ବାରବାଟୀ-କଟକ ରାଜନୀତି: ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ଉପହାର – Kalinga News

[ad_1]
ନୂଆ ଚେହେରା ପାଇଁ ବାଟ ସଫା, ଦଳ ନେଇପାରେ ଅପ୍ରତ୍ୟାଶିତ ନିଷ୍ପତ୍ତି
କଟକ: ପୂର୍ବତନ ବିଧାୟକ, କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେଡି। ଦେବାଶିଷଙ୍କୁ ଦଳ ‘ରାଜ୍ୟସଭା’ ଉପହାର ଦେବା ଘଟଣା ତାଙ୍କ ସମର୍ଥକ ଓ ଶୁଭେଚ୍ଛୁଙ୍କୁ ଉତ୍ସାହିତ କରିଛି। ଏଥିସହିତ ବାରବାଟୀ-କଟକ ବିଧାନସଭା ଆସନ ପାଇଁ ଦଳ ଆଗକୁ ନୂଆ ଚେହେରା ଦେବ, ଏକଥା ବି ସ୍ପଷ୍ଟ ହୋଇଯାଇଛି। ଆଉ ପାଦେ ଆଗକୁ ଯାଇ କହିଲେ, ଏହି ଆସନରୁ ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ ଥିଲେ ବି ନିର୍ଦିଷ୍ଟ କୌଣସି ଜଣେ ନେତାଙ୍କୁ ଆଖି ଆଗରେ ରଖି ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଏଭଳି ଗୋଟି ଚଳାଇଛନ୍ତି, ଏଥିରେ ସନ୍ଦେହ ନାହିଁ।

Sambad is now on WhatsApp
Join and get latest news updates delivered to you via WhatsApp
ଦେବାଶିଷ ୨୦୦୯ରୁ କଟକ ରାଜନୀତିରେ ନିଜର ପ୍ରଭାବ ଆଉ ପତିଆରା ରଖି ଆସିଥିଲେ। ୨୦୦୦ ମସିହା ସାଧାରଣ ନିର୍ବାଚନରେ ତାଙ୍କର ସଂପର୍କୀୟ ଭାଇ ତଥା ରାଜ୍ୟ ରାଜନୀତିର ଅତ୍ୟନ୍ତ ପ୍ରଭାବଶାଳୀ ନେତା ସ୍ବର୍ଗତ ବସନ୍ତ ବିଶ୍ବାଳଙ୍କୁ ତିର୍ତ୍ତୋଲ ଆସନରେ ପରାସ୍ତ କରି ଚର୍ଚ୍ଚାକୁ ଆସିଥିବା ଦେବାଶିଷ ୨୦୦୪ରେ ବସନ୍ତଙ୍କ ପୁଅ ଚିରଞ୍ଜୀବୀ ବିଶ୍ବାଳଙ୍କ ଠାରୁ ନିର୍ବାଚନ ହାରିଯାଇଥିଲେ। ପରବର୍ତ୍ତୀ ସମୟରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟାରେ ତିର୍ତ୍ତୋଲ ଆସନ ସଂରକ୍ଷିତ ହୋଇଯିବାରୁ ୨୦୦୯ ନିର୍ବାଚନରେ ସେ ବାରବାଟୀ-କଟକ ବିଧାନସଭା ଆସନରେ ଦଳର ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୧୪ ନିର୍ବାଚନରେ ମଧ୍ୟ ଏ ଆସନ ତାଙ୍କ ଦଖଲରେ ରହିଲା। ହେଲେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଇଂଜିନିୟର ମହମ୍ମଦ ମୋକିମ୍ଙ୍କ ଠାରୁ ୩ ହଜାରରୁ ଅଳ୍ପ କିଛି ଅଧିକ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। ଏହାସତ୍ତ୍ବେ ଦଳ ତାଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ଦେବା ସହିତ କଟକ ଜିଲ୍ଲା ବିଜେଡି ରାଜନୀତିରେ ସବୁ ବେଳେ ଆଗରେ ରଖି ଆସିଛି। ଏହାର ପ୍ରଭାବ ବି ପରବର୍ତ୍ତୀ ସମୟରେ ଦେଖିବାକୁ ମିଳିଛି। ୨୦୨୨ କଟକ ପୌର ନିଗମ କାଉନସିଲ୍ ନିର୍ବାଚନରେ ବିଜେଡିର ଉଲ୍ଲେଖନୀୟ ସଫଳତା ପଛରେ ଦେବାଶିଷଙ୍କ ପ୍ରମୁଖ ଭୂମିକା ଥିଲା। ସଦର ଓ ଚୌଦ୍ବାର-କଟକ ନିର୍ବାଚନମଣ୍ଡଳୀ ତୁଳନାରେ ବାରବାଟୀ-କଟକରେ ବିଜେଡିକୁ ପୌର ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ମିଳିଥିଲା।
ଆଜି ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଯେଉଁ ଆସ୍ଥା ଆଉ ଭରସା ରଖିଛନ୍ତି, ତାହାକୁ ବଜାୟ ରଖିବା ସହିତ ଜାତୀୟସ୍ତରରେ ରାଜ୍ୟର ସ୍ବାର୍ଥ ହାସଲ ଦିଗରେ କାର୍ଯ୍ୟ କରିବେ। ଆଗାମୀ ସାଧାରଣ ନିର୍ବାଚନ ପାଇଁ କଟକରେ ଦଳକୁ ସାଂଗଠନିକ ସ୍ତରରେ ଅଧିକ ମଜବୁତ କରିବା ଦିଗରେ ଉଦ୍ୟମ ଜାରି ରହିବ। ଅନ୍ୟପଟେ ଗଲା ୩ଟି ନିର୍ବାଚନରେ ବାରବାଟୀ-କଟକରୁ ବିଜେଡିର ପ୍ରାର୍ଥୀ ହୋଇ ରହି ଆସିଥିବା ଦେବାଶିଷଙ୍କ ବଦଳରେ ଦଳ କାହାକୁ ପ୍ରାର୍ଥୀ କରିବ, ତାହାକୁ ନେଇ ଜୋରଦାର ଆଲୋଚନା ଆରମ୍ଭ ହୋଇଯାଇଛି। ମେୟର ଥାଇ ବି ସୁବାସ ସିଂହ ବାରବାଟୀ-କଟକରୁ ବିଧାୟକ ଭାବେ ନିର୍ବାଚନ ଲଢିବା ପାଇଁ ପ୍ରବଳ ଇଚ୍ଛା ରଖିଛନ୍ତି। ସେ ପୂର୍ବରୁ ଖୋଲାଖୋଲି ବିଭିନ୍ନ ଫୋରମରେ ତାଙ୍କ ଇଚ୍ଛା ପ୍ରକାଶ କରି ଆସିଛନ୍ତି। ସେହିଭଳି ବିଶ୍ବଜିତ ମହାନ୍ତି ଓ ଡକ୍ଟର ରଂଜନ ବିଶ୍ବାଳଙ୍କ ନାମ ସ୍ବତଃ ଚର୍ଚ୍ଚାକୁ ଆସୁଛି। କେବଳ ଏହି ଦୁଇଜଣ ନୁହନ୍ତି, ବରିଷ୍ଠ ନେତା ପ୍ରଫୁଲ୍ଲ ସିଂହ, ଧର୍ମେଶ ନାୟକ, ଅରିନ୍ଦମ ରଏ ପ୍ରମୁଖ ଟିକେଟ ଆଶା ରଖୁଥିବା ବେଳେ ସଂଖ୍ୟାଲଘୁ ନେତା ମହମ୍ମଦ ସକିଲ, ରମଜାନ ଖାଁ ପ୍ରମୁଖ ବି ବାରବାଟୀ-କଟକ ଅଞ୍ଚଳରେ ସଂଖ୍ୟାଲଘୁ ଭୋଟରଙ୍କ ପ୍ରଭାବ ଦୃଷ୍ଟିରୁ ଟିକେଟ ଆଶା କରିବା ସ୍ବାଭାବିକ।
କିନ୍ତୁ ଏସବୁ ପରେ ବି ଦଳ ଦେବାଶିଷଙ୍କୁ ସନ୍ତୁଷ୍ଟ କରି ଯେଉଁ ଗୋଟି ଚାଳନା କରିଛି ସେଥିରେ ବାରବାଟୀ-କଟକ ପାଇଁ କିଛି ବଡ଼ ଯୋଜନା କରିଥିବା ଆକଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମମାଟି ହେଉଛି ବାରବାଟୀ-କଟକ। ବିଭିନ୍ନ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ କଟକ ପ୍ରତି ଥିବା ତାଙ୍କ ଭଲ ପାଇବା ସଂପର୍କରେ ସ୍ପଷ୍ଟ କରି ଆସିଛନ୍ତି। ବାରବାଟୀ-କଟକରେ କଂଗ୍ରେସ ପ୍ରାର୍ଥୀ ଭାବେ ୨୦୧୯ ନିର୍ବାଚନରେ ମହମ୍ମଦ ମୋକିମ୍ଙ୍କ ବିଜୟକୁ ଦଳ ସହଜରେ ଗ୍ରହଣ କରି ପାରି ନାହିଁ। ମୋକିମ୍ ବି ଗଲା ୫ ବର୍ଷ ଭିତରେ ନିଜର ଭାବମୂର୍ତ୍ତି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବଜାୟ ରଖି ଆସିଛନ୍ତି। ତେଣୁ ମୋକିମ୍ଙ୍କୁ ହରାଇବା ସହ ଉପକୂଳରେ ବିଜେଡି ସପକ୍ଷରେ ହାୱା ସୃଷ୍ଟି କରିବା ପାଇଁ ବାରବାଟୀ-କଟକରୁ ମୁଖ୍ୟମନ୍ତ୍ରୀ ନିଜେ ଅଥବା ତାଙ୍କର ମନୋନୀତ କେହି ବିଶେଷ ବ୍ୟକ୍ତି ଏଠାରୁ ନିର୍ବାଚନ ଲଢିବା ସମ୍ଭାବନାକୁ ଏଡାଇ ଦେଇ ହେଉ ନାହିଁ।
[ad_2]