ଖେଳ ଖବର

ସଂଘର୍ଷ ଓ ସଫଳତାର ଅନ୍ୟ ନାମ; ଜ୍ୟୋତି-ସୁନେଲିତା – Kalinga News

[ad_1]

ଦାରିଦ୍ର୍ୟକୁ ହରାଇ ଏବେ ଅନ୍ତର୍ଜାତୀୟ ହକି ଖେଳାଳି

ଦେବବ୍ରତ ଗଡ଼ତିଆ

ରାଉରକେଲା: ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତୀୟ ଜାତୀୟ ଦଳର ପ୍ରତିନିଧିତ୍ବ କରୁଛନ୍ତି ଝିଅ। ଆଉ ଏହି ଷ୍ଟାଡିୟମର ମାତ୍ର ୧ କିଲୋମିଟର ଦୂରରେ ବାପା-ମା’ ରାଜମିସ୍ତ୍ରୀ, ଦିନ ମଜୁରିଆଭାବେ କାମ କରୁଛନ୍ତି। ଠିକ୍‌ ଏହି ସମୟରେ, ଅନ୍ୟ ଏକ ମହିଳା ହକି ଖେଳାଳି ମଧ୍ୟ ଭାରତୀୟ ଦଳ ପକ୍ଷରୁ ଖେଳି ରାଜ୍ୟ, ଦେଶ ପାଇଁ ଗୌରବ ଆଣୁଥିବାବେଳେ ତାଙ୍କ ବାପା ୪୫ କିଲୋମିଟର୍‌ ଦୂର କୁକୁଡ଼ା ଗାଁ ଚାଷ ଜମିରେ ଝାଳ ବୁହାଉଛନ୍ତି। ଏ ହେଉଛି ସୁନ୍ଦରଗଡ଼ ମାଟିରେ ଜନ୍ମିତ ଭାରତୀୟ ମହିଳା ହକି ଦଳର ଦୁଇ ଯୁବ ଖେଳାଳି ସୁନେଲିତା ଟପ୍ପୋ ଓ ଜ୍ୟୋତି ଛତ୍ରୀଙ୍କ କାହାଣୀ। ଉଭୟେ ଏବେ ଭାରତୀୟ ଦଳ ପକ୍ଷରୁ ପ୍ରୋ-ଲିଗ୍‌ରେ ନିଜ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନକରି ହୃଦୟ ଜିଣୁଛନ୍ତି। ଉଭୟ ସୁନେଲିତା ଓ ଜ୍ୟୋତିଙ୍କ ସଂଘର୍ଷ କାହାଣୀ ପ୍ରାୟ ସମାନ। ଉଭୟେ ଜନ୍ମ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରତିଟି ପର୍ଯ୍ୟାୟରେ ଉତ୍କଟ ଦାରିଦ୍ର୍ୟର ସମ୍ମୁଖୀନ ହୋଇଛନ୍ତି। କାଠ/ବାଉଁଶରେ ତିଆରି ହକି ଷ୍ଟିକ୍‌ରେ ଖେଳିବା ଆରମ୍ଭ କରିଥିଲେ। ତେବେ ଉଭୟଙ୍କୁ କ୍ରୀଡ଼ା ଛାତ୍ରାବାସ ଯାଏ ପହଞ୍ଚିବାକୁ ବେଶ୍‌ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପାଖରେ ଭଲ ହକି ଷ୍ଟିକ୍‌, ଜୋତା, ଡ୍ରେସ୍‌ ପାଇଁ ଅର୍ଥାଭାବ ରହିଥିଲା। କିନ୍ତୁ ବାପା-ମା’ଙ୍କ ନିରନ୍ତର ପ୍ରୋତ୍ସାହନ ବଳରେ ଉଭୟେ କ୍ରୀଡ଼ା ଛାତ୍ରାବାସରେ ରହି ହକି ପ୍ରଶିକ୍ଷଣ ନେବାର ସୁଯୋଗ ପାଇଥିଲେ। ସୁନେଲିତା ସୁନ୍ଦରଗଡ଼ ସାଇ ପ୍ରଶିକ୍ଷଣ‌ କେନ୍ଦ୍ରରେ ରହି କ୍ରୀଡ଼ା ଜୀବନ ଆରମ୍ଭ କରିଥିବା ବେଳେ ଜ୍ୟୋତି ସ୍ଥାନୀୟ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ନେଇଥିଲେ।

ଜ୍ୟୋତିଙ୍କ ପରିବାର ପଶ୍ଚିମବଙ୍ଗ ଦାର୍ଜିଲିଂର ମୂଳବାସିନ୍ଦା ହୋଇଥିବାବେଳେ ସେମାନେ ଝାଡ଼ଖଣ୍ଡରେ ରହୁଥିଲେ। ଜ୍ୟୋତିଙ୍କ ବଡ଼ବାପା ପାନପୋଷ କ୍ରୀଡ଼ା ଛାତ୍ରାବାସରେ ରାତ୍ର ଜଗୁଆଳିଭାବେ କାର୍ଯ୍ୟରତ ଥିଲେ। ଏଣୁ ଜ୍ୟୋତିଙ୍କ ବାପା-ମା’ ଭୀମ ସିଂହ ଛତ୍ରୀ ଏବଂ ସୁମନ ଛତ୍ରୀ ୧୯୮୮ ମସିହାରେ ରାଉରକେଲାକୁ ଆସିଥିଲେ। ଏଠାରେ ହିଁ ଜ୍ୟୋତି ଓ ତାଙ୍କ ଦୁଇ ବଡ଼ଭାଇ ସନ୍ତୋଷ ଏବଂ ସୂରଜଙ୍କ ଜନ୍ମ। ଜ୍ୟୋତିଙ୍କ ପିତା-ମାତା ରାଉରକେଲାକୁ ଚାଲି ଆସିଥିଲେ ସତ, କିନ୍ତୁ ରହିବା ତଥା କାମ ଅନ୍ବେଷଣ ପାଇଁ ଯାବତୀୟ ସମସ୍ୟା ଭୋଗିଥିଲେ। ପାନପୋଷ କ୍ରୀଡ଼ା ଛାତ୍ରାବାସ ପାଖ ବସ୍ତିରେ ଏକ ଆଜ୍‌ବେଷ୍ଟସ ଘରେ ରହିଥିଲେ। ଜ୍ୟୋତିଙ୍କ ବାପା ପ୍ରଥମେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ୱାଚମ୍ୟାନ୍‌ ରହିବାପରେ ସହାୟକ ରୋଷେୟା ଭାବେ କାର୍ଯ୍ୟ କରିଥିଲେ। ତେବେ ଦରମା ଖୁବ୍‌ କମ୍‌ ଥିବାରୁ ପରିବାର ଭରଣ ପୋଷଣ ସମ୍ଭବ ହୋଇ ନଥିଲା। ଏଣୁ ଗତ ୧୨ ବର୍ଷ ହେଲା ସେ ରାଜମିସ୍ତ୍ରୀଭାବେ କାମ କରୁଥିବା ବେଳେ ସ୍ତ୍ରୀ’ ମଧ୍ୟ ଦିନମଜୁରିଆ ଭାବେ ତାଙ୍କର ସହଯୋଗ କରନ୍ତି। ଆଜି ମଧ୍ୟ ଉଭୟ ସ୍ବାମୀ-ସ୍ତ୍ରୀ ସ୍ଥାନୀୟ କଳିଙ୍ଗବିହାର ପାଖରେ ଏକ ଘରେ କାର୍ଯ୍ୟରତ ଥିଲେ। ଶନିବାର ଦିନ ମଧ୍ୟ ସନ୍ଧ୍ୟା ୫ଟା ଯାଏ ଉଭୟ କାମ କରିବା ପରେ ଝିଅର ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମକୁ ଆସିବେ ବୋଲି କହିଛନ୍ତି।

ସେହିଭଳି ରାଜଗାଙ୍ଗପୁର କୁକୁଡ଼ା ଗ୍ରାମରେ ଜନ୍ମିତ ସୁନେଲିତାଙ୍କ ଜୀବନ ମଧ୍ୟ ଆର୍ଥିକ ଅନଟନରେ କଟିଛି। ସୁନେଲିତାଙ୍କ ପରିବାର କହିଲେ ବାପା ସୁରେଶ ଟପ୍ପୋ, ମା’ ନେଲି ସୁନୀତା ଟପ୍ପୋ, ଦୁଇ ଛୋଟ ଭାଇ ଅନିସ ଓ ଆର୍ସେନିୟସ୍‌। ନିଜର ଚାଷ ଜମି କେବଳ ୧ ଏକର। ସ୍ବଳ୍ପ ଜମିରୁ ଆୟ କମ୍‌ ହେଉଥିବାରୁ ପର ଜମିରେ ଭାଗ ଚାଷ କରିଥାନ୍ତି। ଧାନ ତଥା ପରିବା ଚାଷ କରି ଯାହା ଆୟ ହୁଏ, ସେଥିରେ ପରିଚାର ଚଳେ। ସୁନେଲିତା ପିଲାଟି ଦିନରୁ ହକି ପ୍ରତି ଆଗ୍ରହୀ ଥିଲେ। କିନ୍ତୁ ଅର୍ଥ ବ୍ୟୟ କରି ହକି ଷ୍ଟିକ୍‌ ଓ ଅନ୍ୟ ଖେଳ ଉପକରଣ କିଣିବା ପରିବାର ପକ୍ଷରେ କଷ୍ଟସାଧ୍ୟ ଥିଲା। କିନ୍ତୁ ଏସବୁରେ ହେଳା କରିନଥିଲେ ବାପା-ମା। କଷ୍ଟେମଷ୍ଟେ ଅର୍ଥ ଯୋଗାଡ଼କରି ସାମଗ୍ରୀ ଯୋଗାଇ ଦେଇଥିଲେ। ପରେ ସୁନେଲିତା ସ୍ଥାନୀୟ କୋଚ୍‌ ଡୋମିନିକ୍‌ ଟପ୍ପୋଙ୍କ ନିକଟରୁ ହକି ତାଲିମ ପାଇବାପରେ ସୁନ୍ଦରଗଡ଼ ସାଇ କ୍ରୀଡ଼ା ଛାତ୍ରାବାସରେ ଯୋଗ ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button