ରାଜନୀତି

ଦେବାଶିଷ, ଶୁଭାଶିଷ ବିଜେଡି ପ୍ରାର୍ଥୀ: କଟକ, ପୁରୀ ରାଜନୀତି ପାଇଁ କୌଶଳ – Kalinga News

[ad_1]

ସବୁ ଚର୍ଚ୍ଚା, ଆକଳନ ଭୁଲ୍ ପ୍ରମାଣିତ, ତୃତୀୟ ପ୍ରାର୍ଥୀଙ୍କୁ ନେଇ ସସ୍‌ପେନ୍ସ ଜାରି

ଭୁବନେଶ୍ବର: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଚୟନରେ ପୁଣି ଚକ୍‌ମା ଦେଖାଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ସମସ୍ତ ରାଜନୈତିକ ଆକଳନକୁ ଭୁଲ୍ ପ୍ରମାଣିତ କରି ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ କଟକର ଦେବାଶିଷ ସାମନ୍ତରାୟ ଓ ପୁରୀର ଶୁଭାଶିଷ (ଲକି) ଖୁଣ୍ଟିଆ। ଆଗାମୀ ସାଧାରଣ ନିର୍ବାଚନ ଏବଂ କଟକ ଓ ପୁରୀ ଜିଲ୍ଲାର ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରାଯାଇଥିବା ସ୍ପଷ୍ଟ ହୋଇଛି। ତେବେ ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା ନକରି ସମସ୍ତଙ୍କୁ ସସ୍‌ପେନ୍ସରେ ରଖିଛନ୍ତି ନବୀନ। ଏହି ତୃତୀୟ ପ୍ରାର୍ଥୀଙ୍କ ଉପରେ ଏବେ ରାଜନୈତିକ ମହଲର ନଜର ରହିଛି। ରାଜ୍ୟସଭା ନିର୍ବାଚନରେ ବିଜେଡିର ତିନି ପ୍ରାର୍ଥୀ ଜିତିବା ଏକ ପ୍ରକାର ସ୍ପଷ୍ଟ ଥିବାରୁ ଦଳର ସଭାପତିଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଥିଲା। ବିଭିନ୍ନ ମହଲରେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଭିନ୍ନ ଭିନ୍ନ ଆକଳନ ଚାଲିଥିଲା। କିନ୍ତୁ ଆଜି ଯେଉଁ ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି, ସେମାନଙ୍କ ନାମ ଗତକାଲି ଯାଏ ଆଦୌ ଚର୍ଚ୍ଚାରେ ନଥିଲା। ଆଜି ମଧ୍ୟାହ୍ନରୁ ଏହି ଦୁଇ ପ୍ରାର୍ଥୀଙ୍କ ସମ୍ପର୍କରେ କିଛି କିଛି ଆଲୋଚନା ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ବିଜେଡି ପକ୍ଷରୁ ବିଧିବଦ୍ଧ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇ ଦେବାଶିଷ ଓ ଶୁଭାଶିଷଙ୍କ ନାମ ସ୍ପଷ୍ଟ କରାଯାଇଥିଲା।

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ଏହା ଏକ ବଡ଼ ଗୋଟିଚାଳନା ବୋଲି କୁହାଯାଉଛି। କଟକ ଓ ପୁରୀ ଜିଲ୍ଲାର ରାଜନୈତିକ ସ୍ଥିତିକୁ ନଜରରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ଶୁଭାଶିଷ ଖୁଣ୍ଟିଆ ଏବେ ଯୁବ ବିଜେଡିର ରାଜ୍ୟ ଉପସଭାପତି ଅଛନ୍ତି। ପୁରୀ ସଦର ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହେବାକୁ ସେ ବଡ଼ ଦାବିଦାର ଅଟନ୍ତି। ଗତ କିଛି ବର୍ଷ ହେଲା ସେ ପୁରୀରେ ନିଜସ୍ବ ସଂଗଠନ ବେଶ୍ ଦୃଢ଼ କରିଛନ୍ତି। ସେପଟେ ମହେଶ୍ବର ମହାନ୍ତିଙ୍କ ପରିବାରରେ କାହାକୁ ଟିକେଟ୍ ଦେବା ପାଇଁ ମଧ୍ୟ ଦାବି ଉଠିଛି। କିନ୍ତୁ ଶୁଭାଶିଷଙ୍କୁ ଅସନ୍ତୁଷ୍ଟ କଲେ ବିଜେଡିକୁ ବହୁମୂଲ୍ୟ ଦେବାର ଆଶଙ୍କା ରହିଥିଲା। ଏହାର ପ୍ରଭାବ ମଧ୍ୟ ପୁରୀ ଲୋକସଭା କ୍ଷେତ୍ରରେ ପଡ଼ିବାର ଆଶଙ୍କା ଥିଲା। ସେଥିପାଇଁ ଶୁଭାଶିଷଙ୍କୁ ଆଗୁଆ ସନ୍ତୁଷ୍ଟ କରିବାକୁ ତାଙ୍କୁ ରାଜ୍ୟସଭା ପଠାଇବାକୁ ଦଳ ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି। ତେବେ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି କାହାକୁ ଆଗକୁ ଛାଡ଼ିବ, ତାହା ଖୁବ୍‌ଶୀଘ୍ର ସ୍ପଷ୍ଟ ହେବ।

ସେହିପରି ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପୁନର୍ବାର ସେଠାରେ ଲଢ଼ିବାକୁ ଯୋଜନା କରୁଥିଲେ। ଯଦିଓ ସେହି ଆସନ ପାଇଁ ବହୁ ଦାବିଦାର ଥିଲେ, ତେବେ ଦେବାଶିଷ ଦୌଡ଼ରେ ଆଗରେ ଥିଲେ। କିନ୍ତୁ ଦେବାଶିଷଙ୍କୁ ରାଜ୍ୟସଭାକୁ ପଠାଇ ବାରବାଟୀ-କଟକ ପାଇଁ ଦଳ କିଛି ଠୋସ୍ ରଣନୀତି ପ୍ରସ୍ତୁତ କରୁଥିବାର ଆଭାସ ମିଳୁଛି। ଉପକୂଳ ଓଡ଼ିଶାରେ ବିଶେଷ କରି କଟକ ବିଜେଡି ପାଇଁ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ହୋଇଥିବାରୁ କୌଣସି ଗୋଟିଏ ଆସନ ହାତଛଡ଼ା କରିବାକୁ ଦଳ ପ୍ରସ୍ତୁତ ନାହିଁ। କାହାକୁ ଆଖି ଆଗରେ ବିଜେଡି ଦେବାଶିଷଙ୍କୁ ଟିକେଟ୍‌ ଦୌଡ଼ରୁ ଦୂରେଇ ଦେଇଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି ଫେବ୍ରୁ୍ଆରି ୧୫। ଆଜି ବିଜେଡି ପକ୍ଷରୁ ବିଧାୟକ ଅନନ୍ତ ନାରାୟଣ ଜେନା ତିନି ଜଣ ପ୍ରାର୍ଥୀଙ୍କ ପାଇଁ ନାମାଙ୍କନପତ୍ର କ୍ରୟ କରିଛନ୍ତି। ଆସନ୍ତାକାଲି କିମ୍ବା ବୁଧବାର ଦିନ ବିଜେଡି ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button