ଖେଳ ଖବର

ଅଭେଦ୍ୟ ଦୁର୍ଗ ଭାଙ୍ଗିଲା: ସୁଟ୍‌ଆଉଟ୍‌ରେ ନେଦରଲାଣ୍ଡ୍‌ସଠୁ ହାରିଲା ଭାରତ – Kalinga News

[ad_1]

ମ୍ୟାଚ୍‌ ଦେଖିଲେ ୫-ଟି ଅଧ୍ୟକ୍ଷ

ରାଉରକେଲା (ଦେବବ୍ରତ ଗଡ଼ତିଆ): ରାଉରକେଲାସ୍ଥିତ ବିଶ୍ବର ସର୍ବାଧିକ ଆସନ ବିଶିଷ୍ଟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଭାରତୀୟ ପୁରୁଷ ହକି ଦଳ ପାଇଁ ଅଭେଦ୍ୟ ଦୁର୍ଗ ହୋଇ ରହିଥିଲା। ଗତ ୨୦୨୩ ହକି ବିଶ୍ବକପ୍‌ ଓ ମାର୍ଚ୍ଚରେ ଖେଳିଥିବା ପ୍ରୋ-ଲିଗ୍‌ର ଏଠାରେ ଖେଳିଥିବା ସମସ୍ତ ମ୍ୟାଚ୍‌ରେ ବିଜୟୀ ହୋଇଥିଲା ଭାରତ। ଏମିତିକି ଚଳିତ ପ୍ରୋ-ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ସୁଟ୍‌ଆଉଟ୍‌ରେ ୮-୭ ଗୋଲ୍‌ରେ ସ୍ପେନକୁ ହରାଇ ଦେଇଥିଲା। ତେବେ ଗୁରୁବାର ଏହି ଅପରାଜେୟ ରେକର୍ଡ ଭାଙ୍ଗିଛି। ବିଶ୍ବର ଏକ ନମ୍ବର ଦଳ ନେଦରଲାଣ୍ଡ୍‌ସ ବିପକ୍ଷରେ ସୁଟ୍‌ଆଉଟ୍‌ରେ ୨-୪ ଗୋଲ୍‌ରେ ଭାରତ ପରାସ୍ତ ହୋଇ ନିଜର ଅଭେଦ୍ୟ ଦୁର୍ଗକୁ ସୁରକ୍ଷିତ ରଖିପାରିନି। ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ୧-୧ରେ ସରିବାରୁ ଫଳାଫଳ ଲାଗି ସୁଟ୍‌ଆଉଟ୍‌ର ସହଯୋଗ ନିଆଯାଇଥିଲା। ଫ୍ଲୋରିସ୍‌ ମିଡେନଡର୍ପ (୪ ମିନିଟ୍‌)ଙ୍କ ଏକ ଆକର୍ଷଣୀୟ ଫିଲ୍‌ଡ ଗୋଲ୍‌ରେ ନେଦରଲାଣ୍ଡ୍‌ସ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଭାରତ ଦ୍ବିତୀୟ କ୍ବାର୍ଟରରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଗୋଲ୍‌ ସ୍କୋର୍‌ କରିପାରିନଥିଲା। ତେବେ ତୃତୀୟ କ୍ବାର୍ଟର୍‌ର ଚତୁର୍ଥ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ହାର୍ଦିକ ସିଂହ ଗୋଲ୍‌ରେ ପରିଣତ କରିଦେବାରୁ ସ୍ଥିତି ସମାନ ସ୍ତରକୁ ଆସିଥିଲା। ଶେଷ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା।

ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ୨୦୨୩ ଜାନୁଆରି ୧୩ରୁ ୨୮ ତାରିଖ ପର୍ଯ୍ୟନ୍ତ ବିଶ୍ବକପ‌୍ ମ୍ୟାଚ୍‌ ଖେଳାଯାଇଥିଲା। ସେହିଭଳି ମାର୍ଚ୍ଚ ୧୦ ତାରିଖରୁ ୧୫ ତାରିଖ ଯାଏ ପ୍ରୋ-ଲିଗ୍‌ ଖେଳାଯାଇଥିଲା। ଗୋଟିଏ ମ୍ୟାଚ୍‌କୁ ଅମୀମାଂସିତ ରଖି ଅବଶିଷ୍ଟ ମ୍ୟାଚ୍‌କୁ ଜିତିନେଇଥିଲା ଭାରତୀୟ ହକି ଦଳ। ଏଠାରେ ଚମତ୍କାର ହକି ଖେଳି ବିଶ୍ବବିଜେତା ଜର୍ମାନୀଠାରୁ ଆରମ୍ଭ କରି ଶକ୍ତିଶାଳୀ ଅଷ୍ଟ୍ରେଲିଆ, ସ୍ପେନ୍‌ ଭଳି ଦଳକୁ ଅନାୟାସରେ ପରାସ୍ତ କରିଥିଲା। ଜର୍ମାନୀ ଓ ଅଷ୍ଟ୍ରେଲିଆକୁ ଲଗାତାର ଦୁଇ ଦୁଇ ଥର ହରାଇ ଥିଲା। ଭାରତୀୟ ଦଳ ଏଠାରେ ମୋଟ ୧୧ଟି ମ୍ୟାଚ୍‌ ଖେଳି ୯ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ ଅମୀମାଂସିତ ଓ ଗୋଟିଏରେ ପରାଜୟ ଭୋଗିଛି।

ଭାରତୀୟ ଦଳର ବିଜୟଧାରା ୨୦୨୩ ପୁରୁଷ ହକି ବିଶ୍ବକପ୍‌ ସମୟରେ ଆରମ୍ଭ ହୋଇଥିଲା। ଉକ୍ତ ଦିନ ପୁଲ୍‌ ଡି’ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଶକ୍ତିଶାଳୀ ସ୍ପେନ୍‌କୁ ୨-୦ ଗୋଲ୍‌ରେ ପରାସ୍ତକରି ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଥିଲା। ଏହାପରେ ଜାନୁଆରି ୧୫ ତାରିଖରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ମ୍ୟାଚ୍‌କୁ ଭାରତ ୦-୦ ଗୋଲ୍‌ରେ ଅମୀମାଂସିତ ରଖିଥିଲା। ଭାରତ କଳିଙ୍ଗ ଷ୍ଟାଡିୟମରେ ଗ୍ରୁପ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଓ କ୍ରସ୍‌ଓଭର ମ୍ୟାଚ୍‌ ଖେଳିଥିଲା। ତେବେ କ୍ରସ୍‌ଓଭର ମ୍ୟାଚ୍‌ରେ ଦୁର୍ଭାଗ୍ୟପୂର୍ଣ୍ଣ ପରାଜୟ ପରେ ଭାରତୀୟ ଦଳ ପୁଣି ରାଉରକେଲାକୁ ଫେରିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଏଠାରେ ପୋଜିସନିଂ ପାଇଁ ଦୁଇଟି ମ୍ୟାଚ୍‌ ଖେଳିଥିଲା। ଜାନୁଆରି ୨୬ରେ ଜାପାନକୁ ୮-୦ ଏବଂ ଜାନୁଆରି ୨୮ରେ ଦକ୍ଷିଣ ଆଫ୍ରିକାକୁ ୫-୨ ଗୋଲ୍‌ରେ ପରାସ୍ତ କରିଥିଲା। ସେହିଭଳି ମାର୍ଚ୍ଚ ୧୦ରୁ ୧୫ ତାରିଖ ଭିତରେ ଭାରତ ଜର୍ମାନୀ ଓ ଅଷ୍ଟ୍ରେଲିଆକୁ ଲଗାତାର ଦୁଇଥର ଲେଖାଏ ହରାଇଥିଲା। ଏତଦ୍‌ବ୍ୟତୀତ ଚଳିତ ପ୍ରୋଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ୮-୭ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରିଥିଲା।

ଦିନିକିଆ ରାଉରକେଲା ଗସ୍ତରେ ଆସି ୫-ଟି ତଥା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହାସହ ସନ୍ଧ୍ୟାରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଆୟୋଜିତ ପୁରୁଷ ହକି ପ୍ରୋ-ଲିଗ୍‌ର ଭାରତ-ନେଦରଲାଣ୍ଡ୍‌ସ ମ୍ୟାଚ୍‌କୁ ଉପଭୋଗ କରିଛନ୍ତି। ବୁଧବାର ଅପରାହ୍ଣ ପ୍ରାୟ ୪.୩୦ରେ ଶ୍ରୀ ପାଣ୍ଡିଆନ ଭୁବନେଶ୍ବରରୁ ଆସି ରାଉରକେଲା ବିମାନବନ୍ଦରରେ ପହଞ୍ଚିଥିଲେ। ପରେ ମେ’ଫେୟାର ହକି ବିଶ୍ବକପ୍‌ ଗ୍ରାମରେ ବିଶ୍ରାମ ନେବାପରେ ସନ୍ଧ୍ୟା ୭.୨୦ରେ ବିର୍ସାମୁଣ୍ଡା ଷ୍ଟାଡିୟମରେ ପହଞ୍ଚିଥିଲେ। ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ପଡ଼ିଆକୁ ଯାଇ ଉଭୟ ଦଳର ଖେଳାଳିଙ୍କ ସହ କରମର୍ଦ୍ଦନ କରିଥିଲେ। ମ୍ୟାଚ୍‌ର ହାଫ୍‌ ଟାଇମ୍‌ ବେଳେ ମଧ୍ୟ ପଡ଼ିଆ ଭିତରକୁ ଯାଇ ଦର୍ଶକଙ୍କୁ ଅଭିବାଦନ ଜଣାଇଥିଲେ। ସେହିଭଳି ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ। ତାଙ୍କ ସହ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର କମିସନର ତଥା ସଚିବ ଆର୍‌. ଭିନିଲ କ୍ରିଷ୍ଣା, ହକି ଇଣ୍ଡିଆ ସଭାପତି ଡ. ଦିଲୀପ ତିର୍କୀ ସାମିଲ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button