ଆମେଥିରେ ପୁଣି ରାହୁଲ-ସ୍ମୃତି ମୁକାବିଲା! – Kalinga News
[ad_1]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଆଉ କିଛିମାସ ବାକି ଥିବାବେଳେ ଶେଷରେ କଂଗ୍ରେସ ଗୁରୁବାର ଏହାର ଅନ୍ୟତମ ସହଯୋଗୀ ସମାଜବାଦୀ ପାର୍ଟି ସହ ଆସନ ବୁଝାମଣା କରିଛି। ବୁଝାମଣା ଅନୁଯାୟୀ, ଉତ୍ତରପ୍ରଦେଶର ୮୦ଟି ଆସନ ମଧ୍ୟରୁ କଂଗ୍ରେସ ୧୭ଟି ଆସନରୁ ଲଢ଼ିବ ଏବଂ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ଦଳ ବାକି ୬୩ଟି ଆସନରେ କିଏ ଲଢ଼ିବ ତାହା ସ୍ଥିର କରିବ। ଆସନ ବୁଝାମଣାରେ କଂଗ୍ରେସକୁ ମିଳିଥିବା ଆସନଗୁଡ଼ିକ ମଧ୍ୟରେ ରହିଛି ରାଏବରେଲି ଓ ଆମେଥି, ଯାହା ପାରମ୍ପରିକ ଭାବେ ନେହରୁ-ଗାନ୍ଧୀ ପରିବାରର ଗଡ଼ ଭାବେ ପରିଗଣିତ ହୋଇଆସୁଛି। କଂଗ୍ରେସକୁ ଆମେଥି ମିଳିବା ପରେ ଏହି ଆସନରେ ରାହୁଲ ଗାନ୍ଧୀ ଓ ବିଜେପିର ସ୍ମୃତି ଇରାନୀଙ୍କ ମଧ୍ୟରେ ପୁନର୍ବାର ମୁକାବିଲା ହେବାର ସମ୍ଭାବନା ଦେଖାଦେଇଛି। ଗତ ୨୦୧୪ ନିର୍ବାଚନରେ ରାହୁଲ ଏହି ଆସନରେ ଇରାନୀଙ୍କୁ ପରାସ୍ତ କରିଥିଲେ ମଧ୍ୟ ୨୦୧୯ ନିର୍ବାଚନରେ ଇରାନୀଙ୍କଠାରୁ ପରାସ୍ତ ହୋଇଥିଲେ। ଏଥର ଯଦି ରାହୁଲ ଆମେଥିରୁ ଲଢ଼ନ୍ତି, ତେବେ ଏହା ହେବ ରାହୁଲ ଗାନ୍ଧୀ ବନାମ ସ୍ମୃତି ଇରାନୀ ଲଢ଼େଇ ୩.୦।
Sambad is now on WhatsApp
Join and get latest news updates delivered to you via WhatsApp
୧୯୬୭ ମସିହାରୁ ଆମେଥି କଂଗ୍ରେସର ଗଡ଼ ହୋଇ ଆସିଛି। ଗତ ପାଞ୍ଚବର୍ଷ ଏବଂ ୧୯୭୦ ଓ ୧୯୯୦ ଦଶକର କିଛି ବର୍ଷକୁ ବାଦ୍ ଦେଲେ ଏହି ନିର୍ବାଚନମଣ୍ଡଳୀରେ ସବୁବେଳେ ନେହରୁ-ଗାନ୍ଧୀ ପରିବାର କିମ୍ବା ଜଣେ ବିଶ୍ୱସ୍ତଙ୍କୁ ଭୋଟ୍ ଦିଆଯାଇଛି। ସଞ୍ଜୟ ଗାନ୍ଧୀ ୧୯୮୦ରେ ଆମେଥି ଆସନରୁ ବିଜୟୀ ହୋଇଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ତଥା ରାହୁଲଙ୍କ ପିତା ରାଜୀବ ୧୯୮୧ରେ ଆମେଥି ଉପନିର୍ବାଚନରେ ବିଜୟୀ ହୋଇଥିଲେ ଏବଂ ୧୯୯୧ ପର୍ଯ୍ୟନ୍ତ ଏହି ଆସନରୁ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ପତ୍ନୀ ସୋନିଆ ଗାନ୍ଧୀ ୧୯୯୯ରେ ଆମେଥିରୁ ସାଂସଦ ହୋଇଥିଲେ, ଯାହା ପରେ ତାଙ୍କ ପୁଅ ରାହୁଲ ଗାନ୍ଧୀ ୨୦୦୪ରେ ଏହି ଆସନର ଦାୟିତ୍ୱ ନେଇଥିଲେ ଏବଂ ୨୦୧୯ ପର୍ଯ୍ୟନ୍ତ ଏହାର ପ୍ରତିନିଧିତ୍ୱ କରିଥିଲେ। ଗତ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ଆମେଥି ଓ ୱାୟନାଡରୁ ନିର୍ବାଚନ ଲଢ଼ି କେବଳ ୱାୟନାଡ଼ରୁ ବିଜୟୀ ହୋଇଥିଲେ। ଏହା ତାଙ୍କୁ ତାଙ୍କ ‘ହୋମ୍ ଟର୍ଫ’ରେ ସ୍ମୃତି ଇରାନୀଙ୍କଠାରୁ ଲଜ୍ଜାଜନକ ପରାଜୟ ସତ୍ତ୍ୱେ ନିମ୍ନ ସଦନକୁ ଯିବାରେ ସାହାଯ୍ୟ କରିଥିଲା। କଂଗ୍ରେସ ପାଇଁ ଆମେଥି କେବଳ ଏକ ନିର୍ବାଚନମଣ୍ଡଳୀ ନୁହେଁ। ଏହା କଂଗ୍ରେସ ବିଚାରାଧାରାର ଏକ ଗଡ଼। ୨୦୧୯ରେ ରାହୁଲ ଗାନ୍ଧୀ ସ୍ମୃତି ଇରାନୀଙ୍କଠାରୁ ବିପୁଳ ଭୋଟ ବ୍ୟବଧାନରେ ପରାସ୍ତ ହେବା ଦଳ ପାଇଁ ଏକ ବଡ଼ ଧକ୍କା ଥିଲା। ଏହା ଏକ ଯୁଗର ଅନ୍ତ ଘଟାଇଥିଲା ଏବଂ ସୁରକ୍ଷିତ ଆସନ ଭାବେ ବିବେଚିତ ହେଉଥିବା କଂଗ୍ରେସର ଗଡ଼କୁ ଦଳଠାରୁ ଛଡ଼ାଇ ନେଇଥିଲା।
ସୋମବାର ରାହୁଲ ଗାନ୍ଧୀ ତାଙ୍କର ଭାରତ ଯୋଡୋ ନ୍ୟାୟ ଯାତ୍ରାର ଉତ୍ତରପ୍ରଦେଶ ପର୍ଯ୍ୟାୟରେ ଆମେଥିରେ ପହଞ୍ଚିଥିଲେ। ପାଞ୍ଚବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ରାହୁଲ ଗାନ୍ଧୀ ଆମେଥିରେ ପହଞ୍ଚିଥିଲେ। ଜିଲ୍ଲାରେ ତାଙ୍କର ସାର୍ବଜନୀନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ଯୋଗ ଦେଇଥିବା ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରାହୁଲ ଗାନ୍ଧୀ ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀକୁ ଫେରିବାର ସଙ୍କେତ ଦେଇଥିଲେ। ଆମେଥି ସହ ରାହୁଲ ଗାନ୍ଧୀଙ୍କ ଗଭୀର ସମ୍ପର୍କ ରହିଛି। ସେ ଆଜି ବି ଆପଣଙ୍କ ସହିତ ଅଛନ୍ତି ଏବଂ ସବୁବେଳେ ରହିବେ ବୋଲି ଖଡ଼ଗେ କହିଥିଲେ। କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ, ଲୋକମାନେ ବୁଝିଛନ୍ତି ଯେ ସେମାନେ ୨୦୧୯ରେ ଏକ ଭୁଲ କରିଥିଲେ ଏବଂ ସେମାନେ ରାହୁଲ ଗାନ୍ଧୀଙ୍କୁ ପୁଣି ଫେରାଇ ଆଣିବାକୁ ଚାହୁଁଛନ୍ତି। ଯଦି ରାହୁଲ ଗାନ୍ଧୀ ଏଠାରୁ (ଆମେଥି) ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ସେ ଲଢ଼ିବେ ଓ ଲୋକମାନେ ତାଙ୍କୁ ନିଶ୍ଚୟ ଜିତାଇବେ ବୋଲି ଜୟରାମ କହିଛନ୍ତି।
[ad_2]