ତୁ ମୋର ଭାଲେଣ୍ଟାଇନ୍: କୁଲଦୀପ-ଇପ୍ସିତା – Kalinga News

[ad_1]
ପ୍ରତି କିଲୋମିଟରରେ ଗୋଟେ ଗୋଲାପ
ଭୁବନେଶ୍ବର: ୨୦୧୪ କି ୧୫ ମସିହା ହେବ। ବରମୁଣ୍ଡା ସାଇ ଭଜନସନ୍ଧ୍ୟାରେ ହୋଇଥିଲା ପ୍ରଥମ ଦେଖା। ଦୁହେଁ ମିଶି ସାଇଙ୍କ ଭଜନ ଗାଇଥିଲେ। ସେଇଠୁ ଆରମ୍ଭ ହେଲା ବନ୍ଧୁତା। କିଛିଦିନ ଚାଲିଲା ଭାବ ଦିଆନିଆ। ବନ୍ଧୁତା ରୂପକ ନଈ କ୍ରମେ ପ୍ରେମର ଦରିଆରେ ଲୀନ ହେବାକୁ ଆଗକୁ ବଢ଼ିଲା। ପୁଅଟି ନିଜ ମନର ଭାବକୁ ବାଢ଼ି ଦେଲା ପ୍ରେମିକା ଆଗରେ। ହେଲେ ସେତେବେଳେ କ୍ୟାରିୟର ଗଢ଼ିବା ଥିଲା ପ୍ରଥମ ଦାୟିତ୍ବ। ତେଣୁ ପୁଅଟି ଚାଲିଗଲା ମୁମ୍ବାଇ। ପ୍ରେମିକା ରହିଗଲା ଓଡ଼ିଶାରେ। ତେବେ ପଣ ରହିଲା- ଉଭୟ କ୍ୟାରିୟର ଗଢ଼ି ସାରିବା ପର୍ଯ୍ୟନ୍ତ ଯଦି ପ୍ରେମ ବଞ୍ଚିରହେ, ତେବେ କଥା ଆଗକୁ ବଢ଼ିବ। ଦୂରତା ସିନା ବଢ଼ିଗଲା, ହେଲେ ଦୁଇ ହୃଦୟ ସେମିତି ଯୋଡ଼ି ହୋଇ ରହିଥିଲା। ତା’ପରେ ପ୍ରାୟ ୪ ବର୍ଷ ଦେଖା ହୋଇ ନଥିଲା। କେତେବେଳେ କାଁ ଭାଁ ଫୋନ୍ରେ କଥାବାର୍ତ୍ତ। ବାସ୍ ସେତିକି।

Sambad is now on WhatsApp
Join and get latest news updates delivered to you via WhatsApp
କୋଭିଡ୍ ସମୟରେ ମୁମ୍ବାଇରୁ ଓଡ଼ିଶା ଫେରିଲା ପୁଅ। ସେତେବେଳକୁ ସେଇ ଦୂରରୁ ଦୂରରୁ ହିଁ ଭଲ ପାଇବା, ସ୍ନେହ, ପ୍ରେମ ଓ ସମ୍ମାନ ପୂର୍ବଠାରୁ ଆହୁରି ମଜବୁତ ହୋଇ ସାରିଥିଲା। ଅନେକ ଦିନ ପରେ ଭେଟହେଲା। ସେଦିନ ଦୁହେଁ ସାଥିହୋଇ ଜୀବନର ବାଟ ଚାଲିବାର ନିଷ୍ପତ୍ତି ନେଲେ। ଉଭୟଙ୍କ ଘରେ କଥା ପଡ଼ିଲା। ଶେଷରେ ୨୦୨୨ରେ ବିବାହ ବନ୍ଧନ ଦୁହିଁଙ୍କୁ ସାତଜନ୍ମକୁ ସାଥୀ କରିଦେଲା। ଏ ହେଉଛି ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ଓ ଇପ୍ସିତା ପଣ୍ଡାଙ୍କର ପ୍ରେମ କାହାଣୀ। କୁଲ୍ଦୀପ କହନ୍ତି, ‘‘ମୁମ୍ବାଇରୁ ଫେରିବା ପରେ ଆମେ ଦୁହେଁ ଲଙ୍ଗ୍ ଡ୍ରାଇଭ୍ରେ ଯାଇଥିଲୁ। ସେ ବାମ ପାଖରେ ବସିଥିଲେ। ମୁଁ ପ୍ରତି ଗୋଟେ କିଲୋମିଟରରେ ଗୋଟେ ନାଲିରଙ୍ଗର ଗୋଲାପ ଫୁଲ ତାଙ୍କୁ ଦେଉଥିଲି। ପ୍ରଥମ ଫୁଲ ଦେବା ପରେ ସେ ଖୁସି ହେଇ ଯାଇଥିଲେ। ଦ୍ବିତୀୟ ଫୁଲଟି ପାଇ ଆଉ ଟିକେ ଅଧିକ ଖୁସି ହୋଇଥିଲେ। କିନ୍ତୁ ଗୋଟେ ପରେ ଗୋଟେ ମୁଁ ନନ୍ଷ୍ଟପ୍ ଫୁଲ ଦେଉଥିବାର ଦେଖି ସେ ଖୁସିରେ ଆତ୍ମହରା ହୋଇ ପଡ଼ିଥିଲେ। ଆଜି ବି ସେ ସେଇ ସବୁଯାକ ଫୁଲକୁ ସାଇତି ରଖିଛନ୍ତି। ମୁଁ ବହୁତ ଭାଗ୍ୟବାନ ଯେ ଇପ୍ସିତାଙ୍କ ପରି ଜଣେ ଜୀବନ ସାଥୀ ପାଇଛି। ସେ ବହୁତ ସକାରାତ୍ମକ ଚିନ୍ତାଧାରାର। ସେ ବିଶ୍ବର ସବୁଠୁ ଭଲ ପତ୍ନୀ। ପ୍ରୋଗ୍ରାମ ଥିଲେ ମୋ’ର ପୋଷାକ ଠାରୁ ଆରମ୍ଭ କରି କେଉଁ ଗୀତ ଗାଇବି, ସବୁର ପ୍ରସ୍ତୁତି ସେ କରିଥା’ନ୍ତି। ଆମେ କେବେ ‘ପ୍ରେମ ସପ୍ତାହ’ ପାଳନ କରିନାହୁଁ। ଏ ପ୍ରେମ ସପ୍ତାହ ପାଳନ କରିବାରେ ମୁଁ ବିଶ୍ବାସ କରେନି। କିନ୍ତୁ ହଁ, ଆମେ କେବେ କେବେ ବାହାରକୁ ବୁଲିବାକୁ ଯାଉ, କେକ୍ କାଟୁ, କିମ୍ବା ରେସ୍ତୋରାଁରେ ଖାଇବାକୁ ଯାଉ। ବଞ୍ଚିବା ପାଇଁ ପ୍ରେମ ନିହାତି ଜରୁରି। ପ୍ରେମ ନଥିଲେ ଜୀବନ ବି କି ଜୀବନ!’’ ଇପ୍ସିତା କହନ୍ତି, ‘‘ସେ ସମସ୍ତଙ୍କୁ ଠାରୁ ବହୁତ ଅଲଗା। ମୁଁ ତାଙ୍କ ଯାଦୁଗରୀ ସ୍ବରର ବହୁତ ବଡ଼ ଦିୱାନୀ। ତାଙ୍କ ସ୍ବର ହିଁ ମତେ ତାଙ୍କ ପାଖକୁ ଟାଣି ଆଣିଛି। ତାଙ୍କ ସହ ଦେଖା ହୋଇନଥିବା ବେଳେ ତାଙ୍କ ସ୍ବର ଶୁଣି ମୁଁ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲି। ସେ ମୋତେ ଅନୁଭବ କରି ଗୀତ ଗାଆନ୍ତି। ବିଶେଷ କରି ‘ପ୍ରିୟା ତୁ ମୋରି ଦୁନିଆ…’ ସେ ମୋ’ପାଇଁ ହିଁ ଗାଇଛନ୍ତି। ସବୁ ସୋ’ରେ ସେ ମୋତେ ଉତ୍ସର୍ଗ ବା ଡେଡିକେଟ୍ କରି ଏ ଗୀତ ଗାଆନ୍ତି। ମତେ ଖୁସି କରିବାଲାଗି ସେ ନିୟମିତ ବହୁତ କିଛି କରନ୍ତି। ଆମ ପାଇଁ ସବୁ ଦିନ ପ୍ରେମ ଦିବସ।’’
[ad_2]