ଖେଳ ଖବର

ଆଜିଠୁ ଚତୁର୍ଥ ଟେଷ୍ଟ୍‌: ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ଭାରତ – Kalinga News

[ad_1]

ରାଞ୍ଚି: ଏଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍‌ ଦୁଇ ଦଳଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। କାରଣ ଭାରତ ଏବେ ୨-୧ରେ ଶୃଙ୍ଖଳାରେ ଆଗୁଆ ଥିବା ବେଳେ ରାଞ୍ଚିରେ ଜିତିଲେ ଶୃଙ୍ଖଳା କବ୍‌ଜା କରିନେବ। ତେଣୁ ଶୃଙ୍ଖଳାରେ ଜୀବିତ ରହିବାକୁ ହେଲେ ଇଂଲଣ୍ଡକୁ ଏହି ମ୍ୟାଚ୍‌ ଜିତିବା କିମ୍ବା ଅମୀମାଂସିତ ରଖିବା ଆବଶ୍ୟକ ହୋଇପଡ଼ିଛି। କିନ୍ତୁ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ଅନୁପସ୍ଥିତି ଭାରତୀୟ ଦଳ ପାଇଁ ବଡ଼ ଆହ୍ବାନ ହେବ। ଭାରତର ବିଜୟଗୁଡ଼ିକରେ ବୁମ୍‌ରାଙ୍କ ବଡ଼ ଯୋଗଦାନ ରହୁଥିଲା। ତେଣୁ ରାଞ୍ଚିରେ ତାଙ୍କ ଅନୁପସ୍ଥିତି ଅନୁଭବ ହେବା ସ୍ବାଭାବିକ। ଏହାସତ୍ତ୍ବେ ଭାରତୀୟ ଦଳ ପରିସ୍ଥିତିରେ ସୁହାଇଯିବାକୁ ପ୍ରସ୍ତୁତ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଯୁବ ପ୍ରତିଭା ଯଶସ୍ବୀ ଜୟସ୍ବାଲ, ସର୍‌ଫରାଜ ଖାନ୍‌, ଶୁବମନ ଗିଲ୍‌ ଶୀର୍ଷକ୍ରମରେ ଦଳକୁ ଶକ୍ତି ଯୋଗାଇବେ। ତଥାପି ବୁମ୍‌ରାଙ୍କ ସ୍ଥାନ ନେବାକୁ ବେଙ୍ଗଲ୍‌ର ମୁକେଶ କୁମାର ଓ ଆକାଶ ଦୀପ୍‌ଙ୍କୁ ମଧ୍ୟ ପରୀକ୍ଷା ଦେବାକୁ ପଡ଼ିବ। ରଣଜୀ ଟ୍ରଫିରେ ୧୦ ୱିକେଟ୍‌ ସଫଳତା ପାଇଥିବା ମୁକେଶ କେବଳ ଜଣେ ଅଭିଜ୍ଞ ବୋଲର ନୁହନ୍ତି ବରଂ ବୁମ୍‌ରାଙ୍କ ସହ ବିଶାଖାପାଟଣା ଟେଷ୍ଟ୍‌ରେ ମଧ୍ୟ ସାଥୀ ବୋଲର୍‌ ଥିଲେ। ତେଣୁ ତାଙ୍କୁ ରାଞ୍ଚିରେ ସୁଯୋଗ ମିଳିବା ସମ୍ଭାବନା ରହୁଛି।

ଅପରପକ୍ଷେ, ଇଂଲଣ୍ଡ ଲଗାତାର ମ୍ୟାଚ୍‌ରେ ପରାଜିତ ହେବା ପରେ ଚତୁର୍ଥ ଟେଷ୍ଟ୍‌ରେ ସତେଜ ରଣକୌଶଳ ସହ ପଡ଼ିଆକୁ ଓହ୍ଲାଇବ। ଭାରତରେ ବାଜ୍‌ବଲ୍‌ କାମ ଦେଉ ନଥିବା ଭଳି ସମାଲୋଚନା ମୁଣ୍ଡାଇ ସାରିଥିବାରୁ ରାଞ୍ଚିରେ ଦଳ ଦୁଇଟି ପରିବର୍ତ୍ତନ କରି ଶୃଙ୍ଖଳାରେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ଚତୁର୍ଥ ଟେଷ୍ଟ୍‌ ପାଇଁ ଦ୍ରୁତ ବୋଲର ଓଲି ରବିନ୍‌ସନ୍‌ ଓ ସ୍ପିନର ସୋଏବ ବଶିରଙ୍କୁ ଇଂଲଣ୍ଡ ଦଳରେ ସାମିଲ କରାଯାଇଛି। ରବିନ୍‌ସନ୍‌ ଏହି ଶୃଙ୍ଖଳାରେ ପ୍ରଥମ ଥର ଖେଳିବାକୁ ଯାଉଛନ୍ତି। ପିଠିରେ ଯନ୍ତ୍ରଣା ଯୋଗୁଁ ସେ ଗତବର୍ଷ ଆସେସ୍‌ ଶୃଙ୍ଖଳା ମଝିରୁ ଖେଳଠୁ ଦୂରରେ ଥିଲେ। ଶେଷ ଥର ପାଇଁ ତୃତୀୟ ଆସେସ୍‌ ଟେଷ୍ଟ୍‌ରେ ଖେଳିଥିଲା ବେଳେ ମାତ୍ର ୧୧.୨ ଓଭର ବୋଲିଂ କରିଥିଲେ। ଭାରତ ବିପକ୍ଷରେ ସେ ମାର୍କ ଉଡ୍‌ଙ୍କ ସ୍ଥାନରେ ଖେଳିବେ। ସେହିପରି ବଶିର ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲା ବେଳେ ରେହାନ ଅହମଦଙ୍କ ସ୍ଥାନ ନେବେ।

ରାଞ୍ଚି ପିଚ୍‌ ଉଭୟ ବ୍ୟାଟର୍‌ ଓ ବୋଲର୍‌ଙ୍କୁ ସୁହାଇବ। ତେଣୁ ଆଗରୁ କିଛି ବି ଆକଳନ କରିବା ସମ୍ଭବ ହେବନି। କିନ୍ତୁ ଇତିହାସ କହୁଛି ରାଞ୍ଚି ପିଚ୍‌ରେ ଦୁଇ ଦ୍ରୁତ ବୋଲର ଓ ୩ ସ୍ପିନରଙ୍କୁ ନେଇ ଖେଳିଲେ ଦଳ ଲାଭରେ ରହିବ। ଇଂଲଣ୍ଡ ଦଳରେ ‌ବଶିରଙ୍କ ସହ ଟମ୍‌ ହାର୍ଟଲି ବିଶେଷଜ୍ଞ ସ୍ପିନର ଥିଲା ବେଳେ ଜୋ ରୁଟ୍‌ ତୃତୀୟ ସ୍ପିନର ଭୂମିକାରେ ଅବତୀର୍ଣ୍ଣ ହେବେ। ଜେମ୍ସ ଆଣ୍ଡରସନ୍‌ ବୋଲିଂ ବାହିନୀର ନେତୃତ୍ବ ନେବେ। ଏଭଳିସ୍ଥିତିରେ ଭାରତ ହାତରେ ସ୍ପିନ୍‌ ତ୍ରିମୂର୍ତ୍ତି ରବିଚନ୍ଦ୍ରନ ଅଶ୍ବିନ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜା ଥିବାବେଳେ ଅକ୍ଷର ପଟେଲ୍‌ ଆସିବା ସମ୍ଭାବନା କମ୍‌ ରହିଛି। ମହମ୍ମଦ ସିରାଜଙ୍କ ନେତୃତ୍ବାଧୀନ ବୋଲିଂକ୍ରମରେ ମୁକେଶ ତାଙ୍କ ସାଥୀ ହୋଇପାରନ୍ତି। ଚତୁର୍ଥ ଟେଷ୍ଟ୍‌ ପୂର୍ବରୁ ରାଞ୍ଚି ପିଚ୍‌ ଉପରେ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଓ ଉପଅଧିନାୟକ ଓଲି ପୋପ୍‌ ସମାନ ମତ ରଖିଛନ୍ତି। ଏପରି ପିଚ୍‌ କେବେ ଦେଖିନି। ଦୂରରୁ ପିଚ୍‌ ସବୁଜ ଦେଖାଯାଉଛି। ପାଖକୁ ଗଲେ ଫାଟ ଥିବା ଜଣାପଡ଼ୁଛି। ସେଥିପାଇଁ ମୋର ଏହା ଉପରେ କିଛି ଧାରଣା ଆସୁନି। ଆମେ କେମିତି ଖେଳିବୁ। କ’ଣ ହେବ ଜାଣି ପାରୁନୁ ବୋଲି ଷ୍ଟୋକ୍ସ କହିଛନ୍ତି। ପୋପ୍‌ ମଧ୍ୟ ସମାନ କଥା କହିଛନ୍ତି।
ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ୍‌, ଶୁବମନ ଗିଲ୍‌, ରଜତ ପଟିଦାର, ସର୍‌ଫରାଜ ଖାନ୍‌, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର।

ଇଂଲଣ୍ଡ ଏକାଦଶ: ବେନ୍‌ ଡକେଟ୍‌, ଜାକ୍‌ କ୍ରଲି, ଓଲି ପୋପ୍‌, ଜୋ ରୁଟ୍‌, ‌ଜନି ବେୟାରଷ୍ଟୋ, ବେନ୍‌ ଷ୍ଟୋକ୍ସ (ଅଧିନାୟକ), ବେନ୍‌ ଫୋକ୍ସ, ଓଲି ରବିନ୍‌ସନ୍‌, ଜେମ୍ସ ଆଣ୍ଡରସନ୍‌, ସୋଏବ ବଶିର, ଟମ୍‌ ହାର୍ଟଲି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button