୁ ବଡ଼ ଡ୍ରଗ୍ସ କାରବାରର ପର୍ଦ୍ଦାଫାଶ ହୋଇଛି । ଜାହାଜରୁ ୩ ହଜାର ୧୦୦ କିଲୋଗ୍ରାମର ଡ୍ରଗ୍ସ ଜବତ ସହ ଧରା ପଡିଛନ୍ତି ଅନ୍ତର୍ଜାତୀୟ ଡ୍ରଗ୍ସ ମାଫିଆ । ଜବତ ଡ୍ରଗ୍ସର ମୂଲ୍ୟ ୨ ହଜାର କୋଟି ଟଙ୍କାରୁ ଅଧିକ ହୋଇଥିବା ଜଣାପଡ଼ିଛି । ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ପାକିସ୍ତାନର ହୋଇଥିବା ସୂଚନା ମିଳିଥିବା ବେଳେ ଏହି ଡ୍ରଗ୍ସ କାରବାର ପଛରେ ପାକିସ୍ତାନର ଲିଙ୍କ ଥିବା ସନ୍ଦେହ କରାଯାଉଛି ।
ମଙ୍ଗଳବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଭାରତୀୟ ନୌସେନା ଆରବ ସାଗରରେ ଏକ ମିଳିତ ଅପରେସନ୍ କରିବା ସମୟରେ ଏକ ଇରାନୀୟ ଜାହାଜକୁ ଅଟକାଇଥିଲେ। ଜାହାଜଟି ଇରାନରୁ ଆସିଥିବା ବେଳେ ଭାରତରେ ଡ୍ରଗ୍ସ କାରବାର ନେଇ ଅନ୍ତରାଷ୍ଟ୍ରୀୟ ବଡ଼ ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଛି । ସମ୍ପୃକ୍ତ ବୋଟରେ ୩୦୮୯ କେଜି ଚରସ ,୧୫୮ କେଜି ମେଥାମ୍ପେଟାମିନ ଓ ୨୫ କେଜି ମର୍ଫିନ ନାମକ ଡ୍ରଗ୍ସ ଜବତ ହୋଇଛି I ପରିମାଣ ଦୃଷ୍ଟିରୁ ଏଯାଏଁ ସର୍ବାଧିକ ଡ୍ରଗ୍ସ ଜବତ ହୋଇଥିବା କହିଛନ୍ତି ଭାରତୀୟ ନୌସେନା ଅଧିକାରୀ I
ପୂର୍ବରୁ ମଧ୍ୟ ଅନେକ ଥର ଏନସିବି ଓ ନୌସେନା ମିଳିତ ଅପରେସନ କରି ସମୁଦ୍ରରୁ ଡ୍ରଗ୍ସ ଜବତ କରିଛନ୍ତି । ୨୦୨୨ରେ ଫେବ୍ରୁଆରିରେ ଗୁଜରାଟ ବନ୍ଦର ନିକଟରୁ ୨୨୧ କିଲୋଗ୍ରାମର ଡ୍ରଗ୍ସ ଜବତ ହୋଇଥିଲା । ସେହିପରି ଅକ୍ଟୋବର ୨୦୨୨ରେ କେରଳ ସମୁଦ୍ରରୁ ୨୦୦ କିଲୋଗ୍ରାମ ହେରୋଇନ ଜବତ ହୋଇଥିଲା । ଗତବର୍ଷ ମାର୍ଚ୍ଚରେ ପାକିସ୍ତାନୀ ଜାହାଜରୁ ୨ ହଜାର ୫୦୦ କିଲୋଗ୍ରାମର ଡ୍ରଗ୍ସ ଜବତ କରିଥିଲା ନୌସେନା ।
[ad_2]




