ରାଜନୀତି

କିଏ ହେବେ ବାଲେଶ୍ୱର ସାଂସଦ? ନେତା, ନେତୃତ୍ବ ଦ୍ବନ୍ଦ୍ବରେ – Kalinga News

[ad_1]

ବାଲେଶ୍ବର: ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଲୋକସଭା ଆସନ ବାଲେଶ୍ବରରୁ ଏଥର କିଏ ସଂସଦକୁ ଯିବ, ତା’ରି ଉପରେ ସବୁ ରାଜନୈତିକ ଦଳର ଆଖି। ୨୦୧୯ ନିର୍ବାଚନରେ ଏହି ଆସନରୁ ନିର୍ବାଚିତ ହୋଇଥିଲେ ବିଜେପି ନେତା ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ। ଓଡ଼ିଶା ରାଜନୀତିରେ ବେଶ ଜଣାଶୁଣା ଶ୍ରୀ ଷଡ଼ଙ୍ଗୀ ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କର ନିରାଡ଼ମ୍ବର ଜୀବନଶୈଳୀ ଓ ବହୁଭାଷାରେ ପାଣ୍ଡିତ୍ୟ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ନିଜର ଦ୍ବିତୀୟ ପାଳି ସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ମତ୍ସ୍ୟ, ପଶୁସମ୍ପଦ, ଦୁଗ୍ଧ ପ୍ରକ୍ରିୟାକରଣ, ଏମ୍‌ଏସ୍‌ଏଇ ମନ୍ତ୍ରୀ ଭାବେ କେନ୍ଦ୍ର କ୍ୟାବିନେଟ୍‌ରେ ସ୍ଥାନ ମଧ୍ୟ ଦେଇଥିଲେ। ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ଅପସାରଣ କରିଥିଲେ ପ୍ରଧାନମନ୍ତ୍ରୀ। ତେବେ ୨୦୨୪ରେ ବିଜେପି ତାଙ୍କୁ ଏହି ଆସନରୁ ପୁଣି ପ୍ରାର୍ଥୀ କରିବ କି ନାହିଁ; ତାହା ଏଯାଏ ଦଳରୁ ସ୍ପଷ୍ଟ ହୋଇନାହିଁ। ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ କିମ୍ବା କୌଣସି ଜଣାଶୁଣା ଯୁବ ଚେହେରାଙ୍କୁ ଏଠାରୁ ପ୍ରାର୍ଥୀ କରିପାରନ୍ତି।

ସେପଟେ ୨୦୧୯ରେ ଏହି ଆସନରୁ ବିଜେଡିର ଲୋକସଭା ପ୍ରାର୍ଥୀ ହୋଇଥିଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା। ବିଜେଡିର ଏହି ହେଭିୱେଟ୍‌ ନେତା ମାତ୍ର ୧୩ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କଠାରୁ ହାରି ଯାଇଥିଲେ। ବାଲେଶ୍ବର ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା ଆସନରୁ ଦଳ ୪ଟି ହାତେଇଥିବା ବେଳେ ଲୋକସଭା ଭୋଟ୍‌ରେ କାହିଁକି ପଛେଇଲା, ସେ ନେଇ ଅନେକ ମାନସମନ୍ଥନ ହେଲା। ଏଥର ବସ୍ତା ନିର୍ବାଚନ ମଣ୍ଡଳୀରୁ ରବୀନ୍ଦ୍ରଙ୍କ ପତ୍ନୀ ତଥା ମହିଳା ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା ବିଧାନସଭା ପ୍ରାର୍ଥୀ ଭାବେ ଆଶାୟୀ ଅଛନ୍ତି। ଏଭଳି ସ୍ଥିତିରେ ରବୀନ୍ଦ୍ରଙ୍କୁ ଲୋକସଭା ଆସନରୁ ପୁନଶ୍ଚ ପ୍ରାର୍ଥୀ କରାଯିବା କ୍ଷୀଣ ବୋଲି କୁହାଯାଉଛି। ତେବେ ୨୦୨୪ରେ ବିଜେଡି ବାଲେଶ୍ବରରୁ ନୂଆ ଚେହେରା ସାମ୍‌ନାକୁ ଆଣିପାରେ ବୋଲି ଚର୍ଚ୍ଚା ହେଉଛି। ଏମିତିରେ ବି ବିଜେଡି ଗୋଟିଏ ପରିବାରରୁ ଜଣକୁ ଟିକେଟ୍ ନୀତି ଅବଲମ୍ବନ କରି ଆସୁଛି। ଏଣୁ ଯଦି ସୁବାସିନୀ ବିଧାନସଭା ପ୍ରାର୍ଥୀ ହୁଅନ୍ତି, ତେବେ ଶ୍ରୀ ଜେନାଙ୍କୁ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରୁ ଦୂରେଇ ରଖାଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

ସେହିପରି ଏକଦା ବାଲେଶ୍ବରର ଗଡ଼ ଥିବା କଂଗ୍ରେସ ମଧ୍ୟ ଏହି ଆସନରୁ ନଜର ହଟାଇନାହିଁ। ୨୦୦୯ରେ ଶ୍ରୀକାନ୍ତ ଜେନା ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ୨୦୧୪ରେ ରବୀନ୍ଦ୍ର ଜେନାଙ୍କଠାରୁ ପରାଜିତ ହୋଇଥିଲେ ଶ୍ରୀକାନ୍ତ। ପରବର୍ତ୍ତୀ ସମୟରେ ସେ କଂଗ୍ରେସରୁ ନିଲମ୍ବିତ ହେବାପରେ ୨୦୧୯ରେ ବାଲେଶ୍ବର ଆସନରୁ ଦଳର ନୂଆ ତଥା ଯୁବ ଚେହେରା ଭାବେ ନବଜ୍ୟୋତି ପଟ୍ଟନାୟକଙ୍କୁ କଂଗ୍ରେସ ଟିକେଟ୍‌ ମିଳିଥିଲା। ବିଜେଡିର ସମସ୍ତ ରଣନୀତି ଓ ବିଜେପିର ମୋଦୀ ଲହର ସତ୍ତ୍ବେ ୧ ଲକ୍ଷ ୭୯ ହଜାର ଭୋଟ୍‌ ପାଇଥିଲେ ନବଜ୍ୟୋତି। ନିର୍ବାଚନ ପରଠାରୁ ତୃଣମୂଳସ୍ତରରେ ସେ ଜନସାଧାରଣଙ୍କ ସହ ଯୋଡ଼ି ହୋଇ ରହିଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ କଂଗ୍ରେସ ସଂଗଠନକୁ ମଜବୁତ୍‌ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ରାଜନୈତିକ ସମୀକ୍ଷକଙ୍କର କହିବା କଥା ହେଉଛି, ତିନି ଦଳର ଆଶାୟୀମାନେ ଯେମିତି ଦ୍ବନ୍ଦ୍ବରେ ଅଛନ୍ତି, ସବୁ ଦଳର ନେତାମାନେ ବି। ଶେଷ ମୁହୂର୍ତରେ ରାଜନୈତିକ ଦଳମାନେ ଏଠାରେ ପ୍ରାର୍ଥୀ ବଦଳାଇପାରନ୍ତି ଓ ଗୁରୁତ୍ବପୂର୍ଣ୍ଣ ଏହି ନିର୍ବାଚନମଣ୍ଡଳୀର ରାଜନୈତିକ ସମୀକରଣ ମଧ୍ୟ ବଦଳିପାରେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button